www.samajalive.in
Sunday, December 14, 2025
16.1 C
Bhubaneswar

ମଣିପୁରରେ ପୁଣି ହିଂସା, ୩ ମୃତ

ନୂଆଦିଲ୍ଲୀ/ଗୁଆହାଟି : ଥମୁନି ମଣିପୁର ହିଂସା। ନିୟମିତ ଅନ୍ତରରେ ରାଜ୍ୟରେ ହିଂସାକାଣ୍ଡ ଘଟି ଧନ, ଜୀବନ ହାନି ଘଟୁଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ପଦକ୍ଷେପ ବିଫଳ ହେବାରେ ଲାଗିଛି। ଏହି କ୍ରମରେ ଶୁକ୍ରବାର ପୁଣି ହିଂସାକାଣ୍ଡ ଘଟି ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୬୭ବର୍ଷର ବୃଦ୍ଧା ଅଛନ୍ତି। ପଶ୍ଚିମ ଇମ୍ଫାଲ ଜିଲାର କାଙ୍ଗକପୋକପି ଅଞ୍ଚଳରେ ହିଂସାକାରୀମାନେ ସେନା ଓ ପୁଲିସ ପୋଷାକରେ ଆସି ଆକ୍ରମଣ କରିଛନ୍ତି। ସ୍ବଦେଶୀ ଆଦିବାସୀ ଫୋରମ ନେତା (ଆଇଟିଏଲ୍‌ଏଫ୍‌) ଦାବି କହିଛନ୍ତି ଯେ ମୈତେଇ ସମ୍ପ୍ରଦାୟର ଲୋକ ସେନା ଓ ପୁଲିସ ପୋଷାକରେ ଆସି କୁକି ଗ୍ରାମବାସୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ତିନି ଜଣଙ୍କର ମୃତ୍ୟୁ ହେବା ସହ ୪ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ମଣିପୁର ହିଂସାର ତଦନ୍ତ ପାଇଁ ସିବିଆଇ ପକ୍ଷରୁ ଶୁକ୍ରବାର ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରାଯାଇଛି। ଡିଆଇଜି ପାହ୍ୟାର ଜଣେ ଅଧିକାରୀ ଏହି ଏସ୍‌ଆଇଟିର ନେତୃତ୍ବ ନେବେ। ଏହି ଦଳରେ ୧୦ଜଣ ଅଧିକାରୀ ରହିଛନ୍ତି। ଏ ନେଇ ଶୁକ୍ରବାର ସିବିଆଇ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ହିଂସାର ତଦନ୍ତ ନିମନ୍ତେ ସିବିଆଇ ତରଫରୁ ୬ଟି ମାମଲା ରୁଜୁ କରାଯାଇଛି। ହିଂସାକୁ ନେଇ ରାଜ୍ୟରେ ମୋଟ ୩୭୩୪ଟି ମାମଲା ରୁଜୁ ହୋଇଥିବାବେଳେ ସେଥି ମଧ୍ୟରୁ ୬ଟି ମାମଲା ଉପରେ ସିବିଆଇ ତଦନ୍ତ କରିବ। ଯେଉଁସବୁ ମାମଲା ଉପରେ ତଦନ୍ତ କରାଯିବ ତାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅନୁମୋଦନ କରିଛି। ମଣିପୁର ହିଂସାର ସିବିଆଇ ତଦନ୍ତ କରିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିସ କରିଥିଲେ। ରାଜ୍ୟର ସୁପାରିସ ଆଧାରରେ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଛି। ମେ ୩ରୁ ମଣିପୁରରେ ଜାତିଆଣ ହିଂସା ଲାଗି ରହିଛି। ଏଥିରେ ଶତାଧିକ ଲୋକଙ୍କର ମୃତ୍ୟୁ ହେଲାଣି। ୩୭,୪୫୦ ଲୋକ ଏବେ ୨୭୦ଟି ରିଲିଫ୍ ଶିବିରରେ ଆଶ୍ରୟ ନେଇଛନ୍ତି।
ଅନ୍ୟପଟେ ହିଂସାଗ୍ରସ୍ତ ମଣିପୁରରେ ପ୍ରଶାସନ ତରଫରୁ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଥିବାକୁ ବିରୋଧ କରି ଚୋଙ୍ଗଟାମ୍‌ ଭିକ୍ଟର ସିଂହ ଓ ମାୟେଙ୍ଗବାମ୍‌ ଜେମ୍‌ସ ନାମକ ଦୁଇଜଣ ବ୍ୟକ୍ତି ସର୍ବୋଚ୍ଚ ନ୍ୟାୟାଳୟରେ ଏକ ମାମଲା ରୁଜୁ କରିଛନ୍ତି। ଶୁକ୍ରବାର ଆବେଦନକାରୀଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ସାଦାନ୍‌ ଫରାହତ ମାମଲାର ତ୍ବରିତ ଶୁଣାଣି ପାଇଁ ନିବେଦନ କରିଥିଲେ। ମାତ୍ର ଶୀର୍ଷ ଅଦାଲତ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ସମାନ ପ୍ରକାର ମାମଲା ମଣିପୁର ଉଚ୍ଚ ନ୍ୟାୟାଳୟ​‌େ​‌ର ବିଚାରାଧୀନ ଥିବା ବେଳେ ତ୍ବରିତ ଶୁଣାଣି ପାଇଁ କାହିଁକି ଆବେଦନକାରୀ ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି ବୋଲି ବିଚାରପତି ପ୍ରଶ୍ନ କରିଥିଲେ। ନିଜ ଆବେଦନରେ ଭିକ୍ଟର ଓ ଜେମ୍‌ସ ଦର୍ଶାଇଥିଲେ ଯେ ବାରମ୍ବାର ପ୍ରଶାସନ ତରଫରୁ ଇଣ୍ଟରନେଟ୍‌ ସେବା ବନ୍ଦ କରି ଦିଆଯିବା ଫଳରେ ଜନସାଧାରଣ ହଇରାଣ ହେଉଛନ୍ତି। ଏପରି କରାଯିବା ଦ୍ବାରା ଜନସାଧାରଣଙ୍କ ସ୍ବାଧୀନ ଅଭିବ୍ୟକ୍ତି ଅଧିକାର ଉପରେ ଆଞ୍ଚ ଆସୁଛି। ଏଥିସହ ବିଭିନ୍ନ ବ୍ୟବସାୟରେ ଇଣ୍ଟରନେଟ୍‌ର ବ୍ୟବହାର ବଢ଼ି ଯାଇଥିବାରୁ ଏହାକୁ ବନ୍ଦ କରି ଦିଆଯିବାରୁ ବ୍ୟବସାୟୀମାନେ ଅସୁବିଧା ଭୋଗୁଛନ୍ତି। ସେହିପରି ମଣିପୁର ବାସିନ୍ଦା ଭୟ, ନିରାଶାରେ ଜୀବନ କାଟୁଥିବା ବେଳେ ନିଜ ମନ ହାଲୁକା କରିବାକୁ ସମ୍ପର୍କୀୟଙ୍କ ସହ ସାମାଜିକ ଗଣମାଧ୍ୟମରେ ଯୋଗାଯୋଗ ରକ୍ଷା କରିବାରେ ବିଫଳ ହେଉଛନ୍ତି। ସୂଚାନଥାଉ କି ମଣିପୁରରେ ଇଣ୍ଟରନେଟ୍ ବ୍ୟବହାର ଉପରେ ପ୍ରଥମେ ମେ’ ୩ରେ ପ୍ରଶାସନ ତରଫରୁ ବାସନ୍ଦ ଲାଗୁ କରାଯାଇଥିଲା। ଏହାକୁ ବିଭିନ୍ନ ପର୍ଯ୍ୟାୟରେ ବଢ଼ାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories