ପିପିଲି:ଓଡିଶାରେ ପ୍ରସିଦ୍ଧି ଲାଭ କରିଥିବା ପୁରୀ ଜିଲା ହରିରାଜପୁରର ପଞ୍ଚୁଦୋଳ ମେଳଣର ଜମାଣ ଉତ୍ସବ ମାର୍ଚ୍ଚ ୧୨ ମଧ୍ୟରାତ୍ରରୁ ଆରମ୍ଭ ହେବ। ୧୬ ତାରିଖ ଗୁରୁବାର ଦିନ ଠାକୁର ମାନଙ୍କର ଦିଅଁମେଳଣ ଉତ୍ସବରେ ହରିହର ଭେଟ କରାଯାଇ ଏହି ପଞ୍ଚୁଦୋଳ ମେଳଣ ସମାପନ ହେବ । ଜମାଣ ଉତ୍ସବରେ ରାତିତମାମ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଆତସବାଜୀ ପ୍ରଦର୍ଶନ କରାଯିବ। ଏହି ଉତ୍ସବରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବା ନେଇ ଆଶା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ପିପିଲି ନିର୍ବାଚନମଣ୍ଡଳୀର ଡେଲାଙ୍ଗ ଥାନା ଅନ୍ତର୍ଗତ ଏହି ପ୍ରସିଦ୍ଧ ହରିରାଜପୁର ମେଳଣ ପଡିଆ ପିପିଲି-ଜଟଣୀ ରାସ୍ତାର ପିପିଲି ଠାରୁ ୧୦କିମି, ଜଟଣୀ ଠାରୁ ୪କିମି ଓ ଭୁବନେଶ୍ୱର ଠାରୁ କପିଳପ୍ରସାଦ ରାସ୍ତାରେ ୧୫ କିମି ଦୂରରେ ଅବସ୍ଥିତ । ଗଜପତି ରାଜା ନରସିଂହ ଦେବଙ୍କ ରାଜତ୍ୱ ସମୟରେ ୧୬୩୭ ଖ୍ରୀଷ୍ଟାବ୍ଦରୁ ମୋଟ ୧୦୭ ଏକର ପରିମିତ ଜାଗାରେ ଏହି ଐତିହାସିକ ମେଳଣ ଅନୁଷ୍ଠିତ ହୋଇ ଆସୁଛି। ମେଳଣର ସ୍ଥାନାଧିପତି ପ୍ରଭୂ ଶ୍ରୀପଶ୍ଚିମାଶମ୍ଭୁ ସୋମନାଥଦେବଙ୍କ ସମେତ ପ୍ରଭୁ ଶ୍ରୀସୋମନାଥ ଦେବ(ବୁଢାପଡା), ପ୍ରଭୁ ଶ୍ରୀଗତିଶ୍ୱର ଦେବ (କୁସୁମାଟି ଛଣଘର), ପ୍ରଭୁ ଶ୍ରୀନୀଳକଣ୍ଠେଶ୍ୱର ଦେବ (ଭଁସର) ଓ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବ( କନ୍ତିଆ)ଙ୍କୁ ନେଇ ପ୍ରଥମେ ଏହି ପଞ୍ଚୁଦୋଳ ମେଳଣ ଆରମ୍ଭ ହୋଇଥିଲା ।
୧୨ତାରିଖ ମଧ୍ୟ ରାତ୍ରରେ ପୁର୍ବ ରିତୀନିତୀ ଅନୁଯାଇ ଏହି ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣର ସ୍ଥାନାଧିପତି ପ୍ରଭୁ ଶ୍ରୀପଶ୍ଚିମାଶମ୍ଭୁ ସୋମନାଥଦେବଙ୍କୁ ଏକ ସୁସଜ୍ଜିତ ଦୋଳବିମାନରେ ମନ୍ଦିରରୁ ଅଣାଯାଇ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଚିତ୍ତାକର୍ଷକ ଆତସବାଜି ପ୍ରଦର୍ଶନ, ସୁନ୍ଦର ଆଲୋକ ସଜ୍ଜା, ଭଜନ କୀର୍ତ୍ତନ, ଘଣ୍ଟ, ଘଣ୍ଟା, ତୁରୀ, ଶଙ୍ଖ ନାଦ, ଘୋଡାନାଚ, ପାଇକଆଖଡା, ଅଗ୍ନିପିଣ୍ଡୁଳା ପ୍ରଦର୍ଶନୀ ଓ ନାଗାନୃତ୍ୟ ସହ ଲକ୍ଷାଧିକ ଭକ୍ତଙ୍କ ଗହଣରେ ମେଳଣ ପଡିଆରେ ବିଜେ କରାଯିବ ।
ଆଖପାଖ ଅଞ୍ଚଳର ଅନ୍ୟ ୮୩ଟି ଦେବ ବିଗ୍ରହ ଦୋଳବିମାନରେ ସେହି ରାତ୍ରୀରେ ମେଳଣ ପଡିଆରେ ଏକତ୍ରିତ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେବେ। ଏଠାରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଆତସବାଜି ପ୍ରଦର୍ଶନ ଯୋଗୁଁ ମେଳଣର ସୂତନ୍ତ୍ରତା ନିଆରା। ପୁରୀ, ବ୍ରହ୍ମପୁର, ଖୋର୍ଦ୍ଧା, ନୟାଗଡ, କଟକ, ଗଞ୍ଜାମ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆତସବାଜି ପ୍ରସ୍ତୁତକାରୀ ଏହି ରାତିରେ ନିଜ ନିଜର ପ୍ରସ୍ତୁତ ବାଣ ପ୍ରଦର୍ଶନ କରିବାକୁ ଥିବା ବେଳେ ଏହି ଆତସବାଜି ପ୍ରଦର୍ଶନ ଅନ୍ୟ କୌଣସି ମେଳଣରେ ଦେଖିବାକୁ ମିଳିନଥାଏ।
ରବିବାର ରାତିରୁ ଗୁରୁବାର ସଂନ୍ଧ୍ୟା ପର୍ଯ୍ୟନ୍ତ ୫ଦିନ ଧରି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଦୋଳ ବିମାନରେ ବିଜେ କରିଥିବା ୮୪ଦେବ ବିଗ୍ରହଙ୍କୁ ଏକାଠି ଦର୍ଶନ କରିବାର ସୌଭାଗ୍ୟ ଲାଭ କରିବା ସହ ଫଗୁ ସିଞ୍ଚନ କରି ଆର୍ଶିବାଦ ଲାଭ କରିବେ । ୧୪ ଓ ୧୫ ତାରିଖ ସନ୍ଧ୍ୟାରେ ଶିଶୁମାନଙ୍କ ଦ୍ୱାରା ମନ୍ତ୍ରପାଠ ଓ ସନ୍ଧ୍ୟାଆଳତୀ କାର୍ଯ୍ୟକ୍ରମ ରହିଛି। ୧୫ତାରିଖ ଅପରାହ୍ନରୁ ସଂନ୍ଧ୍ୟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳର ୭ଶହ ସଂକୀର୍ତ୍ତନମଣ୍ଡଳୀ ଦ୍ୱାରା ‘ହରିହାଟ’ ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ଏଥିରେ ପ୍ରାୟ ୧୦ହଜାରରୁ ଉର୍ଦ୍ଧ ସଂକୀର୍ତ୍ତନିୟା ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ସଂପର୍କରେ ମେଳଣ ପରିଚାଳନା କମିଟିର ସଂଯୋଜକ ପ୍ରସନ୍ନ କୁମାର ମହାରଥୀ ସୂଚନା ଦେଇଛନ୍ତି ।
୧୬ ତାରିଖ ଗୁରୁବାର ଅପରାହ୍ନରେ ଗୋଧୂଳି ଲଗ୍ନରେ ବହୁ ପ୍ରତିକ୍ଷିତ ଠାକୁର ମେଳଣ ଉତ୍ସବ ତଥା ହରିହର ଭେଟ କାର୍ଯ୍ୟକ୍ରମ ପୂର୍ବ ବିଧି ଅନୁଯାଇ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ଓ ମେଳଣ ପରିଚାଳନା କମିଟି ପକ୍ଷରୁ୍ନ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରଶାସନ ପକ୍ଷରୁ ଅଗ୍ନି ନିର୍ବାପକ ଦମକଳ ଗାଡ଼ି ନିୟୋଜନ, ସ୍ୱାସ୍ଥ୍ୟସେବା ଶିବିର, ପାନୀୟ ଜଳ ଯୋଗାଣ, ୨୦ଟି ଅସ୍ଥାୟୀ ଶୌଚାଳୟ ସ୍ଥାପନ, ବିଭିନ୍ନ ବିଭାଗର ପ୍ରଦର୍ଶନୀ ମଣ୍ଡପ, ମହିଳା ସଶକ୍ତିକରଣ ବିଭାଗ ପକ୍ଷରୁ ଷ୍ଟଲ ସ୍ଥାପନ, ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ସହ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ।
ଏତଦ୍ବ୍ୟତିତ ଏକ ଘରୋଇ ମେଡିକାଲ କଲେଜ ପକ୍ଷରୁ ଏହି ମେଳଣରେ ୫ଦିନ ବ୍ୟାପି ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହେବ । ଉକ୍ତ ମେଳଣ ଅବସରରେ ହରିରାଜପୁର ମହୋତ୍ସବ ପାଳନ କରାଯିବା ସହ ମୀନାବଜାର ଓ ମିଶନ ଶକ୍ତି ପକ୍ଷରୁ ପଲ୍ଲିଶ୍ରୀମେଳା ଆଦି କରାଯିବ ବୋଲି ସୂଚନା ମିଳିଛି । ମେଳଣକୁ ଚଳିତବର୍ଷ ଅଧିକ ଆକର୍ଷଣ କରିବା ପାଇଁ ମେଳଣ ପରିଚାଳନା କମିଟି ଏବଂ ହରିରାଜପୁର ଗ୍ରାମବାସୀଙ୍କ ସମେତ ବିଭିନ୍ନ ୨୫ଟି ସଂଗଠନ ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମ ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯାଇଛି।



