ଜନ୍ମବେଦୀରେ ଶ୍ରୀଜଗନ୍ନାଥ
କୋଟି କୈବଲ୍ୟନିଧିଙ୍କ ନାହିଁ ଆଦି କି ଅନ୍ତ। ବିଶ୍ବ ବ୍ରହ୍ମାଣ୍ଡମୟ ସେ। ଅଲୌକିକ ତାଙ୍କର ରୂପ ଲାବଣ୍ୟ। ଅପରୂପ ଓ କମନୀୟ କାନ୍ତିର ଅପୂର୍ବ ସମାହାର ଦାରୁବିଗ୍ରହ। ରହସ୍ୟମୟ ତାଙ୍କର ଦୈନନ୍ଦିନ ନୀତିକାନ୍ତି। ଅବତାରୀ ଯୁଗପୁରୁଷ ଭାବରେ ସୃଷ୍ଟି ଏବଂ ବିଲୟର ସେ ହିଁ ଏକମାତ୍ର କାରଣ। ଅନନ୍ତ ଶୂନ୍ୟ ଆକାଶର ନୀଳିମା ଯାହାଙ୍କର ଆଖିର ପଲକମାତ୍ରକେ ପରିବ୍ୟାପ୍ତ ହୋଇଉଠେ, ଯାହାଙ୍କର କ୍ଷଣିକ ଇଙ୍ଗିତରେ ଶୂନ୍ୟବ୍ରହ୍ମାଣ୍ଡ ମଧ୍ୟରେ କୋଟି କୋଟି ସୂର୍ଯ୍ୟ, ଚନ୍ଦ୍ର, ତାରାଙ୍କର ଅପୂର୍ବ ଜ୍ୟୋତି ଉଦ୍ଭାସିତ ହୋଇଉଠେ ସେ ହିଁ ଜଗନ୍ମୟ ଜଗନ୍ନାଥ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ କୋଟିକୋଟି ଜନତାଙ୍କର ପ୍ରାଣର ଠାକୁର।
ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥଙ୍କର ଶ୍ରୀଗୁଣ୍ଡିଚା ଯାତ୍ରାର ସମାପନ ପରେ ପ୍ରଭୁ କାଳିଆ ସାଆନ୍ତ ସମ୍ପ୍ରତି ଜନ୍ମବେଦୀରେ ଉପବିଷ୍ଟ। ଶରଧାବାଲି ଆଜି ହୋଇ ଉଠିଛି ଚଳଚଞ୍ଚଳ। ଆଡ଼ପ ମଣ୍ଡପରେ ପ୍ରଭୁଙ୍କ ଦର୍ଶନଲାଭ କରି ଭକ୍ତ ହେବ ଭାବ ବିହ୍ବଳ। ସାତ ଜନ୍ମର ପାପରୁ ମୁକ୍ତ ହୋଇ ବୈକୁଣ୍ଠପ୍ରାପ୍ତି ହେବ ସେ। ଆହ୍ଲାଦିତ ହୋଇ ଉଠିବ ତା’ର ଅନ୍ତରାତ୍ମା। ସୂକ୍ଷ୍ମତଃ ବ୍ରହ୍ମ ସ୍ବରୂପ ଯେ ସ୍ବୟଂ ପରମାତ୍ମା ସେ ଆଜି ସ୍ଥୂଳତଃ ସାକାର ରୂପରେ ଭକ୍ତର ଅଧୀନ ଭକ୍ତ ବତ୍ସଳ। ନବ ଯୌବନ ପରେ ନବ ଦିନାତ୍ମକ ଯାତ୍ରା ପାଇଁ ପ୍ରାଣପ୍ରିୟା ପତ୍ନୀଙ୍କୁ ଶ୍ରୀମନ୍ଦିରରେ ଏକାକିନୀ ରଖି ଅଲିଅଳୀ ଭଉଣୀ ମହାମାୟୀ ମାଆ ସୁଭଦ୍ରାଙ୍କୁ ସାଥୀରେ ଧରି ଉପବେଶନ କରିଛନ୍ତି ଜନ୍ମବେଦୀଠାରେ। ଅଲୌକିକ ନୀତି ପରମ୍ପରାରେ ପୁଣି ଲୌକିକ ବିଧିବିଧାନ। ବଡ଼ ରହସ୍ୟାବୃତ ଏବଂ ବୈଚିତ୍ର୍ୟମୟ ତାଙ୍କର ଲୀଳା ନିର୍ଘଣ୍ଟମାନ। ରାଣୀ ଗୁଣ୍ଡିଚାଙ୍କ ଅନୁରୋଧକୁ ରକ୍ଷା କରି ପ୍ରଭୁ ଉପବେଶନ କରିଛନ୍ତି ଜନ୍ମମାଟିରେ। ମର୍ତ୍ତ୍ୟ ବୈକୁଣ୍ଠରେ ପରିଣତ ହୋଇଛି ଶରଧାବାଲି। ଆଡ଼ପମଣ୍ଡପ ଉପରେ ଶୋଭାପାଉଛନ୍ତି ନୀଳାଦ୍ରିନାଥ, ଲୀଳାପୁରୁଷ। ଘୋଷଯାତ୍ରାକୁ କେହି କେହି ଶାସ୍ତ୍ରକାର ମହାବେଦୀ ଯାତ୍ରା ଭାବେ ଆଖ୍ୟାୟିତ କରିଥାଆନ୍ତି। କାରଣ ପ୍ରଭୁଙ୍କର ଜନ୍ମପୀଠକୁ ମହାବେଦୀ ଭାବରେ ନାମିତ କରାଯାଇଥାଏ। ଏକଦା ରାଜା ଇନ୍ଦ୍ରଦ୍ୟୁମ୍ନ ଏହିଠାରେ ବେଦୀ ନିର୍ମାଣ କରି ଶ୍ରୀଜୀଉମାନଙ୍କର ବିଗ୍ରହ ନିର୍ମାଣ ଉଦ୍ଦେଶ୍ୟରେ ସହସ୍ର ଅଶ୍ବମେଧ ଯଜ୍ଞର ଆୟୋଜନ କରିଥିଲେ, ଯେଉଁ ସ୍ଥାନଟି ନୀଳାଚଳ ଭଳି ଠାକୁରମାନଙ୍କର ଅତି ପ୍ରିୟସ୍ଥଳୀ। ବର୍ଷକୁ ଥରେ ମାତ୍ର ସେହିଭଳି ପବିତ୍ର ଯଜ୍ଞବେଦୀରେ ସାତଦିନ କଟାଇ ଆସିଲେ ସୁଖପ୍ରାପ୍ତି ହେବ ପ୍ରଭୁଙ୍କ ପାଇଁ। ତେଣୁ ଏହି ସାତ ଦିନ ଶ୍ରୀମନ୍ଦିର ପରି ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ୟ ଠାକୁରମାନଙ୍କର ଏକାଭଳି ନୀତି ନିର୍ଘଣ୍ଟମାନ ପାଳନ କରାଯାଇଥାଏ। ଏହିପରି ମହାନ ପବିତ୍ର ସ୍ଥଳୀରେ ଯେଉଁ ଅବଢ଼ା ଅନ୍ନପ୍ରସାଦ ମିଳିଥାଏ ତାହାକୁ ଆଡ଼ପ ଅବଢ଼ା ବୋଲି ନାମିତ କରାଯାଏ। ବିଶ୍ବାସ ଅଛି- ଏହି ଆଡ଼ପ ଅବଢ଼ାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଉତ୍ସର୍ଗ କରାଗଲେ ପିତୃପୁରୁଷ ମୋକ୍ଷପ୍ରାପ୍ତିର ସୁଯୋଗଲାଭ କରିଥାଆନ୍ତି। ସେମାନଙ୍କର ଆତ୍ମା ଶାନ୍ତିପ୍ରାପ୍ତ ହୋଇ ସ୍ବର୍ଗ ଗମନ କରିଥାଏ।
