ଶହୀଦ ଲକ୍ଷ୍ମଣ ନାଏକ ଥିଲେ ଦେଶବତ୍ସଳ ସଂଗ୍ରାମୀ

ରାଜ୍ୟସ୍ତରୀୟ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି 

ଭୁବନେଶ୍ୱର: ଶହୀଦ ଲକ୍ଷ୍ମଣ ନାଏକଙ୍କ ନିର୍ଭୀକତା, ତ୍ୟାଗ ଓ ଜାତିପ୍ରୀତିର ପଟାନ୍ତର ନାହିଁ। ପରାଧୀନତା ଓ ଶୋଷଣ ବିରୁଦ୍ଧରେ ସଂଗ୍ରାମ କରି ସେ ଫାଶୀଖୁଣ୍ଟରେ ଝୁଲିଥିଲେ। ସେ ଜନଜାତି ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ଭାବରେ ଅବିସ୍ମରଣୀୟ ରହିବେ ବୋଲି ଅତିଥିମାନେ ମତପ୍ରଦାନ କରିଛନ୍ତି। ଆଜି ସନ୍ଧ୍ୟାରେ ଶହୀଦ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିମାନେ ମହାନ ସଂଗ୍ରାମୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ନିବେଦନ କରିଛନ୍ତି।
ସୂଚନା ଓ ଲୋକସଂପର୍କ ବିଭାଗ ତଥା ଶବରୀ ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ସ୍ୱାଧୀନତା ସଂଗ୍ରାମରେ ଲକ୍ଷ୍ମଣ ନାଏକଙ୍କ ଭୂମିକା ଓଡ଼ିଶାର ଜନଜାତିଙ୍କ ସ୍ୱାଭିମାନକୁ ରୁଦ୍ଧିମନ୍ତ କରିଛି।
ଭଣ୍ଡାରୀପୋଖରୀ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶହୀଦ ଲକ୍ଷ୍ମଣ ନାଏକ ପରାଧୀନତା, ଜନଜାତିଙ୍କୁ ଶୋଷଣ, ଅତ୍ୟାଚାର ଏବଂ ନିର୍ଯାତନା ବିରୋଧରେ ସଂଗ୍ରାମ କରିଥିଲେ ବୋଲି ଦର୍ଶାଇ ତାଙ୍କର ଦେଶପ୍ରୀତି ଉତ୍ତରପିଢ଼ିଙ୍କ ଅନୁପ୍ରେରିତ କରୁଥିବ ବୋଲି ଉଲ୍ଲେଖ କରିଥିଲେ।

prayash

ପୁନେସ୍ଥିତ ମିଟ୍‌ ୱାଲର୍ଡ ପିସ୍‌ ୟୁନିଭର୍‌ସିଟିର କୁଳପତି ପ୍ରଫେସର ତପନ କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଲକ୍ଷ୍ମଣ ନାଏକ ସ୍ୱାଧୀନତା ସଂଗ୍ରାମରେ ଯୋଗଦେବା ପୂର୍ବରୁ ଦମନବିରୋଧୀ, ପ୍ରତିବାଦୀ, ଶିକ୍ଷା-ସଂସ୍କୃତି ସେବକ, ରୋଗୀସେବା ଓ ଜନକଲ୍ୟାଣରେ ବ୍ରତୀ ଥିଲେ ବୋଲି କହିଥିଲେ` ସେ କହିଲେ ଯେ ଲକ୍ଷ୍ମଣ ନାଏକ ଜନଜାତିଙ୍କ ମଧ୍ୟରେ ଗାନ୍ଧୀବାର୍ତ୍ତା ପ୍ରଚାର କରିଥିଲେ। ମାଥିଲି ଥାନା ଘେରାଉ ଥିଲା ତାଙ୍କ ସଂଗ୍ରାମୀ ଜୀବନର ବଡ଼ ଘଟଣା। ସେ ଥିଲେ ଫାଶୀଖୁଣ୍ଟରେ ଝୁଲିଥିବା ଦେଶବତ୍ସଳ, ଶାନ୍ତିପ୍ରିୟ ଓ ଅହିଂସାଧର୍ମୀ ସୈନିକ ବୋଲି ଦର୍ଶାଇ ପ୍ରଫେସର ପଣ୍ଡା ତାଙ୍କ ବକ୍ତବ୍ୟରେ ବାଦ, ସ୍ଥିତି ଓ ଭବିଷ୍ୟ ନେଇ ଆଲୋକପାତ କରିଥିଲେ।
ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ତଥା ଫଟୋଚିତ୍ରରେ ପୁଷ୍ପଗୁଚ୍ଛା ଅର୍ପଣ ପରେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା। ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରସଙ୍ଗରେ ଏପରି ଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ ଉପରେ ସୂଚନା ଦେବା ସହିତ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ । ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ
କାର୍ଯ୍ୟକ୍ରମରେ ଶବରୀ ସାଂସ୍କୃତିକ ପରିଷଦର ଉପସଭାପତି ଗୌରଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଜୟପୁର (କୋରାପୁଟ)ର ମୋନାଲିସା ପଣ୍ଡା ଏବଂ ତାଙ୍କ ସାଥିମାନଙ୍କ ଦ୍ୱାରା ଜନଜାତି ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା।

kalyan agarbati

Comments are closed.