- ଭିନ୍ନକ୍ଷମମାନଙ୍କ ସ୍ଥିତି ଏବଂ ସେମାନଙ୍କର ଅନ୍ତର୍ଭୁକ୍ତିକରଣ ବିକାଶ ଦିଗରେ ପୂର୍ବ ଭାରତର ପ୍ରତିନିଧିଙ୍କ ସହ ଆଞ୍ଚଳିକ ପରାମର୍ଶ କର୍ମଶାଳା
- ଭାରତରେ ପୋଷଣୀୟ ବିକାଶ ଲକ୍ଷ୍ୟ ଏବଂ ନୂତନ ନୀତି ସହିତ ଭିନ୍ନକ୍ଷମ ଅଧିକାର ଆଇନ, ୨୦୧୬ର କାର୍ୟ୍ୟକାରିତା ସମ୍ପର୍କରେ ବ୍ୟାପକ ଆଲୋଚନା
ଭୁବନେଶ୍ୱର: ଭିନ୍ନକ୍ଷମମାନଙ୍କ ଅଧିକାର, ସେମାନଙ୍କୁ ସଶକ୍ତ ଓ ଶୃଙ୍ଖଳିତ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ଲକ୍ଷ୍ୟ ନେଇ କାର୍ୟ୍ୟକରୁଥିବା ଅନୁଷ୍ଠାନ ‘ସ୍ୱାଭିମାନ’ ଏବଂ ଭାରତ ସରକାରଙ୍କ ‘ଭିନ୍ନକ୍ଷମଙ୍କ ନିଯୁକ୍ତି ପ୍ରୋତ୍ସାହନ ପାଇଁ ଜାତୀୟ କେନ୍ଦ୍ର (ଏନସିପିଇଡିପି)’ ସହଯୋଗରେ ଭିନ୍ନକ୍ଷମଙ୍କ ସ୍ଥିତି ଏବଂ ଅନ୍ତର୍ଭୁକ୍ତିକରଣ ବିକାଶ ଦିଗରେ ପୂର୍ବ ଭାରତର ପ୍ରତିନିଧିମାନଙ୍କ ସହ ଏକ ଆଞ୍ଚଳିକ ପରାମର୍ଶ କର୍ମଶାଳା ଆଜି ପୂର୍ବାହ୍ଣରେ ସ୍ଥାନୀୟ ଏକ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଓଡିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଉଦଘାଟନ କରିଥିଲେ।
କାର୍ଯ୍ୟକ୍ରମରେ ୨୧ ପ୍ରକାର ଭିନ୍ନକ୍ଷମଙ୍କୁ ପ୍ରତିନିଧିତ୍ୱ କରୁଥିବା ଓଡିଶା ସମେତ ୫ଟି ପୂର୍ବାଞ୍ଚଳ ରାଜ୍ୟ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରୁ ୭୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ୨୦୩୦ମସିହା ସୁଦ୍ଧା ଭିନ୍ନକ୍ଷମମାନଙ୍କର ଅନ୍ତର୍ଭୁକ୍ତିକରଣ ସାମଗ୍ରିକ ବିକାଶ ଏବଂ ଏଥିପାଇଁ ଆବଶ୍ୟକ ରହୁଥିବା ବିଭିନ୍ନ ତଥ୍ୟ ସଂଗ୍ରହ ସଂପର୍କରେ ବ୍ୟାପକ ଆଲୋଚନା କରିଥିଲେ । ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସଶକ୍ତ ଏବଂ ଶୃଙ୍ଖଳିତ ଭାବରେ ମୁଖ୍ୟ ସ୍ରୋତରେ ସାମିଲ ସହ ସେମାନଙ୍କ ଅଧିକାର ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଉପଲବ୍ଧତା, ଜୀବିକା ଏବଂ ଓକିଲାତି ପ୍ରଭୃତ ସଂପର୍କରେ ଆଲୋଚନା ଓ ମାର୍ଗ ପ୍ରସ୍ତୁତି ଏହି କାର୍ୟ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ରହିଥିଲା।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ, ଭିନ୍ନକ୍ଷମ ଥିବା ପିଲାମାନଙ୍କର ପିତାମାତାମାନେ ସେମାନଙ୍କର ଦାୟିତ୍ୱ ନେଉଥିବା ବେଳେ ଏଥି ସହିତ ସରକାରଙ୍କୁ ସେମାନଙ୍କ ପାଇଁ ଅଧିକ କାର୍ଯ୍ୟ କରିବାର ଅଛି । ଭିନ୍ନକ୍ଷମମାନେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇ ଯେପରି ସ୍ୱାଭିମାନର ସହିତ ବଞ୍ଚିବେ, ସେଥିପାଇଁ ଆହ୍ୱାନ ରହିଛି ।
ଓଡିଶା ରାଜ୍ୟ ସରକାର ଏଥିପାଇଁ ସର୍ବଦା ସଚେତନ ଓ ସମ୍ବେଦନଶୀଳତାର ସହ କାର୍ୟ୍ୟ କରୁଛନ୍ତି। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (ଏସଏସଇପିଡି) ଜରିଆରେ ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ୩୦ଟି ଜିଲାରେ ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇ ପ୍ରାଥମିକ ପର୍ୟ୍ୟାୟରେ ଆର୍ଥିକ ବ୍ୟୟ ବରାଦ ସହ ୧୦ ଟି ଜିଲା ପାଇଁ କାର୍ୟ୍ୟ ଆରମ୍ଭ କରିଛନ୍ତି । ଓଡ଼ିଶା ସରକାରଙ୍କ ଅଧୀନରେ ଏସ୍ଆଇଇପି ବା ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନରେ ଭୁବନେଶ୍ୱରରେ ଭିନ୍ନକ୍ଷମ ମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ରହିଛି ।
ରାଜ୍ୟ ସରକାର ଯେପରି ବିପର୍ୟ୍ୟୟ ମୁକାବିଲା କରି ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଇ କାର୍ୟ୍ୟପନ୍ଥା ନିର୍ଦ୍ଧାରଣ କରୁଛନ୍ତି, ସେହିଭଳି ରାଜ୍ୟରେ ଭିନ୍ନକ୍ଷମମାନଙ୍କ ସୁବିଧା ସୁଯୋଗ ପାଇଁ ବି ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ଓ ଆଗାମୀ ଦିନରେ ସେମାନଙ୍କର ଆବଶ୍ୟକତା ପୂରଣ ଦିଗରେ ଅଧିକ ପ୍ରଚେଷ୍ଟା ଜାରି ରଖି ସେମାନଙ୍କର ଜୀବନଧାରଣରେ ବହୁ ପରିବର୍ତ୍ତନ କରିବେ ବୋଲି ଆଶା ପ୍ରକାଶ କରିଥିଲେ। ଓଡିଶାରେ ଯେଉଁସବୁ ଅନୁଷ୍ଠାନ ଓ କର୍ମୀମାନେ ଭିନ୍ନକ୍ଷମମାନଙ୍କର କଲ୍ୟାଣ ପାଇଁ କାମ କରୁଛନ୍ତି, ସେମାନଙ୍କୁ ଅଧିକ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଜେନା କହିଥିଲେ।
ଭିନ୍ନକ୍ଷମାନଙ୍କର କଲ୍ୟାଣ ନିମନ୍ତେ ସଚିବ ସ୍ତରୀୟ ବୈଠକରେ ଆଲୋଚନା ହୋଇଛି ଓ ସଚିବମାନେ ଏସଆଇପି ସହ ଭିନ୍ନକ୍ଷମ କଲ୍ୟାଣ ପାଇଁ କାର୍ୟ୍ୟକରୁଥିବା ଅନ୍ୟ ଅନୁଷ୍ଠାନ ଗସ୍ତ କରି ସେମାନଙ୍କର ବାସ୍ତବ ସ୍ଥିତି ଓ ସମସ୍ୟା ଅନୁଧ୍ୟାନ କରିବେ। ବିଶେଷ କରି ରହିଥିବା ୨୧ ପ୍ରକାର ଭିନ୍ନକ୍ଷମଙ୍କ ସମସ୍ୟାକୁ ସମାଧାନ ଦିଗରେ ରାଜ୍ୟ ସରକାରଙ୍କ ସମସ୍ତ ପ୍ରୟାସ ଜାରି ରହିବ ବୋଲି ସେ କହିଥିଲେ। ରାଜନେତିକ ନେତୃବୃନ୍ଦ ଓ ଅମଲାତନ୍ତ୍ର ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି ମିଶନକୁ ଉଚ୍ଚତର ସୋପାନକୁ ନେବ ବୋଲି ସେ ମତ ରଖିଥିଲେ।
କାର୍ଯ୍ୟକ୍ରମରେ ଏନସିପିଇଡିପି ନିର୍ଦେଶକ ଅର୍ମାନ ଅଲୀ ଯୋଗଦେଇ କହିଥିଲେ ଯେ ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା, ରାଜ୍ୟରେ ପୁଞ୍ଜି ନିବେଶ କରାଯାଇ ଶିଳ୍ପ ପ୍ରତିଷ୍ଠା ଓ କ୍ରୀଡାର କାର୍ଯ୍ୟକ୍ରମ ଆଦି ପ୍ରତ୍ୟେକ କ୍ଷେତ୍ରରେ ଓଡିଶା ରାଜ୍ୟ ପ୍ରଶଂସା ଲାଭ କରିଛି। ସେହିପରି ରାଜ୍ୟରେ ଭିନ୍ନକ୍ଷମମାନଙ୍କ ଶିକ୍ଷା, ରୋଜଗାର ଓ ସବୁକ୍ଷେତ୍ରରେ ପ୍ରବେଶ ଅନୁମତି ପାଇଁ ସୁବିଧା ସହିତ ପାରା ସ୍ପୋଟ୍ସକୁ ଗୁରୁତ୍ୱ ଦେବାକୁ ସେ ମତ ରଖିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ନିର୍ଦ୍ଦେଶିକା ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଯୋଗଦେଇଥିଲେ।
କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ସ୍ୱାଭିମାନ ଅନୁଷ୍ଠାନ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ୟ୍ୟନିର୍ବାହୀ ଡ.. ଶ୍ରୁତି ମହାପାତ୍ର, ଭିନ୍ନକ୍ଷମମାନଙ୍କ ପାଇଁ ଶିକ୍ଷା, ନିଯୁକ୍ତି, ସ୍ୱାସ୍ଥ୍ୟ ଏବଂ ଉପଲବ୍ଧତା ଭଳି ପ୍ରମୁଖ ବିଷୟଗତ କ୍ଷେତ୍ରରେ ପୂର୍ବ ଭାରତରେ ଭିନ୍ନକ୍ଷମ ଲୋକଙ୍କ ସ୍ଥିତିକୁ ବୁଝିବା, ବିଶେଷକରି ଲିଙ୍ଗ ଏବଂ ଏସଡିଜି ଉପଲବ୍ଧି ଏହି ପରାମର୍ଶ କର୍ମଶାଳାର ଉଦ୍ଦେଶ୍ୟ ବୋଲି କହିଥିଲେ । ଓଡିଶା ସମେତ ସବୁ ରାଜ୍ୟରେ ଆଗାମୀ ଜନଗଣନାରେ ଭିନ୍ନକ୍ଷମମାନଙ୍କ ସଂପର୍କରେ ସ୍ୱତନ୍ତ୍ର ଭାବେ ତଥ୍ୟ ସଂଗ୍ରହ କରାଯିବାକୁ ସେ ପ୍ରସ୍ତାବ ଦେଇଥିଲେ ଓ ଏହା ଭାରତ ସରକାରଙ୍କ ଦୃଷ୍ଟିକୁ ନିଆଯିବା ପାଇଁ ଓଡିଶା ସମେତ ସବୁ ରାଜ୍ୟମାନଙ୍କର ସହଯୋଗ କାମନା କରିଥିଲେ। ଆଗାମୀ ୫ରୁ ୧୦ ବର୍ଷ ମଧ୍ୟରେ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ସହିତ ପୂର୍ବାଞ୍ଚଳ ପାଇଁ ଭିଜନ – ଶିକ୍ଷା, ନିଯୁକ୍ତି, ସ୍ୱାସ୍ଥ୍ୟ, ଉପଲବ୍ଧତା, ଲିଙ୍ଗ ଏବଂ ନିରନ୍ତର ବିକାଶ ଲକ୍ଷ୍ୟ ଭଳି ପ୍ରମୁଖ ବିଷୟଗତ କ୍ଷେତ୍ରରେ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ପାଇଁ ସ୍ଥିତି ଏବଂ ସୁପାରିଶଗୁଡିକର ବିବରଣୀ ପ୍ରସ୍ତୁତ କର୍ମଶାଳାର ଲକ୍ଷ୍ୟ ରହିଛି ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ବିଭିନ୍ନ ଅଧିବେଶନରେ ସିୱାଇଏସଡିର ପ୍ରତିଷ୍ଠାତା ତଥା ସଦସ୍ୟ ସଚିବ ଜଗଦାନନ୍ଦଙ୍କ ସମେତ ଉପରୋକ୍ତ ୫ଟି ପୂର୍ବାଂଚଳ ପ୍ରଦେଶରୁ ଯୋଗଦେଇଥିବା ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରି ସେମାନଙ୍କର ମତ ରଖିଥିଲେ।