ରତ୍ନବେଦୀର ମୋହାକର୍ଷଣ ପରିହାର କରି ପ୍ରଭୁ ଆଜି ଜନ୍ମବେଦୀକୁ ଆଗମନ କରିଛନ୍ତି। ସିଏ ପରା ଗୁପ୍ତବୃନ୍ଦାବନ! ସେଠି ରାସରସିକ ରସରାଜ କରିବେ ଗୋପୀମାନଙ୍କ ସହ କେଳିରଚନା। ହୋଇଉଠିବେ ପ୍ରେମାଭିଭୂତ, ଆହ୍ଲାହିତ ଏବଂ ବିମୋହିତ। କାରଣ ବର୍ଷେ ହେଲା ଶ୍ରୀରାଧାଙ୍କ ସହ କି ଗୋପୀମାନଙ୍କ ସହ ହୋଇନି ଯେ ତାଙ୍କର ମହାମିଳନ। ଏହିପରି ଦୁଃଖକୁ ତ ମୋଚନ କରିବା ପାଇଁ ଚଳିତ ବର୍ଷ କଳାକାହ୍ନୁ ତରବରିଆ ଭାବେ ପ୍ରଥମେ ଜନ୍ମମାଟିରେ ଉପନୀତ। ଅପେକ୍ଷାରତ ସ୍ବର୍ଗର ଦେବତାଗଣ। ଜନକପୁରୀ ଭାବେ ଆଖ୍ୟାୟିତ ଜନ୍ମବେଦୀରେ ପ୍ରଭୁଙ୍କ ଦର୍ଶନ କୋଟି ଜନ୍ମର ସାର୍ଥକତାକୁ ପ୍ରତିପାଦନ କରିଥାଏ। ଏହା ପୁରାଣକାରମାନେ ପ୍ରାଚୀନ ଶାସ୍ତ୍ର ଗ୍ରନ୍ଥମାନଙ୍କରେ ପ୍ରମାଣିତ କରିଛନ୍ତି। ଏକଦିନ ଘୋଷଯାତ୍ରା, ଏକଦିନ ବାହୁଡ଼ିବା ଯାତ୍ରା ଆଉ ମାତ୍ର ସାତ ଦିନ ଜନ୍ମମାଟିରେ ରହଣିକାଳ। ଏହିପରି ନବଦିନ ପାଇଁ ଘୋଷଯାତ୍ରାର ଆୟୋଜନ କେଉଁ ଅନାଦି କାଳରୁ ପୁରୁଷୋତ୍ତମକ୍ଷେତ୍ରରେ ପ୍ରଚଳିତ ହୋଇଆସୁଅଛି। ଏହି ସଂକ୍ଷିପ୍ତ ଦିନଗୁଡ଼ିକ ପ୍ରଭୁଙ୍କର ରାସଲୀଳାରେ କେତେବେଳେ ଯେ ଅତିବାହିତ ହୋଇଯିବ। ପୁଣି ଫେରିବାକୁ ହେବ ଜଗନ୍ମାତା ଲକ୍ଷ୍ମୀଠାକୁରାଣୀଙ୍କ ନିକଟକୁ। ସେ ଯେ ରୋଷ କରି ଅଭିମାନଭରା ମୁଦ୍ରାରେ ଅପେକ୍ଷାରତ। ପୁଣି ବିରହ ବିଧୂରା ମାଆ କମଳାଙ୍କ ରୋଷର ଶିକାର ହେବାକୁ ପଡ଼ିବ ପ୍ରଭୁ କାଳିଆ ସାଆନ୍ତଙ୍କୁ। ଶୁଣିବାକୁ ପଡ଼ିବ ଅଭିମାନଭରା ମାଆ କମଳିନୀଙ୍କ କେତେକେତେ ଗାଳି ଓ ଭର୍ତ୍ସନା ଚାହାଣି ମଣ୍ଡପରୁ।
ଛଅଦିନକୁ କଣ୍ଟକରି ନଅ ଦିନ ରହିଲ,
ସୁଭଦ୍ରା କନ୍ୟାକୁ ଘେନି ମୋତେ ପାସୋରିଲ।
ଅଭିମାନ ଭଙ୍ଗ କରିବାକୁ ଶ୍ରୀମୁଖରୁ ଉଚ୍ଚାରିତ ହେବ ଅପୂର୍ବ ସ୍ନେହ ଲାଳିତ୍ୟଭରା କଣ୍ଠସ୍ବର-
ଫେଡ ଫେଡ କମଳିନୀ ଫେଡ ଗୋ କବାଟ,
ତମ ପାଇଁ ଆଣିଛି ମୁଁ ଚିତ୍ରମୁଖୀ ପାଟ।
ଆହା! କି ଅପୂର୍ବ ପବିତ୍ର ସମ୍ପର୍କ ଦେବ ଦମ୍ପତିଙ୍କ ମଧ୍ୟରେ! କି ଅପୂର୍ବ ଭାବ ଦିଆନିଆ! ସଂସାର ଦେଖୁ, ଶିଖୁ ପ୍ରେମଭରା କଥାମାନଙ୍କରେ ଯେଉଁ ଶକ୍ତି ନିହିତ ତାହା କିପରି ଦୁଇଟି ହୃଦୟକୁ ନିବିଡ ବନ୍ଧନରେ ବାନ୍ଧି ରଖି ପାରୁଛି।
ତଥାପି ଲକ୍ଷ୍ମୀ ଠାକୁରାଣୀଙ୍କ କଟାଳର ଶିକାର ହୁଅନ୍ତି ପତିତପାବନ। ‘ସ୍ବଧର୍ମେ ନିଧନଂଶ୍ରେୟଃ’ ନ୍ୟାୟରେ ଚେତାଇ ଦିଅନ୍ତି ପ୍ରଭୁ ପତ୍ନୀଙ୍କର ସେଦିନର ଶ୍ରୀମନ୍ଦିର ଛାଡ଼ି ଶ୍ରୀୟା ଚାଣ୍ଡାଳୁଣୀ ଗୃହକୁ ଯିବାକଥା। ଜଣାଇ ଦିଅନ୍ତି ଭକ୍ତର ଆବେଗଭରା ହୃଦୟରେ ବିରାଜମାନ କରିବାପାଇଁ ତୁମର ଯେପରି ଉତ୍ସୁକତା, ମୋର ମଧ୍ୟ ସେହିପରି ପତିତମାନଙ୍କୁ ଉଦ୍ଧାରିବା ପାଇଁ ପତିତପାବନ ଯାତ୍ରା। ଯଦି ତୁମର କଟାଳ ପରିହାର ନ କର ତେବେ ମୁଁ ମୋର ସେହି ପ୍ରିୟ ଜନ୍ମମାଟିକୁ ଫେରିଯିବ ପଛେ, ତୁମର ମୁଖକୁ ଆଉ ଅବଲୋକନ କରିବି ନାହିଁ। ଏହା ଶ୍ରବଣମାତ୍ରକେ ମାଆ କମଳିନୀ ଦ୍ବାର ଫିଟାଇ ପ୍ରଭୁଙ୍କର ଶ୍ରୀମୁଖ ଦର୍ଶନ କରି ନିଜକୁ ଧନ୍ୟ ମଣନ୍ତି। ପ୍ରଭୁଙ୍କ ବିନା ଜୀବନ ଯେ ଅଧୁରା। ପରମାତ୍ମାଙ୍କ ଆଶ୍ରା ବିନା ଜୀବାତ୍ମା ଯେ ଯନ୍ତ୍ରଣା ଜର୍ଜରିତ, ଏହା ସର୍ବାନ୍ତ କରଣରେ ସ୍ବୀକାର୍ଯ୍ୟ।
‘ଯୁଗକୁ ଯୁଗ ଏହି ମତେ, ପରମାନନ୍ଦ ଏ ଜଗତେ।’
ଭାଗବତଙ୍କ ଏହି କାଳଜୟୀ ବାଣୀ ଅନୁସାରେ ତଥା ଯୁଗାନୁକ୍ରମେ ପ୍ରଭୁଙ୍କର ଜନ୍ମବେଦୀର ଯାତ୍ରାକୁ ସାଧାରଣ ଦୃଷ୍ଟିକୋଣରୁ ବିଚାର କରିବାର ତାତ୍ପର୍ଯ୍ୟକୁ ଏଡ଼ାଇ ଦିଆଯାଇ ନପାରେ। ସାମ୍ପ୍ରତିକ କାଳରେ ଆମ୍ଭେ ସବୁ ପୁରାତନ ଚଳଣିମାନ ପ୍ରତି ବିମୁଖ, ଯାହାସବୁ ଜଗନ୍ନାଥ ସଂସ୍କୃତିରେ ଅଦ୍ୟାବଧି ପ୍ରଚଳିତ ହୋଇଆସୁଅଛି। ଗ୍ରାମ୍ୟ ପରମ୍ପରାକୁ ଧରି ରଖିବାର ଯେଉଁସବୁ ବିଧିବିଧାନ, ତାହା ମହାପ୍ରଭୁଙ୍କର ଶ୍ରୀମନ୍ଦିର ଏବଂ ଜନ୍ମମାଟିରେ ପ୍ରତିପାଳିତ ହୋଇଥାଏ। ସାରା ବିଶ୍ବ ବ୍ରହ୍ମାଣ୍ଡର