www.samajalive.in
Wednesday, December 10, 2025
16.1 C
Bhubaneswar

ସିଡିଏକୁ ଆଠଗଡ଼ର ୫୭ଗ୍ରାମ ଅଧୀନକୁ ଯିବା ପ୍ରସଙ୍ଗ

ଆଠଗଡ଼: କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)କୁ ଆଠଗଡ଼ର ୫୭ଟି ଗ୍ରାମ ଯିବା ପ୍ରସଙ୍ଗରେ ଆଠଗଡ଼ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଛି। ଆଠଗଡ଼ର ଅନେକ ପଞ୍ଚାୟତର ରାଜସ୍ୱ ଗ୍ରାମ କେଉଁ ଉଦ୍ଦେଶ୍ୟରେ ସିଡିଏରେ ମିଶ୍ରଣ ହେଉଛି ତାକୁ ନେଇ ଦ୍ୱନ୍ଦ ଓ ସନ୍ଦେହ ଲାଗି ରହିଥିବାବେଳେ ବିଭିନ୍ନ ରାଜନୈତିକ ଦଳ ଓ ଅନ୍ୟ ସଂଗଠନ ଏହାକୁ ଏବେ ବିରୋଧ କରୁଛନ୍ତି। ଏପରିକି କେତେକ ଦଳ ଓ ବ୍ୟକ୍ତିବିଶେଷ ବିଭିନ୍ନ ପ୍ରକାରରର ଅପପ୍ରଚାର ଓ ଗୁଜବ ସୃଷ୍ଟି କରିବା ହେତୁୁ ମିଶ୍ରଣ ହେଉଥିବା ଗ୍ରାମବାସୀଙ୍କ ମଧ୍ୟରେ ଏକ ଅଜଣା ଭୟ ଓ ଆଶଙ୍କା ସୃଷ୍ଟି ହେଉଛି। ଏହି ସମୟରେ ସିଡିଏ କର୍ତ୍ତୃପକ୍ଷ ହୁଅନ୍ତୁ ଅବା ଜିଲ୍ଲା ତଥା ଆଠଗଡ଼ ପ୍ରଶାସନ ସଂପୂର୍ଣ୍ଣ ନୀରବ ରହୁଥିବାରୁ ଘଟଣାଟି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। କେତେକ ରାଜନୈତିକ ଦଳ ଏହାକୁ ଆୟୁଧ କରି ଆନ୍ଦୋଳନ ପାଇଁ ସଜବାଜ ହେଉଥିବାବେଳେ ଅନ୍ୟ କିଛି ସମାଜସେବୀ ନ୍ୟାୟାଳୟର ଦ୍ୱାରସ୍ଥ ହେବା ଲାଗି ପ୍ରସ୍ତୁତ ହୋଇସାରିଲେଣି। ଏହାକୁ ନେଇ ଆମେ ଆଠଗଡ଼ର କେତେକ ବୁଦ୍ଧିଜୀବୀ ଓ ସମାଜସେବୀଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଚେଷ୍ଟା କରିଛୁ।

ପ୍ରାଣକୃଷ୍ଣ ଦାଶ (ଆଇନଜୀବୀ)
ଆଠଗଡ଼ ଅଞ୍ଚଳର ୫୭ଟି ଗ୍ରାମ ସିିଡିଏ ଅଧିନକୁ ଯିବା ନେଇ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଛି ତାହା ଦ୍ୱନ୍ଦାତ୍ମକ ଏବଂ ସନ୍ଦେହଯୁକ୍ତ। ଯଦି ସଂପୃକ୍ତ ଗ୍ରାମଗୁଡିକରେ ସିଡିଏ ପକ୍ଷରୁ ସହରାଞ୍ଚଳ ଭଳି ବିକାଶର ଯୋଜନା ରହିଛି ଏବଂ ଜମିଜମା ବ୍ୟବସାୟୀ ଓ ଜନବସତି ସ୍ଥାପନ କରୁଥିବା ବିଲ୍‌‌ଡର୍‌‌ଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି, ତେବେ ତାହା ସ୍ୱାଗତଯୋଗ୍ୟ। ହେଲେ ଯେଉଁସବୁ ଗ୍ରାମ ସିଡିଏରେ ଅନ୍ତର୍ଭୁକ୍ତ ହେଉଛି ସେ ସବୁ ଗ୍ରାମବାସୀଙ୍କ ମତାମତ ନେବା, ସେମାନଙ୍କୁ ମିଶ୍ରଣର କାରଣ ବୁଝାଇବା ଓ ସେମାନଙ୍କର ମନରେ ଥିବା ସନ୍ଦେହ ଦୂର କରିବା ଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି ଆଇନଜୀବୀ ପ୍ରାଣକୃଷ୍ଣ ଦାଶ ମତବ୍ୟକ୍ତ କରିଛନ୍ତି।

- Advertisement -

ହରପ୍ରସାଦ ମିଶ୍ର (ସମାଜସେବୀ)
ସିଡିଏ ଅଧିନକୁ ଆଠଗଡ଼ ଅଞ୍ଚଳର ୫୭ଟି ଗ୍ରାମ ଯିବା ଦ୍ୱାରା ଯଦି ସଂପୃକ୍ତ ଗ୍ରାମଗୁଡିକର ଉନ୍ନତିକରଣ ଅଭିପ୍ରେତ ଏବଂ ଜମି ପ୍ଲଟିଂ ବ୍ୟବସାୟୀ ଓ ବିଲଡର୍‌‌ଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏହା ଉଦ୍ଦିଷ୍ଟ ତେବେ ଏହି ନିଷ୍ପତ୍ତି ନିଶ୍ଚିତ ରୂପେ ସ୍ୱାଗତଯୋଗ୍ୟ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ସଂପୃକ୍ତ ଗ୍ରାମବାସୀଙ୍କୁ ଅନ୍ଧାରରେ ରଖି ଏପରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସମୀଚିନ୍ନ ହୋଇନାହିଁ। ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ସଂପୃକ୍ତ ଗ୍ରାମଗୁଡିକରେ ଜନଶୁଣାଣୀ କରାଯିବା ଏବଂ ସିଡିଏ ଅଧିନକୁ ଯିବା ଦ୍ୱାରା ସେମାନଙ୍କର କେତେ ଲାଭ ବା କି ପ୍ରକାର ଉପକାର ହେବ ସେମାନଙ୍କୁ ବୁଝାଇବା ନିତାନ୍ତ ଜରୁରୀ ଥିଲା। ଏବେବି ସଂପୃକ୍ତ ଗ୍ରାମଗୁଡିକରେ ଗ୍ରାମସଭା କରାଯାଇ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ଉପସ୍ଥିତିରେ ଲୋକଙ୍କ ମତାମତ ନେଇ ମିଶ୍ରଣ ପ୍ରକ୍ରିୟାକୁ ଆଗକୁ ନେବା ଆବଶ୍ୟକ ବୋଲି ସମାଜସେବୀ ହରପ୍ରସାଦ ମିଶ୍ର ମତପ୍ରକାଶ କରିଛନ୍ତି।

ମିହିର କୁମାର ତ୍ରିପାଠୀ (ସମାଜସେବୀ)
ଲୋକଙ୍କ ମତାମତ ନନେଇ ଆଠଗଡ଼ ଅଞ୍ଚଳର ୫୭ଟି ଗ୍ରାମ ସିଡିଏ ଅଧିନକୁ ଯିବା ଏକ ଭୁଲ ନିଷ୍ପତ୍ତି ବୋଲି ସମାଜସେବୀ ମିହିର କୁମାର ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି। କେତେକ ପଞ୍ଚାୟତର ଗୋଟିଏ ଗ୍ରାମ ମିଶ୍ରଣ ହେଉଥିବାବେଳେ ତା ନିକଟବର୍ତ୍ତୀ ଅନ୍ୟ ଗ୍ରାମଗୁଡିକୁ ବାଦ୍‌‌ ଦେବା ସନ୍ଦେହ ସୃଷ୍ଟି କରୁଛି। ଯଦି ସିଡିଏ ନେବା ଦ୍ୱାରା ସଂପୃକ୍ତ ଗ୍ରାମର ବିକାଶ ହେବ ତେବେ ତାହା ସ୍ୱାଗତଯୋଗ୍ୟ। କିନ୍ତୁ ସଂପୃକ୍ତ ଗ୍ରାମବାସୀ ଏବଂ ପଞ୍ଚାୟତ ପ୍ରତିନିଧିଙ୍କୁ ଭରସାକୁ ନନେଇ ଓ ସେମାନଙ୍କ ମତାମତକୁ ଉପେକ୍ଷା କରିବା ଆଦୌ ଗ୍ରହଣୀୟ ନୁହେଁ। ଏ ସଂପର୍କରେ ସିଡିଏ କର୍ତ୍ତୃପକ୍ଷ ଏବଂ ପ୍ରଶାସନ ସ୍ପଷ୍ଟିକରଣ ଦେବା ଜରୁରୀ ବୋଲି ସେ ମତପ୍ରକାଶ କରିଥିଲେ।

ରାମନାରାୟଣ ମହାନ୍ତି (ସଭାପତି, ଆଠଗଡ଼ ବିକାଶ ପରିଷଦ)
ଆଠଗଡ଼ ଅଞ୍ଚଳର ୫୭ଟି ଗ୍ରାମ ସିଡିଏ ଅଧିନକୁ ଯିବା ନେଇ ଗତ ୨୦୨୨ ଏପ୍ରିଲ ୧ତାରିଖରେ ପ୍ରଥମ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଲୋକମାନଙ୍କର ଆପତ୍ତି ଅଭିଯୋଗ ୩୦ଦିନ ମଧ୍ୟରେ ଦେବା ପାଇଁ ଆହ୍ୱାନ କରାଯାଇଥିଲା। ମିଶ୍ରଣ ହେଉଥିବା ସଂପୃକ୍ତ ଗ୍ରାମର ଅଧିବାସୀ, ପଞ୍ଚାୟତ ପ୍ରତିନିଧି ଏବଂ କେତେକ ରାଜନୈତିକ ଦଳ ଆପତ୍ତି ଅଭିଯୋଗ ନିର୍ଦ୍ଧାରିତ ସମୟ ମଧ୍ୟରେ କରିଥିଲେ ମଧ୍ୟ ରାଜ୍ୟସରକାରଙ୍କ ନଗର ଉନ୍ନୟନ ବିଭାଗ ସେଗୁଡିକୁ ଅଣଦେଖା କରି ଲୋକମାନଙ୍କର ଅଭିଯୋଗ ଶୁଣାଣି ନକରି ବର୍ଷେ ପରେ ସିଡିଏ ଅଧିନକୁ ସଂପୃକ୍ତ ଗ୍ରାମଗୁଡିକ ଗଲା ବୋଲି ଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି ଆଠଗଡ଼ ବିକାଶ ପରିଷଦର ସଭାପତି ରାମନାରାୟଣ ମହାନ୍ତି ପ୍ରକାଶ କରିଛନ୍ତି। ଯେଉଁପରି ପଞ୍ଚାୟତର ଗୋଟିଏ ଗ୍ରାମ ଛାଡି ଅନ୍ୟ ଗ୍ରାମକୁ ସିଡିଏ ଅନ୍ତର୍ଭୁକ୍ତ କରାଯାଉଛି ତାହା ସନ୍ଦେହ ସୃଷ୍ଟି କରୁଛି ଏବଂ ଏହା ପଛରେ କିଛି ଷଡଯନ୍ତ୍ର ଥିବାର ଆଶଙ୍କାକୁ ଏଡାଇ ଦେଇ ହେବନାହିଁ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ।

ରଞ୍ଜନ କୁମାର ଦାସ (ସମାଜସେବୀ, ଉଦ୍ୟୋଗୀ)
କଟକ ଉନ୍ନୟକ କର୍ତ୍ତୃପକ୍ଷ ସହରାଞ୍ଚଳର ପରିସୀମା ବୃଦ୍ଧିି କରିବା ଏବଂ ଜମି ମାଫିଆ ଓ ବିଲଡରଙ୍କୁ ନିୟନ୍ତ୍ରଣ କରିବା ଲାଗି ଆଠଗଡ଼ର ୫୭ଟି ଗ୍ରାମକୁ ତାଙ୍କ ଅଧିନକୁ ନେବା ସ୍ୱାଗତଯୋଗ୍ୟ। ଏହାଦ୍ୱାରା ସଂପୃକ୍ତ ଗ୍ରାମାଞ୍ଚଳର ବିକାଶ ହେବା ସହ ପ୍ରାକୃତିକ ନାଳ, ଝରଣା, ଜଙ୍ଗଲ ଓ ଜମି ବିଲଡରଙ୍କ କବଳରୁ ସୁରକ୍ଷିତ ରହିବା ସହିତ ଜନବସତି ଯୋଜନାବଦ୍ଧ ଭାବେ ବିକଶିତ ହୋଇପାରିବ ବୋଲି ସମାଜସେବୀ ତଥା ଯୁବ ଶିଳ୍ପଦ୍ଦ୍ୟୋଗୀ ରଞ୍ଜନ କୁମାର ଦାସ ମତବ୍ୟକ୍ତ କରିଛନ୍ତି। ତେବେ ସଂପୃକ୍ତ ଗ୍ରାମବାସୀଙ୍କୁ ସିଡିଏ ଏବଂ ପ୍ରଶାସନ ପକ୍ଷରୁ ବୁଝାଇ ସେମାନଙ୍କ ମନରେ ଥିବା ଦ୍ୱନ୍ଦ ଓ ସନ୍ଦେହ ଦୂର କରିବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories