ପ୍ରତିଶ୍ରୁତି ଓ ପ୍ରତାରଣାର ଲଢ଼େଇ

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶ୍ନ, ପାଲଟା ପ୍ରଶ୍ନ ପଚାରିଲା ବିଜେଡି

ଭୁବନେଶ୍ୱର : ପଦ୍ମପୁରକୁ ଜିଲା ଘୋଷଣା ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରି ପୁଣି ଏକ ବର୍ଷ ସମୟ ନେବା ପ୍ରତାରଣା ନୁହେଁ କି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି। ରବିବାର ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତବେଳେ ସେ କହିଛନ୍ତି ଯେ, ପଦ୍ମପୁରକୁ ଜିଲା ଘୋଷଣା କରିବାର ନିର୍ଦ୍ଧାରିତ ତାରିଖ ନ କହିବା ପ୍ରତାରଣା ସଦୃଶ ବୋଲି ସେ ମନ୍ତବ୍ୟ ଦେଇଛନ୍ତି। ଦୀର୍ଘ ୨୩ ବର୍ଷର ଶାସନ ଦାୟିତ୍ୱରେ ରହିବା ପରେ ପଦ୍ମପୁରର ପାଇକମାଳରେ ଥିବା ଗୋଟେ ପିଏଚସିକୁ ସିଏଚସି ଭାବେ ପରିଣତ କରି ମୁଁ ଯାହା କହେ ତାହା କରେ ବୋଲି କହିବା କେତେ ଦୂର ଯଥାର୍ଥ ? ଏଥିରୁ ରାଜ୍ୟରେ ବିକାଶର ଚିତ୍ର ସ୍ପଷ୍ଟ ଅନୁମେୟ। ମୁଖ୍ୟମନ୍ତ୍ରୀ ବରଗଡ଼ରେ ଦୁଇଟି ନିର୍ବାଚନମଣ୍ଡଳୀର ଦାୟିତ୍ୱ ନେଲା ପରେ ବି ବରଗଡ଼ ସମେତ ଏହି ଅଞ୍ଚଳରୁ ହଜାର ହଜାର ଯୁବକ ଯୁବତୀ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ କେବେ ହେବ ?
ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଓଡ଼ିଶା ରେଲ୍ ଇନଫ୍ରାଷ୍ଟ୍ରକ୍ଚର ଡେଭେଲପମେଣ୍ଟ ଲିମିଟେଡ ବରଗଡ଼ ରୋଡ-ନୂଆପଡ଼ା ରେଳ ଲାଇନର ଦାୟିତ୍ୱ ସଠିକ ଭାବେ ନିର୍ବାହ ହେଉଛି କି ? ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଫସଲବୀମାରେ ଘରୋଇ କମ୍ପାନୀଙ୍କୁ ଆପଣ ସାମିଲ କରିଥିଲେ କି ନାହିଁ ? ବରଗଡ଼ ସୋହେଲାରେ ଚାଷୀଙ୍କ ପାଇଁ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ ରାଜ୍ୟ ସରକାର ଦେଇଛନ୍ତି କି ? ମୁଖ୍ୟମନ୍ତ୍ରୀ ବରଗଡ଼ରେ ଜଳସେଚନ ପାଇଁ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ କରିବେ ? ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ ହଜାର କୋଟି ଟଙ୍କାରୁ ଅଧିକ ଦୁର୍ନୀତିରେ ଓଡ଼ିଶା ସରକାରଙ୍କ ସମ୍ପୃକ୍ତି ଅଛି କି ନାହିଁ ? ବରଗଡ଼ ସମେତ ପଶ୍ଚିମ ଓଡ଼ିଶାକୁ ଆବାସ ଯୋଜନାରେ ପାତରଅନ୍ତର ହୋଇଛି କି ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।
ଅନ୍ୟପକ୍ଷରେ ପଦ୍ମପୁରର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ଧୋକା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଉପନିର୍ବାଚନବେଳେ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକୁ ଦୋହରାଇ ତାହା କେବେ ପୂରଣ ହେବ ବୋଲି ଶ୍ରୀ ପୁରାହିତ ପ୍ରଶ୍ନ କରିଛନ୍ତି। ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ସେହି ପୁରୁଣା ପ୍ରତିଶ୍ରୁତି ଦେଇ ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରିଛନ୍ତି। ଆଗାମୀ ଦିନରେ ପଦ୍ମପୁରବାସୀ ଏହାର ଉଚିତ୍ ଜବାବ ଦେବେ ବୋଲି ସେ କହିଛନ୍ତି।
ନିର୍ବାଚନ ସମୟରେ ବିଜେପି ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନେ ପକାଇ ଦେଇଛି ବିଜେଡି। ଶ୍ରୀ ପ୍ରଧାନଙ୍କ ଟ୍ବିଟ୍ ଜବାବରେ ପ୍ରତିଶ୍ରୁତିର ଲମ୍ବା ତାଲିକା ଦେଇ ଟ୍ବିଟ୍ କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର। ଡ. ପାତ୍ର ଲେଖିଛନ୍ତି, ଧର୍ମେନ୍ଦ୍ର ଭାଇ ଓଡ଼ିଶା ପାଇଁ ସ୍ୱତନ୍ତ୍ର ବର୍ଗ ପାହ୍ୟା ଏବେ କେଉଁଠାରେ ଅଛି? ୨୦୧୪ ଏପ୍ରିଲ୍‌ ୫ ତାରିଖରେ ଏହାକୁ ଆପଣ ନିଜ ଦଳର ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲେ। ନିର୍ବାଚନ ପୂର୍ବରୁ ଆପଣ ପ୍ରତିଶ୍ରୁତି ଦେଇଥିଲେ, ନିର୍ବାଚନ ପରେ ଭୁଲିଗଲେ। ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଆପଣ କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ନିର୍ବାଚନ ପରେ ଭୁଲିଗଲେ। ୨୦୧୮ରେ ବିଜେପୁର ଉପନିର୍ବାଚନ ପୂର୍ବରୁ ଏବଂ ୨୦୨୨ରେ ପଦ୍ମପୁର ଉପନିର୍ବାଚନ ପୂର୍ବରୁ ପଦ୍ମପୁର ପାଇଁ ରେଳଲାଇନ୍‌ର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ନିର୍ବାଚନ ପରେ ଆପଣ ଏହାକୁ ବି ଭୁଲି ଯାଇଛନ୍ତି। ଆପଣ ୨୦୧୪ ଏବଂ ୨୦୧୯ ନିର୍ବାଚନ ପୂର୍ବରୁ ଧାନର କ୍ରୟ ମୂଲ୍ୟ ଦୁଇଗୁଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ନିର୍ବାଚନ ପରେ ଭୁଲିଗଲେ। କେନ୍ଦ୍ରାପଡ଼ାକୁ ରେଳ ସଂଯୋଗ ହେଉ କିମ୍ବା ଉପକୂଳ ରାଜପଥ କିମ୍ବା ଏହିପରି ଅନେକ ପ୍ରତିଶ୍ରୁତି, ନିର୍ବାଚନ ପୂର୍ବରୁ ଆପଣଙ୍କ ଦ୍ୱାରା ଦିଆଯାଇଥିଲା; ଯାହା କେବଳ ନିର୍ବାଚନ ପରେ ଭୁଲିଯିବା ପାଇଁ। ତେଣୁ ଆମର ନେତା ଆଜି ଆପଣଙ୍କର ସ୍ମୃତିକୁ ସତେଜ କରିବା ପାଇଁ ବରଗଡ଼ରେ ପ୍ରଭୁ ନୃସିଂହନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
ଏବେ ଧାମନଗର ବିଜେପି ବିଧାୟକ ସୁରଜ ସୂର୍ଯ୍ୟବଂଶୀ ଅତିରିକ୍ତ ୫ ପ୍ରଶ୍ନ ପଚାରିବା ସହିତ ସାଂସଦ ସସ୍ମିତ ପାତ୍ରଙ୍କୁ କଡ଼ା ଜବାବ ଦେଇଛନ୍ତି। ଶ୍ରୀ ସୂର୍ଯ୍ୟବଂଶୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଧାମନଗର ଉପନିର୍ବାଚନ ସମୟରେ ଆପଣ ଆମ ଅଞ୍ଚଳର ବିକାଶର ଦାୟିତ୍ବ ନେବା କଥା କହିଥିଲେ, ସେହି ଦାୟିତ୍ବର ବର୍ତ୍ତମାନ ସ୍ଥିତି କ’ଣ ରହିଛି। ୫ ବର୍ଷର ବିକାଶମୂଳକ କାର୍ଯ୍ୟକୁ ୧୮ ମାସରେ କରିବାର ଯେଉଁ ଘୋଷଣା କରିଥିଲେ ସେ କଥା ଆପଣ ସ୍ମରଣ କରନ୍ତୁ ଓ ପ୍ରତିଶ୍ରୁତି କେବେ ପୂରଣ କରିବେ ଧାମନଗରବାସୀ ଅପେକ୍ଷା କରି ରହିଛନ୍ତି। ଆପଣ କେବଳ ରାଜନୈତିକ ଫାଇଦା ନେବା ପାଇଁ ବିଭିନ୍ନ ଉପନିର୍ବାଚନ ବେଳେ ମିଛ ଘୋଷଣା କରନ୍ତି ବୋଲି ମୁଁ ଦେଖିବାକୁ ପାଉଛି। ବିଗତ ଦିନରେ ବାଲେଶ୍ୱର, ତିର୍ତ୍ତୋଲ, ପିପିଲି, ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନେଇଥିଲେ, ସେଥିମଧ୍ୟରୁ ଆପଣ କେତେ ପୂରଣ କରିଛନ୍ତି ତାହା ରାଜ୍ୟବାସୀଙ୍କୁ ଜଣାନ୍ତୁ।
ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଙ୍ଗରେ ୨୦୧୮ରେ ଆପଣଙ୍କ ମନ୍ତ୍ରୀ କ’ଣ ଉତ୍ତର ଦେଇଥିଲେ ତାହା ପ୍ରକାଶ କରିବା ସହ ଏହି ବିଷୟରେ ଆମ ଦଳ ସ୍ପଷ୍ଟ କରିସାରିଛି ଓ ଚତୁର୍ଦ୍ଦଶ ଅର୍ଥ କମିସନଙ୍କ ରିପୋର୍ଟ ପରେ ବିଶେଷ ରାଜ୍ୟ ପାହ୍ୟା ମାନ୍ୟତାର ବ୍ୟବସ୍ଥା ଆଉ ନାହିଁ । ସବୁ ଜାଣିବା ସତ୍ତ୍ୱେ କେବଳ ରାଜନୈତିକ ପ୍ରସଙ୍ଗ କରିବା ପାଇଁ ଏ ସମ୍ପର୍କରେ ଆପଣ ସାମାଜିକ ଗଣମାଧ୍ୟମରେ କହିଛନ୍ତି ବୋଲି ସୂର୍ଯ୍ୟବଂଶୀ କହିଛନ୍ତି।

Comments are closed.