ଲାଞ୍ଜିଗଡରେ ଠାକୁରାଣୀଙ୍କ ଘଣ୍ଟଯାତ୍ର ଉଦଯାପିତ

୮ ଦିନ ବିଭିନ୍ନ ଗାଁକୁ ଯାଇ ପୂଜା ପାଇଥିଲେ

ଲାଞ୍ଜିଗଡ : ଗତ ୯ଦିନ ଧରି ଦ୍ବାର ଦ୍ବାର ବୁଲି ଭକ୍ତଙ୍କୁ ଦର୍ଶନ ଦେଲା ପରେ ଆଜି ଶୁକ୍ରବାର ସକାଳେ ନିଜ ଆସ୍ଥାନକୁ ବିରାଜମାନ କରିଛନ୍ତି ଲାଞ୍ଜିଗଡ ଇଷ୍ଟଦେବୀ ମା’ ଠାକୁରାଣୀ। ପୂଜକ ଭକ୍ତଙ୍କ ପିଠିରେ ମା’ଙ୍କୁ  ଆସ୍ଥାନକୁ ନେଇଥିଲେ। ଦ୍ୱିତୀୟା ତିଥିରୁ ମା’ ଠାକୁରାଣୀଙ୍କ ଘଣ୍ଟଯାତ୍ର ଆରମ୍ଭ ହୋଇଥିଲା। ଲାଞ୍ଜିଗଡ ରାଜ ଉଆସରୁ ମା’ଙ୍କ ଘଣ୍ଟକୁ ଶୃଙ୍ଗାର କରି ଗାଁ ମଝିରେ ଥିବା ମନ୍ଦିରକୁ ଅଣାଯାଇ ପୂଜାର୍ଚ୍ଚନା କରି ପୂଜକମାନେ ଆହ୍ୱାନ କରିଥିଲେ। ପରେ ମା’ଙ୍କ ମୁଖ୍ୟ ପୂଜକ ଅଭିମନ୍ୟୁ ପାତ୍ର ଓ ଜମ୍ବେଶ୍ୱର ପୂଜାରୀ ମା’ଙ୍କ ଘଣ୍ଟକୁ ମୁଣ୍ଡରେ ବହନ କରିଥିବା ବେଳେ ବାହୁକ ହରିଶ୍ଚନ୍ଦ୍ର ମୁଣ୍ଡଛିନା ମା’ ଙ୍କ ଛତର ଧରି ଅଞ୍ଚଳର ବିଭିନ୍ନ ଗାଁ ପରିକ୍ରମା କରିଥିଲେ। ମା’ ଙ୍କୁ ଭକ୍ତ ଦର୍ଶନ କରିଥିଲେ।
ଦୀର୍ଘ ୮ ଦିନ କାଳ ବିଭିନ୍ନ ଗାଁକୁ ଯାଇ ଭକ୍ତ ମାନଙ୍କ ଘରେ ପୂଜା ପାଇବା ପରେ ନବମ ଦିନ ନିଜ ମନ୍ଦିରରେ ଗୋଟିଏ ଦିନ ପାଇଁ ବିଶ୍ରାମ ନେଇଥିଲେ। ପୁଣି ସେହିଦିନ ସନ୍ଧ୍ୟାରେ ଲାଞ୍ଜିଗଡ ରାଜାଙ୍କ ଘରକୁ ଯାଇ ପୂଜା ପାଇବା ପରେ ନବମ ଦିବସ ରାତିସାରା ଲାଞ୍ଜିଗଡ ସହରର ସମସ୍ତ ଘରକୁ ଯାଇ ଝୁଣା, ପଣାପାଣି, ଗଜାମୁଆ ଇତ୍ୟାଦି ଭୋଗ ଗ୍ରହଣ କରିଥିଲେ। ଶୁକ୍ରବାର ଉଦଯାପନୀ ଦିବସରେ ମା’ଙ୍କ ସେବକ ପୂଜାରୀ ପଡ଼ାରୁ ଏକ ବିରାଟ ଆଡୁଆଳରେ ମା’ ଙ୍କୁ ମନ୍ଦିରକୁ ଆଣିଥିଲେ। ଘଣ୍ଟ, ଶଙ୍ଖ, ଖୋଳତାଳ ବାଦ୍ୟରେ ମା’ଙ୍କୁ ସ୍ୱାଗତ କରି ଚିତା ଆଙ୍କି ନିଜ ଦ୍ବାର ସାମ୍ନାରେ ଭୋଗ ଅର୍ପଣ କରିଥିଲେ ପୂଜାରୀପଡା ବାସୀ। ଯେଉଁମାନେ ମାନସିକ କରିଥିଲେ ସେମାନେ ବଳି ମଧ୍ୟ ଦେଇଥିବାର ଦେଖିବାକୁ ମିଳିଥିଲା।ପରେ ନିଜ ଆସ୍ଥାନକୁ ଆସିବା ସମୟରେ ଭକ୍ତ ମାନଙ୍କ ପିଠିରେ ଚଡି ନିଜ ଆସ୍ଥାନରେ ବିରାଜମାନ କରିଥିଲେ ମା’ ଠାକୁରାଣୀ।ମା’ ପିଠି ଉପରେ ଚଡି ଆସିଲେ ବିଭିନ୍ନ ରୋଗ ଶୋକ ଦୂର ହେବା ସହ ଶାନ୍ତିମୟ ଜୀବନଯାପନ କରିବାର ବିଶ୍ୱାସ ରହିଛି।ମନ୍ଦିରକୁ ଆସିବା ପରେ ଗ୍ରାମର ସମସ୍ତଙ୍କ ଘରୁ ଶସ୍ୟ ସଂଗ୍ରହ କରାଯାଇଥିଲା।ସେହି ଶସ୍ୟଙ୍କୁ ମା’ ଘରେ ପୂଜାର୍ଚ୍ଚନା କଲା ପରେ ଭକ୍ତ ମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ସେହି ଶସ୍ୟକୁ ଅକ୍ଷୟ ତୃତୀୟାରେ ବାହାର କରି ଜମିରେ ବୁଣିଲେ ଭଲ ଅମଳ ହୁଏ ବୋଲି ମଧ୍ୟ ବିଶ୍ୱାସ ରହିଛି । ୯ ଦିନ ଧରି ଏହି ଘଣ୍ଟଯାତ୍ର ମହା ଆଡମ୍ବର ସହିତ ପାଳନ ହୋଇଥିବା ବେଳେ ମନ୍ଦିରକୁ ଆଲୋକମାଳାରେ ସୁସଜିତ କରାଯାଇଥିଲା। ଭକ୍ତଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏହି ଯାତ୍ରାକୁ ଶାନ୍ତିଶୃଙ୍ଖଳା ସହିତ ପାଳନ କରିବା ପାଇଁ ମା’ ଠାକୁରାଣୀ ପୂଜା କମିଟି ବ୍ୟାପକ ବନ୍ଦୋବସ୍ତ କରିଥିଲେ।

Comments are closed.