ଲକ୍ଷ୍ନୌ: ଚଳିତ ଆଇପିଏଲ୍ର ୩ୟ ମ୍ୟାଚ୍ରେ ବିଜୟୀ ହୋଇଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ (ଏଲ୍ଏସ୍ଜି)। ଶନିବାର ସନ୍ଧ୍ୟାରେ ମାର୍କ ଉଡ୍ଙ୍କ ୫ ୱିକେଟ ଦଖଲ ବଳରେ ଦିଲ୍ଲୀ କ୍ୟାପିଟାଲ୍ସକୁ ସହଜରେ ୫୦ ରନ୍ ବ୍ୟବଧାନରେ ଘରୋଇ ଦଳ ଲକ୍ଷ୍ନୌ ପରାସ୍ତ କରିଛି। କାଏଲ୍ ମେୟର୍ସଙ୍କ ବିସ୍ଫୋରକ ୭୩ ରନ୍ ବଳରେ ପ୍ରଥମେ ବ୍ୟାଟିଂକରି ଏଏଲ୍ଏସ୍ଜି ୬ ୱିକେଟରେ ୧୯୩ ରନ୍ କରିଥିଲା। ଅଧିନାୟକ ଡେଭିଡ୍ ୱାର୍ଣ୍ଣର ୧୬ ଓଭର କ୍ରିଜ୍ରେ ରହି ଅର୍ଦ୍ଧଶତକ ମାରିବା ସତ୍ତ୍ବେ ଦିଲ୍ଲୀ କ୍ୟାପିଟାଲ୍ସ ୯ ୱିକେଟରେ ମାତ୍ର ୧୪୩ ରନ୍ କରି ପାରିଥିଲା।
ଦିଲ୍ଲୀ କ୍ୟାପିଟାଲ୍ସ ୧୯୪ ରନ୍ର ପିଛା କରିଥିବା ବେଳେ ଦୁଇ ଓପ୍ନର ଡେଭିଡ୍ ୱାର୍ଣ୍ଣର ଓ ପୃଥ୍ବୀ ସ’ ଆକ୍ରମଣ କରି ୪.୨ ଓଭରରେ ୪୧ ରନ୍ର ଭାଗିଦାରୀ କରିଥିଲେ। ହେଲେ ମାର୍କ ଉଡ୍ ପ୍ରଥମ ଓଭର ବୋଲିଂ କରିବାକୁ ଆସି କ୍ରମାଗତ ୨ଟି ବଲ୍ରେ ୨ଟି ଗୁରୁତ୍ବପୂର୍ଣ୍ଣ ୱିକେଟ ନେଇଥିଲେ। ପୃଥ୍ବୀ ୯ ବଲ୍ରୁ ୨ଟି ଚୌକା ସହ ୧୨ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକାର ରୁସୌ ୨୦ ବଲ୍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୦ ରନ୍କରି ଆଉଟ୍ ହେବା ଦିଲ୍ଲୀ ପାଇଁ ଶକ୍ତ ଧକ୍କା ଥିଲା। ଡେଭିଡ୍ ୱାର୍ଣ୍ଣର ୪୮ ବଲ୍ରୁ ୭ଟି ଚୌକା ସହ ୫୬ ରନ୍ କରିଥିଲେ। ଅକ୍ଷର ପଟେଲ ୧୦ ବଲ୍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୬ ରନ୍ କରିଥିଲେ। ମାର୍କ ଉଡ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।



