www.samajalive.in
Sunday, December 14, 2025
23.1 C
Bhubaneswar

‘ନେହେରୁଙ୍କ ସାଙ୍ଗିଆ ବ୍ୟବହାର କରିବାକୁ ଗାନ୍ଧୀ ପରିବାର ଡରୁଛନ୍ତି ’

ନୂଆଦିଲ୍ଲୀ : ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଅଣନାତି ହେଉଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ନେହେରୁଙ୍କ ଭଳି ଏତେବଡ ପରିବାରର ଦାୟାଦ ହୋଇ ରାହୁଲ ନିଜ ନାମ ପଛରେ ନେହେରୁ ସାଙ୍ଗିଆ ବ୍ୟବହାର କରିବାକୁ କାହିଁକି ଭୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶ୍ନ କରିଛନ୍ତି। ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା କାଳରେ ମୋଦୀ କହିଛନ୍ତି ଯେ ଏକଦା ଗାନ୍ଧୀ ଓ ନେହେରୁଙ୍କ ନାମରେ ୬୦୦ରୁ ଅଧିକ ସରକାରୀ ଯୋଜନା କରାଯାଇଥିଲା। ମାତ୍ର ନେହେରୁଙ୍କ ବଂଶଧର ତାଙ୍କ ସାଙ୍ଗିଆ ବ୍ୟବହାର କରିବାକୁ ଡରୁଛନ୍ତି। କଂଗ୍ରେସ ସରକାର ଏହାର ୬ ଦଶନ୍ଧିର ଶାସନ କାଳରେ ନିଜ ବଂଶଧରଙ୍କ ନାମରେ ବିଭିନ୍ନ ସରକାରୀ ଯୋଜନା ଓ ପ୍ରତିଷ୍ଠାନକୁ ନାମିତ କରିଥିଲେ। ବର୍ତ୍ତମାନର ସରକାର କୌଣସି ସରକାରୀ କାର୍ଯ୍ୟକ୍ରମରେ ନେହେରୁଙ୍କ ନାମ ବ୍ୟବହାର କରୁ ନଥିବାରୁ କଂଗ୍ରେସ କ୍ଷୁବ୍ଧ ହେଉଛି। ସରକାରୀ ଯୋଜନାରେ ନେହେରୁଙ୍କ ନାମ ବାଦ୍ ପଡିବା କାରଣରୁ କଂଗ୍ରେସ ଓ ଗାନ୍ଧୀ ପରିବାର କ୍ଷୁବ୍ଧ ହେଉଛି। ଅଥଚ ଗାନ୍ଧି ପରିବାର ସଦସ୍ୟମାନେ ନେହେରୁ ସାଙ୍ଗିଆକୁ ନିଜ ନାମ ପଛରେ ବ୍ୟବହାର କରୁ ନାହାନ୍ତି। ଏହି ସାଙ୍ଗିଆ ବ୍ୟବହାର କରିବାକୁ ସେମାନେ ଭୟ କରୁଛନ୍ତି। ମୋଦୀ କହିଛନ୍ତି ଯେ ଭାରତ ଗୋଟିଏ ନିର୍ଦ୍ଦିଷ୍ଟ ପରିବାରର ସମ୍ପତ୍ତି ନୁହେଁ। ପିଢି ପିଢି ଧରି ସାଧାରଣ ଲୋକଙ୍କ ଉଦ୍ୟମ ଯୋଗୁଁ ଏହି ରାଷ୍ଟ୍ର ଗଠନ ହୋଇଛି। ବିଭିନ୍ନ ରାଜ୍ୟର ନିର୍ବାଚିତ ସରକାରକୁ ବିଜେପି ଭାଙ୍ଗିବା ସହିତ ବିରୋଧୀ ଶାସନାଧୀନ ରାଜ୍ୟ ସରକାରରେ ହସ୍ତକ୍ଷେପ କରୁଥିବା ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ମୋଦୀ ଜବାବ ଦେଇଛନ୍ତି। ମୋଦୀ କହିଛନ୍ତି ଯେ ଇନ୍ଦିରା ଗାନ୍ଧୀଙ୍କ ଶାସନ ସମୟରେ ୫୦ଟି ରାଜ୍ୟ ସରକାରକୁ ବରଖାସ୍ତ କରାଯାଇଥିଲା। ସମ୍ବିଧାନର ଧାରା ୩୬୦ର ଦୁରୁପଯୋଗ କରି ଇନ୍ଦିରା ରାଜ୍ୟ ସରକାରଙ୍କୁ ବରଖାସ୍ତ କରି କ୍ଷମତା ଦଖଲ କରିଥିଲେ। ସେ କହିଥିଲେ ଯେ ଧର୍ମନିରପେକ୍ଷତାର ଅର୍ଥ ସରକାରୀ ଯୋଜନା ସମସ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା। ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଆମେ କାମ କରିବାର ସଂସ୍କୃତିକୁ ପରିବର୍ତ୍ତନ କରିଛୁ। ମୋଦୀଙ୍କ ଭାଷଣ ସମୟରେ ବିରୋଧୀ ସଦସ୍ୟମାନେ ‘ମୋଦୀ ଆଦାନି ଭାଇ ଭାଇ’ ସ୍ଲୋଗାନ ଦେଇଥିଲେ। ଏହି ସ୍ଲୋଗାନ ଭିତରେ ମୋଦୀ ତାଙ୍କ ଭାଷଣ ଜାରି ରଖିଥିଲେ। ଆଦାନି-ହିଡେନବର୍ଗ ବିବାଦର ଜେପିସି ତଦନ୍ତ ଦାବିରେ ଆଜି ମଧ୍ୟ ବିରୋଧୀ ଦଳ ସଦସ୍ୟମାନେ ହୋହଲ୍ଲା କରିଥିଲେ। ଫଳରେ ରାଜ୍ୟସଭାକୁ ବାରମ୍ବାର ମୁଲତବୀ ରଖାଯାଇଥିଲା। ଅନ୍ୟପଟେ ଲୋକସଭାରେ ଆଜି ବଜେଟ୍ ୨୦୨୩-୨୪ ଉପରେ ଆଲୋଚନା କରାଯାଇଥିଲା। ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦା ଗଣମାଧ୍ୟମକୁ ଏଡାଇ ଯାଉଛନ୍ତି। ସେହିପରି ରାହୁଲ ଗାନ୍ଧୀ ଗୃହରେ ମୋଦୀଙ୍କ ଉଦ୍ଦେଶ୍ୟରେ ଯେଉଁ ପ୍ରଶ୍ନ କରିଥିଲେ ତାକୁ ମଧ୍ୟ ସେ ଏଡାଇ ଯାଇଛନ୍ତି। ଗୌତମ ଆଦାନିଙ୍କ ସହିତ ମୋଦୀଙ୍କର ସମ୍ପର୍କ କ’ଣ ଓ ମୋଦୀଙ୍କ ସହିତ ଆଦାନି କେତେଥର ବିଦେଶ ଗସ୍ତ କରିଛନ୍ତି ଆଦି ଅନେକ ପ୍ରଶ୍ନ ରାହୁଲ କରିଥିବାବେଳେ ମୋଦୀ ଏହାର ଉତ୍ତର ଦେଇ ନାହାନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories