www.samajalive.in
Saturday, December 6, 2025
23.1 C
Bhubaneswar

ଏମ୍‌ସ ଭୁବନେଶ୍ୱରରେ ଆଣ୍ଠୁ ଓ ନିତମ୍ବ ଗଣ୍ଠିର ସଫଳ ମିଳିତ ପ୍ରତିରୋପଣ, ବିରଳ ପ୍ରତିରୋପଣ ଓଡ଼ିଶାରେ ପ୍ରଥମ, ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ବରର ପ୍ରଥମ ଦଶନ୍ଧିର ସ୍ବର୍ଣ୍ଣିମ ଯାତ୍ରାରେ ଯୋଡ଼ିହୋଇଛି ଆଉ ଏକ ସଫଳ ଫର୍ଦ୍ଦ। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଜଣେ ପଙ୍ଗୁପ୍ରାୟ ମହିଳା ରୋଗୀଙ୍କର ଏକକାଳୀନ ଦୁଇ ଆଣ୍ଠୁ ଓ ଦୁଇ ହିପ୍‌(ନିତମ୍ବ ଗଣ୍ଠି)ର ସଫଳ ପ୍ରତିରୋପଣ କରିଛନ୍ତି ଡାକ୍ତରୀଦଳ। ଯାହାକି ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ହୋଇଥିବା ବେଳେ ଓଡ଼ିଶାରେ ଏପରି ପ୍ରତିରୋପଣ ପ୍ରଥମ ହେବାର ଗୌରବ ଲାଭ କରିଛି।
କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ୍‌ର ଜଣେ ୩୭ ବର୍ଷିୟ ମହିଳା ଆଣ୍ଠୁଗଣ୍ଠି ବାତ ରୋଗରେ ପିଡ଼ୀତ ହୋଇ ପଙ୍ଗୁପ୍ରାୟ ଅବସ୍ଥାରେ ବଞ୍ଚୁଥିଲେ। ସ୍ବାଭାବିକ ଭାବେ ଚାଲିବା ବଦଳରେ ଉକ୍ତ ମହିଳା ଜଣଙ୍କ ଗୁରୁଣ୍ଡିବା ସ୍ଥିତିକୁ ଆସିଯାଇଥିଲେ। ଦୈନନ୍ଦିନ ଜୀବରେ ଭୀଷଣ ଯନ୍ତ୍ରଣା ଭୋଗୁଥିବା ମହିଳା ରୋଗୀଜଣଙ୍କ ବିନା କୌଣସି ଉପକରଣ ସାହାଯ୍ୟରେ ଛିଡ଼ା ମଧ୍ୟ ହୋଇପାରୁନଥିଲେ କିମ୍ବା କୌଣସି କାମ କରିପାରୁନଥିଲେ। ଏପରି ଅବସ୍ଥାରେ ଥାଇ ଉକ୍ତ ମହିଳାଜଣଙ୍କ ଏମ୍‌ସ ଭୁବନେଶ୍ବରର ଅସ୍ଥିଶଲ୍ୟ(ଅର୍ଥୋପେଡିକ୍‌) ବିଭାଗକୁ ଚିକିତ୍ସା ପାଇଁ ଆସିଥିଲେ। ମହିଳାଙ୍କର ଉଭୟ ଆଣ୍ଠୁ ଏବଂ ଦୁଇ ନିତମ୍ବ ଗଣ୍ଠି(ହିପ୍‌)ର ପ୍ରତିରୋପଣ ଆବଶ୍ୟକ ଥିବା ପରୀକ୍ଷାନିରୀକ୍ଷା ପରେ ଅସ୍ଥିଶଲ୍ୟ ଡାକ୍ତରମାନେ ମତ ଦେଇଥିଲେ।
ତେବେ ଦୁଇ ଆଣ୍ଠୁ ଏବଂ ଦୁଇ ହିପ୍‌ର ପ୍ରତିରୋପଣ ଏକକାଳୀନ କରାଯିବାର ଆବଶ୍ୟକତା ଥିବା ଡାକ୍ତରୀ ଦଳ ଅନୁଭବ କରିଥିଲେ। ନଚେତ୍ ରୋଗୀ ଜଣଙ୍କ ପ୍ରତିରୋପଣର କୌଣସି ଲାଭ ନେଇପାରିନଥାଆନ୍ତେ। ଏପରି ବିରଳ ପ୍ରତିରୋପଣ ନିମନ୍ତେ କିନ୍ତୁ ଡାକ୍ତରୀ ଦଳ ଆଗରେ ଅନେକ ଆହ୍ବାନ ଥିଲା। ତେବେ ବିଭିନ୍ନ ଡାକ୍ତରୀ ଅବସ୍ଥାକୁ ତର୍ଜମା କରିବା ସହିତ ଅତ୍ୟନ୍ତ ସତର୍କତାର ସହିତ ଡାକ୍ତରୀ ଦଳ ପ୍ରଥମେ ମହିଳାଜଣଙ୍କର ଦୁଇ ନିତମ୍ବ ଗଣ୍ଠି(ହିପ୍‌)ର ପ୍ରତିରୋପଣ ପରେ ଦୁଇ ଆଣ୍ଠୁର ପ୍ରତିରୋପଣ କରିଥିଲେ। ଏହି ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ସମୟ ନେଇଥିଲା।
