ଲଡୁଗାଁ: କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଇଁଲି ଗ୍ରାମରେ କାହାକୁ ଛଅ ମାସର ଚାଉଳ ମିଳିନାହଁ ତ ଆଉ କାହାକୁ ତିନି ମାସର ଚାଉଳ ଯୋଗାଣ ହୋଇପାରିନାହିଁ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରାସନ କାର୍ଡ ଜରିଆରେ ଟଙ୍କିକିଆ ଚାଉଳ, ଗହମ, ମାଣ୍ଡିଆ ସମେତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଲୋକଙ୍କୁ ମାଗଣାରେ ପ୍ରଦାନ କରାଯାଇଥାଏ। ହେଲେ ଏହି କାର୍ଯ୍ୟରେ ବ୍ୟତିକ୍ରମ ଦେଖାଦେଇଛି। ପ୍ରାପ୍ତ ସୂଚନାନୁସାରେ ସୂଚନା ଲଡୁଗାଁ ପଞ୍ଚାୟତରେ ପିଏଚଏଚ ୨୧୭୯, ଏସଏଫଏସଏସ ୨୯୨ ଓ ଅନ୍ତୋଦୟ ୩୪୨ ଏଭଳି ସମୁଦାୟ ୨ ହଜାର ୮ ଶହ ୧୩ କାର୍ଡଧାରୀ ରହିଛନ୍ତି। ତେବେ ଆଜକୁ ୩ ମାସ ହେଲା ଆଇଁଲି ଗ୍ରାମର ତିନୋଟି ୱାର୍ଡ ୧୮, ୧୯, ୨୦ ମୋଟ ୩୨୦ ହିତାଧିକାରୀଙ୍କୁ ଆଦୌ ଚାଉଳ ନଦେଇ ଯୋଗାଣ ସହାୟକ ହଡପ୍ କରିଥିବା ଅଭିଯୋଗ ହୋଇଛି।
ଖାଉଟିଙ୍କ ଅଭିଯୋଗ ଅନୁସାରେ, ଫେବୃଆରୀ ମାସରୁ ସେମାନଙ୍କୁ ଦିଆଯାଉନି ରାସନ ସାମଗ୍ରୀ। ପ୍ରତି ମାସରେ ମିଳୁଥିବା ଜିନିଷ ତିନି ମାସ ହେଲାଣି ପାଉନଥିବାରୁ ତିନି କିଲୋମିଟର ଚାଲିଚାଲି ଯୋଗାଣ ସହାୟକ ଅଜିତ କୁମାର ଠାକୁର ପାଖକୁ ରାସନ କାର୍ଡଧାରୀ ଯାଉଛନ୍ତି। ହେଲେ ବାରମ୍ବାର ହିତାଧିକାରୀ ମାନଙ୍କୁ ବାବୁ କୁଆଡେ ଫେରାଇ ଦେଉଛନ୍ତି।