ତ୍ରାଣକର୍ତ୍ତା ଯେ ଜନ୍ମମାଟିର ମୋହକୁ ଭୁଲି ପାରନ୍ତି ନାହିଁ ତାହା ତାଙ୍କର ମହାବେଦୀ ଯାତ୍ରାରୁ ପ୍ରମାଣିତ ହୋଇଥାଏ। ବାଉନକୋଟି ରତ୍ନଭଣ୍ଡାରର ମାଲିକ ମାଟିହାଣ୍ଡିରେ ପ୍ରସ୍ତୁତ ମଣୋହିକୁ ଗ୍ରହଣ କରିବା ବଡ଼ ବୈଚିତ୍ର୍ୟୟମୟ। ତାହା ପୁଣି କେତେକ ନିର୍ଦିଷ୍ଟ ଦେଶୀୟ ପନିପରିବାରେ ରନ୍ଧିତ ଖାଦ୍ୟ। ଗ୍ରାମ୍ୟ ଚଳଣିରେ ଉପଲବ୍ଧ ନାନା ଜାତିର ପିଠାପଣା ଏପରି କି ପଖାଳ ତୋରାଣିରେ ଯେଉଁ ମହାପ୍ରଭୁଙ୍କର ଆସକ୍ତି ସେ ପୁଣି ଜନ୍ମସ୍ଥାନକୁ ଭୁଲିବେ ବା କିପରି? ଯିଏ ରତ୍ନବେଦୀ ପରିତ୍ୟାଗ କରି କେଉଁ ସୁଦୂର ପଲ୍ଲୀରେ ବାସ କରୁଥିବା ଭକ୍ତର ଶାଗ ଭାତରେ ବିମୋହିତ ସେ ବା ଜନ୍ମମାଟିର ମୋହକୁ ପରିତ୍ୟାଗ କରନ୍ତେ କିପରି? ଗରିବ ଗୁରୁବାଙ୍କ ଟଙ୍କ ତୋରାଣିରେ ଯେଉଁ ଠାକୁରଙ୍କ ତୃଷା ନିବାରିତ ହୋଇଥାଏ ସେ କିପରି ବା ଜନ୍ମସ୍ଥାନକୁ ବର୍ଷକୁ ଥରେ ଯାତ୍ରା ନ କରିବେ? ଏହି ପବିତ୍ର ଜନ୍ମସ୍ଥାନ ପୁଣି ଶରଧାବାଲିର ନାମକୁ ବହନ କରି ଲକ୍ଷଲକ୍ଷ ଜନତାଙ୍କୁ ଆକର୍ଷଣ ପୂର୍ବକ ଶ୍ରୀଜୀଉମାନଙ୍କର ସାନ୍ନିଧ୍ୟ ଲାଭ କରାଇଥାଏ। ଏହିଠାରେ ହିଁ ହୋଇଥାଏ ଭକ୍ତ ଭଗବାନଙ୍କର ମହାମିଳନ। ଚର୍ମ ଚକ୍ଷୁ ହୋଇଉଠେ ପୁଲକିତ ଏବଂ ପବିତ୍ର। ଜୀବନ ହୋଇଥାଏ ଧନ୍ୟ। ଜନ୍ମଜନ୍ମାନ୍ତରର ପାପମୋଚନ ହୁଏ ଏହି ଆଡ଼ପମଣ୍ଡପରେ ମହାପ୍ରଭୁଙ୍କୁ ସନ୍ଦର୍ଶନକରି। ସେଇଥିପାଇଁ ତ ଭକ୍ତର ଆବେଗଭରା କଣ୍ଠ ଥରେ ଗାଇ ଉଠିଥିଲା-
‘ଜଗନ୍ନାଥେ ହୋ କିଛି ମାଗୁନାହିଁ ତୋତେ,
ଧନ ମାଗୁନାହିଁ, ଜନ ମାଗୁନାହିଁ, ମାଗୁଛି ଶରଧା ବାଲିରୁ ହାତେ।’
ଏତିକି ମାତ୍ର ହିଁ ସେ ନୀଳାଦ୍ରିନାଥଙ୍କ ଚରଣକମଳରେ ମୋର ଆତ୍ମ ନିବେଦନ।
ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ।
Comments are closed.