ରୋଗୀଙ୍କୁ ଦୁଇ ଦିନ ପାଇଁ ଆଇସିୟୁରେ ରଖାଯାଇଥିଲା। ପରେ ଅନେକାଂଶରେ ଯନ୍ତ୍ରଣା କମିଥିଲା ଏବଂ ମହିଳାଜଣଙ୍କ ତୃତୀୟ ଦିନରେ ହିଁ ଚାଲିବା ଆରମ୍ଭ କରିଥିଲେ। ଏମ୍‌ସ ଭୁବନେଶ୍ବର ଅସ୍ଥିଶଲ୍ୟ ବିଭାଗର ଡ. ସୁଜିତ କୁମାର ତ୍ରିପାଠୀ ଏବଂ ଡ. ମଣ୍ଟୁ ଜୈନଙ୍କ ନେତୃତ୍ବରେ ଏକ ଯୁବ ଓ ଦକ୍ଷ ଡାକ୍ତରୀ ଦଳ ଏହି ବିରଳ ପ୍ରତିରୋପଣକୁ ସଫଳତାର ସହିତ ସମ୍ପନ୍ନ କରିଥିଲେ। ଡ. ଶ୍ରୀତମ ସ୍ବରୂପ ଜେନା ନିଶ୍ଚେତକ ବିଭାଗର ନେତୃତ୍ବ ନେଇଥିବା ବେଳେ ଡ. ସ୍ବାଗତା ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ରୋଗୀଙ୍କୁ ଆଇସିୟୁ ସୁବିଧା ଯୋଗାଇଦିଆଯାଇଥିଲା। ପ୍ରତିରୋପଣ ଏବଂ ଅସ୍ତ୍ରୋପଚାର ସରକାରୀ ଯୋଜନାରେ ମାଗଣାରେ ହୋଇଥିଲା। ଏମ୍‌ସ ଭୁବନେଶ୍ୱର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ ପ୍ରତିରୋପଣ ହୋଇଥିବା ମହିଳାଙ୍କୁ ଭେଟିବା ସହିତ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏଭଳି ଜଟିଳ ମାମଲା ସଫଳତାର ସହିତ ପରିଚାଳନା କରି ରୋଗୀଙ୍କୁ ପୁନର୍ବାର ଚାଲିବାର ସୁଯୋଗ ଦେଇଥିବାରୁ ଡାକ୍ତରୀ ଦଳକୁ ଡ. ବିଶ୍ବାସ ଅଭିନନ୍ଦନ ଜଣାଇଛନ୍ତି। ଏଭଳି ଅସ୍ତ୍ରୋପଚାର ବିରଳ ଏବଂ ଅତ୍ୟଧିକ ସତର୍କତାର ସହିତ କରାଯିବା ଆବଶ୍ୟକ। ଏମ୍‌ସ ଭୁବନେଶ୍ବରରେ ଏପରି ପ୍ରତିରୋପଣ ଜନସେବା ପ୍ରତି ଥିବା ଏହି ଅନୁଷ୍ଠାନର ପ୍ରତିବଦ୍ଧତାକୁ ଦର୍ଶାଉଥିବା ଡ. ବିଶ୍ବାସ ମତବ୍ୟକ୍ତ କରିଛନ୍ତି। ଏପରି ପ୍ରତିରୋପଣ ଜଣେ ବ୍ୟକ୍ତିର ଜୀବନଚଳନୀରେ ଏକ ବିରାଟ ପରିବର୍ତ୍ତନ ଆଣିପାରିଛି। ତେଣୁ ଏପରି ସଫଳତା ପାଇଁ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ଏମ୍‌ସ ଭୁବନେଶ୍ବର ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା।
ଉଲ୍ଲେଖଯୋଗ୍ୟଯେ ଏକକାଳୀନ ଏପରି ଚାରିଟି ପ୍ରତିରୋପଣ ପୂର୍ବରୁ ଏମ୍‌ସ ଦିଲ୍ଲୀରେ ଜଣେ ଓଡ଼ିଆ ରୋଗୀଙ୍କର ହୋଇଥିଲା। ଏମ୍‌ସ ଭୁବନେଶ୍ବରରେ ହୋଇଥିବା ଏହି ପ୍ରତିରୋପଣ କିନ୍ତୁ ଓଡ଼ିଶାରେ ପ୍ରଥମ ହେବା ସହିତ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ହେବାର ସୌଭାଗ୍ୟ ଲାଭ କରିଛି। ଉଲ୍ଲେଖଯୋଗ୍ୟଯେ ଏହିପରି ଜଣେ ପଙ୍ଗୁପ୍ରାୟ ରୋଗୀଙ୍କ ପାଇଁ ସମାନ ସେଟିଂରେ ଏକାଧିକ ଗଣ୍ଠି ସ୍ଥାନାନ୍ତର ବିଷୟରେ ବିଚାର କରିବା ଜରୁରୀ ଅଟେ। କାରଣ ଗୋଟିଏ କିମ୍ବା ଦୁଇଟି ଗଣ୍ଠି ବଦଳ ରୋଗୀଙ୍କୁ ଚାଲିବାକୁ ସୁଯୋଗ ଦେଇପାରିବ ନାହିଁ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories