ଆଠଗଡ଼: ସଂପ୍ରତି ଜର୍ମାନୀର ବର୍ଲିନଠାରେ ଗତ ୧୭ତାରିଖରୁ ୨୫ତାରିଖ ପର୍ଯ୍ୟନ୍ତ ଚାଲିଥିବା ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଅଲିମ୍ପିକ୍ସର ସାଇକେଲ ଚାଳନା ବିଭାଗରେ ରୌପ୍ୟପଦକ ହାସଲ କରିଥିବା ଆଠଗଡ଼ ଅଞ୍ଚଳର ଝିଅ କଳ୍ପନା ଜେନାଙ୍କୁ ଏଠାରେ ପହଞ୍ଚିବା ପରେ ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଆଠଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟୁକଟା ପଞ୍ଚାୟତ ଅଧିନ ରେଗେଡ଼ାପଡ଼ା ଗ୍ରାମର କଳ୍ପନା ଜେନା ସ୍ୱତନ୍ତ୍ର ଅଲିମ୍ପିକ୍ସରେ୨କିମି ସାଇକେଲ ଚାଳନାରେ ୨ୟ ସ୍ଥାନ ଅଧିକାର କରି ରୌପ୍ୟପଦକ ହାସଲ କରିଛନ୍ତି। ବୁଧବାର ସନ୍ଧ୍ୟାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କର କୋଚ ତଥା ଆଠଗଡ଼ର ଡଃ ବ୍ରଜବିହାରୀ ମହାନ୍ତି ମାନସିକ ଅନଗ୍ରସର ଟ୍ରଷ୍ଟର ମୁଖ୍ୟ ପରିଚାଳକ ବିବେକାନନ୍ଦ ମହାନ୍ତି ଏବଂ ସ୍ୱତନ୍ତ୍ର ଅଲିମ୍ପିକ୍ସ ଭାରତର ଓଡ଼ିଶା ଶାଖାର କର୍ମକର୍ତ୍ତା ପ୍ରକାଶ କୁମାର ରଥ ତାଙ୍କୁ ସ୍ୱାଗତ କରିଥିଲେ। ଭୁବନେଶ୍ୱରରେ ଗୁରୁବାର ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା କଳ୍ପନା ଜେନାଙ୍କୁ ସମ୍ବର୍ଦ୍ଧିତ କରିବା ସହ ପ୍ରୋତ୍ସାହନ ସ୍ୱରୂପ ଅର୍ଥରାଶି ପ୍ରଦାନ କରିଥିଲେ। ସେହି ସନ୍ଧ୍ୟାରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ କଳ୍ପନାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶୁକ୍ରବାର ଅପରାହ୍ନରେ କଳ୍ପନା ଆଠଗଡ଼ରେ ପହଞ୍ଚିବା ପରେ ତାଙ୍କୁ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ନଗରପାଳ ସସ୍ମିତା ରାଉତ ଓ ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତିଙ୍କ ସମେତ ଦଳୀୟ କର୍ମକର୍ତ୍ତା ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପରେ ପରେ ସେ ଶିକ୍ଷାଗ୍ରହଣ କରୁଥିବା ଦୋରଡସ୍ଥିତ ଡଃ ବ୍ରଜବିହାରୀ ମହାନ୍ତି ମାନସିକ ଅନଗ୍ରସର ଶିକ୍ଷା ଟ୍ରଷ୍ଟ ପରିସରରେ ପହଞ୍ଚିବା ପରେ ତାଙ୍କୁ ଅନୁଷ୍ଟାନର ପରିଚାଳକ ବିବେକାନନ୍ଦ ମହାନ୍ତିଙ୍କ ସମେତ ଅନ୍ୟମାନେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଭବିଷ୍ୟତରେ ସ୍ୱତନ୍ତ୍ର ଅଲିମ୍ପିକ୍ସର ଅନ୍ୟ କ୍ରୀଡାରେ ସଫଳତା ପାଇଁ ସେ ପ୍ରୟାସ କରିବେ ବୋଲି କଳ୍ପନା ଦୃଢୋକ୍ତି ପ୍ରକାଶ କରିବା ସହିତ ତାଙ୍କର ଏହି ସଫଳତା ପଛରେ ପିତାମାତାଙ୍କ ଆଶୀର୍ବାଦ ସହିତ ବ୍ରଜବିହାରୀ ମହାନ୍ତି ଟ୍ରଷ୍ଟର ମୁଖ୍ୟ ପରିଚାଳକ ତଥା କୋଚ ବିବେକାନନ୍ଦ ମହାନ୍ତିଙ୍କର ପ୍ରମୁଖ ଭୂମିକା ଓ ପ୍ରୋତ୍ସାହନ ରହିଛି ବୋଲି ପ୍ରକାଶ କରିଥିଲେ।
କଳ୍ପନା ଜେନାଙ୍କୁ ଖୁଣ୍ଟୁକଟା ପଞ୍ଚାୟତ କାର୍ଯ୍ୟାଳୟରେ ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି। ଭୁବନେଶ୍ୱରରୁ ନିଜ ଗ୍ରାମକୁ ଆସିବା ସମୟରେ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ମନୋଜ ନାୟକ, ଜିଲ୍ଲାପରିଷଦ ସଭ୍ୟା ଶାନ୍ତିଲତା ବେହେରା, ସମିତି ସଭ୍ୟା ଜୟଶ୍ରୀ ଦେହୁରୀ ଏବଂ ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି କଳ୍ପନାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ରେଗେଡ଼ାପଡ଼ା ଗ୍ରାମର ଗଦାଧର ଜେନା ଓ ଗୀତାଞ୍ଜଳି ଜେନାଙ୍କ ଝିଅ କଳ୍ପନା କେବଳ ଖୁଣ୍ଟକଟା ନୁହେଁ ବରଂ ସମଗ୍ର ଭାରତ ବର୍ଷ ପାଇଁ ଗୌରବ ଆଣି ପଞ୍ଚାୟତ ଓ ଆଠଗଡ଼ବାସୀଙ୍କୁ ଗର୍ବିତ କରିଛନ୍ତି ବୋଲି ସରପଞ୍ଚ ଓ ଜିଲ୍ଲାପରିଷଦ ସଭ୍ୟା ପ୍ରକାଶ କରିଥିଲେ।
ଆଠଗଡ଼ ବିକାଶ ମଞ୍ଚ ପକ୍ଷରୁ କଳ୍ପନା ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ମାନସ ରଞ୍ଜନ ବସ୍ତିଆ କଳ୍ପନାଙ୍କୁ ତାଙ୍କ ଗ୍ରାମକୁ ଯିବା ବାଟରେ ତାଙ୍କୁ ଏବଂ ତାଙ୍କ କୋଚ ବିବେକାନନ୍ଦ ମହାନ୍ତିଙ୍କୁ ମପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଜଣେ ଦିବ୍ୟାଙ୍କ ଝିଅ ନିଜର ଦୃଢ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ବିଶ୍ୱରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଛନ୍ତି ବୋଲି ଶ୍ରୀ ବସ୍ତିଆ କହିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ। ଆଠଗଡ଼ ସାମ୍ବାଦିକ ସଂଘର ସଭାପତି ଅର୍ଦ୍ଧେନ୍ଦୁ ମହାନ୍ତି ମଧ୍ୟ କଳ୍ପନାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।



