ଅଧର୍ମଘଟକୁ ଅଙ୍କୁଶ ଲୋଡ଼ା
ଯେଉଁଠି ଜନତା ହିଂସାତ୍ମକ ହୋଇଉଠିଲେ, ସେଠି ଗାନ୍ଧୀ ଧର୍ମଘଟକୁ ପ୍ରତ୍ୟାହାର କରି ବ୍ରିଟିଶ ସରକାରଙ୍କ ଆଗରେ ନୈତିକତାର ହିମାଳୟ ବନିଯାଇଥିଲେ।
ବିରୁଡ଼ି ବସାରେ ହାତ ମାରିବା, ସାପ ଗାତରେ ହାତ ପୂରେଇବା, ନାତୁଆ ଘୋଡ଼ାଠି ଲଗାମ ଲଗାଇବା ଏକ ଦୁରୂହ ବା ବିପଜ୍ଜନକ କାମ ହୋଇପାରେ, ମାତ୍ର ଅସମ୍ଭବ ଆଦୌ ନୁହଁ। ପଦ୍ମତୋଳା ମାଲୁମ ତ ଦେଖୁନା, ନାଗ ଗୋଖର ପରି ଭୟଙ୍କର ବିଷଧର ସାପ କେମିତି ଖେଳନା କଣ୍ଢେଇ ପରି କେଳା ପାଖରେ ହୁଅନ୍ତି। ଗ୍ରୀକ୍ ବୀର ଆଲେକ୍ଜାଣ୍ଡାରଙ୍କ ପିତା ଫିଲିପ ଗୋଟେ ଜାତିଆ, ଦାମୀ ଘୋଡ଼ା କିଣିଲେ। ଦେଖିଲା ଭଳି ଘୋଡ଼ାଟେ। ମାତ୍ର କିଣା ସରିଲାପରେ ଜଣାପଡ଼ିଲା ଯେ ଏଇଟା ନାତୁଆ, ଅମାନିଆ ଘୋଡ଼ା। ୟା ଉପରେ ସବାର ହେବା ତ ଅସମ୍ଭବ, ତେବେ ଯଦିଓ କିଏ ସବାର ହେଲା, ତେବେ ତା ଜୀବନ ଦୀପ ଯେ କେତେବେଳେ ଲିଭିଯିବ କହି ହେବନି। ବହୁ ବଡ଼ବଡ଼ ଘୋଡ଼ାସବାର ମାନଙ୍କୁ ଏ ଘୋଡ଼ାକୁ ସମ୍ଭାଳିବାକୁ, ମନାଇବାକୁ ରାଜା ଡକାଇଲେ। ମାତ୍ର ସମସ୍ତେ ଏ ଘୋଡ଼ା ପାଖୁ ଯିବାକୁ ଡରିଲେ। ଇତିହାସରେ ନାଁ ରଖିଥିବା ତିନିଟି ଘୋଡ଼ା ମଧ୍ୟରୁ ବୁସିଫାଲସ୍ ନାମକ ଏ ଘୋଡ଼ାର ସମାସ୍କନ୍ଧ କେହି ହୋଇ ପାରି ନଥିଲେ ଓ ଏ ଘୋଡ଼ା ଗ୍ରୀକ୍ ବୀର ଆଲେକ୍ଜାଣ୍ଡାରଙ୍କ ଅତି ପ୍ରିୟ ଥିଲା। ସେ ହିଁ ଏ ଘୋଡ଼ାକୁ ମନାଇ ପାରିଥିଲେ ଯେମିତି ଇନାମ ବି ପାଇଲେ ସେମିତି। ତେଣୁ ଅସମ୍ଭବ ବୋଲି କିଛି ନାହିଁ। ବିଶ୍ବବିଜୟୀ ନେପୋଲିଅନ ତ କହିଲେ ‘Impossible is a word found in the dictionary of fools.’ ଅସମ୍ଭବ ଶବ୍ଦ କେବଳ ନିର୍ବୋଧମାନଙ୍କ ଭାଷାକୋଷରେ ମିଳେ’। ଛାଡ଼ନ୍ତୁ ସେ ସବୁ ତାତ୍ତ୍ବିକ ଆଲୋଚନା। ଏବର ଏ ଅଖାଡୁଆ କାମ କଥା ମନକୁ ଆସିଲା, ଏ ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟଙ୍କ ଏକ ରାୟକୁ ନେଇ। ଏ ଦେଶରେ କେବଳ ନୁହଁ; ସାରା ବିଶ୍ବରେ ଓକିଲମାନଙ୍କ ସମତୁଲ କିଏ ହେବ? ତାଙ୍କୁ ତ ବୁଦ୍ଧିଜୀବୀ କୁହାଯାଇଛି। ତାଙ୍କ ବୁଦ୍ଧି ବିଚାର ସାଧାରଣ ମଣିଷଟିଏ ଠାରୁ େଢର ପୃଥକ୍, ଉନ୍ନତ। ଅାଗେ ପିଲାଦିନେ, ମାନେ ୬୦/୬୫ ବର୍ଷ ତଳେ ଆମେ ଗୀତ ବୋଲୁଥିଲୁ, ‘ପାଠ ପଢ଼ିବି, ପାଠ ପଢ଼ିବି, କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି’। ମଧୁବାବୁ ମାନେ ଓଡ଼ିଆ ଜାତିର ଗୌରବ ପ୍ରଥମ ବାରିଷ୍ଟର- ମଧୁ ବାରିଷ୍ଟର। ଏଇଥିରୁ କଳାଯାଉ ଓକିଲାତି ବୁଦ୍ଧି କେତେ ଗରୁ। ସେଇ ଓକିଲମାନଙ୍କୁ ଇଲମ, ନିର୍ଦେଶ ଦେବା ବଡ଼ ଦୁରୂହ ବ୍ୟାପାର। ବିରୁଡ଼ି ବସାରେ ହାତ ମାରୁଚ ଜାଣ।
ଏ ଦେଶ ସ୍ବାଧୀନ ହେଲାପରେ ସ୍ବାଧୀନ ନାଗରିକଙ୍କ ମୌଳିକ ଅଧିକାର ପ୍ରଥମ ବିଷୟ ହେଲା ଆଇନର। ମାତ୍ର ଜଣେ ନାଗରିକର ମୌଳିକ କର୍ତ୍ତବ୍ୟ ଗାଧୋଇ ଗଲା। ସମସ୍ତେ ନିଜ ହାତରେ ଚଉଦ ପା’। ଦାବିପୂରଣ ପାଇଁ ଦଳ ଗଢ଼ା ହେଲା, ୟୁନିଅନ ହେଲା। ଶ୍ରମିକ ୟୁନିଅନ, ଶିକ୍ଷକ, ଛାତ୍ର, ଡାକ୍ତର, ଗୃହିଣୀ, ମହିଳା କେହି ବି ଏ ଆରାମଦାୟ ୟୁନିଅନ ପ୍ରେମରୁ ମୁକୁଳି ପାରିଲେନି। ଦାବି ପୂରଣ ପାଇଁ ‘ଧର୍ମଘଟ’ ଡାକରା ଦିଆଗଲା। ଗାନ୍ଧିଜୀ ବ୍ରିଟିଶ ସରକାର ବିରୋଧରେ ‘ଧର୍ମଘଟ’ ଡାକରା ଦେଲେ। ମାତ୍ର ଏହା ଅହିଂସା ଥିଲା। ଯେଉଁଠି ଜନତା ହିଂସାତ୍ମକ ହୋଇଉଠିଲେ, ସେଠି ଗାନ୍ଧୀ ଏ ଧର୍ମଘଟକୁ ବଡ଼ କଠୋରଭାବେ ପ୍ରତ୍ୟାହାର କରିନେଇ, ବ୍ରିଟିଶ ସରକାରଙ୍କ ଆଗରେ ନୈତିକତାର ହିମାଳୟ ବନିଯାଇଥିଲେ। ମାତ୍ର ‘ଧର୍ମଘଟ’ ଅର୍ଥ କାମ ତ ବନ୍ଦ। ତା’ଛଡ଼ା ରାସ୍ତା ଅବରୋଧ, ଭଙ୍ଗାରୁଜା, ମାରପିଟି ୟାର ଆଧୁନିକ ଅଳଙ୍କାର ପରିପାଟୀ ବନିଗଲା। ତେଣୁ ଧର୍ମଘଟ ନାଁର ଏ ଅଧର୍ମଘଟ ‘ଦାବି’କୁ, ଅଧିକାରକୁ ନିରୁଦ୍ଦିଷ୍ଟ କରି ଆନ୍ଦୋଳନକାରୀଙ୍କୁ ଗୁଳିମରାରେ ଜବାବ୍ ଦିଆଗଲା। ହିଂସାମୁଖୀ ଏ ନିର୍ବୋଧ ଜନତାଙ୍କୁ ନିୟନ୍ତ୍ରଣ କରିବାକୁ ଆଉ ଭିନ୍ନ ବାଟ ବି କାହିଁ? ଧର୍ମଘଟ ଅର୍ଥ ଅଧର୍ମାଚରଣ। ସବୁ ଦାବି ଏଇ ମୁହାଁ, ରକ୍ତମୁଖା ହେଲେ। ମାତ୍ର ଓକିଲ ବା ବୁଦ୍ଧିଜୀବୀଙ୍କ ‘ଦାବି’ ଓ ଏହାର ହାସଲ ଏ ସାଧାରଣ ଶ୍ରମିକ, ଚାକେରିଆ ବା ଜନତାଙ୍କଠୁ ଭିନ୍ନ ନିଶ୍ଚୟ ହେବା ଆଶା କରାଯାଉଥିଲା। ମାତ୍ର ଏ ଦେଶର ଦୁର୍ଭାଗ୍ୟକୁ ତା ହେଲାନି। ସଭିଏଁ ଏକାକାର ହୋଇଗଲେ। ମାନନୀୟ ବୁଦ୍ଧିଜୀବୀ ବନ୍ଧୁ ବା ନେତୃତ୍ବଗଣଙ୍କ ଧର୍ମଘଟରେ ଅଦାଲତରେ ଭଙ୍ଗାରୁଜା ଭଳି ଅଭାବନୀୟ ଘଟଣା ଘଟିଲା। ବିଚାରପତି ମଧ୍ୟ ଏ ଅଧର୍ମଘଟରୁ ରକ୍ଷା ପାଇଲେନି । ଅଦାଲତ ମୋକଦ୍ଦମା କଲେ। ମାତ୍ର ବୁସିଫାଲସ୍ ବା ରାଣାପ୍ରତାପଙ୍କ ଐତିହାସିକ ‘ଚେତକ’ ଘୋଡ଼ାକୁ ଅଙ୍କୁଶିତ କିଏ କରିବ? ହଁ ଅଙ୍କୁଶିତ ହେଲେ, ସୁପ୍ରିମକୋର୍ଟ ବେଶ୍ ଦୃଢ଼ ହେଲେ ଏ ବ୍ୟାପାରରେ। ତାଙ୍କୁ ଜେଲ ପଠାଇ ଦିଆଗଲା। ବହୁ ଦୁରୂହ ମୋକଦ୍ଦମାରେ ଜାମିନ ହାସଲ କରିପାରୁଥିବା ଏ ବୁଦ୍ଧିଜୀବୀ ଓକିଲ ବନ୍ଧୁମାେନ ହଳହଳ ହୋଇ ଯେତେବେଳେ ଜିଅଲ ଗଲେ, ସଭିଙ୍କ ଛାତି ଉଠିଲା ପଡ଼ିଲା ଜାଣ। ନିଜ ପାଇଁ ଜାମିନ ନାହିଁ ଲୋ ବୋପା। ଆଇନ ଆଗରେ ସଭିଏଁ ସମାନ। ୟେ ହେଲା ଭାରତବର୍ଷ- ଆଇନର, ନ୍ୟାୟର ଦେଶ। ମାନ୍ୟବର ସୁପ୍ରିମ ଅଦାଲତ ଏଥିରେ ବେଶ୍ ଦୃଢ଼ତା ପ୍ରକାଶ କରିଛନ୍ତି। ଓକିଲମାନେ ଧର୍ମଘଟ କରି ପାରିବେନି ବୋଲି ସ୍ପଷ୍ଟ କହିଦେଲେ। ଖଣ୍ଡପୀଠର ଅଧ୍ୟକ୍ଷତା କରୁଥିବା ମାନ୍ୟବର ଜଷ୍ଟିସ କହିଲେ, ‘we once again reiterate that no member of the bar can go on strike. କେବଳ ସେତିକି ନୁହଁ; ବାର୍କାଉନସିଲ ମଧ୍ୟ ଏପରି କାର୍ଯ୍ୟକୁ ସମ୍ମତି ଦେଇପାରିବେ ନାହିଁ। The bench also pointed out that the Bar council cann’t approve strikes and boycots by Lawyers. ବାସ୍ତବିକ କଡ଼ୁଆ ଯେମିତି ଯୁଗାନ୍ତକାରୀ ବି ସେମିତି। ଏଥରୁ ବୁଦ୍ଧିଜୀବୀଙ୍କ ବୁଦ୍ଧି ବାଟବଣାର ୟେ ଏକ ଦୁଃଖଦ ଉଦାହରଣ ନୁହେଁ କି? ତାଙ୍କୁ ଏଭଳି ଧର୍ମଘଟ କରିବାରୁ ନିବୃତ୍ତ ହେବାକୁ ମାତ୍ର ଦାବି ପୂରଣ ପାଇଁ ପ୍ରତି ଉଚ୍ଚନ୍ୟାୟାଳୟରେ ଓକିଲମାନଙ୍କ ପାଇଁ ଏକ ଉଚ୍ଚସ୍ତରୀୟ ‘ଗ୍ରୀଭାନ୍ସ ସେଲ’ ତାଙ୍କ ଦାବି ବିଚାରର ବ୍ୟବସ୍ଥା ଦେଇଛନ୍ତି। ବେଶ୍ ଭଲକଥା।
ତେବେ ‘ଗ୍ରୀଭାନନ୍ସ ସେଲ’ ରାଏ ଏଙ୍କୁ ସନ୍ତୁଷ୍ଟ ନକଲେ, ତାଙ୍କ ଦାବି ଶତକଡ଼ା ଶହେ ପୂରଣ ନହେଲେ ସେମାନେ ତୁନି ରହିଯିବାର ଆଶ୍ବାସନା ମିଳୁଛି। ଏମିତି ‘ଗ୍ରୀଭାନ୍ସ ସେଲ’ ଦେଶର ସବୁ କର୍ମଚାରୀ, ଶ୍ରମିକଙ୍କ ପାଇଁ ମଧ୍ୟ ବ୍ୟବସ୍ଥିତ ନହେଲେ, ଧର୍ମଘଟ ଅଧର୍ମଘଟ ହୋଇ ଚାଲିଥିବ। ଏଥିରେ ବୁଦ୍ଧିଜୀବୀ ଓକିଲ ବନ୍ଧୁମାନେ ମାନ୍ୟବର ଶୀର୍ଷ ଅଦାଲତଙ୍କୁ ମଧ୍ୟ ପଚାରି ପାରନ୍ତି। ଛାଡ଼ନ୍ତୁ ସେ କଥା। ଏ ଓକିଲ ମାନିଲେଣି ତ, ବାକିକୁ କିଏ ପଚାରେ? ବିଳିବିଳାରେ ବେଦ ଛାଡ଼ୁଥିବା ବ୍ରହ୍ମାଙ୍କୁ ବି ବେଦରେ ଟିଉସନ କରାଯାଇ ପାରିବ, ତା’ ମାନ୍ୟବର ଶୀର୍ଷ ଅଦାଲତ ଦେଶବାସୀ, ଓକିଲ ବନ୍ଧୁ ସଭିଙ୍କୁ ବୁଝାଇ ଦେଇଛନ୍ତି।
Comments are closed.