Patra electronics

ବ୍ୟାଙ୍କରେ ଜମି; ଲୋକେ ନିଃସ୍ବ

ଦେବରଞ୍ଜନ

ଲୋକଙ୍କ ପାଇଁ ଜମି ହେଲା ଜୀବିକା, ଜମି ହେଲା ସଂସ୍କୃତି; କିନ୍ତୁ ଜମି ବିକିଲେ ଟଙ୍କା, ଜମିକୁ ରଖି ବନ୍ଧକ ଓ ଜମିକୁ ଦେଖାଇ ଜାମିନ ମଧ୍ୟ। ସରକାରୀ ନିୟମରେ ଜମି ହେଲା ସମ୍ପତ୍ତି; ହେଲେ ଜମି ତ ସୁନା କି ଗହଣା ନୁହେଁ ଯେ ବ୍ୟାଙ୍କ ଲକର ମଧ୍ୟରେ ରଖାଯାଇ ପାରିବ? ତେବେ ‘ଲ୍ୟାଣ୍ଡବ୍ୟାଙ୍କ’ କ’ଣ? ରାଜ୍ୟ ସରକାରଙ୍କ ଦୃଷ୍ଟିରେ ଲ୍ୟାଣ୍ଡବ୍ୟାଙ୍କର ଅର୍ଥ ହେଲା ଯେ ଜିଲାପାଳଙ୍କ ଅଧୀନରେ ଲ୍ୟାଣ୍ଡବ୍ୟାଙ୍କ ନାମକ ରେକର୍ଡ ପ୍ରସ୍ତୁତ ରହିବ, ଯେଉଁଥିରେ ଜିଲାର ସମସ୍ତ ସରକାରୀ, ଗୋଚର, ଜଙ୍ଗଲଜମି ଓ ବ୍ୟକ୍ତିଗତ ଜମିର ତାଲିକା ଲିପିବଦ୍ଧ ହୋଇ ରହିବ। ଯେତେବେଳେ ଆବଶ୍ୟକ ହେଲା ତୁରନ୍ତ ୯୯ବର୍ଷ ଲିଜ ପଟ୍ଟାରେ ଜମି ଜିଲାର ଜିଲାପାଳ ନିଜ ଜିଲାରେ ଯୋଗାଇଦେବେ। ଏହା ଜିଲାପାଳଙ୍କ ଇଚ୍ଛାଧୀନ ବିଷୟ ନୁହେଁ। ଏଥିଲାଗି ରାଜ୍ୟ ସରକାରଙ୍କ ଅନୁମୋଦନ ଆବଶ୍ୟକ।

ଏଥିରୁ ଏହା ସ୍ପଷ୍ଟ ଯେ ରାଜ୍ୟ ସରକାର ଯାହାଙ୍କୁ ଯୋଗ୍ୟ ମନେ କରିବେ ଲ୍ୟାଣ୍ଡବ୍ୟାଙ୍କରୁ କେବଳ ତାହାଙ୍କୁ ହିଁ ଜମି ଦିଆଯାଇପାରିବ। ଯେମିତି ବ୍ୟାଙ୍କ ଲାଗି ଯିଏ ଯୋଗ୍ୟ ତାହାଙ୍କୁ ହିଁ ଋଣ ଦିଆଯାଇ ପାରିବ। ୨୦୨୦ ମସିହାର ତଥ୍ୟ ଅନୁସାରେ ରାଜ୍ୟରେ ସାତଲକ୍ଷ ଜମିହୀନ ପରିବାର ରହିଛନ୍ତି; କିନ୍ତୁ ଜମିହୀନକୁ ଜମି, ଲୋକଙ୍କ ଲାଗି ସ୍କୁଲ, ଡାକ୍ତରଖାନା ପ୍ରତିଷ୍ଠା ଲାଗି ଲ୍ୟାଣ୍ଡବ୍ୟାଙ୍କରୁ ଜମି ହସ୍ତାନ୍ତରଣ ଏଥିରେ ରହିଥିବା ଜମି ତୁଳନାରେ ନଗଣ୍ୟ। ଲ୍ୟାଣ୍ଡବ୍ୟାଙ୍କର ଜମି ଉପରେ କମ୍ପାନୀଗୁଡ଼ିକର ସତେଯେମିତି ଅଲିଖିତ ଅଧିକାର ରହିଛି। ରାଜ୍ୟ ସରକାରଙ୍କ ‘ଗୋପ୍ଲସ’ ଯୋଜନାରେ ବିଦେଶୀ କମ୍ପାନୀଟିଏ ରାୟଗଡା କି କଳାହାଣ୍ଡି ଜିଲାରେ କମ୍ପାନୀ ସ୍ଥାପନ ଲାଗି କେତେ ଜମି ରହିଛି ତାହା ବିଦେଶରେ ଥାଇ ଜାଣିପାରୁଛି; କିନ୍ତୁ ସେସବୁ ଜିଲାର ଜମିହୀନ ଲୋକ ଦୀର୍ଘବର୍ଷ ହେଲା ଜମି ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ କେବେ ଜମି ମିଳିବ ତାହା ସ୍ପଷ୍ଟ ହୋଇପାରୁନାହିଁ। ଓଡ଼ିଶା ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟ(୨୦୨୧-୨୨)ରେ ଗୋଟିଏ ପଟରେ ସ୍ବୀକାର କରାଯାଉଛି ଯେ ରାଜ୍ୟରେ ୪,୧୨,୭୫୭ ପରିବାର ଭୂମିହୀନ ଥିବା ହେତୁ ‘ସମସ୍ତଙ୍କୁ ଗୃହ ଯୋଜନା’ (HFAPOA)ରେ ଗୃହ ଯୋଗାଇ ଦିଆଯାଇପାରୁ ନାହିଁ। ଅନ୍ୟପଟରେ କମ୍ପାନୀଙ୍କ ଲାଗି ଲ୍ୟାଣ୍ଡ୍‌ବ୍ୟାଙ୍କରେ ସମୁଦାୟ ୧,୩୧,୮୫୨ ଲକ୍ଷ ଏକର ଜମି ଗଚ୍ଛିତ ଥିବାର ଏକ ଲୋଭନୀୟ ଚିତ୍ର ଦିଆଯାଉଛି।

ସ୍ବାଧୀନତା ପରେ ଦେଶରେ ହୋଇଥିବା ସମସ୍ତ ବନ୍ଧ, କାରଖାନା ଓ ଅନ୍ୟ ବୃହତ୍‌ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ବ୍ରିଟିଶ ସମୟର ‘ଭୂ-ଅଧିଗ୍ରହଣ ଆଇନ, ୧୮୯୪’ ନିୟମ ଅନୁସାରେ କରାଯାଉଥିଲା। ଏଥିରେ ଜମି ହରାଉଥିବା ବ୍ୟକ୍ତିର ନିଜ ଜମି ଉପରେ କୌଣସି ଅଧିକାର ନରହୁଥିବା କାରଣରୁ ବୃହତ୍‌ ପ୍ରକଳ୍ପ ବିପକ୍ଷରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିସ୍ଥାପନ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଏଥିଲାଗି କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ବାଧ୍ୟ ହୋଇ ନୂତନ ଭୂ-ଅଧିଗ୍ରହଣ ଆଇନ, ୨୦୧୩ ପାର୍ଲାମେଣ୍ଟରେ ଗୃହୀତ କରାଇଥିଲେ। ଯଦିଓ ଜନ ଆନ୍ଦୋଳନର ମୂଳ ଉଦ୍ଦେଶ୍ୟ ନଥିଲା ଥଇଥାନ ଓ କ୍ଷତିପୂରଣ, ତଥାପି କଂଗ୍ରେସ ସରକାର ଜମି ଅଧିଗ୍ରହଣ ଆଇନକୁ ପୁନର୍ବାସ ଓ ଥଇଥାନ ଆଇନ ନାମରେ ନାମିତ କରିଥିଲେ।

ପୁରୁଣା ଆଇନରେ ନିଜର ଅଧିକାର ସୁରକ୍ଷିତ ନହେବା କାରଣରୁ ଓଡ଼ିଶାର ଅନେକ ପ୍ରାନ୍ତରେ ଲୋକେ ବୃହତ୍‌ ପ୍ରକଳ୍ପକୁ ସଂପୂର୍ଣ୍ଣ ବିରୋଧ କରିଆସୁଥିଲେ। ଏଥିଲାଗି ନୂତନ ଭୂ-ଅଧିଗ୍ରହଣ ଆଇନ, ୨୦୧୩ ଧାରା ୧୦୧ରେ ଉଲ୍ଲେଖ ରହିଲା, ‘ଯଦି କୌଣସି ପ୍ରକଳ୍ପ ଲାଗି ଜମି ଅଧିଗୃହୀତ ହୋଇଛି ଅଥଚ ଦୀର୍ଘ ପାଞ୍ଚବର୍ଷ ପର୍ଯ୍ୟନ୍ତ ସେହି ପ୍ରକଳ୍ପ ନିଜର ଭିତ୍ତି ପ୍ରସ୍ତର ସ୍ଥାପନ କରିପାରିଲା ନାହିଁ ତେବେ ସେହି ଜମିକୁ ଏହାର ‘ମୂଳମାଲିକ ବା ମାଲିକ ବା ଆଇନଗତ ଉତ୍ତରାଧିକାରୀଙ୍କୁ’ ଫେରସ୍ତ କରି ଦିଆଯିବ ଓ ବିଶେଷ କ୍ଷେତ୍ରରେ ‘ସରକାରଙ୍କ ଲ୍ୟାଣ୍ଡ୍‌ବ୍ୟାଙ୍କକୁ’ ଫେରାଇ ଦିଆଯିବ। ଆଜି ବି ଲ୍ୟାଣ୍ଡ୍‌ବ୍ୟାଙ୍କ ଲାଗି ଏକମାତ୍ର ଆଇନଗତ ସମର୍ଥନ ହେଲା ଜମି ଅଧିଗ୍ରହଣ ଆଇନ, ୨୦୧୩ର ଧାରା ୧୦୧। ଲ୍ୟାଣ୍ଡ୍‌ବ୍ୟାଙ୍କ ଲାଗି ଏତଦ୍‌ ବ୍ୟତୀତ ଅନ୍ୟ କୌଣସି ଆଇନଗତ ପ୍ରାବଧାନ ବର୍ତ୍ତମାନ ପର୍ଯ୍ୟନ୍ତ ନାହିଁ। ନୂତନ ଭୂ-ଅଧିଗ୍ରହଣ ଆଇନ, ୨୦୧୩ ଏ ସମ୍ପର୍କରେ କହେ, ‘ଲ୍ୟାଣ୍ଡ୍‌ବ୍ୟାଙ୍କ କହିଲେ ସରକାରୀ ଅଧିକୃତ, ଅବ୍ୟବହୃତ ଓ ଟିକସ-ଅପ୍ରାପ୍ତ ଜମି’; ଅର୍ଥାତ୍‌ ସମସ୍ତ ଜମି ଲ୍ୟାଣ୍ଡ ବ୍ୟାଙ୍କ ଅଧୀନକୁ ଆସିବ ନାହିଁ। କେବଳ ସରକାରୀ ଅଧିକୃତ, ଅବ୍ୟବହୃତ ଓ ଟିକସ-ଅପ୍ରାପ୍ତ ଜମି ହିଁ ଲ୍ୟାଣ୍ଡ୍‌ବ୍ୟାଙ୍କକୁ ଆସିବା କଥା। କୌଣସି ଚାଷଜମି, ବ୍ୟକ୍ତିଗତ ଜମି, ଗ୍ରାମ୍ୟ ଜଙ୍ଗଲ ଆଦି ଆସିବା କଥା ନୁହେଁ।

