www.samajalive.in
Sunday, December 7, 2025
23.1 C
Bhubaneswar

ଗଡ଼ୁଛି ୩୩ ହଜାର କୋଟିର ବିନିଯୋଗ ପ୍ରମାଣପତ୍ର

ଭୁବନେଶ୍ବର : ଟଙ୍କାଏ କି ଦୁଇଟଙ୍କା ନୁହେଁ, ଏକାଥରକେ ୩୩ହଜାର ୨୭୯କୋଟି ଟଙ୍କାର ବେନିୟମ ଖର୍ଚ୍ଚର ହିସାବ ଅଧିକାରୀମାନେ ଦେଇପାରୁ ନାହାନ୍ତି । ଖାଲି ସେତିକି ନୁହେଁ, ମହାଲେଖାକାରଙ୍କ ୧୬ହଜାର ୨୨୭ଟି ନିରୀକ୍ଷଣ (ଇନ୍ସପେକ୍ସନ) ରିପୋର୍ଟ ସାଙ୍ଗକୁ ୬୪ହଜାର ୯୪୨ଟିର ଜବାବ (ପାରା କମେଣ୍ଟ) ଅପେକ୍ଷାରେ ଗଡୁଛି। ଦୀର୍ଘବର୍ଷ ଧରି ବିନିଯୋଗ ପ୍ରମାଣପତ୍ର ନ ଦେବାରୁ ସିଏଜିଙ୍କ ପକ୍ଷରୁ ସରକାରଙ୍କ ନିକଟରେ ଅଭିଯୋଗ କରାଯାଉଛି। ଏଭଳି ବିଶୃଙ୍ଖଳାକୁ ଦେଖି ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନା ଅସନ୍ତୋଷ ବ୍ୟକ୍ତ କରିବା ସହିତ ଅର୍ଥ ପରାମର୍ଶଦାତାଙ୍କୁ ଗରିବଙ୍କ ଟିକସ ଅର୍ଥକୁ ଠିକଣା ବାଟରେ ଖର୍ଚ୍ଚ କରିବାକୁ ତାଗିଦ କରିଛନ୍ତି। ଚଳିତ ମାସ ୨୩ରେ ଅନୁଷ୍ଠିତ ଶୀର୍ଷ ସମିତି ‘ଆପେକ୍ସ କମିଟି’ ବୈଠକରେ ଏଭଳି ପରିସ୍ଥିତି ଉପୁଜିଥିବା ଜଣାଯାଇଛି।
ବୈଠକର ସୂଚନା ଅନୁଯାୟୀ, ଗତ ବର୍ଷକ ମଧ୍ୟରେ ୭ଟି ବିଭାଗ ବିନିଯୋଗ ଅର୍ଥର ହିସାବ ଦେବାପାଇଁ ତତ୍ପରତା ଦେଖାଇଛନ୍ତି। ସେଥିମଧ୍ୟରେ ଉଚ୍ଚଶିକ୍ଷା, ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ଅନୁସୂଚିତ ଜାତି ଓ ଜନଜାତି, ପଞ୍ଚାୟତିରାଜ, ଜଙ୍ଗଲ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ରହିଛି। କିନ୍ତୁ ରାଜ୍ୟର ପ୍ରମୁଖ ତିନୋଟି ବିଭାଗ ଯଥା ଯୋଜନା ଓ ସଂଯୋଜନା, ନଗର ଉନ୍ନୟନ ବିଭାଗ ଏବଂ ପଞ୍ଚାୟତିରାଜ ବିଭାଗ ମୁଣ୍ଡରେ ସର୍ବାଧିକ ବିନିଯୋଗ ପ୍ରମାଣପତ୍ର ବକେୟା ପଡ଼ିଛି।
ଏନେଇ ପ୍ରମୁଖ ମହାଲେଖାକାରଙ୍କ ପକ୍ଷରୁ ଶେ‌ଷ ୧୨, ୧୩, ୧୪ତମ ଏବଂ ‘ସିଏଫସି’ ବୈଠକରେ ଅନୁରୋଧ କରାଯାଇଥିଲେ ହେଁ ଏପର୍ଯ୍ୟନ୍ତ ତାହାର ସମାଧାନ ହୋଇପାରୁନାହିଁ। ବିନିଯୋଗ ପ୍ରମାଣପତ୍ର ଏବଂ ଖର୍ଚ୍ଚ ହୋଇଥିବା ଅର୍ଥ (ପାରା କମେଣ୍ଟ) ସମ୍ପର୍କରେ ଜବାବ ଦିଆଯିବ ବୋଲି ପୂର୍ବରୁ ବିଭାଗ ପ୍ରମୁଖ ସଚିବ ଭାରତ ସରକାରଙ୍କୁ ସ୍ବ-ହସ୍ତାକ୍ଷର(କାଉଣ୍ଟର ସାଇନ୍) କରି ପ୍ରେରଣ କରିଥିଲେ। ଏସବୁ ସତ୍ତ୍ବେ ବିଭାଗଗୁଡିକ ବିନିଯୋଗ ପ୍ରମାଣପତ୍ର ଦେଉ ନାହାନ୍ତି ବୋଲି ମହାଲେଖାକାରଙ୍କ ପକ୍ଷରୁ ବୈଠକରେ ଦର୍ଶାଯାଇଥିଲା।
ସବୁଠାରୁ ବଡ଼କଥା ହେଲା ୧୧ଟି ବିଭାଗ ବିଭିନ୍ନ ସାମଗ୍ରୀ ସଂଗ୍ରହ କିମ୍ବା କାର୍ଯ୍ୟର ଜରୁରୀ ଆବଶ୍ୟକତା ଦର୍ଶାଇ ୮୯.୧୬କୋଟି ଟଙ୍କା ଉଠାଣ କରିଛନ୍ତି। ଏମିତିକି କେତେକ ବିଭାଗ ୨୦୦୩-୦୪ ଆର୍ଥିକବର୍ଷରୁ ଏ ବାବଦରେ ରାଜକୋଷରୁ ଉଠାଣ କରିଥିଲେ ହେଁ ତାହା ବିନିଯୋଗ ପ୍ରମାଣପତ୍ର ଏପର୍ଯ୍ୟନ୍ତ ଦାଖଲ ହୋଇନାହିଁ। ଆସନ୍ତା ୩୦ଦିନ ମଧ୍ୟରେ ଏହି ଖର୍ଚ୍ଚର ହିସାବ ଦେବାକୁ ବିଭାଗୀୟ ଅର୍ଥ ପରାମର୍ଶଦାତାଙ୍କୁ ତାଗିଦ କରାଯାଇଛି।
ବୈଠକରେ ଉନ୍ନୟନ ଆୟୁକ୍ତ ଅନୁ ଗର୍ଗଙ୍କ ସହିତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ, ପ୍ରମୁଖ ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories