ତିଗିରିଆ: ମହାନଦୀ କୂଳବର୍ତ୍ତୀ ଜନସାଧାରଣଙ୍କ ଦୀର୍ଘ ବର୍ଷର ପ୍ରତୀକ୍ଷା ମାଳବନ୍ଧକୁ ପିଚୁ ସଡ଼କରେ ରୂପାନ୍ତରଣ ଦାବି ଖୁବ୍ ଶୀଘ୍ର ସଫଳ ହେବାକୁ ଯାଉଛି। ଜଳ ସେଚନ ବିଭାଗ ପକ୍ଷରୁ ତିଗିରିଆ ବ୍ଳକ ଗଦାଧରପୁର ପଞ୍ଚାୟତ ଅନ୍ତର୍ଗତ ଭୁଆସୁଣୀଙ୍କ ପୀଠ ଠାରୁ ନନ୍ଦପୁର ଗ୍ରାମ ପର୍ଯ୍ୟନ୍ତ ବନ୍ଧବାଡ ଉପରେ ପିଚୁ ସଡ଼କ ନିର୍ମାଣ ଆରମ୍ଭ ହୋଇଛି। ଏନେଇ କାମ ନେଇଥିବା ଠିକା ସଂସ୍ଥା ପକ୍ଷରୁ ପ୍ରାରମ୍ଭିକ ପ୍ରକ୍ରିୟା ବନ୍ଧବାଡ ସଫେଇ ଓ ରେନ୍ କଟ ଗୁଡ଼ିକର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି।
ବନ୍ଧବାଡରେ ଏହି ପିଚୁ ସଡ଼କ ନିର୍ମାଣ ହେବା ଦ୍ବାରା ନଦୀକୂଳ ଜନସାଧାରଣଙ୍କ ପାଇଁ ବନ୍ୟା ସମୟରେ ପାର ଉତ୍ତାର ଏଵଂ ସୁରକ୍ଷିତ ଉଚ୍ଚ ସ୍ଥାନକୁ ଯାତାୟାତ ସୁଗମ ହେବ। ଏହା ଛଡ଼ା ବଡମ୍ବା ଗୋପିନାଥପୁର ଠାରୁ ବୈଦେଶ୍ୱରକୁ ମହାନଦୀ ଉପରେ ସଂଯୁକ୍ତ ଟି ପୋଲକୁ ଅତି ସ୍ୱଳ୍ପ ଦୂରଗାମୀ ନୂତନ ପଥ ସୃଷ୍ଟି ହେବ। ଆଠଗଡ ଜଳସେଚନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଭୁଆସୁଣୀଙ୍କ ଠାରୁ ନନ୍ଦପୁର ପର୍ଯ୍ୟନ୍ତ ବନ୍ଧ ଉପରେ ପ୍ରାୟ ୩.୩ କି. ମି ଦୈର୍ଘ୍ୟ ଏବଂ ୧୨ ଫୁଟ୍ ଚଉଡ଼ାର ପିଚୁ ସଡ଼କ ନିର୍ମାଣ କରାଯିବ।
ଏ ବାବଦରେ ୨.୨୦ କୋଟି ଟଙ୍କାର ବ୍ୟୟ ଅଟକଳ ରହିଥିବା ବିଭାଗୀୟ ଯନ୍ତ୍ରୀ ସଂଗ୍ରାମ କେଶରୀ ସ୍ୱାଇଁଙ୍କ ଠାରୁ ସୂଚନା ମିଳିଛି। ଏହି ପିଚୁ ସଡ଼କ ନିର୍ମାଣ ହେବା ଦ୍ବାରା ତିଗିରିଆ ବ୍ଳକର ଗଦାଧରପୁର, ହାଟମାଳ ଏଵଂ ବଡ଼ନାଉପୁଟ ସହିତ ବାଙ୍କୀ ବ୍ଳକର ବାଉଁଶପୁଟ ଓ ବନ୍ଦାଳ ଏବଂ ବଡମ୍ବାର ମାନପୁର ପଞ୍ଚାୟତର ହଜାର ହଜାର ଜନସାଧାରଣ ବିଶେଷ ଉପକୃତ ହେବେ। ଏପରିକି ବନ୍ଧବାଡ ପାର୍ଶ୍ବରେ ରହିଥିବା ଚାଷ ଜମି ଏବଂ ଫଳ ବଗିଚାଗୁଡ଼ିକୁ ବିଭିନ୍ନ ପରିବହନଗତ ସମସ୍ୟା ଦୂରେଇ ଯିବ।
ବିଗତ ବନ୍ୟା ପରିସ୍ଥିତିରେ ବନ୍ଧବାଡ ଉପରେ ଯାତାୟତ ଅତି ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲା। ଭୁଆସୁଣୀ ପୀଠ ଠାରୁ ପୂର୍ବ ଦିଗରେ ବନ୍ଧବାଡର ଉଭୟ ପାର୍ଶ୍ବରେ ଘଞ୍ଚ ବନାନୀ ସୃଷ୍ଟି ହୋଇଥିବାରୁ ତାହା ବନ୍ଧବାଡ ରାସ୍ତାକୁ ମାଡ଼ି ଆସି ବିଭିନ୍ନ ସ୍ଥାନରେ ଯାତାୟତ ବାଧା ସୃଷ୍ଟି କରିଥିଲା। କର୍ଦ୍ଦମାକ୍ତ ବନ୍ଧବାଡ ଉପରେ ଯାତାୟତ ଅସମ୍ଭବ ହୋଇପଡ଼ିଥିଲା। ଏ ସମସ୍ୟାକୁ ବନ୍ଧବାଡ ତଦାରଖ କରିବାକୁ ଆସିଥିବା ବିଭାଗୀୟ ଅଧିକାରୀମାନେ ମଧ୍ୟ ଅଙ୍ଗେ ନିଭାଇ ଥିଲେ। ବନ୍ଧବାଡ ପରିସ୍ଥିତି ସମ୍ପର୍କରେ ଏବଂ ଏହାକୁ ପିଚୁ ସଡ଼କରେ ରୂପାନ୍ତରଣ କରିବାକୁ ବିଭିନ୍ନ ସମୟରେ କେବଳ ‘ସମାଜ’ ଖବର କାଗଜରେ ଖବର ପ୍ରକାଶ ପାଇ ଆସୁଥିଲା।
ବନ୍ଧବାଡର ପଶ୍ଚିମ ଦିଗରେ ଭୁଆସୁଣୀଙ୍କ ପୀଠ ଠାରୁ ବଡମ୍ବାର କୁମାରୀଙ୍ଗା ପାହାଡ଼ ପର୍ଯ୍ୟନ୍ତ ପ୍ରାୟ ୩ କି.ମିର ବନ୍ଧ ଉପର ପୁରୁଣା ପିଚୁ ସଡ଼କ ରାସ୍ତା ମରାମତି ଅଭାବରୁ ପିଚୁ ସମ୍ପୂର୍ଣ ଭାବେ ଉଠି ପଥୁରିଆ ରାସ୍ତାରେ ପରିଣତ ହୋଇଛି। ଏହାକୁ ତୁରନ୍ତ ମରାମତି କରାଯିବାକୁ ଜଳ ସେଚନ ବିଭାଗ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।



