www.samajalive.in
Thursday, December 11, 2025
18.1 C
Bhubaneswar

ମିଶନ ଶକ୍ତି ଜିଲାସ୍ତରୀୟ ମହାସଂଘ ଲିଡରଙ୍କ ଦୁବାଇ ଗସ୍ତ, ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେଲେ ୧୦ ଜଣ ଏସ୍‌ଏଚ୍‌ଜି ଲିଡର

ଭୁବନେଶ୍ୱର: ଆସନ୍ତାକାଲି ଦୁବାଇଠାରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ଦିବସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୁବନେଶ୍ୱର ବିମାନ ବନ୍ଦରରୁ ଆଜିଠାରୁ ଆରମ୍ଭ ହେଉଥିବା ସିଧାସଳଖ ବିମାନ ସେବାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୦ ଜଣ ମିଶନ ଶକ୍ତି ଜିଲ୍ଲା ସ୍ତରୀୟ ମହାସଂଘ ପ୍ରତିନିଧି ଦୁବାଇ ଗସ୍ତ କରିଛନ୍ତି । ସେମାନେ ବିଭିନ୍ନ ବର୍ଗରୁ ଯାଇଥିବା ପ୍ରତିନିଧିମାନଙ୍କ ସହ ଦୁବାଇଠାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ଦିବସ କାର୍ଯ୍ୟକ୍ରମରେ ଯୋଗଦେବା ସହ ଦୁବାଇର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି।

ଆଜି ଏହି ଉପଲକ୍ଷେ ମିଶନ ଶକ୍ତି ବିଭାଗ ତରଫରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍‌ କହିଲେ, ଆମ ରାଜ୍ୟର ମିଶନ ଶକ୍ତି ସଦସ୍ୟାମାନଙ୍କ ନିମନ୍ତେ ଏହା ଏକ ଅତ୍ୟନ୍ତ ଗୌରବମୟ ଉପଲବ୍ଧି। ସେମାନେ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ବିମାନ ଯାତ୍ରା କରିବା ସହ ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ବିଦେଶ ଭୂଇଁରେ ପ୍ରତିନିଧିତ୍ୱ କରୁଛନ୍ତି।

- Advertisement -

ବିଭାଗୀୟ କମିଶନର ତଥା ଶାସନ ସଚିବ ସୁଜାତା ଆର୍‌. କାର୍ତ୍ତିକେୟନ୍‌ ଏହି ଅନ୍ତର୍ଜାତୀୟ ବିମାନ ଯାତ୍ରାର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ କହିଲେ ଯେ ଆମ ରାଜ୍ୟର ପ୍ରଗତି ଓ ସମୃଦ୍ଧିରେ ମିଶନ ଶକ୍ତି ଏସ୍‌ଏଚ୍‌ଜିମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କ ଅବଦାନକୁ ସମ୍ମାନ ଜଣାଇ ଏହି ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଏସ୍‌ଏଚ୍‌ଜି ଲିଡରମାନଙ୍କୁ ସାମିଲ କରିଛନ୍ତି। ଏଥି ସହିତ ଆଗାମୀ ଦିନରେ ସମଗ୍ର ବିଶ୍ୱରେ ଆମ ଏସ୍‌ଏଚ୍‌ଜିମାନେ କିଭଳି ପହଞ୍ଚିପାରିବେ ଏବଂ ସେମାନଙ୍କ ସାମଗ୍ରୀ ପୃଥିବୀର ସବୁ ସ୍ଥାନରେ ଉପଲବ୍ଧ ହେବ ତାହାର ନକ୍ସା ନିର୍ମାଣ କରିଛନ୍ତି। ମିଶନ ଶକ୍ତି ବିଭାଗର ଦୁଇ ଉପଦେଷ୍ଟା ଡ. ଲୋପାମୁଦ୍ରା ବକ୍ସିପାତ୍ର ଏବଂ ଶ୍ରୀମତୀ ଗୀତାଞ୍ଜଳି ବସ୍ତିଆ ସେମାନଙ୍କ ବକ୍ତବ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ।

ଏହି ଦଶଜଣିଆ ଜିଲାସ୍ତରୀୟ ମହାସଂଘ ଲିଡରଙ୍କ ଦଳରେ ମୟୂରଭଞ୍ଜ ଜିଲ୍ଲାର ବିଷ୍ଣୁପି୍ରୟା ଦାସ, କୋରାପୁଟର ଜ୍ୟୋତିରେଖା ଚେତି, ପୁରୀର ମିନାକ୍ଷୀ ପୃଷ୍ଟି, କେନ୍ଦ୍ରାପଡ଼ାର ପ୍ରତିଭା ସାହୁ, କଳାହାଣ୍ଡି ଜିଲ୍ଲାର ବିଜୟଲକ୍ଷ୍ମୀ ପାଢ଼ୀ, ବଲାଙ୍ଗିର ଜିଲାର ଆରତୀ କର, ବାଲେଶ୍ୱରର ସୁଷମା ଦତ୍ତ, ରାୟଗଡ଼ାର କୁମାରୀ ପାଲ୍‌କା, ଯାଜପୁରର ସୁଜାତା ସାହୁ ଏବଂ ଢେଙ୍କାନାଳ ଜିଲ୍ଲାର ନିର୍ମଳା ସାହୁ ଯାତ୍ରାରେ ସାମିଲ ହୋଇଛନ୍ତି। ସମସ୍ତଙ୍କୁ ଉତ୍ତରୀୟ ଏବଂ ସମ୍ବଲପୁରୀ ଶାଢ଼ି ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନାର ଉତ୍ତରରେ ଏହି ଏସ୍‌ଏଚ୍‌ଜି ଲିଡରମାନେ ଏଭଳି ଏକ ସୁଯୋଗ ପାଇଥିବାରୁ ସେମାନେ ଆନନ୍ଦରେ ଆତ୍ମହରା ବୋଲି କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଅର୍ପଣ କରିଥିଲେ।

ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଏହି ଅନ୍ତର୍ଜାତୀୟ ବିମାନ ଯାତ୍ରାରେ ସାମିଲ ହୋଇଥିବା ଏସ୍‌ଏଚ୍‌ଜି ସଦସ୍ୟାମାନଙ୍କ ପାଇଁ ‘ମିଶନ ଶକ୍ତି-ହାଣ୍ଡିଶାଳରୁ ଦେଶବିଦେଶ’ ଶୀର୍ଷକ ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା। ବିଭାଗୀୟ ଯୁଗ୍ମ ସଚିବ ବିନୋଦ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
ଅପରାହ୍ଣରେ ଏହି ଦଶଜଣିଆ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ବିମାନ ଯାତ୍ରା ପୂର୍ବରୁ ସାକ୍ଷାତ କରିଥିଲେ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନଙ୍କ ପ୍ରଥମ ବିଦେଶ ଯାତ୍ରା ସୁଖପ୍ରଦ ହେଉ ବୋଲି କାମନା କରିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories