ଉଦ୍‌ଘାଟନୀ ମ୍ୟାଚ୍‌ରେ କାତାରକୁ ହରାଇଲା ଇକ୍ଵେଡର

ଅଲ୍‌ ଖୋର୍  : ରବିବାର ଫିଫା ଫୁଟ୍‌ବଲ ବିଶ୍ବକପ୍‌ର ବିଗୁଲ୍‌ ବାଜିଛି। ଏହାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ କାତାରକୁ ୨-୦ ଗୋଲ୍‌ରେ ପରାସ୍ତକରି ଅଭିଯାନ ଆରମ୍ଭ କରିଛି ଇ‌େକ୍ବଡର । ଗ୍ରୁପ୍‌ ‘ଏ’ର ଏହି ମ୍ୟାଚ୍‌ରେ ଇକ୍ଵେଡର ଅଧିନାୟକ ଏନର ଭାଲେଁସିଆ ପ୍ରଥମାର୍ଦ୍ଧରେ ଉଭୟ ଗୋଲ୍‌ ଦେଇଥିଲେ। ପ୍ରଥମଥର ବିଶ୍ବକପ୍‌ ଖେଳୁଥିବା କାତାରକୁ ପରାସ୍ତକରି ଇକ୍ଵେଡର ଦଳ ଘରୋଇ ଦର୍ଶକଙ୍କୁ ନିରାଶ କରିଛି। ମ୍ୟାଚ୍‌ରେ ଦକ୍ଷିଣ ଆମେରିକୀୟ ଦେଶ ଇ​‌େକ୍ବଡର ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାରକରି ଖେଳି ପୂରା ୩ ପଏଣ୍ଟ ହାତେଇ ପାରିଛି।
ଅଲ୍‌ ବାୟତ୍‌ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ୩ୟ ମିନିଟରେ ଏନର ଭାଲେଁସିଆ ବଲ୍‌କୁ ଗୋଲ୍‌ମଧ୍ୟକୁ ପଠାଇ ଦେଇଥିଲେ। ତେବେ ଭିଏଆର୍‌ରୁ ଇ‌େକ୍ବଡରର ଜଣେ ଖେଳାଳି ଅଫ୍‌ସାଇଡ୍‌ ଥିବାରୁ ଗୋଲ୍‌ ନାକଚ ହୋଇଥିଲା। ୧୫ ମିନିଟରେ ପ୍ରଥମ ଗୋଲ୍‌ଦେଇ ଇକ୍ଵେଡର ଆଗୁଆ ହୋଇ ଯାଇଥିଲା। କାତାର୍ ଗୋଲ୍‌ରକ୍ଷକ ଅଲ୍‌-ସାହିବ୍‌ ଇ‌େକ୍ବଡର ଷ୍ଟ୍ରାଇକରଙ୍କୁ ରୋକି ପକାଇଦେବାରୁ ଇ‌େକ୍ବଡରକୁ ପେନାଲ୍‌ଟି ମିଳିଥିଲା। ଏଥିରୁ ଏନର ଭାଲେଁସିଆ ଗୋଲ୍‌ ସ୍କୋର୍‌ କରିଥିଲେ। ଫଳରେ ଏହି ବିଶ୍ବକପ୍‌ର ପ୍ରଥମ ଗୋଲ୍‌ଦେବାର କୃତିତ୍ବ ଭାଲେଁସିଆଙ୍କୁ ମିଳିଛି।। ୩୧ ମିନିଟରେ ଇ​‌େକ୍ବଡର ପାଇଁ ଏନର ଭାଲେଁସିଆ ୨ୟ ଗୋଲ୍‌ ଦେଇଥିଲେ। ଏକ ଉଚ୍ଚା ସଟ୍‌ରୁ କୁଦାମାରି ଇ‌େକ୍ବଡର ଅଧିନାୟକ ଭାଲେଁସିଆ ଗୋଲ୍‌ ଦେଇଥିଲେ। ୨ଟି ଗୋଲ୍‌ରେ ଆଗୁଆ ରହିବା ପରେ ମଧ୍ୟ ଇ‌େକ୍ବଡର ଆକ୍ରମଣ ଜାରି ରଖିଥିଲା। ଘରୋଇ ସମର୍ଥକଙ୍କ ପ୍ରବଳ ସମର୍ଥନ ପାଇ କାତାର୍ ଖେଳାଳି ଇ‌େକ୍ବଡର ଆକ୍ରମଣପନ୍ଥୀକୁ ରୋକି ପାରିଥିଲେ। ଏହିପରି ମଧ୍ୟାନ୍ତର ସୁଦ୍ଧା ଇକ୍ଵେଡର ୨-୦ ଗୋଲ୍‌ରେ ଆଗୁଆ ଥିଲା। ଦ୍ବିତୀୟାର୍ଦ୍ଧରେ ଇକ୍ଵେଡର ପାଖରେ ବଲ୍‌ ରଖିଥିଲେ ହେଁ ଦିଶାହୀନ ସୁଟିଂ ଏହା ପାଇଁ ମହଙ୍ଗା ପଡ଼ିଥିଲା। ୫୫ ମିନିଟରେ ରୋମାରିଓ ଇବାରା ଚମତ୍କାର ସଟ୍‌ ମାରିଥିଲେ ହେଁ କାତାର୍ ଗୋଲ୍‌ରକ୍ଷକ ଏହାକୁ ରୋକି ଦେଇଥିଲେ। ୭୫ ମିନିଟରେ କାତାରର ଆକ୍ରମ୍ ଆଫିଫ୍ ଏକ ଜୋର୍‌ଦାର ସଟ୍‌ ମାରିଥିଲେ ହେଁ ଏହା ଗୋଲ୍‌ପୋଷ୍ଟ ବାହାରେ ଥିଲା। ୮୬ ମିନିଟରେ କାତାର ଗୋଲ୍‌ଦେବାର ଶ୍ରେଷ୍ଠ ସୁଯୋଗ ପାଇଥିଲା। ଏକ ଡିଫେନ୍‌ଭେଦୀ ପାସ୍‌ ପାଇ କାତାରର ମହମ୍ମଦ ମୁନ୍ତାରି ସଟ୍‌ ମାରିଥିଲେ ହେଁ ବଲ୍‌ ଗୋଲ୍‌ପୋଷ୍ଟର ସାମାନ୍ୟ ଉପରେ ଚାଲି ଯାଇଥିଲା। ପରେ ଶେଷ ପର୍ଯ୍ୟନ୍ତ ଆଉ ଗୋଲ୍‌ ହୋଇନଥିଲା।

Comments are closed.