କୌଣସି କେନ୍ଦ୍ରୀୟ ଆଇନକୁ କାର୍ଯ୍ୟକାରୀ କରିବାକୁ ହେଲେ ରାଜ୍ୟ ସରକାର ଅନୁରୂପ ନିୟମ ବା ରୁଲ୍ସ ତିଆରି କରିବା ସାମ୍ବିଧାନିକ ବିଧି ପ୍ରଚଳିତ ରହିଛି। ତେଣୁ ଓଡ଼ିଶା ସରକାର ଯେବେ ଭୂ-ଅଧିଗ୍ରହଣ ନିୟମ, ୨୦୧୩ର ରୁଲ୍ସ ୨୦୧୫ ମସିହାରେ ତିଆରି କଲେ, ଏଥିରେ ଅତି ସନ୍ତର୍ପଣର ସହିତ ଉଭୟ ସରକାରୀ ଓ ବେସରକାରୀ ଜମିକୁ ଜିଲାର ଲ୍ୟାଣ୍ଡବ୍ୟାଙ୍କ ତାଲିକାଭୁକ୍ତ କଲେ। ପ୍ରତି ଜିଲାରେ ଅଧିକ ଜମି ଲ୍ୟାଣ୍ଡ ବ୍ୟାଙ୍କରେ ଗଚ୍ଛିତ ରହିବା ଲାଗି ଜିଲାର ଜିଲାପାଳମାନଙ୍କ ମଧ୍ୟରେ ଏକ ପ୍ରକାରର ପ୍ରତିଯୋଗିତା ଚାଲିଛି। ବ୍ୟକ୍ତିଗତ ଜମି, ଗୋଷ୍ଠୀଗତ ଜମି, ପତିତ ଜମି, ଦୋ ଫସଲି ଜମି ଇତ୍ୟାଦି ସମସ୍ତ କିସମର ଜମି ଲ୍ୟାଣ୍ଡବ୍ୟାଙ୍କରେ ଗଚ୍ଛିତ ରହୁଛି। ଏପରି କି କୌଣସି କମ୍ପାନୀ ଲୋକଙ୍କ ଚାଷ ଜମି କିଣିଥିଲେ ମଧ୍ୟ ପାଞ୍ଚ ବର୍ଷ ମଧ୍ୟରେ କମ୍ପାନୀ ପ୍ରତିଷ୍ଠା କରିନପାରି ଚାଲିଗଲେ ତାହାର ଜମି ଆଉ ପ୍ରକୃତ ଚାଷୀକୁ ନଦେଇ ସରକାର ଲ୍ୟାଣ୍ଡବ୍ୟାଙ୍କରେ ରଖୁଛନ୍ତି। ଜଗତସିଂହପୁର ଜିଲାରେ ପୋସ୍କୋ ପରେ ଜିନ୍ଦଲକୁ ସେହି ଜମି ସହଜରେ ଉପଲବ୍ଧ ହୋଇଗଲା। ଏହା କିନ୍ତୁ ମୂଳ ଭୂ-ଅଧିଗ୍ରହଣ ଆଇନ, ୨୦୧୩ର ବିରୁଦ୍ଧାଚରଣ କରୁଛି।

