www.samajalive.in
Tuesday, December 9, 2025
19.1 C
Bhubaneswar

ଲଘୁଚାପ ପ୍ରଭାବରେ ୪ଦିନ ବର୍ଷା

କିରମିରାରେ ସର୍ବାଧିକ ୨୧୫ମି.ମି ବର୍ଷା ରେକର୍ଡ, ୧୩ସ୍ଥାନରେ ୧୦୦ମି.ମିରୁ ଅଧିକ
ଭୁବନେଶ୍ବର : ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ଝାରସୁଗୁଡ଼ା, ଭଦ୍ରକ, ସମ୍ବଲପୁର, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ମୟୂରଭଞ୍ଜ, କନ୍ଧମାଳ, ବାଲେଶ୍ବର, କେନ୍ଦ୍ରାପଡ଼ା, କେନ୍ଦୁଝର ଏବଂ ଢେଙ୍କାନାଳର କିଛି ଅଞ୍ଚଳରେ ଅତି ପ୍ରବଳ ବର୍ଷା ହୋଇଛି। ଶିମିଳିପାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ତେଲନଦୀ ଫୁଲୁଛି। କେନ୍ଦୁଝର ଜିଲା ସାହାରପଡ଼ା ପୋଲ ଉପରେ ଆଣ୍ଠୁଏ ଉଚ୍ଚ ପାଣି ପ୍ରବାହିତ ହେଉଛି। କେନ୍ଦୁଝର ଏବଂ ମୟୂରଭଞ୍ଜର ବହୁ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଜଗତସିଂହପୁର ମାଛଗାଁ କେନାଲର ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ଶନିବାର ବିଳମ୍ବିତ ରାତିରେ ଦଳେଇଘାଇ ଓ ତରିକୁନ୍ଦ ନିକଟରେ ଘାଇ ସୃଷ୍ଟି ହୋଇଛି। ଏଥିଯୋଗୁଁ ଜଗତସିଂହପୁର ଓ କଟକ ମୁଖ୍ୟରାସ୍ତାରେ ପାଖାପାଖି ଆଣ୍ଠୁଏ ଉଚ୍ଚରେ ପାଣି ଚାଲୁଛି। ଦଳେଇଘାଇ ନିକଟରେ ୧୫ ଫୁଟର ଘାଇ ହୋଇଥିବା ବେଳେ ତରିକୁନ୍ଦ ନିକଟରେ ୨୦ ଫୁଟର ଘାଇ ହୋଇଛି।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ଶନିବାର ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ଉତ୍ତର-ଓଡିଶା ଓ ଏହାର ପାର୍ଶ୍ବବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏଥିସହିତ ମୌସୁମୀ ନିମ୍ନଚାପରେଖା ଲଘୁଚାପ କେନ୍ଦ୍ର ଦେଇ ଦକ୍ଷିଣ-ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଲଘୁଚାପ ପ୍ରଭାବ ଏବଂ ମୌସୁମୀ ସକ୍ରିୟ ହେବାରୁ ଆଗାମୀ ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସତର୍କ ରହିବାକୁ ପାଣିପାଗ ବିଭାଗ ଏବଂ ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ(ଏସଆରସି)ସତ୍ୟବ୍ରତ ସାହୁ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୭.୩ ମି.ମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୧୩.୫ମି.ମି ତୁଳନାରେ ୧୦୩% ଅଧିକ। ଗତ ୨୪ ଘଣ୍ଟାରେ ହୋଇଥିବା ବର୍ଷା ପ୍ରଭାବରେ ୫% ନିଅଣ୍ଟିଆ ବର୍ଷା ଭରଣା ହୋଇଛି। ଝାରସୁଗୁଡ଼ା ଜିଲାର କିରମିରାରେ ସର୍ବାଧିକ ବର୍ଷା ୨୧୫ମି.ମି ରେକର୍ଡ ହୋଇଛି। ଏଥିସହିତ ଏହି ଜିଲାର ଲାଇକେରା ୧୮୪.୬, ଭଦ୍ରକ ୧୬୬, କୁଚିଣ୍ଡା ୧୬୦, ଧାମନଗର ୧୫୦, କୋଲାବିରା ୧୩୯, ବାଙ୍ଗିରପୋଷି ୧୩୮, ଜଗତସିଂହପୁର ୧୩୨.୬, କଣ୍ଟାପଡ଼ା ୧୩୧, ଝାରସୁଗୁଡ଼ା ୧୨୮.୪, ଲହୁଣିପରା ୧୨୦, ବଣାଇଗଡ଼ ୧୧୮, କପ୍ତିପଦା ୧୧୩ ଏବଂ ବାଲିଗୁଡ଼ା ୧୦୧ମି.ମି ବର୍ଷା ହୋଇଛି। ରବିବାର ଆକାଶ ମେଘୁଆ ରହିବା ସହ ଅଧିକାଂଶ ଅଞ୍ଚଳରେ ବର୍ଷା ହୋଇଥିଲା। ବୌଦ୍ଧରେ ସବୁଠୁ ଅଧିକ ୫୪ମି.ମି ବର୍ଷା ହୋଇଥିବା ବେଳେ ନୂଆପଡ଼ା, ପାରଳାଖେମୁଣ୍ଡି, ସମ୍ବଲପୁର, ସୁନ୍ଦରଗଡ଼, ତାଳଚେର, ବଲାଙ୍ଗୀର, ସୁବର୍ଣ୍ଣପୁର, ନୟାଗଡ଼, ନବରଙ୍ଗପୁର ଏବଂ ରାଉରକେଲାରେ ତୁହାକୁ ତୁହା ବର୍ଷା ହୋଇଛି।
ଆଗାମୀ ୨୪ଘଣ୍ଟାରେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ୱଲପୁର, ନୂଆପଡ଼ା, କନ୍ଧମାଳ, ବଲାଙ୍ଗିର, ସୁବର୍ଣ୍ଣପୁର, ଦେବଗଡ଼, ନବରଙ୍ଗପୁର. କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ବରଗଡ଼ର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲାରେ ୭ରୁ ୧୧ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସହରାଞ୍ଚଳରେ ଟ୍ରାଫିକ ଭିଡ଼ ଦେଖାଦେଇପାରେ। ନାଳରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ରାସ୍ତା ଉପରକୁ ମାଡ଼ି ଆସିପାରେ। ତଳିଆ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇପାରେ। ପ୍ରବଳ ବର୍ଷା ଯୋଗୁଁ ଗ୍ରାମାଞ୍ଚଳରେ ତଳିଆ ଅଞ୍ଚଳରେ ପାଣି ଜମିବାର ସମ୍ଭାବନା ରହିଛି। ମାଟି କାନ୍ଥ ଧସିବାର ଆଶଙ୍କା ରହିଛି। ବର୍ଷା ସମୟରେ ବିପଦପୂର୍ଣ୍ଣ ଥିବା ମାଟି ଘରୁ ଅନ୍ୟତ୍ର ପଳାଇଯିବା ପାଇଁ ପରାମର୍ଶ ଦିଆଯାଇଛି। ଦୁଇଦିନ ହେଲା ବର୍ଷା ହେବା ଦ୍ବାରା ଚଳିତ ମୌସୁମୀ ଋତୁରେ ଗତକାଲିର ୨୮% ନିଅଣ୍ଟିଆ ସ୍ଥିତି ୨୩%କୁ ଖସି ଆସିଛି। ଜୁନ୍‌ ୧ରୁ ଜୁଲାଇ ୧୬ ମଧ୍ୟରେ ରାଜ୍ୟରେ ୨୮୫.୧ମି.ମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୩୭୦.୯ ମି.ମି ତୁଳନାରେ ୨୩ ପ୍ରତିଶତ କମ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories