କେନ୍ଦୁଝରରେ ହଜିଯାଉଛି ଆଦିବାସୀ ସଂସ୍କୃତି ଓ ପରମ୍ପରା
କେନ୍ଦୁଝରଗଡ଼: କେନ୍ଦୁଝର ଜିଲାର ମୋଟ ୮୩୦୩ ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରୁ ଏକଦା ଶତକଡା ୭୫ ଭାଗ ଜଙ୍ଗଲ ରହିଥିଲା। ଏହିସବୁ ଜଙ୍ଗଲ ଅଞ୍ଚଳରେ ପାରମ୍ପରିକ ସଂସ୍କୃତି ଓ ପରମ୍ପରାକୁ ଆଦିବାସୀମାନେ ଉଜ୍ଜୀବିତ କରି ରଖିଥିଲେ। ଏକବିଂଶ ଶତାଦ୍ଦୀର ପରିବର୍ତ୍ତିତ ପରିସ୍ଥିତିରେ କେନ୍ଦୁଝରର ଚିତ୍ର ଏବେ ସମ୍ପୂର୍ଣ୍ଣ ଭିନ୍ନ ପ୍ରତୀୟମାନ ହେଉଛି।
ସୂଚନାଯୋଗ୍ୟ ଯେ, ସ୍ୱାଧିନତା ପରବର୍ତ୍ତୀ ଦୁଇ ଦଶନ୍ଧି ଧରି କେନ୍ଦୁଝର ଜିଲାର ସମୁଦାୟ ଜମିରେ ୭୫ ପ୍ରତିଶତ ଭାଗ ଜଙ୍ଗଲ ରହିଥିଲା। କିନ୍ତୁ ବର୍ତ୍ତମାନ ଜିଲାର ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଦୃତ ଗତିରେ ଖଣି ଓ ଶିଳ୍ପ ସଂସ୍ଥା ଗଢ଼ି ଉଠିବା, ୪ଥାକିଆ ଜାତୀୟ ରାଜପଥ ନିର୍ମାଣ ସାଙ୍ଗକୁ ବିଭିନ୍ନ ଭିତ୍ତିଭୂମିର ବିକାଶ ଆଳରେ ଜଙ୍ଗଲସମ୍ପଦ ନଷ୍ଟ ପରିବେଶବିତ୍ ମହଲରେ ଉଦ୍ବେଗର ବିଷୟ ହୋଇଛି। ଜଙ୍ଗଲସମ୍ପଦକୁ ଭରସା କରି ଜୀବନ ଜୀବିକା ନିର୍ବାହ କରି ଆସୁୁଥିବା ଜିଲାର ଆଦିମ ଜନଜାତି ଜୁଆଙ୍ଗ ଓ ପାଉଡି ଭୂୟାଁଙ୍କ ସମେତ ମାଝୀ, ଭୂୟାଁ, ସାନ୍ତାଳ, ଗଣ୍ଡ, ସାଉଁତି, ମୁଣ୍ଡା ଆଦି ୪୫ରୁ ଊର୍ଦ୍ଧ୍ବ ଜନଜାତି ବସବାସ କରିବା ସହ ନିଜର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଜିଲା ପାଇଁ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଥିଲେ। ସମ୍ପ୍ରତି ପ୍ରଗତି, ଥଇଥାନ ଓ ବିକାଶ ଆଳରେ ସରକାର ଜଙ୍ଗଲ ଉପରେ ନିର୍ଭର କରି ବଞ୍ଚି ଆସୁଥିବା ପାରମ୍ପରିକ ଏହି ବନବାସୀଙ୍କ ଆର୍ଥିକ ସ୍ଥିତି ଉପରେ ଗୁରୁତ୍ୱ ଦେଲେନାହିଁ। ଫଳରେ ଜିଲାରେ ବ୍ୟାପକ ଖଣିଜ ପଥର ଉତ୍ତୋଳନ ଯୋଗୁଁ ଜଙ୍ଗଲ ମାଫିଆଙ୍କ ଦ୍ୱାରା ବ୍ୟାପକ ଜଙ୍ଗଲ ନଷ୍ଟ କାରଣରୁ ବନବାସୀ ବେଶ୍ କ୍ଷତିଗ୍ରସ୍ତ ହେବାରେ ଲାଶ୍ଛନ୍ତି। ପ୍ରଥମତଃ ଆଦିବାସୀମାନେ ଜଙ୍ଗଲରୁ ମିଳୁଥିବା ହରିଡା, ବାହାଡା, ଅଁଳା, କେନ୍ଦୁ, ଝୁଣା, ଲାଖ, ତେନ୍ତୁଳି, ମହୁଲ, ଆମ୍ବ ଓ ପଣସ ଆଦି ବିଭିନ୍ନ ପ୍ରକାର ଫଳ ସଂଗ୍ରହ କରି ସ୍ଥାନୀୟ ବଜାରରେ ବିକ୍ରି କରି ଦୈନଦିନ ଗୁଜୁରାଣ ମେଣ୍ଟାଇଥାନ୍ତି। ଏଥିସହିତ ଆବଶ୍ୟକତା ଅନୁଯାୟୀ ଛୋଟଘର, କିଛି ବସ୍ତ୍ର, ଝରଣାର ଶୁଦ୍ଧ ଜଳ, ଆରଣ୍ୟକ ପବନ ତଥା ପ୍ରକୃତିର ସମସ୍ତ ସହଯୋଗରେ ଆଦିବାସୀମାନେ ନିଜର ଜୀବନ ଜୀବୀକା ନିର୍ବାହ କରିବା ସହ ବେଶ୍ ସ୍ୱଛନ୍ଦରେ ଜୀବନଯାପନ କରି ଆସୁଥିଲେ। ସରକାର ଆଦିବାସୀଙ୍କ ଜୀବନଯାପନରେ ପରିବର୍ତ୍ତନ କରିବାକୁ ଯାଇ ଉଚ୍ଚସ୍ତରୀୟ ଅଭିସନ୍ଧି ନେଇ ନଳକୂପ ଖନନ, ବିଦ୍ୟୁତ୍ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ସୁବିଧା ଯୋଗାଇ ଏମାନଙ୍କ ବିକାଶ କରିବା ଫଳରେ ବାଧ୍ୟତାମୂଳକ ଭାବେ ଯୋଜନାଗତ ନିୟମ ଅନୁଯାୟୀ ସେମାନେ ନିଜର ପାରମ୍ପରିକ ଜୀବନଶୈଳୀକୁ ହରାଇ ଏକ ଭିନ୍ନ ଶୈଳୀର ଜୀବନଧାରଣ କରିବାର ସ୍ୱପ୍ନ ଦେଖିଲେ। ହେଲେ ନା ସେମାନଙ୍କ ଆଖିରେ ସ୍ୱପ୍ନ ସ୍ପଷ୍ଟ ଦେଖାଗଲା ନା ସେମାନେ ଆଧୁନିକ ବିକାଶର ନିଦକୁ ଆଖିରୁ ଦୁରେଇ ପାରିଲେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ବିକାଶ ଆଳରେ ବ୍ୟାପକ ଜଙ୍ଗଲ ସମ୍ପଦ କ୍ଷୟ ଯୋଗୁଁ ଧ୍ୱଂସହୋଇ ଚାଲିଲା ସେମାନଙ୍କ ସାମାଜିକ ସଦ୍ଭାବ ଏବଂ ସାଂସ୍କୃତିକ ସ୍ୱାତନ୍ତ୍ର୍ୟ। କ୍ରମଶଃ ବନ୍ଦ ହୋଇ ଚାଲିଲା ତାଙ୍କର ପ୍ରଥା ଓ ପରମ୍ପରା। ପୂର୍ବଭଳି ଆଦିବାସୀଙ୍କ ବୃକ୍ଷପୂଜା ପରମ୍ପରାର ପର୍ବ ଆଉ ଦେଖିବାକୁ ମିଳୁନାହିଁ। ସନ୍ଧ୍ୟାରେ ଯୁବକ ଯୁବତୀ ହାତରେ ହାତ ଛନ୍ଦି ଆନନ୍ଦର ସହ ପ୍ରଦର୍ଶନ କରୁଥିବା ନୃତ୍ୟ ଆଧୁନିକତା ଆଳରେ ହଜିଗଲାଣି। ଏପରିକି ଚୈତ୍ର ମାସର ଶିକାର ଯିବାର ସୁନ୍ଦର ପରମ୍ପରା ମାଫିଆମାନଙ୍କ ମଲା କାଠଗଣ୍ଡି ଭିତରେ ଚାପି ହୋଇ ଅଣନିଃଶ୍ୱାସୀ ହୋଇ ପଡ଼ିଲାଣି।
ଚୈତ୍ର ମାସ କେନ୍ଦୁଝର ଜିଲାର ଗ୍ରାମୀଣ ଜୀବନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାସ। ଏହି ମାସରେ ମହୁଲ, ଚାରା, କାନ୍ଦୁଲ, ଆମ୍ବ ପ୍ରଭୃତି ଫୁଲଫଳ ଓ ଶସ୍ୟର ନବାନ୍ନ ଭକ୍ଷଣ ହୋଇଥାଏ। ଜଙ୍ଗଲସମ୍ପଦ କ୍ରମଶଃ ଲୋପ ପାଇବାକୁ ବସିଥିବା ବେଳେ ବିଭିନ୍ନ ସମୟରେ ପାରମ୍ପାରିକ ପର୍ବ ପାଳନ ଏବେ ସଭ୍ୟତାର ଦ୍ୱାହିରେ ସମ୍ପୂର୍ଣ୍ଣ ରୂପେ ହଜିଯାଇଛି। କେନ୍ଦୁଝର ଜିଲାର ଏହି ସସସ୍ତ ସାଂସ୍କୃତିକ ଓ ସାମାଜିକ ପରମ୍ପରା ଜଙ୍ଗଲ ସଭ୍ୟତାକୁ ନେଇ ଗଢି ଉଠିଥିବାବେଳେ ଜଙ୍ଗଲ ଧ୍ୱଂସ ସାଧନ ପରମ୍ପରାର ମୂଳୋତ୍ପାଟନ କରିଦେଉଛି। ପାରମ୍ପରିକ ଏହି ବନବାସୀ ଦୀର୍ଘବର୍ଷ ଧରି ସେମାନଙ୍କ ଜୀବନଧାରଣ ମାନରେ ସେଭଳି ବିଶେଷ ଉନ୍ନତି ପରିଲକ୍ଷିତ ହେଉନଥିବାରୁ ସ୍ୱାଧୀନତା ପୂର୍ବ ଧରଣୀ ଭୂୟାଁ ପ୍ରଜାମେଳି ସହ ଧନୁ ଓ ତୀର ଅଣ୍ଟାରେ ଭିଡିବାର ଯୋଜନା କଲେଣି ସେମାନେ। ନିଷ୍କପଟ, ସରଳ ଓ ନିଷ୍ପାପ ମଣିଷ ଜଙ୍ଗଲସମ୍ପଦ ଉପରେ ନିର୍ଭର କରି ଚଳି ଆସୁଥିବା ବେଳେ ତା’ର ସମସ୍ତ ସ୍ୱପ୍ନକୁ ହଜାଇ ଦେଇଛି। କେନ୍ଦୁଝର ଜିଲାରେ ଆଦିବାସୀମାନଙ୍କ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଖୋଦ୍ ଜନଜାତିବର୍ଗଙ୍କ ଆନ୍ତରିକତା ପ୍ରକାଶ ନକଲେ ଜିଲାରେ ଖୁବଶୀଘ୍ର ଏହି ପରମ୍ପରା ଯେ ଖୁବଶୀଘ୍ର ଲୋପ ପାଇଯିବ ଏହି ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ।
Comments are closed.