୨୦୨୨ରେ ସର୍ବାଧିକ ଟ୍ବେଣ୍ଟି-୨୦ରନ କଲେ ସୂର୍ଯ୍ୟ
ମାଉଣ୍ଟ ମଙ୍ଗାନୁଇ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ରବିବାର ମାଉଣ୍ଟ ମଙ୍ଗାନୁଇରେ ଖେଳାଯାଇଥିଲା। ଉକ୍ତ ମ୍ୟାଚରେ ବିଶ୍ବର ଏକ ନମ୍ବର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ ୫୧ ବଲରେ ୧୧୧ରନର ଅପରାଜିତ ଇନିଂସ ଖେଳିଥିଲେ । ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ ଏହା ତାଙ୍କର ଦ୍ବିତୀୟ ଶତକ । ଏହା ପୂର୍ବରୁ ସୂର୍ଯ୍ୟକୁମାର ଗତ ଜୁଲାଇରେ ଇଂଲଣ୍ଡ ବିପକ୍ଷରେ ୫୫ଟି ବଲରେ ୧୧୭ରନ କରିଥିଲେ। ଇଂଲଣ୍ଡ ବିପକ୍ଷରେ ୪୮ଟି ବଲରେ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ୪୯ଟି ବଲରେ ଶତକ ଅର୍ଜନ କରିଥିଲେ। ଏକ କ୍ୟାଲେଣ୍ଡର ବର୍ଷରେ ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ରେ ଦୁଇଟି ଶତକ ଅର୍ଜନ କରିବାରେ ସୂର୍ଯ୍ୟକୁମାର ଦ୍ବିତୀୟ ଭାରତୀୟ ଖେଳାଳି ହୋଇଛନ୍ତି। ଏହା ପୂର୍ବରୁ ରୋହିତ ଶର୍ମା ଏକ କ୍ୟାଲେଣ୍ଡର ବର୍ଷ ୨୦୧୮ରେ ୨ଟି ଶତକ ଅର୍ଜନ କରିଥିଲେ। ସେହିପରି ରୋହିତ ଶର୍ମା(୪) ଓ ଲୋକେଶ ରାହୁଲ(୨)ଙ୍କ ପରେ ସୂର୍ଯ୍ୟକୁମାର ୩ୟ ଭାରତୀୟ ଭାବେ ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ରେ ଦୁଇଟି ଶତକ ଅର୍ଜନ କରିଛନ୍ତି। ଭାରତୀୟ ଖେଳାଳିଭାବେ ଟ୍ବେଣ୍ଟି୨୦ରେ ରୋହିତ ଶର୍ମା ୪ଟି, ଲୋକେଶ ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ୨ଟି ଲେଖାଏଁ, ବିରାଟ କୋହଲି, ଦୀପକ ହୁଡା, ସୁରେଶ ରୈନା ଗୋଟିଏ ଲେଖାଏଁ ଶତକ ଅର୍ଜନ କରିଛନ୍ତି। ଏହାଛଡ଼ା ସୂର୍ଯ୍ୟକୁମାର ଚଳିତ ୨୦୨୨ରେ ଟି୨୦ରେ ସର୍ବାଧିକ ରନ କରିବାରେ ସକ୍ଷମ ହୋଇଛନ୍ତି। ସୂର୍ଯ୍ୟ ଚଳିତ ବର୍ଷ ଏପର୍ଯ୍ୟନ୍ତ ୩୦ଟି ମ୍ୟାଚ ଖେଳି ୨ଟି ଶତକ ଓ ୯ଟି ଅର୍ଦ୍ଧଶତକ ସହ ୧୧୫୧ରନ କରିଛନ୍ତି। ସେହିପରି ପାକିସ୍ତାନର ୱିକେଟରକ୍ଷକ ମହମ୍ମଦ ରିଜ୍ୱାନ ୨୫ଟି ମ୍ୟାଚରୁ ୧୦ଟି ଅର୍ଦ୍ଧଶତକ ସହ ୯୯୬ରନ ସହ ୨ୟ, ବିରାଟ କୋହଲି ୨୦ଟି ମ୍ୟାଚରୁ ଗୋଟିଏ ଶତକ ଓ ୮ଟି ଅର୍ଦ୍ଧଶତକ ସହ ୭୮୧ରନ ସହ ୩ୟ, ବାବର ଆଜାମ ୨୬ଟି ମ୍ୟାଚରୁ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ସହ ୭୩୫ରନ କରି ୪ର୍ଥ ଓ ଜିମ୍ବାୱେର ସିକନ୍ଦର ରାଜା ୨୪ଟି ମ୍ୟାଚରୁ ୫ଟି ଅର୍ଦ୍ଧଶତକ ସହ ୭୩୫ରନ କରି ୬ଷ୍ଠ ସ୍ଥାନରେ ରହିଛନ୍ତି। ରିଜ୍ୱାନ ୨୦୨୧ରେ ଗୋଟିଏ ଶତକ ଓ ୧୨ଟି ଅର୍ଦ୍ଧଶତକ ସହ ଏକ କ୍ୟାଲେଣ୍ଡର ବର୍ଷରେ ଟି୨୦ରେ ୧୩୨୬ରନ କରିଥିଲେ। ଯାହା ବିଶ୍ବ କୀର୍ତ୍ତିମାନ । ସୂର୍ଯ୍ୟକୁମାର ଚଳିତ ବର୍ଷ ଟି୨୦ରେ ଆଉ ୧୭୫ରନ କରିପାରିଲେ ରିଜ୍ୱାନଙ୍କ ଉକ୍ତ ବିଶ୍ବ କୀର୍ତ୍ତିମାନକୁ ଭାଙ୍ଗିବାରେ ସଫଳ ହେବେ। ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ରେ ଶତକ ଅର୍ଜନ କରିବା ସ୍ବତନ୍ତ୍ର ଉପଲବ୍ଧି ବୋଲି ସୂର୍ଯ୍ୟକୁମାର କହିଛନ୍ତି।
Comments are closed.