କେବଳ ଓଡ଼ିଶାର ଅମଲାତନ୍ତ୍ର ଏହି ଚାଲାକି କରିନାହାନ୍ତି! ଭୂ-ଅଧିଗ୍ରହଣ ଆଇନ, ୨୦୧୩ ଗୃହୀତ ହେବାର ପ୍ରଥମ ଦୁଇ ବର୍ଷ ମଧ୍ୟରେ ଝାଡଖଣ୍ଡ, ସିକ୍କିମ ଓ ମେଘାଳୟ ଏବଂ ପରେପରେ ହରିୟାଣା (୨୦୧୭), ଆନ୍ଧ୍ରପ୍ରଦେଶ (୨୦୧୮) ଓ କର୍ଣ୍ଣାଟକ (୨୦୧୯) ଇତ୍ୟାଦି ରାଜ୍ୟ ମୂଳ ଭୂ-ଅଧିଗ୍ରହଣ ଆଇନ, ୨୦୧୩ ଆଇନର ଧାରା ୧୦୧କୁ ସଂପୂର୍ଣ୍ଣ ଉଚ୍ଛେଦ କରିଦେଇ ସମସ୍ତ ଜମି ‘ଲ୍ୟାଣ୍ଡବ୍ୟାଙ୍କ’କୁ ହସ୍ତାନ୍ତର କରିବା ଲାଗି ଉଲ୍ଲେଖ କଲେ। ଫଳରେ, ଅଘୋଷିତ ଭାବରେ ଆଜି ଦେଶ ବିଦେଶର ବଡ଼ବଡ଼ କମ୍ପାନୀ ଏକପ୍ରକାର ଜମି ମାଲିକ ପାଲଟିଛନ୍ତି, ଏ ଦେଶର ଜନ ସାଧାରଣ ନୁହନ୍ତି। ବିଶ୍ବାସ କରାଯାଏ ଯେ କମ୍ପାନୀଙ୍କ ଚାପରେ ରାଜ୍ୟଗୁଡ଼ିକ ଏଭଳି ଗର୍ହିତ କାର୍ଯ୍ୟ କରିଛନ୍ତି ଓ ସମସ୍ତଙ୍କୁ ଅନ୍ଧାରରେ ରଖି ଦେଇଛନ୍ତି। ‘ମେରେ ଦେଶ୍‌ କୀ ଧର୍‌ତି’ରେ ଆଉ ସୁନା ଫଳିବାର ନାହିଁ। ଯଦି ଫଳିବେ ତେବେ ଅର୍ବୁଦପତିମାନେ ହିଁ ଫଳିବେ!

ସମଗ୍ର ଦେଶରେ ପ୍ରଥମେ ଲ୍ୟାଣ୍ଡ୍‌ବ୍ୟାଙ୍କର କଳ୍ପନା ଓଡ଼ିଶା ସରକାରଙ୍କ ନୂତନ ଶିଳ୍ପ ନୀତି ୨୦୦୧ରୁ ଆରମ୍ଭ ହୋଇଥିଲା। ସେହି ବର୍ଷ ଜାତିସଂଘ କିନ୍ତୁ ଓଡ଼ିଶା ସରକାରଙ୍କ ନୂତନ ଶିଳ୍ପ ନୀତିରେ (୨୦୦୧) ଲ୍ୟାଣ୍ଡ ବ୍ୟାଙ୍କ ଅଧୀନରେ କୃଷି ଜମି ହସ୍ତାନ୍ତର ପ୍ରସ୍ତାବକୁ ଦୃଢ ଭାବରେ ନିନ୍ଦା କରିଥିଲେ। ଏହା ପରେ ବେଶ୍‌ କିଛି ବର୍ଷ ଏହାକୁ ନେଇ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ୟୁପିଏ ଅଧୀନସ୍ଥ ମନମୋହନ ସିଂହ ସରକାର ରାଜ୍ୟଗୁଡ଼ିକୁ କମ୍ପାନୀଙ୍କ ସହିତ ସ୍ବାଧୀନ ଭାବରେ ଚୁକ୍ତି କରିବାର ସୁବିଧା ଦେବା ଲାଗି ୨୦୧୦ ମସିହାରେ ବିଶ୍ବ ପୁଞ୍ଜି ଲଗାଣକାରୀ ସମ୍ମିଳନୀ ବା World Investors Meet ଆୟୋଜନ କରିଥିଲେ। ସମ୍ଭବତଃ ଏହା ବିଶ୍ବବ୍ୟାଙ୍କର ପ୍ରସ୍ତାବ ଥିଲା। ଏହା ପରେ ପ୍ରମୁଖ ରାଜ୍ୟ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ଗୁଜୁରାଟ ନିଜର ଶିଳ୍ପ ନୀତିରେ ଲ୍ୟାଣ୍ଡ ବ୍ୟାଙ୍କ ସମ୍ପର୍କରେ ଉଲ୍ଲେଖ କରିଛନ୍ତି; କିନ୍ତୁ ଏହାର କୌଣସି ନିର୍ଦ୍ଦିଷ୍ଟ ନୀତି ବା ଆଇନଗତ ନି‌େ​ର୍ଦଶ ୨୦୧୩ ପର୍ଯ୍ୟନ୍ତ କୌଣସି ରାଜ୍ୟ ତିଆରି କରିନଥିଲେ।

ଅଧାବାଟରେ ଏଭଳି ରହିଯିବା ବିଶ୍ବବ୍ୟାଙ୍କ ଲାଗି ଅସହଜ ହେଲା। ବିଶ୍ବ ବ୍ୟାଙ୍କ ବିଶ୍ବରେ ବୃହତ୍‌ କମ୍ପାନୀଙ୍କ ଲାଗି କେଉଁ ଦେଶ କେତେ ଅନୁକୂଳ ସେଥିଲାଗି ୨୦୧୦ ମସିହାରୁ ବ୍ୟବସାୟରେ ସହଜ (Easy of doing business) ରାଙ୍କିଙ୍ଗ ପ୍ରକ୍ରିୟା ଆରମ୍ଭ କଲା। ବ୍ୟବସାୟରେ ସହଜ ରାଙ୍କିଙ୍ଗରେ ୨୦୧୧ ମସିହାରେ ବିଶ୍ବର ୧୯୦ ଦେଶ ମଧ୍ୟରୁ ଭାରତ ୧୩୪ ସ୍ଥାନରେ ଥିଲା। ବିଭିନ୍ନ ରାଜ୍ୟ ଉଦ୍ଦେଶ୍ୟରେ ବିଶ୍ବ ବ୍ୟାଙ୍କ ଏହା ପରେ ନିଜର ରିପୋର୍ଟରେ ଉଲ୍ଲେଖ କଲା, ‘ରାଜ୍ୟଗୁଡ଼ିକ ଲ୍ୟାଣ୍ଡ୍‌ବ୍ୟାଙ୍କ ଗଠନ ଲାଗି ଉଦ୍ୟମ କରୁଛନ୍ତି, କିନ୍ତୁ ଏ ଦିଗରେ ସ୍ପଷ୍ଟ ନି‌େ‌ର୍ଦଶାବଳୀର ଆବଶ୍ୟକତା ରହିଛି।’

ଲ୍ୟାଣ୍ଡ୍‌ବ୍ୟାଙ୍କ ପ୍ରକ୍ରିୟା ଉଭୟ ଆମେରିକା ଓ ଇଂଲଣ୍ଡରେ ବିରୋଧ କରାଯାଇଥିବା ସ‌େ‌ତ୍ତ୍ବ ବିଶ୍ବ ବ୍ୟାଙ୍କ ତୃତୀୟ ବିଶ୍ବର ବିଭିନ୍ନ ଦେଶରେ ଏହି ପ୍ରକ୍ରିୟା ଲାଗି ଚାପ ସୃଷ୍ଟି କରିଥିଲା। ଏହି ହେତୁ, ଭୂ-ଅଧିଗ୍ରହଣ ଆଇନ, ୨୦୧୩ରେ ଲ୍ୟାଣ୍ଡ ବ୍ୟାଙ୍କ ଲାଗି ପ୍ରଥମ ଆଇନଗତ ଅନୁମୋଦନ ମିଳିଲା। ସେହି ବର୍ଷ (୨୦୧୩) ବ୍ୟବସାୟରେ ସହଜ ରାଙ୍କିଙ୍ଗରେ ଭାରତ ଉନ୍ନତି ଆଣି ୧୩୪ରୁ ୧୩୨ତମ ସ୍ଥାନକୁ ଚାଲିଆସିଲା। ୨୦୧୫ ମସିହାରେ ଓଡ଼ିଶା ଓ ଝାଡଖଣ୍ଡ ତଥା ୨୦୧୮ ମସିହା ବେଳକୁ ହରିୟାଣା ଓ ଆନ୍ଧ୍ରପ୍ରଦେଶ ସମେତ ଅନେକ ରାଜ୍ୟ ନିଜନିଜ ନିୟମାବଳୀରେ ଲ୍ୟାଣ୍ଡ ବ୍ୟାଙ୍କ ପ୍ରସ୍ତାବକୁ ଅନୁମୋଦନ ଦେଲେ। ଫଳରେ, ୨୦୧୮ ମସିହାର ବିଶ୍ବବ୍ୟାଙ୍କ ପ୍ରସ୍ତୁତ ବ୍ୟବସାୟରେ ସହଜ ରାଙ୍କିଙ୍ଗରେ ଭାରତ ୧୩୨ରୁ ୧୦୦ତମ ସ୍ଥାନକୁ ଚାଲିଆସିଲା ଅର୍ଥାତ୍‌ ଅଧିକରୁ ଅଧିକ ଏହି ଦେଶ ଦେଶୀବିଦେଶୀ କମ୍ପାନୀଙ୍କ ଲାଗି ଅନୁକୂଳ ହେବାରେ ଲାଗିଲା ବୋଲି ବିଶ୍ବବ୍ୟାଙ୍କ ନିଜ ଉଦ୍ଦେଶ୍ୟରେ ସଫଳ ହେବା କାରଣରୁ ଏହାକୁ ପ୍ରମାଣିତ କଲା।

ବିଶ୍ବବ୍ୟାଙ୍କ ପ୍ରସ୍ତାବ କ୍ରମେ ଓଡିଶା ସରକାର ଆଉ ଏକପାଦ ଆଗେଇଯାଇ କେବଳ ଜିଲା ସ୍ତରରେ ନୁହେଁ ପ୍ରତି ସବଡିଭିଜନ ସ୍ତରରେ ଲ୍ୟାଣ୍ଡବ୍ୟାଙ୍କ ଗଠନ ଲାଗି ନିୟମ ବା ରୁଲ୍ସ ତିଆରି କଲେ। ଏଥିରେ ଦୁଇ ଫସଲିଆ ଜଳସେଚିତ ଜମିକୁ ମଧ୍ୟ ଅଧିଗ୍ରହଣ କରାଯିବାର ଲାଗି ରୁଲ୍ସ ୨୦୧୬, ଇଡକୋକୁ ଲ୍ୟାଣ୍ଡବ୍ୟାଙ୍କ ଲାଗି ଆବଶ୍ୟକ ଜମିର ଅନୁସନ୍ଧାନ ଓ ହସ୍ତାନ୍ତର ଅଧିକାର ଦିଆଯିବା ଲାଗି ରୁଲ୍ସ ୨୦୧୯ ପାସ କରାଇଲେ। ଯଦିଓ ଭୂ-ଅଧିଗ୍ରହଣ ଆଇନ, ୨୦୧୩ରେ ଜମି ଅଧିଗ୍ରହଣ ଲାଗି ଦୁଇ ଫସଲିଆ ଚାଷଜମିକୁ ସଂପୂର୍ଣ୍ଣ ବାଦ୍‌ ଦିଆଯିବାର ନିୟମ ରହିଛି, କିନ୍ତୁ ରାଜ୍ୟ ସରକାର ମୂଳ ଆଇନ ବିରୁଦ୍ଧରେ କାର୍ଯ୍ୟ କରି ଚାଲିଛନ୍ତି। ରାଜ୍ୟର ସମସ୍ତ ପ୍ରକାର ଜମିକୁ ଲ୍ୟାଣ୍ଡ୍‌ବ୍ୟାଙ୍କରେ ଗଚ୍ଛିତ କରୁଛନ୍ତି।

ବିଭିନ୍ନ ରାଜ୍ୟ ନୂତନ ଜମି ଅଧିଗ୍ରହଣ ଆଇନ, ୨୦୧୩ର ମୂଳ ଉଦ୍ଦେଶ୍ୟକୁ ବଦଳାଇ ଦେଇଥିବାରୁ ସର୍ବୋଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ରାଜ୍ୟର ଏହି ନୂତନ ସଂଶୋଧନ ସମ୍ବିଧାନର ଧାରା ୧୪ (ସମାନତାର ଅଧିକାର) ଓ ଧାରା ୨୧ (ଜୀବନର ଅଧିକାର) ବିରୋଧାଚରଣ କରୁଛି ବୋଲି ଦର୍ଶାଯାଇଛି; କିନ୍ତୁ ଏହା ଏବେ ବି ବିଚାରାଧୀନ ରହିଛି। ସର୍ବୋଚ୍ଚ ନ୍ୟାୟାଳୟ କୌଣସି ମଧ୍ୟବର୍ତ୍ତୀ ନି​‌େ​‌ର୍ଦଶ ଦେଇନଥିବା କାରଣରୁ ଓଡ଼ିଶା ସରକାର ତଥା ଅନ୍ୟମାନେ ଅତ୍ୟନ୍ତ ଅମାନୁଷିକ ଭାବରେ ବର୍ଷବର୍ଷର ଚାଷଜମି, ଜଙ୍ଗଲ ଜମି ଓ ଗୋଷ୍ଠୀ ଜମି ଉପରେ ଶିଳ୍ପକାରଖାନା ବସାଇବା ଲାଗି ବୃହତ୍‌ କମ୍ପାନୀଙ୍କୁ ଲିଜ ଦେଇ ଚାଲିଛନ୍ତି।

କେନ୍ଦ୍ର ସରକାରଙ୍କ ନୂତନ ଭୂ-ଅଧିଗ୍ରହଣ ଆଇନ (୨୦୧୩)ରେ ଲ୍ୟାଣ୍ଡ ବ୍ୟାଙ୍କ ପ୍ରସ୍ତାବ ଅତି ସନ୍ତର୍ପଣତାର ସହିତ ପ୍ରବେଶ କରିବା ପରେ ଓଡ଼ିଶା ସମେତ ଅନେକ ରାଜ୍ୟରେ ଅମଲାତନ୍ତ୍ର ଲାଗି ଏହା ଏକ ଆୟୁଧ ପାଲଟିଗଲା। ଦେଶରେ ଜନ ଆନ୍ଦୋଳନଗୁଡ଼ିକ ଦୀର୍ଘ ବର୍ଷର ଲଢେଇ ପରେ ଭୂ-ଅଧିଗ୍ରହଣ ଆଇନ (୨୦୧୩) ଗୃହୀତ କରାଇ ପାରିଥିଲେ। ଲ୍ୟାଣ୍ଡ୍‌ବ୍ୟାଙ୍କ ଭଳି ପ୍ରଶାସନିକ ଚାଲାକିରେ ସେମାନେ ଏବେ ପୁଣି କେତେ ବର୍ଷ ଲାଗି ପଛକୁ ଚାଲିଗଲେ। ଏବେ ଲ୍ୟାଣ୍ଡ୍‌ବ୍ୟାଙ୍କ ପ୍ରସ୍ତାବ ସଂପୂର୍ଣ୍ଣ ଉଚ୍ଛେଦ ଲାଗି ସେମାନଙ୍କୁ ଦାବି କରିବାକୁ ପଡୁଛି। ସତରେ! ଏହି ତତ୍ପରତା ସରକାର ଯଦି ଜମିହୀନ ପରିବାର ଲାଗି ଦେଖାଇଥାନ୍ତେ ତେବେ ରାଜ୍ୟରେ ଦାଦନର ଚିତ୍ର ଭିନ୍ନ ହୋଇଥାନ୍ତା। ଶିଳ୍ପ ବିକାଶର ସ୍ବପ୍ନ ସମସ୍ତଙ୍କୁ ଦିଶାଶୂନ୍ୟ ଓ ନୀତିଶୂନ୍ୟ କରିଛି।

Comments are closed.