www.samajalive.in
Saturday, December 6, 2025
19.1 C
Bhubaneswar

ଧାର୍ମିକ ସହନଶୀଳତା

ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧି।
ତରିବା ପାଇଁ କି ସଂସାର ବାରିଧି।।
କବିବର ରାଧାନାଥ ରାୟ, ଦରବାର ମହାକାବ୍ୟରେ କହିଛନ୍ତି, ଧର୍ମକୁ, ଦର୍ଶନକୁ ବିଶ୍ୱାସକୁ ବ୍ୟକ୍ତିର ମଙ୍ଗଳପାଇଁ ଗଢ଼ିଛନ୍ତି। ବିଶ୍ୱାସ ବୋଇଲେ ଦୁଇପ୍ରକାର। ଈଶ୍ୱର ବୋଲି ଜଣେ ସର୍ବଶକ୍ତିମାନ, କାରୁଣିକ, ପରମ ସତ୍ତା ରହିଛନ୍ତି, ଅଥବା ଈଶ୍ୱର ବୋଲି କେହି ନାହାନ୍ତି। ଈଶ୍ୱର ଯଦି ଅଛନ୍ତି, ଦୁଇଟି ସମ୍ଭାବନା ଆଖି ସାମ୍‍ନାରେ ଭାସିଆସେ। ଗୋଟିଏ ହେଲା- ଈଶ୍ୱର ନିରାକାର, ଆରଟି ହେଲା ଈଶ୍ୱର ଜୀବଜନ୍ତୁ ବା ମଣିଷ ରୂପରେ ଧରାପୃଷ୍ଠରେ ଜନ୍ମ ନେଇ ପାରିବେ ଓ ଆମେ ତାଙ୍କୁ ଦେଖିପାରିବା।
ଭାରତରେ ଯେଉଁ କେତୋଟି ବିଶ୍ୱାସ ଓ ଦର୍ଶନ ଜନଜୀବନକୁ ପ୍ରଭାବିତ କରିଥିଲା ତନ୍ମଧ୍ୟରୁ ସାଂଖ୍ୟ ଦର୍ଶନର ପ୍ରବକ୍ତା କପିଳମୁନିଙ୍କ ମତରେ ପରମେଶ୍ୱର, ଅପରିବ ର୍ନଶୀଳ ଈଶ୍ୱର, ସାକାର ହୁଅନ୍ତୁ କି ନିରାକାର ପରିବର୍ତ୍ତନଶୀଳ ସଂସାରର ସ୍ରଷ୍ଟା ହେବା ଅସମ୍ଭବ। କାର୍ଯ୍ୟ ପରିବର୍ତ୍ତନଶୀଳ ହୋଇଥିବାରୁ, ଏହାର କାରଣ ପରମ ଓ ଅପରିବର୍ତ୍ତନଶୀଳ ହୋଇ ନପାରେ। ଅର୍ଥାତ୍‍ ସାଂଖ୍ୟ ମୁଖ୍ୟତଃ ଈଶ୍ୱର ପୂଜାର ପକ୍ଷଧର ନଥିଲା।
ଗୌତମ ମୁନି ନ୍ୟାୟ ଦର୍ଶନରେ କହୁଛନ୍ତି ଶୂନ୍ୟରୁ ସମଗ୍ର ନୁହେଁ ବରଂ ଅଣୁ, ପରମାଣୁ, ସ୍ଥାନ, କାଳ, ମନ ଓ ଆତ୍ମାର ସଂଯୋଗ ବିଯୋଗରୁ ସୃଷ୍ଟି ହୋଇଛି ବ୍ରହ୍ମାଣ୍ଡ ଓ ଏହାର ପ୍ରତ୍ୟେକଟି ପଦାର୍ଥ ଓ ପ୍ରାଣୀ। ଈଶ୍ୱର ନିଜର କୌଣସି ସ୍ୱାର୍ଥପାଇଁ ନୁହେଁ ବରଂ ପ୍ରାଣୀ ଓ ଉଦ୍ଭିଦଙ୍କୁ ଆନନ୍ଦ ପ୍ରଦାନ କରିବାପାଇଁ ସମସ୍ତ ସର୍ଜନାର ଆବାହନ କରିଛନ୍ତି। ଈଶ୍ୱରଙ୍କ ଇଚ୍ଛା ବା ଅନିଚ୍ଛା ନୁହେଁ ବରଂ ପ୍ରାଣୀର କର୍ମର ଗୁଣ, ଅବଗୁଣ, ତା’ର ସୁଖ ଓ ଦୁଃଖର କାରଣ। ଈଶ୍ୱର ସୃଷ୍ଟି, ସ୍ଥିତି ଓ ବିଲୟର ଅମୂର୍ତ୍ତ ରୂପକାର। ମହର୍ଷି କଣାଦ ବୈଶେଷିକ ଦର୍ଶନରେ କହିଛନ୍ତି- ନିତେ ନିତ୍ୟଂ ଅନିତ୍ୟେ ନିତ୍ୟ ନିତ୍ୟଂ ପରିମଣ୍ଡଳମ୍‍। ସେ ପୁଣି କହିଛନ୍ତି କାରଣ ବହୁ ତ୍ୱାଚ୍ଚ। ପରିବ ର୍ନଶୀଳ ଓ ଅପରିବ ର୍ନଶୀଳ ମୌଳିକ ପଦାର୍ଥରୁ ପଦାର୍ଥ, ପ୍ରାଣୀ ଓ ଉଦ୍ଭିଦ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସୃଷ୍ଟି ହୋଇଛନ୍ତି। ସୃଷ୍ଟି ସର୍ଜନାର କାରଣ ଅନେକ। ବସ୍ତୁ ବିଷୟରେ ବ୍ୟାପକ ଚର୍ଚ୍ଚା କରିଛନ୍ତି କଣାଦ ଓ ଈଶ୍ୱରଙ୍କ ସମ୍ପର୍କରେ ସେମିତି ବିଶେଷକିଛି କହି ନାହାନ୍ତି।
ମହାଯୋଗୀ ପତଞ୍ଜଳି ଯୋଗଦର୍ଶନରେ ଉଭୟ ତାତ୍ତ୍ବିକ ଓ ପ୍ରାୟୋଗିକ ଦୃଷ୍ଟିରୁ ଈଶ୍ୱରଙ୍କ ଉପସ୍ଥିତିକୁ ପ୍ରମାଣିତ କରିବାପାଇଁ ସାଧୁ ପ୍ରୟାସ କରିଛି। ନିତ୍ୟ, ସର୍ବବ୍ୟାପୀ, ପରମଜ୍ଞାନୀ ଓ ସର୍ବଶକ୍ତିମାନ ଈଶ୍ୱରଙ୍କ ସତ୍ତାକୁ ବିଶ୍ୱାସ କରେ ଯୋଗ ଦର୍ଶନ। ଆସନ, ପ୍ରାଣାୟାମ, ଧ୍ୟାନ, ଧାରଣା, ପ୍ରତ୍ୟାହାର ଦେଇ ନିଜକୁ ଈଶ୍ୱରଙ୍କଠାରେ ସମ୍ପୂର୍ଣ୍ଣ ସମର୍ପଣ କରିବାର ଯୋଜନାବଦ୍ଧ ପ୍ରୟାସ ସମାଧି-ଯୋଗର ନିକଟତର କରେ ଓ ଶେଷରେ ଆତ୍ମା ସହ ପରମାତ୍ମାଙ୍କ ମିଳନ ସମ୍ଭବ ହୁଏ।
