www.samajalive.in
Sunday, December 14, 2025
26.1 C
Bhubaneswar

ମଝିଘରିଆଣୀଙ୍କ ମନ୍ଦିର ଉନ୍ନତି ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ସମ୍ଭାବନା !

ରାୟଗଡା: ଆଜିଠୁ ଦୁଇଦିନିଆ ରାୟଗଡା ଗସ୍ତରେ ଆସୁଛନ୍ତି ୫-ଟି ସଚିବ ଭି.କାର୍ତିକେୟ ପାଣ୍ଡିଆନ୍‌ । ଏଥିପାଇଁ ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ବିଜେଡିର ଦଳର ତୁଙ୍ଗନେତାମାନେ କିପରି ତାଙ୍କ ଗସ୍ତ କାର୍ଯ୍ୟକ୍ରମ ସଫଳ ହେବ ସେ ନେଇ ଘନ ଘନ ବୈଠକ ପରେ ବୈଠକ କରୁଛନ୍ତି । ପାଣ୍ଡିଆନଙ୍କ ଗସ୍ତକୁ ସଫଳ କରିବା ପାଇଁ ଏଠାରେ ଡେରା ପକାଇଛନ୍ତି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ବିଜେଡିର ରାୟଗଡା ଜିଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ । ରାୟଗଡା ବିଜେଡିରେ ରହିଥିବା ଗୋଷ୍ଠୀ କନ୍ଦଳକୁ କିଛି ମାତ୍ରାରେ ସମାଧାନ କରିବାରେ ଏହି ଦୁଇ ନେତା ସଫଳ ହୋଇଛନ୍ତି । ହେଲେ ୫-ଟି ସଚିବଙ୍କ ନଜରରେ ଏହା ଯେପରି ପ୍ରତିଫଳନ ନହେବ ସେ ନେଇ ଦୁଇ ନେତା ତୀକ୍ଷ୍‌ମ ନଜର ରଖିଛନ୍ତି । ୫-ଟି ସଚିବଙ୍କ ଗସ୍ତକୁ ସଫଳ କରିବା ନେଇ ଜିଲା ପ୍ରଶାସନ ଓ ଦଳୀୟ ନେତାଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟକ୍ରମ ସବୁ ସ୍ଥିର କରାଯାଇଛି । ବୁଧବାର ଅପରାହ୍ନ ସାଢେ ୪ଟା ବେଳେ ହେଲିକପ୍ଟରରେ ଆସି ରାୟଗଡା ଜିସିଡି ଗ୍ରାଉଣ୍ଡରେ ପହଂଚିବେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ । ସେଠାରୁ ନୂତନ ବିଜୁ ପଟ୍ଟନାୟକ ଅଡିଟୋରିୟମରେ କଲେଜ ଛାତ୍ରଛାତ୍ରୀଙ୍କ ସହ ୫-ଟି ସ୍କୁଲର ରୁପାନ୍ତରଣ ସହ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିବେ ।

ଏହାପରେ ବିଭିନ୍ନ ସଂଗଠନ ସହ ଜିଲାର ବିକାଶ ନେଇ ଆଲୋଚନା କରିବା ସହ ଅଭିଯୋଗ ପତ୍ର ଗ୍ରହଣ କରିବେ । ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ସହ ଆମ ହସପିଟାଲ ଯୋଜନାର ସମୀକ୍ଷା କରିବେ । ନୂତନ ଭାବେ ଖୋଲାଯାଇଥିବା ମିଶନ ଶକ୍ତି କେଫେରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ତାପରେ ନୂତନ ଇଣ୍ଡୋର ଷ୍ଟାଡିୟମର ଅନୁଧ୍ୟାନ ସହ କ୍ରୀଡାବିତ୍‌ଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସଂଧ୍ୟାରେ ରାୟଗଡାର ଅଧିଷ୍ଟାତ୍ରୀ ଦେବୀ ମାଆ ମଝିଘରିଆଣୀଙ୍କ ଦର୍ଶନ କରିବା ସହ ମନ୍ଦିର ଉନ୍ନତି ନେଇ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାର ସମ୍ଭାବନା ରହିଛି । ଏହାପରେ ସର୍କିଟ ହାଉସରେ ରାତ୍ରୀ ଯାପନ କରିବେ ୫-ଟି ସଚିବ । ଗୁରୁବାର ସକାଳ ୬ଟା ବେଳେ ପୁଣି ହେଲିକପ୍ଟରରେ ଏଠାରୁ କାଶୀପୁର ଯିବେ । କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଝରିଗା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ବିଷମକଟକ ଯିବେ ପାଣ୍ଡିଆନ୍‌ । ସେଠାରେ ନିୟମଗିରି ପାହାଡକୁ ଯିବେ । ନିକଟସ୍ଥ ଗଦଗଦା ଜଳପ୍ରପାତ ଓ ଇକୋ ଟୁରିଜିମ ବିକାଶ ସ୍ଥାନ ପରିଦର୍ଶନ କାର୍ଯ୍ୟକ୍ରମ ରହିଛି । ଏହାପରେ ଚାଟିକଣା ପାତାଳେଶ୍ୱର ଶୈବପୀଠକୁ ଯିବେ । ସେଠାରେ ଆଦିବାସୀ ଡଙ୍ଗରିଆ କନ୍ଧଙ୍କ ସହ ଆଲୋଚନା କରିବେ । ସେଠାରୁ ପଦ୍ମପୁର ବ୍ଲକରେ କିଛି କାର୍ଯ୍ୟକ୍ରମ ସାରି ଗୁଣପୁର ଯିବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ସେଠାରେ ସେଫାଳୀ ପାହଡ ଶୈବପୀଠ ବୁଲି ଦେଖିବା ସହ ତାହାର ବିକାଶ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଗୁଣପୁର ଡାକବଙ୍ଗଳାରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ପରେ ମଧ୍ୟାହ୍ନ ଭୋଜନ ସାରି ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି । ପାଣ୍ଡିଆନଙ୍କ ଗସ୍ତକୁ ସଫଳ କରିବା ପାଇଁ ବିଜେଡି ସାଂଗଠନିକ ସଂପାଦକ ଓ ଜିଲା ପର୍ଯ୍ୟବେକ୍ଷକ ଗତ ୧ ତାରିଖରେ ଆସିଥିଲେ । ଏହାପରେ ପୁଣି ଥରେ ଆଜି ଦୁଇ ନେତା ଆସି ପାଣ୍ଡିଆନ୍‌ ଯାଉଥିବା ବିଷମକଟକ, ଗୁଣପୁର ଓ ରାୟଗଡା ସ୍ଥିତିର ସମୀକ୍ଷା କରିଛନ୍ତି । ସେମାନଙ୍କ ସହ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ତଥା ଜିଲା ସଭାପତି ସୁଧିର ଦାଶ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ପ୍ରମୁଖ ସତଚେଷ୍ଟା ଚଳାଇଛନ୍ତି ପାଣ୍ଡିଆନଙ୍କ ଗସ୍ତକୁ ସଫଳ କରିବା ପାଇଁ । ପୂର୍ବରୁ ରାଜ୍ୟପାଳ ଆସିବା ବେଳେ ଯେତିକି ତତ୍ପରତା ଦେଖାଇନଥିଲା ଜିଲା ପ୍ରଶାସନ ଏବେ ତାହାଠାରୁ ଢେର ଗୁଣରେ ପରିଶ୍ରମ କରୁଛନ୍ତି ସରକାରୀ ଅଫିସରମାନେ । ରାତାରାତି ସର୍କିଟ ହାଉସର ହୁଲିଆ ପରିବର୍ତନ କରିଦେଲେ । ବର୍ଷ ବର୍ଷ ଧରି ପଡିଥିବା ଅଳିଆ ସଫା ହେଉନଥିଲା ଏବେ ୫-ଟି ସଚିବଙ୍କ ଗସ୍ତ ପୂର୍ବରୁ ସେ ସବୁ ସଫା କରାଯାଇଛି । ଏପରିକି ଜିଲାପାଳଙ୍କ ଅଫିସ ପରିସରକୁ ବି ସଫା କରାଯାଇଥିବା ଦେଖିବାକୁ ମିଳିଛି । ୫-ଟି ସଚିବ ଯେଉଁଠିକି ଯିବେ ସେଠାରେ କାମ ଜୋରସୋରରେ ଚାଲିଛି । ତେବେ ୫ଟି ସଚିବଙ୍କ ଗସ୍ତ ପରେ ଜିଲାବାସୀଙ୍କ ପାଇଁ କେଉଁ ସବୁ ଯୋଜନାରେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯିବ ତାହାକୁ ଅପେକ୍ଷା ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories