www.samajalive.in
Monday, December 15, 2025
16.1 C
Bhubaneswar

ଧୁମ୍‌‌ଧାମରେ ସରିଲା ରୁକ୍ମିଣୀଙ୍କ ବିବାହ

ପିପିଲି : ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଶ୍ରୀଜୟଗୋପାଳ ଦେବଙ୍କ ପ୍ରସିଦ୍ଧ ଚମ୍ପକ ଦ୍ୱାଦଶୀ ପର୍ବ ଓ ବାଣଯାତ୍ରା ପାଇଁ ଗ୍ରାମ ଉତ୍ସବମୁଖର ହୋଇଉଠିଛି । ବୁଧବାର ରାତିରେ ମନ୍ଦିର ପରିସରରେ ପ୍ରଭୂ ଶ୍ରୀକୃଷ୍ଣଙ୍କ ସହ ରୁକ୍ମିଣୀଙ୍କ ବିବାହ ଉତ୍ସବ ଧୁମ୍‌‌ଧାମରେ ସଂପନ୍ନ ହୋଇଛି । ଶୁକ୍ରବାର ଅପରାହ୍ନରେ ପ୍ରସିଦ୍ଧ କାଠଚକ୍ର ବାଣଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି ।
ପରଂପରା ଅନୁଯାଇ ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ବୁଧବାର ରାତିରେ ପ୍ରଭୁ ଶ୍ରୀଜୟଗୋପାଳ ଦେବଙ୍କ ମନ୍ଦିର ପରିସରରେ ପ୍ରଭୂ ଶ୍ରୀକୃଷ୍ଣଙ୍କ ସହ ରୁକ୍ମିଣୀଙ୍କ ବିବାହ ଉତ୍ସବ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ହଜାର ହଜାର ଭକ୍ତଙ୍କ ହରିବୋଲ ଓ ହୁଳହୁଳି ଧ୍ୱନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇ ଉଠିଥିବା ବେଳେ ଠାକୁରଙ୍କ ବିବାହ ଉତ୍ସବକୁ ଭକ୍ତମାନେ ମନଭରି ଉପଭୋଗ କରିଥିଲେ । ଏହି ଉତ୍ସବର ପୌରାଣିକ ପୃଷ୍ଠଭୂମି ଅନୁଯାଇ ବିଦର୍ଭ ରାଜ୍ୟରେ ଭୀଷ୍ମକ ନାମକ ଜଣେ ରାଜା ଥିଲେ । ତାଙ୍କର ରୁକ୍ମିଣୀ ନାମରେ ଏକ କନ୍ୟା ଥିଲେ । ରୁକ୍ମିଣୀଙ୍କ ବିବାହ ଶିଶୁପାଳଙ୍କ ସହ ସ୍ଥିରିକୃତ ହୋଇଥିଲା । କିନ୍ତୁ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କୁ ନିଜର ପତିରୁପେ ବରଣ ପାଇଁ ସ୍ଥିର କରିନେଇଥିଲେ। ଏକଥା ଶ୍ରୀକୃଷ୍ଣ ଜାଣି ପାରି ତାଙ୍କୁ ଅପହରଣ କରି ନେଇଗଲେ । ଫଳରେ ଶିଶୁପାଳ ଶେଷରେ ବିବାହ କରି ନ ପାରି ଶିଶୁପାଳ ହୋଇ ଫେରି ଯାଇଥିଲେ। ଓଡିଶାର ଶେଷ ସ୍ୱାଧୀନ ରାଜା ଶ୍ରୀମୁକୁନ୍ଦଦେବ ହରିଚନ୍ଦନ ୧୫୬୬ ଖ୍ରୀଷ୍ଟାବ୍ଦରେ ଦାଣ୍ଡମୁକୁନ୍ଦପୁର ଗ୍ରାମରେ ପ୍ରଭୁ ଶ୍ରୀ ଶ୍ରୀଜୟଗୋପାଳ ଦେବଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ୧୫୬୮ରେ ଗୋହିରାଟିକିରି ଯୁଦ୍ଧକ୍ଷେତ୍ରରେ ତାଙ୍କର ମୃତ୍ୟୁ ପରେ ରାଣୀ ନାଟମନ୍ଦିରରେ ବିଗ୍ରହ ପ୍ରତିଷ୍ଠା କରିଥିବା ଜଣାଯାଏ । ୧୫୬୬ରୁ ୧୫୭୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହି ପରମ୍ପରାକୁ ଅନୁସରଣ କରି ଶ୍ରୀଜୟଗୋପାଳ ଦେବଙ୍କ ମନ୍ଦିର ପରିସରରେ ରୁକ୍ମିଣୀ ବିବାହ ଉତ୍ସବ ଅନୁଷ୍ଠିତ ହୋଇ ଆସୁଥିବା ଜଣାଯାଇଛି ।

ଶ୍ରୀକୃଷ୍ଣଙ୍କ ସହ ରୁକ୍ମିଣୀଙ୍କ ବିବାହ ସଂପନ୍ନ ହେବା ପରେ ଗୁରୁବାର ରାତିରେ ତଥା ଦ୍ୱାଦଶୀ ତିଥିରେ ଏକ ସୁସଜ୍ଜିତ ବିମାନରେ ଶ୍ରୀଜୟଗୋପାଳ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ଶ୍ରୀନୀଳକଣ୍ଠେଶ୍ୱର ଦେବ ଓ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ପରିକ୍ରମା କରାଯିବ। ପ୍ରତ୍ୟେକ ପରିବାର ପକ୍ଷରୁ ଠାକୁର ମାନଙ୍କୁ ଦ୍ୱାରିଭୋଗ ଅର୍ପଣ କରାଯିବା ପରେ ବିଳମ୍ବିତ ରାତ୍ରୀରେ ଠାକୁର ମାନଙ୍କୁ ଗ୍ରାମର ବାଣମରା ଛକ (ଦଣ୍ଡାମୁଣ୍ଡ ଛକ) ଠାରେ ଖୁଣ୍ଟି ଲାଗି କରାଯିବ। ତ୍ରୟୋଦଶୀ ତିଥି ତଥା ଶୁକ୍ରବାର ଅପରାହ୍ନରେ ଠାକୁର ମାନଙ୍କ ସମ୍ମୁଖରେ ପ୍ରସିଦ୍ଧ କାଠଚକ୍ର ବାଣ ସହ ବିଭିନ୍ନ ପ୍ରକାର ଆତସବାଜୀ ପ୍ରଦର୍ଶନ କରାଯିବ। ବିରାଟ ଗୋଲାକାର କାଠଗଣ୍ଡିରେ ନିର୍ମିତ ଏହି କାଠଚକ୍ର ବାଣଗୁଡିକ ପ୍ରଚୁର ନିଆଁ ଓ ଧୁଆଁ ମଧ୍ୟରେ ବିରାଟ ଗର୍ଜ୍ଜନ କରି ଏକ ଲୌହଦଣ୍ଡ ଉପରେ ବୁଲିବା ଦୃଶ୍ୟକୁ ଦେଖିବା ପାଇଁ ୧୦ହଜାରରୁ ଉର୍ଦ୍ଧ ଜନସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories