www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରଦୂଷଣର ବିଷ ବଳୟରେ ଇବ୍‌‌ ଉପତ୍ୟକା; ରେଙ୍ଗାଲି ଶିଳ୍ପାଞ୍ଚଳରୁ ପ୍ରତ୍ୟହ ନିର୍ଗତ ହେଉଛି ୧୦,୩୨୦ ମେଟ୍ରିକ୍‌‌ ଟନ୍‌‌ ପାଉଁଶ

ରେଙ୍ଗାଲି: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜୁନ୍‌‌ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି। ଗତାନୁଗତିକ ଧାରାରେ ସଭା ସମିତି, କର୍ମଶାଳା ଆୟୋଜିତ ହୋଇ ବଡବଡ ନେତା ଏବଂ ସରକାରୀ ଅଧିକାରୀ ତଥା ବୁଦ୍ଧିଜୀବୀ ଏଥିରେ ଯୋଗ ଦେଇ ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣକୁ ନେଇ ପ୍ରବଚନ ଦେଉଛନ୍ତି। ପରିବେଶସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣର ଦୃଢ ସଙ୍କଳ୍ପ ମଧ୍ୟ ନିଆଯାଉଛି। କିନ୍ତୁ ସଭା ସରିଗଲା ପରେ ପୂର୍ବ ବର୍ଷମାନଙ୍କ ଭଳି ସବୁ ଭୁଲିଯିବେ। ଜନସାଧାରଣ ସର୍ବୋପରି ଜୀବଜଗତ ପୂର୍ବବତ୍‌‌ ଦିନକୁ ଦିନ ବୃଦ୍ଧି ପାଉଥିବା ଉତ୍ତାପ ଓ ପ୍ରଦୂଷଣଜନିତ ସମସ୍ୟାରେ ଯେପରି ଅଣ ନିଃଶ୍ୱାସୀ ହୋଇ ସନ୍ତୁଳି ହେଉଛନ୍ତି ତାହା ବଲବତ୍ତର ରହିବ। ଏହି ସମସ୍ୟାର ନିରାକରଣ ପାଇଁ ଆନ୍ତରିକତା ନଥାଇ କେବଳ ସଭାସମିତିରେ ଆଲୋଚନା ପର୍ଯ୍ୟାଲୋଚନା ତଥା ପରିବେଶ ପ୍ରଦୂଷଣ ପାଇଁ ଉଦ୍‌‌ବେଗ ପ୍ରକାଶ କରିବା ଏବଂ ଲୋକ ଦେଖାଣିଆ ସଙ୍କଳ୍ପ ନେଲା ପରେ ପ୍ରଦୂଷଣ ନିୟନ୍ତ୍ରଣ କାମ ସରିଗଲା ବୋଲି ବିବେଚନା କରାଯାଉଥିବାରୁ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପରିବେଶ ସୁରକ୍ଷା କେବଳ ସଭାସମିତିରେ ହିଁ ସୀମିତ ହୋଇ ରହିଯାଉଛି। ଏଭଲି ଉପର ଠାଉରିଆ ନୀତି ଯୋଗୁଁ ପରିବେଶ ସୁରକ୍ଷା, ଜଙ୍ଗଲ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ ଆଇନ କାଗଜ ବାଘ ପାଲଟି ଯାଇଛି। ଆଇନକୁ କାନମୋଡା ଦେଇ ପ୍ରଭାବଶାଳୀ ଲୋକେ ପ୍ରଶାନିକ ଅଧିକାରୀଙ୍କୁ ହାତବାରିସୀ କରି ରାଜନେତାମାନଙ୍କ ପୃଷ୍ଠପୋଷକତାରେ ଚାଲିଛି ଜଙ୍ଗଲ ଧ୍ୱଂସ ଅଭିଯାନ ଏବଂ ବିସ୍ତାର ଲାଭ କରୁଛି କଂକ୍ରିଟ ଜଙ୍ଗଲ। ସବୁଜ ବଳୟର ଦ୍ରୁତ ଅବକ୍ଷୟ ଯୋଗୁଁ ପ୍ରାକୃତିକ ତାପ ବିକିରଣ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। ଯଦ୍ୱାରା ତାପମାତ୍ରା ହୁ..ହୁ..ହୋଇ ବଢ଼ି ଚାଲିଛି।

ସମ୍ବଲପୁର ଏବଂ ଏହାର ସୀମାନ୍ତବର୍ତ୍ତି ଝାରସୁଗୁଡା ଜିଲାରେ ପ୍ରତିବର୍ଷ ବୃଦ୍ଧି ପାଉଥିବା ପ୍ରଦୂଷଣ ଏବଂ ଏହାର ପ୍ରଭାବ କାହାରିକୁ ଅଜଣା ନୁହେଁ। ଏହି ଅଞ୍ଚଳରେ ଗଢିଉଠିଥିବା ସଂଖ୍ୟାଧିକ କଳକାରଖାନା, ଖଣି ଖାଦାନ ତଥା ଶିଳ୍ପାନୁଷ୍ଠାନ ଯୋଗୁଁ ଉଭୟ ଜିଲ୍ଲାର ପରିବେଶ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହେଉଛି। ଶିଳ୍ପାନୁଷ୍ଠାନଗୁଡିକରୁ ସୃଷ୍ଟି ହେଉଥିବା ପ୍ରଦୂଷଣର ନିୟନ୍ତ୍ରଣ ପାଇଁ ବହୁ ବ୍ୟବସ୍ଥା ରହିଛି। ଏମଓୟୁରେ ମଧ୍ୟ ଏଥିପାଇଁ ଏକ ସ୍ୱତନ୍ତ୍ର ସର୍ତ୍ତ ରହୁଛି। କିନ୍ତୁ ଶିଳ୍ପ ପ୍ରତିଷ୍ଠା ପାଇଁ ଯେତିକି ଗୁରୁତ୍ୱ ଦିଆଯାଉଛି ଉକ୍ତ ସର୍ତ୍ତ ପାଳନ କରାଯାଉଛି କି ନାହିଁ ତା’ର ତଦାରଖ ଦିଗ ରେ କାଣିଚାଏ ବି ତତ୍ପରତା ପ୍ରକାଶ ପାଉନାହିଁ।ଏଥିଯୋଗୁଁ ଚାଲିଛି ଲଗାମଛଡା ପ୍ରଦୂଷଣ। ଆଞ୍ଚଳିକ ପ୍ରଦିଷଣ ନିୟନ୍ତ୍ରଣ ବୋର୍ଡ ସବୁ ଦେଖି ଜାଣି ଶୁଣି ହାତବନ୍ଧି ନୀରବ ଦ୍ରଷ୍ଟା ସାଜିଛି। ରେଙ୍ଗାଲି ବ୍ଳକରେ ଥିବା ଶ୍ୟାମ ମେଟାଲିକ୍ସ ଏବଂ ଆର୍ୟାନ ଇସ୍ପାତର ବିଷାକ୍ତ ରାସାୟନିକ ମିଶ୍ରିତ ଜଳ ମତୁଆଳି ନାଳା ଦେଇହିରାକୁଦ ଜଳ ଭଣ୍ଡାରରେ ମିଶୁଛି। ଭୂଷଣ ଷ୍ଟିଲ କାରଖାନାର ବିଷାକ୍ତ ରାସାୟନିକ ବର୍ଜ୍ୟବସ୍ତୁ ମିଶ୍ରିତ ଜଳ ମଧ୍ୟ ନିକଟସ୍ଥ ନାଳ ଦେଇ ଭେଡେନ ନଦୀ ଓ ଇବ୍‌‌ ନଦୀ ଦେଇ ଦେଇ ହିରାକୁଦ ଜଳଭଣ୍ଡାରରେ ମିଶୁଛି। ଏହାର ପ୍ରଭାବରେ ଜଳଭଣ୍ଡାରର ମାଛ ବଂଶ ବୃଦ୍ଧି ପ୍ରଭାବିତ ହେବା ସହିତ ଅସଂଖ୍ୟ ଜଳଚର ଜୀବଙ୍କ ଅକାଳ ମୃତ୍ୟୁ ମଧ୍ୟ ହେଉଛି।

- Advertisement -

ଇବ୍‌‌ ଉପତ୍ୟକା ରୂପେ ବିବେଚିତ ଝାରସୁଗୁଡା ଜିଲା ଏବଂ ଏହାର ସୀମାନ୍ତରେ ଥିବା ରେଙ୍ଗାଲି ବ୍ଳକ୍‌‌ ପ୍ରଦୂଷଣର ପରିକ୍ଷାଗାରରେ ପାଲଟି ଯାଇଛି। ସୂଚିତ ଯେ, ଇବ୍‌‌ ଉପତ୍ୟକାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କ୍ରିଟିକାଲି ପଲ୍ୟୁଟେଡ୍ ଜୋନ୍‌‌ ରୂପେ ଚିହ୍ନଟ କରାଯାଇଛି। ଗୋଟିଏ ପଟେ ଦ୍ରୁତଗତିରେ ଜଙ୍ଗଲକ୍ଷୟ ଓ ଅନ୍ୟପଟେ ଦିନକୁ ଦିନ କଳ କାରଖାନା, ଖଣିଖାଦାନ, କ୍ରସର, ପଥରକ୍ୱାରୀ, ଚାଉଳ କଳ, ସିମେଣ୍ଟ, ଆଜ୍‌‌ବେଷ୍ଟସ, ଇଟାଭାଟି ଆଦି ପ୍ରଦୂଷଣ ସୃଷ୍ଟିକାରୀ ଶିଳ୍ପ ପ୍ରତିଷ୍ଠାନ ସଂଖ୍ୟା ପ୍ରତିଯୋଗିତା କଲା ଭଲି ବୃଦ୍ଧି ପାଉଛି। ଫଳ ସ୍ୱରୂପ ପରିବେଶ ଉତ୍ତପ୍ତ ହେବା ସହ ପ୍ରଦୂଷଣ ମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଉଛି। ଏହାର ପ୍ରଭାବରେ ମାଟି, ପାଣି, ପବନ ଏବଂ ସମଗ୍ର ଜୀବଜଗତ ତ୍ରାହିତ୍ରାହି ଡାକ ଛାଡୁଥିଲେ ବି ଶିଳ୍ପାୟନ ନିଶା ରେ ମସ୍‌‌ଗୁଲ୍‌‌ ଥିବା ସରକାରଙ୍କ କାନକୁ ଏହି ଡାକ ଶୁଭୁନାହିଁ। ଏଥି ଯୋଗୁଁ ଜୈବବିବିଧତା ବିପନ୍ନ ହେବାରେ ଲାଗିଛି। ଋତୁଚକ୍ରରେ ଦେଖାଦେଇଛି ଅସ୍ୱାଭାବିକ ପରିବର୍ତ୍ତନ। ମାଟିର ଭୌତିକ ଗୁଣ ରେ ମଧ୍ୟ ଦେଖାଦେଇଛି ବ୍ୟାପକ ପରିବର୍ତ୍ତନ। ଶସ୍ୟ ଶ୍ୟାମଳା ଉର୍ବର ମାଟି ଭୟଙ୍କର ପ୍ରଦୂଷଣରେ ରସ ଶୂନ୍ୟ ହୋଇ ବିଷାକ୍ତ ହେବାରେ ଲାଗିଛି। ବାହାଲ ଜମି ବେର୍ଣା କିସମକୁ ଖସି ଯାଇଥିବା ବେଳେ ବେର୍ଣା କିସମ ଜମି ମାଳ କିସମକୁ ଏବଂ ମାଳ କିସମ ଜମି ଆଟ୍‌‌ କିସମରେ ପରିଣତ ହେଲାଣି। ପୁଣି ଆଟ୍‌‌ କିସମ ଜମି ବଞ୍ଜର୍‌‌ ଅର୍ଥାତ୍‌‌ ବନ୍ଧ୍ୟା ପାଳଟି ଯାଉଛି। ମାଟିର ଭୌତିକ ଗୁଣରେ ଦେଖାଦେଇଥିବା ଏଭଲି ଦ୍ରୁତ ଅବକ୍ଷୟ କୃଷିକ୍ଷେତ୍ର ଚରମ ବିପର୍ଯ୍ୟୟ ର ଦ୍ୱାରଦେଶରେ ଠିଆ ହୋଇଥିବାର ଏକ ସତର୍କ ସୂଚନା। ଏହି ପ୍ରକ୍ରିୟାକୁ ରୋକା ନଗଲେ ଦିନେ ସବୁ କିସମର ଜମି ବଞ୍ଜର୍‌‌ ହୋଇଯିବା ନିଶ୍ଚିତ ଅଟେ। କିନ୍ତୁ ଆମ ସରକାର, ନେତା ଏବଂ ସରକାରୀ ଅଧିକାରୀ ଏଥିପାଇଁ ଚେତା ନାହିଁ କି ଚିନ୍ତା ନାହିଁ। ରେଙ୍ଗାଲି ଶିଳ୍ପାଞ୍ଚଳରେ ଥିବା କଳକାରଖାନା ରେ ପ୍ରତିଦିନ ୧୦ହଜାର ୩ଶହ୨୦ ମେଟ୍ରିକ୍‌‌ ଟନ୍‌‌ ଉଡନ୍ତା ପାଉଁଶ ନିର୍ଗତ ହେଉଥିବା ବେଳେ ଏଥିପାଇଁ ୧୮ହଜାର ୬ଶହ୪୦ ମେଟ୍ରିକ୍‌‌ ଟନ୍‌‌ କୋଇଲା ଦହନ ହେଉଛି। ଏହା ବ୍ୟତୀତ ଏହି ଅଞ୍ଚଳରେ ଥିବା ସ୍ପଞ୍ଜ ଆଇରନ୍‌‌ କାରଖାନାରୁ ପ୍ରତିଦିନ ୫୯୫ ମେଟ୍ରିକ ଟନ୍‌‌ ଚାର୍‌କୋଲ୍‌‌ ଓ ଦୂଷିତ ଧୂଳି ନିଷ୍କାହିତ ହେଉଛି। ଏହି ପ୍ରକ୍ରିୟାରୁ ନିର୍ଗତ ବିଷାକ୍ତ ରାସାୟନିକ ପଦାର୍ଥ ମିଶ୍ରିତ ବର୍ଜ୍ୟବସ୍ତୁର ସଠିକ୍‌‌ ପରିଚାଳନା କରାଯାଉ ନଥିବା ଯୋଗୁଁ ଅଞ୍ଚଳର ମାଟି, ପାଣିପବନ ଏବଂ ଜୀବଜଗତ ଉପରେ ଭୟଙ୍କର କୁପ୍ରଭାବ ପଡୁଛି ବୋଲି ବିଶେଷଜ୍ଞମାନଙ୍କ ମତ। ଅଞ୍ଚଳର ପ୍ରତ୍ୟେକ ସ୍ଥାନରେ କଳାପାଉଁଶର ମୋଟା ଆସ୍ତରଣ ଜମାଟ ବାନ୍ଧି ରହୁଛି। ପାଉଁଶ ପୋଖରୀ ନାଁରେ ପାଉଁଶ ପହାଡ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳୁଛି। ଏଭଲି ବିନାଶକାରି ପ୍ରଦୁଷଣ ଫଳରେ ମାଟିର ଉର୍ବରତା ନଷ୍ଟ ହେବା ସହିତ ଗଛଲତା, ଗୁଳ୍ମ ଆଦିର ବର୍ଦ୍ଧିଷ୍ନୁ କ୍ଷମତା ହ୍ରାସ ପାଉଛି। ଏପଟେ ପ୍ରଦୂଷଣ ସମସ୍ୟା ଉତ୍କଟ ଆକାର ଧାରଣ କରୁଥିବା ବେଳେ ପରିବେଶକୁ ସୁସ୍ଥ ଏବଂ ସନ୍ତୁଳିତ କରି ରଖୁଥିବା ଜଙ୍ଗଳ ପ୍ରତିଯୋଗିତା ଭିତ୍ତିରେ ଧ୍ୱଂସ ହେବାରେ ଲାଗିଛି। ବ୍ୟବସାୟିକ ଭିତ୍ତିରେ ଜଙ୍ଗଳ ମାଫିଆମନେ ପ୍ରତିଦିନ ଜଙ୍ଗଲରୁ ଗଛକାଟି ସହରାଞ୍ଚଳକୁ ଚାଲାଣ କରି ଜଙ୍ଗଳ ସଫା କରୁଥିବା ଏକ ନିତି ଦିନିଆ ଘଟଣା ପାଲଟି ଯାଇଛି। ଏଥି ଯୋଗୁଁ ଅଞ୍ଚଳର ଅଧିକାଂଶ ଜଙ୍ଗଳ ଲଣ୍ଡା ହେବାକୁ ବସିଲାଣି। ଜଙ୍ଗଳ ବିଭାଗ ସୁତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ରେଙ୍ଗାଲି ବ୍ଳକ୍‌‌ ରେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ଶିଳ୍ପାୟନ ପ୍ରକ୍ରିୟାରେ ସ୍ଥାପିତ ହୋଇଥିବା ଭୂଷଣ ଷ୍ଟିଲ୍‌‌, ଆଦିତ୍ୟ ଆଲୁମିନା, ଶ୍ୟାମ ଡିଆର୍‌‌ ଆଇ କାରଖାନା ଯୋଗୁଁ ୯୪ହଜାର ୭ଶହ ୧୩ ବିଭିନ୍ନ ପ୍ରଜାତିର ମୂଲ୍ୟବାନ ଔଷଧିୟ ଗୁଣ ଯୁକ୍ତ ଫଳ ଭୋଗୀ ବୃକ୍ଷ ନଷ୍ଟ ହୋଇସାରିଛି। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଖିଣ୍ଡା ପଞ୍ଚାୟତ ରେ ଚାଲିଥିବା ଥିବା କେନ୍ଦ୍ର ସରକାରଙ୍କ ନବରତ୍ନ ଗ୍ରୁପ୍‌‌ କମ୍ପାନୀ ଏନ୍‌‌.ଏଲ୍‌‌.ସିର ତଲାବିରା(୨) ଏବଂ (୩) କୋଇଲା ଖଣି ଯୋଗୁଁ ୧ଲକ୍ଷ ୫୩ ହଜାର ମୂଲ୍ୟବାନ୍‌‌ ଗଛ ସ୍ୱାହା ହେଲାଣି। ଅର୍ଥାତ୍‌‌ ଶିଳ୍ପାୟନରେ ଏପର୍ଯ୍ୟନ୍ତ ୨ଲକ୍ଷ୪୭ ହଜାର ୮ଶହ ୧୩ ଟି ବିଭିନ୍ନ ପ୍ରଜାତିର ଗଛ ସ୍ୱାହା ହୋଇ ସାରିଲାଣି ବୋଲି ସରକାରୀ ହିସାବ କହୁଛି।

କିନ୍ତୁ ପ୍ରକୃତରେ ଶିଳ୍ପାୟନ ପ୍ରକ୍ରିୟାରେ ଏହାର ଦୁଇଗୁଣ ଗଛ ଧ୍ୱଂସ ହୋଇଛି ବୋଲି ତଥ୍ୟଭିଜ୍ଞ ମହଲରେ ମତ ପ୍ରକାଶ ପାଉଛି। ଶିଳ୍ପାୟନ ଯଜ୍ଞର ଆହୁତି ରେ ଧ୍ୱଂସ ପାଇଥିବା ଜଙ୍ଗଳର ପ୍ରତିବଦଳରେ ରେଙ୍ଗାଲି ଅଞ୍ଚଳ ରେ କରାଯାଇଥିବା ପୁନଃବନୀକରଣ ଯୋଜନାରେ କରାଯାଇଥିବା ବୃକ୍ଷରୋପଣର ଅବସ୍ଥା ଅତି ଦୟନୀୟ। ପୁନଃବନୀକରଣ ଯୋଜନାରେ ଲଗାଯାଇଥିବା ଗଛ ମଧ୍ୟରୁ ଅଧାରୁ ଅଧିକ ମରିଗଲାଣି। ଯାହା ବଞ୍ଚିଛି ପ୍ରଦୂଷଣ ସମସ୍ୟା ଯୋଗୁଁ ଠିକ୍‌‌ ଭାବରେ ବଢ଼ି ପାରୁନାହିଁ। ଦୀର୍ଘବଷ ଧରି ଲୋକମାନଙ୍କ ଦ୍ୱାରା ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଳ ସଂପୃକ୍ତ ଅଞ୍ଚଳବାସୀଙ୍କ ଜୀବନଜିବିକା ତଥା ପେଟ ପାଟଣା ର ମୁଖ୍ୟ ଆଧାର ହୋଇ ରହିଥିଲା। ମହୁଲ, ଟୋଲ, ଚାର, ଶାଳମଞ୍ଜି, ଲାଖ, ଝୁଣା, ମହୁ, ଶାଳପତ୍ର, କେନ୍ଦୁପତ୍ର, ସପ, ମସିଣା ଆଦି ବନ୍ୟଜାତ ଦ୍ରବ୍ୟ ସଂଗ୍ରହ କରି ଜନଜାତି ସଂପ୍ରଦାୟର ଲୋକେ ପରିବାର ପ୍ରତିପୋଷଣ କରୁଥିଲେ। ଜଙ୍ଗଲ ଧ୍ୱଂସ ଯୋଗୁଁ ଜଙ୍ଗଳ ତଳି ଅଞ୍ଚଳ ର ଲୋକଙ୍କ ଜୀବନ ଜିବିକା ଉଚ୍ଛନ୍ନ ହୋଇଗଲା। ଏହି ଜଙ୍ଗଲ ଯୋଗୁଁ ଅଞ୍ଚଳର ପରିବେଶ ସନ୍ତୁଳିତ ହୋଇରହିବା ସହିତ ପାଣିପାଗ ମଧ୍ୟ ଠିକ୍‌‌ ରହୁଥିଲା। କିନ୍ତୁ ଶିଳ୍ପାୟନ ଯଜ୍ଞର ଆହୂତି ରେ ସବୁ ଧ୍ୱଂସ ପାଇଗଲା। ଏହାର ପ୍ରଭାବରେ ଅଞ୍ଚଳର ଉତ୍ତାପ ବୃଦ୍ଧି ପାଇ ଜୈବ ବିବିଧତା ନଷ୍ଟ ହେବା ସହିତ କୃଷି, ମତ୍ସ୍ୟଚାଷ, ପଶୁପାଳନ ତଥା ପାଣିପାଗ ଆଦି କ୍ଷେତ୍ରରେ ଘୋର ବ୍ୟତିକ୍ରମ ଦେଖାଦେଉଛି। ଏହି ପରିପ୍ରେକ୍ଷୀ ରେ ପ୍ରଦୂଷଣ ସମସ୍ୟାର ଦୃଷ୍ଟାନ୍ତମୂଳକ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରା ନଗଲେ ରେଙ୍ଗାଲି ଅଞ୍ଚଳ ଆଗାମୀ ଦିନରେ ଉତ୍ତପ୍ତ ମରୁଭୂମି ପାଲଟିଯିବ ବୋଲି ପରିବେଶପ୍ରେମୀ ମହଲରେ ଆଶଙ୍କା ପ୍ରକାଶ ପାଉଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories