କେନ୍ଦୁଝରଗଡ଼ : ସଦର ବ୍ଲକ ହଳଦିଆଗୁଣାସ୍ଥିତ ଏମ୍ଏସ୍ପି ସ୍ପଞ୍ଜ କାରଖାନା ପକ୍ଷରୁ ଗୋବର୍ଦ୍ଧନ ପଞ୍ଚାୟତ ବଣୁଆଁ ଗ୍ରାମରେ ବୁଧବାର ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଯୋଗେଶ୍ୱର ମନ୍ଦିର ସମ୍ମୁଖ ପଡିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଦର ବିଡିଓ ବିକାଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରିବା ସହ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗୋବର୍ଦ୍ଧନ ସରପଞ୍ଚ ସଞ୍ଜୟ ମୁଣ୍ଡା, ସମିତିସଭ୍ୟା ଶାନ୍ତିଲତା ମହାନ୍ତ, ମିଶନ ଶକ୍ତି ସଦସ୍ୟା, ସ୍ଥାନୀୟ ୱାର୍ଡ ସଭ୍ୟ, ଗାୟତ୍ରୀ ପରିବାର ସଦସ୍ୟ ଏବଂ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଚାରାରୋପଣ କରିବା ସହ କାରଖାନାର ଏଭଳି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। କାରଖାନା ସିଓଓ ଇଂ ଦେବବ୍ରତ ସ୍ୱାଇଁ, କାରଖାନାର ବରିଷ୍ଠ ସାଧାରଣ ପରିଚାଳକ ସଞ୍ଜୟ କୁମାର ସାହୁ, ଉପସଭାପତି ବସନ୍ତ କୁମାର ସାହୁ, ବରିଷ୍ଠ ପରିଚାଳକ (ମାନବ ସମ୍ବଳ) ରଞ୍ଜନ ଜେନା, ମୁଖ୍ୟ ହିସାବ ରକ୍ଷକ ଅଧିକାରୀ ବିଶ୍ୱରଞ୍ଜନ ନନ୍ଦ, ବରିଷ୍ଠ ସାଧାରଣ ପରିଚାଳକ (ଷ୍ଟିଲ) ସୁନୀଲ ମିଶ୍ର ପ୍ରମୁଖଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮୦୦ ମୂଲ୍ୟବାନ ଚାରାରୋପଣ କରାଯାଇଥିଲା। ପଳାଶପଙ୍ଗା ଫରେଷ୍ଟର ଜୟକୃଷ୍ଣ ଦାସ ଓ ବନ କର୍ମଚାରୀ ଉପସ୍ଥିତ ରହି ଚାରରୋପଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସୂଚନାଯୋଗ୍ୟ ଯେ, କାରଖାନା ପକ୍ଷରୁ ଉକ୍ତ ଅଞ୍ଚଳରେ ପୂର୍ବରୁ ଚାରରୋପଣ କରାଯାଇ ବୃକ୍ଷରେ ପରିଣତ କରାଯାଇ ପାରିଥିବାରୁ ପ୍ରତିବର୍ଷ କିଛି କିଛି ମୂଲ୍ୟବାନ ଚାରାରୋପଣ କରାଯାଇ ଏହାର ଉପଯୁକ୍ତ ତଦାରଖ କରାଯାଇ ବୃକ୍ଷରେ ପରିଣତ ସହ ପରିବେଶ ସୁରକ୍ଷା ସହ ସବୁଜିମା ସୃଷ୍ଟି କରାଯାଇ ପାରିବ ସେଥିପ୍ରତି କାରଖାନାର ପ୍ରତ୍ୟେକ କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗ ନିହାତି ଜରୁରୀ ବୋଲି କାରଖାନା ସିଓଓ ଇଂ ଶ୍ରୀ ସ୍ୱାଇଁ ଉପସ୍ଥିତ ଗ୍ରାମବାସୀ ଓ ଲୋକ ପ୍ରତିନିଧିଙ୍କ ସହଯୋଗ କାମନା କରିଥିଲେ।
Popular Categories



