ପଥରରେ ଛେଚି ଯୁବକଙ୍କୁ ହତ୍ୟା

0

କଲମପୁର :  କଳାହାଣ୍ଡି ଜିଲା କଲମପୁର ବ୍ଲକ ବିଜମରା ପଞ୍ଚାୟତ ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମର ଜଣେ ଯୁବକଙ୍କୁ ବିଜମରା ଡୁମେରମୁଣ୍ଡା ମୁଖ୍ୟ ରାସ୍ତାର ଏକ ବିଲ ମଧ୍ୟରେ ପଥରରେ ଛେଚି ହତ୍ୟା କରିଥିବା ଜଣାପଡିଛି। ପ୍ରାପ୍ତ ସୂଚନାଅନୁଯାୟୀ କଲମପୁର ବ୍ଲକ ଅଧିନସ୍ଥ ବିଜମରା ପଞ୍ଚାୟତ ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମର ସତ୍ୟ ନାରାୟଣ ମାଝୀଙ୍କ ୨୦ ବର୍ଷିୟ ପୁଅ କୈଳାଶ ସବୁଦିନ ଭଳି ଶନିବାର ଭୋର ସମୟରେ ମର୍ଣ୍ଣିଂୱାକ ପାଇଁ ଡୁମେରମୁଣ୍ଡା ବିଜମରା ରାସ୍ତାରେ ଯାଇଥିଲା। ଏହି ସମୟରେ କିଛି ଯୁବକ ତାକୁ ସଂଘବଦ୍ଧ ଭାବେ ଆକ୍ରମଣ କରି ରାସ୍ତା କଡରେ ଥିବା ଜମି ତଳକୁ ଠେଲି ଦେଇଥିଲେ। ମୁହଁ ମାଡି ଜମିରେ ପଡିଯିବା ପରେ ତା ମୁଣ୍ଡ ଉପରେ ପଥର ଛେଚି ଦେବାରୁ ଉକ୍ତ ଯୁବକଟି ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲା। ସକାଳ ହେବା ପରେ ଏ ରାସ୍ତା ଦେଇ ଲୋକ ଯାତାୟତ କରିବା ପରେ ଘଟଣା ସମ୍ବନ୍ଧରେ ଜଣା ପଡିଥିଲା। ଯୁବକର ପରିବାର ଲୋକ ତୁରନ୍ତ ଏନେଇ ପ୍ରଥମେ ବଡକୁଟୃ ପୁଲିସ ଫାଣ୍ଡି ସମେତ ଜୟପାଟଣା ଥାନାକୁ ସୂଚନା ଦେଇଥିଲେ। ଥାନା ଅଧିକାରୀ ଶୁସାନ୍ତ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଏକ ଯୋଜନାବଦ୍ଧ ଆକ୍ରମଣ ହୋଇଥିବା ସନ୍ଦେହ କରି ସାଇଣ୍ଟିଫିକ ଟିମର ସହାୟତା ନେଇଥିଲେ। ଏହାସହ ଯୁବକ ସହିତ ପ୍ରତିଦିନ ମର୍ଣ୍ଣିଂ ୱାକରେ ଯାଉଥିବା ଡୁମେରମୁଣ୍ଡା ଗ୍ରାମର ୪ ଯୁବକଙ୍କୁ ଅଟକ ରଖି ଘଟଣାର ଅନୁସନ୍ଧାନ କରିବା ସହିତ ଡଗ୍‍ ସ୍କୁଆଡର ସହାୟତା ନେଇଥିଲେ। ଏହି ଡଗ ସ୍କୁଆଡ ମାଧ୍ୟମରେ ସନ୍ଧାନ କରୁଥିବା ବେଳେ ବିଜମରା ଗ୍ରାମର ଅନ୍ୟ ୩ ଜଣ ଯୁବକଙ୍କୁ ପୁଲିସ ସନ୍ଦେହରେ ନେଇ ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି। ଏହାସହ ଏହି ହତ୍ୟା ଘଟଣା ପଛରେ ପ୍ରେମ ଲିଙ୍କ ଥିବା ପୁଲିସ ସନ୍ଦେହ କରୁଛି। ଏନେଇ ଜୟପାଟଣା ଥାନା କେସ ନଂ ୨୮୧ରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଖୋଦ ଥାନା ଅଧିକାରୀ ଶ୍ରୀ ସାହୁ ଘଟଣାର ତଦନ୍ତ ଦାଇତ୍ୱ ନେଇଛନ୍ତି। ଘଟଣାସ୍ଥଳରୁ ଶବ ଉଦ୍ଧାର କରାଯାଇ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତିରିତ କରାଯାଇଛି।

Leave A Reply