ବୈଦିକ କର୍ମକାଣ୍ଡର ପ୍ରବକ୍ତା ଜୈମିନିମୁନିଙ୍କ ପୂର୍ବମୀମାଂସା। କର୍ମପାଇଁ ତ କର୍ମଫଳ ମିଳିବା ଥୟ କିନ୍ତୁ ଫଳର ଆଶା ନକରି ନିଷ୍କାମ କର୍ମ କଥା କହିଛି ମୀମାଂସା। ଅଗ୍ନି, ସୂର୍ଯ୍ୟ ପ୍ରଭୃତି ଦେବତାଙ୍କ ପାଇଁ ଯଜ୍ଞ, ପୂଜାପାଠ ମୀମାଂସାର କର୍ମକାଣ୍ଡର ରୂପ ଓ ସ୍ୱରୂପ ଥିଲା। ଦେହଧାରୀ ଦେବଦେବୀ ଓ ସ୍ୱର୍ଗର ପରିକଳ୍ପନା କରିଛି ପୂର୍ବ ମୀମାଂସା। ସେଇ ସ୍ୱର୍ଗର ବିଭବ ଓ ବୈଭବ ଜନ୍ମଠାରୁ କୌଣସି ଗୁଣରେ କମ୍‍ ନୁହେଁ ଓ କର୍ମ ଓ କର୍ମକାଣ୍ଡ ମାଧ୍ୟମରେ ମଣିଷ ସ୍ୱର୍ଗ ସୁଖ ପାଇପାରିବ ଏ କଥାର ଅଧିବକ୍ତା ଥିଲା ପୂର୍ବମୀମାଂସା।
ବେଦାନ୍ତର ବ୍ୟାଖ୍ୟାକାର ଆଦିଶଙ୍କର ସଗୁଣ ଈଶ୍ୱରଙ୍କ ପରିକଳ୍ପନା କରିଥିଲେ। ଜଗନ୍ନାଥାଷ୍ଟକମ୍‍, ଲିଙ୍ଗାଷ୍ଟକମ୍‍, ଅନ୍ନପୂର୍ଣ୍ଣା ଅଷ୍ଟକମ୍‍, ଆର୍ଯ୍ୟ ଦୁର୍ଗା ଅଷ୍ଟକମ୍‍, ଅର୍ଦ୍ଧନାରୀଶ୍ୱର ଅଷ୍ଟକମ୍‍, ବାଳମୁକୁନ୍ଦ ଅଷ୍ଟକମ୍‍ ପ୍ରଭୃତି ସାକାର ଈଶ୍ୱରଙ୍କ ପ୍ରତି ଯେତେ ସବୁ ଶ୍ରେଷ୍ଠ ନୈବେଦ୍ୟ, ତାହା ଆଦିଶଙ୍କର ରଚନା କରିଥିଲେ, ଏହା ସମସ୍ତେ ଜାଣନ୍ତି। ଈଶ୍ୱରଙ୍କୁ ପୂଜା କରାଯିବାର ପ୍ରଥାକୁ ବହୁଳ ପ୍ରସାରିତ କରିଥିଲେ ଆଦିଶଙ୍କର। ବନ୍ଧନରୁ ମୁକ୍ତ ହୋଇ ମୁକ୍ତିର ମାର୍ଗ ଦେଖାଇଛନ୍ତି ଶଙ୍କର। ବେଦାନ୍ତର ଅନ୍ୟତମ ବ୍ୟାଖ୍ୟାକାର ରାମାନୁଜ ଧ୍ୟାନ, ଉପାସନା ଓ ଭକ୍ତିମାର୍ଗ ଦ୍ୱାରା ଈଶ୍ୱର ସାନିଧ୍ୟ ବା ଧୃବସ୍ମୃତିର ପରିକଳ୍ପନା କରିଥିଲେ। ଆତ୍ମ ସମର୍ପଣ, ଈଶ୍ୱର ଆରାଧନାର ଶେଷ ଓ ଶ୍ରେଷ୍ଠ ଈପ୍‍ସିତ ‘ପ୍ରାପ୍ତି’ ପରମାତ୍ମାରେ ରୂପାନ୍ତରିତ ହେବା ନୁହେଁ, ବରଂ ପରଂବ୍ରହ୍ମ ପରି ‘ବ୍ରହ୍ମ ପ୍ରକାର’ ହେବା କଥା କହୁଥିଲେ ପରମ ଆସ୍ତିକ ବେଦାନ୍ତି ରାମାନୁଜ।
ସମ୍ୟକ ଦୃଷ୍ଟି, ସମ୍ୟକ ସଂକଳ୍ପ, ସମ୍ୟକ ବାକ୍‍, ସମ୍ୟକ କର୍ମ, ସମ୍ୟଗାଜୀବିକା, ସମ୍ୟଗ୍ୟାୟାମ, ସମ୍ୟକ ସମାଧି ଦ୍ୱାରା ପରମ ସତ୍ୟର ନିକଟତର ହୋଇପାରିବ ବୋଲି କହିଥିଲେ ମହାତ୍ମା ବୁଦ୍ଧ। କାମନାର ବିନାଶରେ ଦୁଃଖର ବିନାଶ- ମହାନ୍‍ ମନ୍ତ୍ରର ପ୍ରବକ୍ତା ଥିଲେ ବୁଦ୍ଧ। ମହାଯାନ ଶାଖା ବୁଦ୍ଧଙ୍କୁ ସାକାର ଈଶ୍ୱର ରୂପେ ପୂଜା କରିବାର ପରମ୍ପରାର ସାକ୍ଷୀ ଓ ଆମ ଦଶାବତାରରେ ଅନ୍ୟତମ ଅବତାରୀ ଈଶ୍ୱର ଭଗବାନ ବୁଦ୍ଧ। ଧ୍ୟାନ ଓ ପୂଜା ଦ୍ୱାରା ଶ୍ରେଷ୍ଠ ଆତ୍ମା ବା ସିଦ୍ଧସ୍‍ ହୋଇପାରିବ ଯେ କୌଣସି ମଣିଷ, ଏକଥା କହିଥିଲେ ଜୈନଧର୍ମର ବ୍ୟାଖ୍ୟାକାର ମହାତ୍ମା ମହାବୀର। ଭଲ ଚିନ୍ତା, ଭଲ କଥା, ଭଲ କର୍ମ ହିଁ ପ୍ରାୟଶ୍ଚିତର ମାଧ୍ୟମ ଓ ସ୍ୱୟଂ ସମ୍ପୂର୍ଣ୍ଣ ସାଧନା ଓ ଚେଷ୍ଟା ଆତ୍ମାର ମୁକ୍ତି ପୂର୍ବକ ଜିନ ଓ ବୀର ଅବସ୍ଥାର ପ୍ରାପ୍ତିର ବାଟ ବୋଲି କହିଥିଲେ ମହାବୀର। ଭୋଗବାଦର ପ୍ରବକ୍ତା ଥିଲେ ଚାର୍ବାକ୍‍।
ଅପର ପକ୍ଷରେ ଅନ୍ୟାନ୍ୟ ବିଶ୍ୱାସ ଓ ମତବାଦ ପ୍ରଭୃତି ଈଶ୍ୱରଙ୍କ ସାକାର ସ୍ୱରୂପର ଅଧିବକ୍ତା ଥିଲେ। ସାକାର ବୋଲି ତ ୩୩ କୋଟି ପ୍ରକାରର ରୂପ। ମାଛ, କଇଁଛ, ବାର୍‍ହା, ସିଂହ ପ୍ରଭୃତି ପଶୁର ସ୍ୱରୂପ ଧାରଣ କରିବା ପାଇଁ ସକ୍ଷମ ସର୍ବଶକ୍ତିମାନ ଈଶ୍ୱର। ମଣିଷ ରୂପୀ ଈଶ୍ୱରୀୟ ସତ୍ତାର ବେଉସା ପୁଣି ଭିନ୍ନ ଭିନ୍ନ। ଗୋପାଳ ରାଜା ନନ୍ଦଙ୍କ ପୁଅ କହ୍ନେଇକୁ ଆଦର୍ଶ ମାନୁଥିବା ଗଉଡ଼ ପିଲା ବଂଶୀବାଦନ କରୁଥିବା ଠାକୁର ସହ ଚିନ୍ତାରାଜ୍ୟରେ ମନଖୁସିରେ ଦିନ କଟାଏ ଗାଈପଲକୁ ଚରେଇ ନେବାବେଳେ, ବଳରାମଙ୍କୁ ଆଦର୍ଶ ରୂପେ ମାନୁଥିବା ଚଷାପୁଅ ଖରାବର୍ଷା କାକରକୁ ଭ୍ରୂକ୍ଷେପ ନ କରି ମାଟି ସହ ମାଟି ହୋଇ ସୁନା ଫଳାଏ ବିଲରେ। ମନ ଗୋଟିକୁ ବେଉସା ଗୋଟେ, ମହାପ୍ରଭୁ ଜଣେ।
ଆଶ୍ଚର୍ଯ୍ୟର କଥା ନିରୀଶ୍ୱରବାଦୀ ଓ ନାସ୍ତିକମାନଙ୍କ ମଧ୍ୟରେ କେବେ ନିଜ ବିଶ୍ୱାସକୁ ଅପର ଉପରେ ଲଦିବା ପାଇଁ ପ୍ରୟାସ କରାଯାଇନାହିଁ ଶସ୍ତ୍ର ବା ଶାସ୍ତ୍ର ଆଢୁଆଳରେ। କାଶୀନଗରୀର ଶ୍ରେଷ୍ଠ ଶାସକର ମର୍ଯ୍ୟାଦା ତ ଦିବୋଦାସଙ୍କୁ ମିଳେ, ଯେ ବିଶ୍ୱନାଥ ମନ୍ଦିରକୁ ଦିନଟିଏ ସୁଦ୍ଧା ଯାଇନଥିଲେ ପୂଜା କରିବାପାଇଁ। ସେ ନାସ୍ତିକ ଥିଲେ ମଧ୍ୟ ପ୍ରଜାମାନଙ୍କୁ ବାଧ୍ୟ କରୁନଥିଲେ ନିଜ ବିଶ୍ୱାସକୁ ମାନିବାପାଇଁ। ଏ ମାଟି ନା ଚାର୍ବାକ୍‍ପନ୍ଥୀଙ୍କ ରକ୍ତରେ ରଞ୍ଜିତ ହୋଇଛି ନା କପିଳ ପନ୍ଥୀଙ୍କ ରକ୍ତରେ। ଅପରକୁ ସମ୍ମାନ ଦେବା, ସହନଶୀଳତାର ଜ୍ୱଳନ୍ତ ଉଦାହରଣ ଏ ମାଟି। ଧର୍ମ ବିଶ୍ୱାସ ଏକ ଭାବ। ଭାବକୁ ନେଇ ମଣିଷମରାର ପରମ୍ପରା ନାହିଁ ଏ ମାଟିରେ।
ସମ୍ଭବତଃ ଏଇଥିପାଇଁ ଏ ମାଟିରେ ବିଶ୍ୱାସ ଓ ଅବିଶ୍ୱାସଗୁଡ଼ିକ ହଜାର ହଜାର ବର୍ଷ ଧରି ଚିର ସବୁଜ। ଆଉ ଗୋଟିଏ ମହତ୍ତ୍ବପୂର୍ଣ୍ଣ କଥା ହେଲା, ଖାରବେଳ, କପିଳେନ୍ଦ୍ର ଦେବ, ସମୁଦ୍ରଗୁପ୍ତ, ଚନ୍ଦ୍ରଗୁପ୍ତ, ଅଶୋକ, ବିମ୍ବିସାରଙ୍କ ପରି ଅପରାଜେୟ ଯୋଦ୍ଧା ଜୀବଦଶାରେ କେବେ ଆଲେକଜାଣ୍ଡାର କିମ୍ବା ଅଟୋମାନ୍‍ଙ୍କ ପରି ବିଶ୍ୱ ବିଜୟୀ ହେବାର ପ୍ରୟାସ କରିନଥିଲେ। ସେମାନଙ୍କ ଆଦର୍ଶପୁରୁଷ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ତ ରାବଣ ବଧ ପରେ ବିଭୀଷଣକୁ କରିଥିଲେ ସ୍ୱର୍ଣ୍ଣମୟୀ ଲଙ୍କାର ଶାସକ, ଅନୁଜ ଲକ୍ଷ୍ମଣ ବା ଅନୁଗତ ହନୁମାନଙ୍କୁ ନୁହେଁ। ତେଣୁ ଏ ଦେଶର ଧର୍ମ ବିଶ୍ୱାସ ଏହି ରାଜନୈତିକ ଦର୍ଶନପାଇଁ ଦାୟୀ କହିଲେ ଅତ୍ୟୁକ୍ତି ହେବ ହେବନାହିଁ। କେବଳ ଆକୁମାରୀ ହିମାଚଳ ହିଁ ରହିଆସିଛି ସାଂସ୍କୃତିକ ଭାରତବର୍ଷ। ବାକି ତଥ୍ୟକୁ ଏପଟ ସେପଟକରି ଇତିହାସ ବହିକୁ ନିଜକୁ ସୁହାଇଲାଭଳି ଲେଖାଇବାକୁ କିଏ ବା ବନ୍ଦ କରିପାରିବ ଦରବାରୀ ବୁଦ୍ଧିଜୀବୀଙ୍କ ଯୁଗରେ?
ସିନ୍ଧୁନଦୀ ବା ଇଣ୍ଡସ୍‍ ରିଭର ଅବବାହିକାରେ ରହୁଥିବା ଲୋକଙ୍କୁ ଆଦ୍ୟ ୟୁରୋପୀୟ ପରିବ୍ରାଜକମାନଙ୍କ ଦ୍ୱାରା ଦିଆଯାଇଥିବା ପରିଚୟରୁ ଆକୁମାରୀ ହିମାଚଳ ପର୍ଯ୍ୟନ୍ତ ଭୂଖଣ୍ଡ ହିନ୍ଦୁସ୍ଥାନ ବା ଇଣ୍ଡିଆର ସାଂପ୍ରତିକ ପରିଚୟର କଥା ଓ କାହାଣୀ ସର୍ବଜନ ବିଦିତ। କୌଣସି ଗୋଟିଏ ଧର୍ମ ପୁସ୍ତକରେ ଏବର ହିନ୍ଦୁତ୍ୱ ବା ଆଗର ସନାତନ ଧର୍ମର ସଂଜ୍ଞା ବା ପୂର୍ଣ୍ଣାଙ୍ଗ ସ୍ୱରୂପର ଅବଧାରଣା ନାହିଁ ବା ଆମେମାନେ ସେମିତି କିଛି କଥା ମାନିବାର ପ୍ରମାଣ ନାହିଁ। ବରଂ ଏହା ଗୋଟିଏ ଭୂଖଣ୍ଡର ଜନଜୀବନର ପ୍ରବାହମାନ ଧାରା। ଭଲକଥା, ସନାତନ ଧର୍ମ, ହିନ୍ଦୁଧର୍ମରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ପୁସ୍ତକ ସର୍ବମାନ୍ୟ ନୁହେଁ କିମ୍ବା କେହି ଜଣେ ଧର୍ମଗୁରୁ ଈଶ୍ୱରଙ୍କ ଏକମାତ୍ର ପ୍ରତିନିଧି ନୁହନ୍ତି। ଏଣୁ ସନ୍ଥ ବା ଧର୍ମଗୁରୁ ରାଜକାର୍ଯ୍ୟର ଦୈନନ୍ଦିନ ବ୍ୟାପାରରେ ହସ୍ତକ୍ଷେପ କରିବାର ବିଶେଷ ପରମ୍ପରା ନାହିଁ ଏଠି। ରାଜଶକ୍ତିର ସଖି କଣ୍ଢେଇ ବି