ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଧଣ୍ଡାମାଲ ପଞ୍ଚାୟତ ଠାରେ ଦେଓଗାଁ ସରପଞ୍ଚ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ପ୍ରଶାସନ ଠିକ ଭାବରେ ଶାସନ ପରିଚାଳନା କରୁନଥିବାରୁ ଆଗାମୀ ୨୪ତାରିଖରେ ବ୍ଳକ ଘେରାଉ କରିବାର ନିଷ୍ପତ୍ତି ନେଇଥିବା ସରପଞ୍ଚ ସଂଘ ସଭାପତି ସୂଚନା ଦେଇଛନ୍ତି।
ଆଜିର ଏହି ବୈଠକରେ ଦେଓଗାଁ ବ୍ଳକ ଅଞ୍ଚଳରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଯଥା:- ପାନୀୟଜଳ, ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ, ବିଲ ପୈଠ, ପରିମଳ ବ୍ୟବସ୍ଥା, ତଥା ଅନ୍ୟାନ୍ୟ ସମସ୍ୟାକୁ ନେଇ ସଙ୍ଘ ସଭାପତି ତଥା ବନ୍ଧପଡା ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ର ଆଲୋକପାତ କରିଥିଲେ। ଦୀର୍ଘ ଏକ ବର୍ଷ ହେଲା ସରପଞ୍ଚ ସଙ୍ଘ ବିଭିନ୍ନ ଦାବି ଗୁଡିକ କରୁଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ, କୁମ୍ଭକର୍ଣ୍ଣ ନିଦ୍ରାରେ ବ୍ଲକ ପ୍ରଶାସନ ଶୋଇପଡ଼ିଛି ବୋଲି ଅଭିଯୋଗ କରି, ତା’ର ପ୍ରତିବାଦରେ ଆସନ୍ତା ୨୪ ତାରିଖ ଦିନ ବ୍ଲକ ଘେରାଉ କରାଯିବ ବୋଲି ସଙ୍ଘ ସଭାପତି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଧଣ୍ଡାମାଳ ସରପଞ୍ଚ ସଞ୍ଜୁ ଶିକା ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ବ୍ରାହ୍ମଣୀଜୋର ସରପଞ୍ଚ ମହେନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।



