Patra electronics

ଜୀବନ: ଦୃଷ୍ଟି ଓ ଦର୍ଶନ

ଦୁର୍ଗାପ୍ରସାଦ ଆଚାର୍ଯ୍ୟ

ଔପନ୍ୟାସିକ ଚାର୍ଲସ ଡିକେନ୍‌ସ ତାଙ୍କ କାଳଜୟୀ ଉପନ୍ୟାସ ‘ଏ ଟେଲ ଅଫ୍‌ ଟୁ ସିଟିଜ୍‌’ରେ ପ୍ରତିଟି କାଳଖଣ୍ଡର ସାରସ୍ବରୂପ ସମ୍ପର୍କରେ ଯେଉଁ ବିରୋଧାତ୍ମକ ଆଭାସ ଦେଇଛନ୍ତି, ତାହା ସର୍ବକାଳୀନ ସତ୍ୟ ବୋଲି ମନେ ହୋଇଥାଏ। ପ୍ରତ୍ୟେକ କାଳଖଣ୍ଡ ଆଲୋକ ଓ ଅନ୍ଧାର, ହର୍ଷ ଓ ବିଷାଦ, ଆଶା ଓ ନିରାଶା, ବିଶ୍ବାସ ଓ ନିର୍ବୋଧତା- ଏ ସବୁର ଏକ ଫେଣ୍ଟାଫେଣ୍ଟି କୋଲାଜ୍‌। ଗୋଟିଏ ନୂତନ ବର୍ଷର ଅୟମାରମ୍ଭରେ ମଣିଷ ନୂତନ ସୂ​‌େ​‌ର୍ଯ୍ୟାଦୟର ସ୍ତୁତି ବନ୍ଦାପନା ଆରମ୍ଭ କରି ଦେଇଥାଏ ଏକ ଦୂରନ୍ତ ପ୍ରତ୍ୟାଶା ରଖି। ସେ ପ୍ରତ୍ୟାଶା ହେଉଚି- ଏ ଯେଉଁ ନୂତନ କାଳଖଣ୍ଡଟି ଧରାପୃଷ୍ଠରେ ଅବତୀର୍ଣ୍ଣ ହେବାକୁ ଯାଉଛି ଏହା ଜୀବନ ଓ ଜଗତ ପାଇଁ ଶୁଭଙ୍କର, କଲ୍ୟାଣକର ହେଉ; ଯନ୍ତ୍ରଣା, ବିଷାଦ, ନିରାଶା, ଅନ୍ଧାର ଓ ନିର୍ବୋଧତାର ଅନ୍ତ ଘଟୁ; ଜୀବନ ମଞ୍ଚ ପଞ୍ଚଜନ୍ୟ ଶଙ୍ଖନାଦରେ ମନ୍ଦ୍ରିତ ହେଉ; ସ୍ବାହା, ସ୍ବସ୍ତିର ଉଚ୍ଚାରଣରେ ମାନବର ଅନ୍ତଃସତ୍ତାରେ ପାବନୀ ଜାହ୍ନବୀର ଅମୃତ ଝରଣ ସମ୍ଭବ ହେଉ; କିନ୍ତୁ ଏ ଆଶା, ପ୍ରତ୍ୟାଶା ତା’ର ପରାହତ ହିଁ ହୋଇଥାଏ। ମଣିଷ ବଞ୍ଚୁଥିବା ପ୍ରତିଟି ମୁହୂର୍ତ୍ତ, ପ୍ରତିଟି କାଳଖଣ୍ଡରେ ଦୁଃଖ, ବିଷାଦ, ବେଦନା ଓ ଯନ୍ତ୍ରଣାର ଅକ୍‌ଟୋପସୀୟ ପ୍ରଭାବ ପୂର୍ବବତ୍‌ ରହିଥାଏ, ରହିଥାଏ ବି କିଛିଟା ସୁଖ, କିଛିଟା ଆଲୋକର ବିଚ୍ଛୁରଣ। ଡିକେନ୍‌ସଙ୍କ ସହ ସମସ୍ବରରେ ଆ​‌େ​‌ମ ସବୁବେଳେ କହୁଥିବା ଏଇଟି ହେଉଛି ଉଭୟ ଶ୍ରେଷ୍ଠତମ ଓ ନିକୃଷ୍ଟତମ କାଳଖଣ୍ଡ। ତେବେ, ସମସ୍ୟାଟି ହେଉଛି- ଯାହା କିଛି ଜୀବନରେ ନିକୃଷ୍ଟତମ, ଅମାଅନ୍ଧକାରମୟ ଓ ଦୁଃଖବିଷାଦଭରା- ତାହା ହିଁ ଆମକୁ ସବୁବେଳେ ଉଦ୍‌ବିଗ୍ନ, ଉଦ୍‌ବାସ୍ତୁ କରିଥାଏ। ଆଶା ଓ ଉଲ୍ଲାସର ଯେଉଁ କ୍ଷୀଣତମ ଆଭାସ ରହିଥାଏ, ତା’ର ପ୍ରଭାବ କ୍ଷଣସ୍ଥାୟୀ ହୋଇଥାଏ। ସେଇଥିପାଇଁ ବେଶ୍‌ କେତେକ ଗୂଢ଼ଚିନ୍ତକ, ପ୍ରଭାବଶାଳୀ ଦାର୍ଶନିକ ଜୀବନ ଓ ଜଗତର ଅନ୍ଧାରଗୁଡ଼ାକୁ ଆମକୁ ବାରମ୍ବାର ଦେଖାଇ ଦେଇଛନ୍ତି ଓ ଘୋର ନୈରାଶ୍ୟ ଭାବନା, ​‌େ​‌ଘାର ବିଷାଦ ଭାବନା ହିଁ ମଣିଷର ଚେତନାଗତ ତଥା ମାନସିକ ଅବସ୍ଥା ବୋଲି କହିଛନ୍ତି। ଠିକ୍‌ ସେହିଭଳି ବହୁ ଦାର୍ଶନିକ, ଧର୍ମବେତ୍ତା, ସାହିତ୍ୟସାଧକ ଜୀବନ ଓ ଜଗତ ଭାରି ଆନନ୍ଦମୟ,ମଙ୍ଗଳମୟ, ମଧୁମୟ ବୋଲି କହି ଏକ ଆପୋଷହୀନ ସକାରାତ୍ମକ ଦୃଷ୍ଟିଭଙ୍ଗୀ ଖୁବ୍‌ ସଚେତନ ଭାବରେ ଆପଣାଇ ନେଇଛନ୍ତି- ଜଣେ ବ୍ରାଉନିଂ ବା ଜଣେ ଲାଇବ୍‌ନିଜ୍‌ଙ୍କ ପରି।

ସଭ୍ୟତାର ଆରମ୍ଭରୁ ମଣିଷର ଚିନ୍ତାରାଜ୍ୟ ଏଇପରି ଦୁଇ ବିପରୀତମୁଖୀ ଜୀବନ ଦୃଷ୍ଟିକୋଣ ପୋଷଣ କରିଅଛି। ତେବେ, ଊନବିଂଶ ଶତାବ୍ଦୀର ମହାନ୍‌ ଜର୍ମାନ୍‌ ଦାର୍ଶନିକ ସୋପେନ୍‌ହାୱାର୍‌ ସର୍ତ୍ତହୀନ, ଅବିମିଶ୍ର ଆଶାବାଦୀ ଦୃଷ୍ଟିକୋଣର ଘୋର ସମାଲୋଚକ ଥିଲେ। ଦାର୍ଶନିକ ଲାଇବ୍‌ନିଜ୍‌ଙ୍କ ପରି ସେ ଏ ଜଗତକୁ ଅନ୍ୟ ସମସ୍ତ ସମ୍ଭାବ୍ୟ ଜଗତ ଭିତରେ ସବୁଠାରୁ ଶ୍ରେଷ୍ଠ ଓ ଉତ୍ତମ ବୋଲି କହିବାକୁ କୁଣ୍ଠିତ ହୋଇଥିଲେ। ତାଙ୍କ ମତରେ ଜୀବନଟା ହେଉଛି କେବଳ ଶେଷହୀନ ସଂଘର୍ଷ- ବାହ୍ୟ ପ୍ରକୃତି ଓ ଅନ୍ତଃପ୍ରକୃତି ସହ। ସୁଖ ଓ ସନ୍ତୋଷ ପାଇଁ ମଣିଷର ଯେଉଁ ଦୁର୍ବାର ଇଚ୍ଛାଶକ୍ତି ଥାଏ, ତାହା ପ୍ରତି ପଦକ୍ଷେପରେ ଅପ୍ରତିରୋଧ୍ୟ ବାଧାବିଘ୍ନର ସମ୍ମୁଖୀନ ହୋଇଥାଏ ଓ ଏଇ ପ୍ରତିରୋଧ, ଏଇ ସଂଘର୍ଷରୁ ସୃଷ୍ଟି ହୋଇଥାଏ ସକଳ ଦୁଃଖ ଓ ବିଷାଦବୋଧ। ଆମେ ଇଚ୍ଛା କରୁ, କାମନା କରୁ, କିନ୍ତୁ କୌଣସି ଇଚ୍ଛା, କୌଣସି କାମନାର ପରିପୂର୍ତ୍ତିରେ ଆମକୁ ସୁଖସନ୍ତୋଷ ମିଳିନଥାଏ। ତେଣୁ ଠିକ୍‌ ବୁଦ୍ଧଙ୍କ ପରି ସୋପେନ୍‌ହାୱାର କହନ୍ତି- ମଣିଷ କାମନାବାସନାର ଜାଲ ବୁଣିବୁଣି ସେଇଥିରେ ଆପଣାକୁ ରୁନ୍ଧି, ଛନ୍ଦି ଚାଲିଥିବ। ଗୋଟିଏ କାମନାର ପୂର୍ତ୍ତିରେ ଆଉ ଗୋଟିଏ କାମନାର ତେଜୀୟାନ ଶିଖା ଆମକୁ ଦଗ୍‌ଧ କରିବା ଆରମ୍ଭ କରି ଦେଉଥିବ।

ସୋପେନ୍‌ହାୱାରଙ୍କ ବିଷାଦବାଦ ଦୁଇଟି ଅବବୋଧରୁ ସୃଷ୍ଟ। ପ୍ରଥମଟି ହେଉଛି ଅନ୍ତଃଦର୍ଶନ, ଅନ୍ତର୍ନିରୀକ୍ଷଣରୁ ପ୍ରାପ୍ତ ହୋଇଥିବା ଜ୍ଞାନ, ଯାହା ଆମକୁ ଜଣାଇ ଦେଇଥାଏ ଯେ ଶେଷହୀନ କାମନା ବାସନାରେ ଜର୍ଜରିତ ହୋଇଚାଲିବା ମଣିଷ ଆମେ ଓ ଆମର ବୁଦ୍ଧି, ବିବେକ, ବିଚାରଶୀଳତାକୁ ନିଷ୍ପ୍ରଭ କରି ଦେଉଥିବା ସହସ୍ର ପ୍ରବୃତ୍ତି ଧାରଣ କରି ଆମର ଜନ୍ମ। ତାଙ୍କର ଦ୍ବିତୀୟ ଅବବୋଧଟି ବାହ୍ୟଜଗତର ପର୍ଯ୍ୟବେକ୍ଷଣରୁ ସୃଷ୍ଟ। ତାଙ୍କ ମତରେ ଆମେ ଯେତେବେଳେ ଆମ ଚାରିପାଖର ଲୀଳାଖେଳାକୁ ଦରଦୀ ପ୍ରାଣନେଇ ଦେଖୁ, ସେତେବେଳେ ଆମେ କସ୍ମିନ୍‌କାଳେ ଏ ଜଗତକୁ ନିଖୁଣ ଓ ମଙ୍ଗଳମୟ ବୋଲି କହିପାରିବା ନାହିଁ।

ସୋପେନ୍‌ହାୱାର ତେଣୁ କହୁଥିଲେ: ତଥାକଥିତ ବିମଳ ଆନନ୍ଦ, ବିମଳ ସୁଖଉଲ୍ଲାସର ଅନ୍ଧକାମନା, ଅନ୍ଧ ଅନୁଧାବନ କରିବା ଅପେକ୍ଷା ଏଇ ନିରାଶା-ଜର୍ଜରିତ, ବିଷାଦ-ବିକ୍ଷୁବ୍ଧ ଜୀବନ କିପରି ଟିକିଏ ଅଧିକ ସହଜ, ଅଧିକ ସ୍ବଚ୍ଛନ୍ଦ ହୋଇପାରିବ, ସେ ମାର୍ଗର ସନ୍ଧାନ କରିବାକୁ ହେବ। ସେ ଦୃଢ଼ଭାବରେ କହୁଥିଲେ ଯେ ଯେହେତୁ ସମସ୍ତ ପ୍ରକାର ସୁଖ ଓ ଆନନ୍ଦ କେବଳ କଳ୍ପନା ସ୍ତରରେ ହିଁ ଥାଏ, ସେଥିପାଇଁ ଆମେ ସେଇ ମରୀଚିକା ସୁଖ ଆନନ୍ଦର ଅନୁଧାବନ କରି ବାରମ୍ବାର ମୋହଭଙ୍ଗଜନିତ ଅବସାଦରେ ପୀଡ଼ିତ ହେବାନାହିଁ। ଆମକୁ ଯେତେବେଳେ ଏଇ ବିରୋଧାଭାସପୂର୍ଣ୍ଣ, ପ୍ରହେଳିକାମୟ ଓ ମୂଳତଃ ଯନ୍ତ୍ରଣାଦଗ୍‌ଧ ଜଗତରେ ବଞ୍ଚିବାକୁ ହେବ, ଆମକୁ ଆମର ଯାତ୍ରାପଥରେ ବେଳେବେଳେ ମିଳୁଥିବା ପାରଦ-ତରଳ ଆଶ୍ବସ୍ତି, ବିଶ୍ରାନ୍ତିକୁ ଠିକେଠିକେ ଚିହ୍ନି ନେବାକୁ ହେବ ଓ ସେଇଥିରୁ ହିଁ କିଛିଟା ସୁଖ, କିଛିଟା ହାଲ୍‌କା ଭାବକୁ ସାଉଣ୍ଟିବାକୁ ହେବ। ସଂଯତେନ୍ଦ୍ରିୟ (‌େ​‌ଷ୍ଟାଇକ୍‌) ଦାର୍ଶନିକମାନଙ୍କ ପରି ଆମକୁ ଜଗତରେ ସକଳ ନିକୃଷ୍ଟତମ, ସକଳ ବିକୃତି ବିରୋଧାଭାସକୁ ଅଙ୍ଗୀକାର କରି ବଞ୍ଚିବାକୁ ହେବ; ନୈରାଶ୍ୟ ଓ ବିଷାଦବୋଧକୁ ସ୍ବୀକାରକରି ଜୀବନ ଓ ଜଗତ ପାଇଁ ଶାନ୍ତିପାଠ କରିବାକୁ ହେବ। ଆମେ ଯେଉଁ ପ୍ରକୃତିଦତ୍ତ ଓ ପ୍ରବୃତ୍ତିଗତ ବୋଝ ଧରି ଆସିଛେ, ସେ ବୋଝକୁ ଗ୍ରୀକ୍‌ ପୁରାକଥାର ସିସିଫସ୍‌ଙ୍କ ପରି ନିର୍ବିକାର ଭାବରେ ବୋହିବାକୁ ହେବ। ଅସ୍ତିତ୍ବବାଦୀ ଦାର୍ଶନିକମାନେ କହିଥିବା ପରି ଜୀବନର ଅର୍ଥହୀନତା, ଉଦ୍‌ଭଟତା, ବିଷାଦମୟତା ସମ୍ପର୍କରେ ସଂପୂର୍ଣ୍ଣ ସଚେତନ ରହି ଆମକୁ ଆମ ଜୀବନର ଓ ଆମ ଜଗତର ଦାୟିତ୍ବ ନେବାକୁ ହେବ। ଏ ଜୀବନଦୃଷ୍ଟି, ଏ ଜୀବନଦର୍ଶନକୁ ଆପଣାଇ ନେବା ଛଡ଼ା ଅନ୍ୟ ପନ୍ଥା, ଅନ୍ୟ ବିକଳ୍ପ ନାହିଁ।

Comments are closed.