ହୋଇନାହାନ୍ତି ଅରଣ୍ୟରେ ରହିବାକୁ ପସନ୍ଦ କରୁଥିବା ସନ୍ଥ ଓ ଧର୍ମାଚାର୍ଯ୍ୟମାନେ। ଏ ଯେଉଁ ଜୀବନ ଚର୍ଯ୍ୟା, ଦର୍ଶନ, ବିଶ୍ୱାସ, ଧର୍ମକଥା ଆମେ କହୁଛେ, ଏଥିରେ ତର୍କର ସ୍ୱତନ୍ତ୍ର ସ୍ଥାନ ଥିଲା। ବିତଣ୍ଡା ନୁହେଁ ବରଂ ପୂର୍ବପକ୍ଷ, ଖଣ୍ଡନ, ଉତ୍ତରପକ୍ଷ ମାଧ୍ୟମରେ ସିଦ୍ଧାନ୍ତର ନିକଟତର ହେଉଥିଲା କୌଣସି ମତ ବା ମନ୍ତବ୍ୟ। କାଶୀର ପଣ୍ଡିତ ସତ୍ତା ଓ ପୁରୀର ମୁକ୍ତି ମଣ୍ଡପ ଏହାର ମୁକସାକ୍ଷୀ।
ସାମଗ୍ରିକ ଭାବେ ଦେଖିଲେ ଏ ମାଟିର ପ୍ରାଚୀନ ବିଶ୍ୱାସ ଯାହାକୁ ଆମେ ସନାତନ ଧର୍ମ ବା ହିନ୍ଦୁତ୍ୱ ବୋଲି କହୁଛେ ଏହା ସ୍ୱୀୟ ଏକ ସେକୁଲାର ବିଚାର। ଏ ପରମ୍ପରା ସମାଜରେ ପ୍ରତିକ୍ରିୟାଶୀଳତାକୁ ମୁଣ୍ଡ ଟେକିବାର ସୁଯୋଗ ଦେଇନାହିଁ, ଯାହା ଏହାକୁ ଏକ ଚିରନ୍ତନୀ ବ୍ୟବସ୍ଥାକୁ ରୂପାନ୍ତରିତ କରିଛି। ଗାନ୍ଧୀଜୀଙ୍କ ଦର୍ଶନ ମୁତାବକ ସମସ୍ତେ ନିଜ ନିଜ ଧର୍ମପଥରେ କାୟ, ମନ, ବାକ୍ୟରେ କଠୋର ସାଧନା କଲେ ହିଁ ପରମ ଲକ୍ଷ୍ୟ ଲାଭ କରିପାରିବେ। କନ୍‍ଭର୍ସନ୍‍ ସର୍ବାଦୌ ବର୍ଜନୀୟ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ବନ୍ଦୀର ଆତ୍ମକଥାରେ ଲେଖିଛନ୍ତି, “ ଧର୍ମ ପକ୍ଷେ ଜୟ ସଦା ସୁନିଶ୍ଚୟ, ରଖ ହୃଦୟରେ ଏ ଦୃଢ଼ ପ୍ରତ୍ୟୟ।” ଏହା ଆମକୁ ଧର୍ମାନ୍ଧତାର ବେଡ଼ିରୁ ମୁକ୍ତ କରିବ।

ଗୌରୀଶଙ୍କର ସାହୁ
କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ହିମାଚଳ ପ୍ରଦେଶ, ଧର୍ମଶାଳା ଦୂରଭାଷ: ୭୯୭୮୪୨୧୮୩୫

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories