www.samajalive.in
Friday, December 12, 2025
27.1 C
Bhubaneswar

ପ୍ରଥମଥର ବିଶ୍ୱକପ୍‌ ଖେଳିବ ନାହିଁ ୱେଷ୍ଟଇଣ୍ଡିଜ୍‌

ହରାରେ: ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ର ୪ ଦଶନ୍ଧିର ଇତିହାସରେ ପ୍ରଥମ ଥର ଏହି ଟୁର୍ଣ୍ଣାମେଣ୍ଟ ଖେଳିବ ନାହିଁ ୱେଷ୍ଟଇଣ୍ଡିଜ୍‌। ୩ ଦଶନ୍ଧି ଧରି କ୍ରିକେଟ୍‌ ଦୁନିଆରେ ରାଜୁତି କରିଥିବା ୱେଷ୍ଟଇଣ୍ଡିଜ୍‌ ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ବକପ୍‌ ଖେଳିବା ଦୌଡ଼ରୁ ବାଦ୍‌ପଡ଼ିଛି। ଏଠାରେ ଚାଲିଥିବା ଦିନିକିଆ ବିଶ୍ବକପ ଯୋଗ୍ୟତା ଟୁର୍ଣ୍ଣାମେଣ୍ଟର ସୁପର୍‌ ସିକ୍ସ ପର୍ଯ୍ୟାୟରେ ଶନିବାର ସ୍କଟ୍‌ଲାଣ୍ଡଠାରୁ ୭ ୱିକେଟରେ ପରାସ୍ତହେବା ପରେ ୱେଷ୍ଟଇଣ୍ଡିଜ୍‌ ଦିନିକିଆ ବିଶ୍ବକପ୍‌ ଖେଳିବନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ୬ଟି ଦଳ ମଧ୍ୟରୁ ଶ୍ରୀଲଙ୍କା ଓ ଜିମ୍ବାୱେ ଲିଗ୍‌ ପର୍ଯ୍ୟାୟରୁ ୪ ପଏଣ୍ଟ ଲେଖାଏଁ ନେଇ ଆସିଥିଲେ। ଉଭୟ ଦଳ ସେମାନଙ୍କ ପ୍ରଥମ ମ୍ୟାଚ୍‌ ଜିତି ୬ ପଏଣ୍ଟରେ ପହଞ୍ଚିଛନ୍ତି। ଉଭୟଙ୍କ ମଧ୍ୟରେ ମ୍ୟାଚ୍‌ର ବିଜେତା ବିଶ୍ବକପ୍‌ ଯୋଗ୍ୟତା ଅର୍ଜନ କରିବ। ୱେଷ୍ଟଇଣ୍ଡିଜ୍ ହାତରେ କୌଣସି ପଏଣ୍ଟ ନଥିବା ବେଳେ ଏହାକୁ ସ୍କଟ୍‌ଲାଣ୍ଡ ହରାଇବା ପରେ ପ୍ରଥମଥର ଏହା ବିଶ୍ବକପ୍‌ ନ ଖେଳିବା ସ୍ପଷ୍ଟ ହୋଇଯାଇଛି।

୧୯୭୫ରେ ଦିନିକିଆ ବିଶ୍ବକପ୍‌ ଆରମ୍ଭ ହୋଇଥିବା ବେଳେ ଏହାର ପ୍ରଥମ ୨ଟି ସଂସ୍କରଣରେ ୱେଷ୍ଟଇଣ୍ଡିଜ୍‌ ଚମ୍ପିଆନ୍‌ ହୋଇଥିଲା। ୧୯୮୩ରେ ପ୍ରଥମଥର ଏହା ବିଶ୍ବକପ୍‌ ମ୍ୟାଚ୍‌ ହାରିଥିଲେ ହେଁ ରନର୍ସଅପ୍ ହୋଇଥିଲା। ପରେ ୱେଷ୍ଟଇଣ୍ଡିଜ୍‌ ସମସ୍ତ ବିଶ୍ବକପ୍‌ ଖେଳିଥିଲା। ହେଲେ ବିଶ୍ବକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିନପାରିବା ୱେଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ପାଇଁ ସବୁଠାରୁ ଦୁଃଖଦ ଦିନ। ୫ ବର୍ଷ ତଳେ ୱେଷ୍ଟଇଣ୍ଡିଜ୍‌ ଓ ସ୍କଟ୍‌ଲାଣ୍ଡ ମଧ୍ୟରେ ବିଶ୍ବକପ୍‌ ଯୋଗ୍ୟତା ପାଇଁ ମୁକାବିଲା ହୋଇଥିଲା। ଉକ୍ତ ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡକୁ ହରାଇ ୱେଷ୍ଟଇଣ୍ଡିଜ୍‌ ବିଶ୍ବକପ୍‌ ଖେଳିଥିଲା। ଏଥର ତା’ର ବିପରୀତ ଦେଖିବାକୁ ମିଳିଛି। ୪ ପଏଣ୍ଟ ପାଇଥିବା ସ୍ପଟ୍‌ଲାଣ୍ଡ ଶେଷ ୨ଟି ମ୍ୟାଚ୍‌ ଜିତିଲେ ବିଶ୍ବକପ୍‌ ଯୋଗ୍ୟତା ଅର୍ଜନ କରିବ। ଶନିବାର ମ୍ୟାଚ୍‌ରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୱେଷ୍ଟଇଣ୍ଡିଜ୍‌ ୪୩.୫ ଓଭରରେ ୧୮୧ ରନ୍‌କରି ଅଲ୍‌ଆଉଟ୍‌ ହୋଇଥିଲା। ପରେ ୪୩.୩ ଓଭରରେ ୩ ୱିକେଟ ହରାଇ ସ୍କଟ୍‌ଲାଣ୍ଡ ବିଜୟୀ ହୋଇଥିଲା। ସ୍କଟ୍‌ଲାଣ୍ଡ ଟସ୍‌ ଜିତି ଫିଲ୍‌ଡିଂ ନେବା ପରେ ୱେଷ୍ଟଇଣ୍ଡିଜ୍‌ ଦୟନୀୟ ବ୍ୟାଟିଂକରି ୮୧ ରନ୍‌ରେ ୬ଟି ୱିକେଟ ହରାଇଥିଲା। ସ୍କଟ୍‌ଲାଣ୍ଡର ବ୍ରାଣ୍ଡନ୍ ମ୍ୟାକ୍‌କୁଲେନ୍ ଚମତ୍କାର ବୋଲିଂକରି ପ୍ରଥମ ୩ଟି ୱିକେଟ ନେଇଥିଲେ। ଓପ୍‌ନର ବ୍ରାଣ୍ଡନ୍ କିଙ୍ଗ୍‌ ୨୨, ଅଧିନାୟକ ସୈ ହୋପ୍‌ ୧୩ ଓ ନିକୋଲାସ୍ ପୁରନ୍ ୨୧ ରନ୍‌ କରିଥିଲେ। ଜେସନ୍ ହୋଲ୍‌ଡର ଓ ରୋମାରିଓ ସେଫର୍ଡ ୭ମ ୱିକେଟ ପାଇଁ ୭୭ ରନ୍‌ ଯୋଡ଼ିଥିଲେ। ହୋଲ୍‌ଡର ଗୋଟିଏ ଛକା ଓ ୩ଟି ଚୌକା ସହ ୪୫ ଏବଂ ସେଫର୍ଡ ୫ଟି ଚୌକା ସହ ୩୬ ରନ୍‌ କରିଥିଲେ। କେଭିନ୍ ସିନ୍‌କ୍ଲେୟାର ୧୦ ରନ୍‌ କରିଥିଲେ। ବ୍ରାଣ୍ଡନ୍ ମ୍ୟାକ୍‌କୁଲେନ୍ ୩୨ ରନ୍‌ଦେଇ ୩ଟି ଏବଂ କ୍ରିସ୍ ସୋଲ୍‌, ମାର୍କ ୱାଟ୍‌ ଓ କ୍ରିସ୍ ଗ୍ରିଭ୍‌ସ ୨ଟି ଲେଖାଏଁ ୱିକେଟ ନେଇଥିଲେ। ୧୮୨ ରନ୍‌ ଲକ୍ଷ୍ୟରେ ସ୍କଟ୍‌ଲାଣ୍ଡ ପ୍ରଥମ ବଲ୍‌ରେ କ୍ରିଷ୍ଟୋଫର ମ୍ୟାକ୍‌ବ୍ରାଇଡ୍‌ ଆଉଟ୍‌ ହୋଇଥିଲେ। ତେବେ ୨ୟ ୱିକେଟ ପାଇଁ ମାଥ୍ୟୁ କ୍ରସ୍‌ ଓ ବ୍ରାଣ୍ଡନ୍ ମ୍ୟାକ୍‌କୁଲେନ୍ ଚମତ୍କାର ବ୍ୟାଟିଂକରି ୨୯ ଓଭରରୁ ୧୨୫ ରନ୍‌ ଯୋଡ଼ିଥିଲେ। ମ୍ୟାକ୍‌କୁଲେନ୍ ଗୋଟିଏ ଛକା ଓ ୮ଟି ଚୌକା ସହ ୬୯ ରନ୍‌ କରିଥିଲେ। ଜର୍ଜ ମନ୍‌ସି ୧୮ ରନ୍‌କରି ଆଉଟ୍‌ ହୋଇଥିଲେ। ଅବିଭାଜିତ ୪ର୍ଥ ୱିକେଟ ପାଇଁ ମାଥ୍ୟୁ କ୍ରସ୍‌ ଓ ଅଧିନାୟକ ରିଚି ବେରିଂଟନ୍‌ ୨୩ ରନ୍‌ ଯୋଡ଼ିଥିଲେ। ବେରିଂଟନ୍ ୨ଟି ଚୌକା ସହ ୧୩ ରନ୍‌କରି ଅପରାଜିତ ଥିଲେ। ମାଥ୍ୟୁ କ୍ରସ୍‌ ୭ଟି ଚୌକା ସହ ୭୪ ରନ୍‌କରି ଅପରାଜିତ ଥିଲେ। ସ୍ପିନର ଆକିଲ୍‌ ହୋସେନ୍ ଚମତ୍କାର ବୋଲିଂ କରିଥି​‌େ​‌ଲ ହେଁ ଦଳକୁ ବିଶ୍ବକପ୍‌ରୁ ବିିଦାୟ ନେବାରୁ ବଞ୍ଚାଇ ପାରିନଥିଲେ। ବ୍ରାଣ୍ଡନ୍ ମ୍ୟାକ୍‌କୁଲେନ୍ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories