ରଙ୍ଗାରଙ୍ଗ ଫିଫା ବିଶ୍ବକପ୍‌ ଉଦ୍‌ଘାଟିତ

ଅଲ୍‌ ଖୋର୍ : ଏକ ସଂକ୍ଷିପ୍ତ ତଥା ରଙ୍ଗାରଙ୍ଗ ଉତ୍ସବ ସହ ଚଳିତ ଫିଫା ଫୁଟ୍‌ବଲ କପ୍‌ ରବିବାର ଉଦ୍‌ଘାଟିତ ହୋଇଯାଇଛି । ଚିତ୍ତାକର୍ଷକ ଆଲୋକମାଳା, ଶ୍ରୁତିମଧୁର ସଂଗୀତ ଓ ଆକର୍ଷଣୀୟ ନୃତ୍ୟ ଏବଂ ଆତସବାଜି ପ୍ରଦର୍ଶନ ଏହି ଉଦ୍‌ଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା। ଅପରାହ୍‌ଣରେ ମାତ୍ର ଅଧଘଣ୍ଟା ପାଇଁ ଆୟୋଜିତ ଉଦ୍‌ଘାଟନ ଉତ୍ସବ ସହ ଆୟୋଜକ କାତାର ଓ ଇ​‌େ​‌କ୍ବଡର ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଦେଖିବାକୁ ଅଲ୍‌ ବାୟତ୍ ଷ୍ଟାଡିୟମ୍‌ରେ ବିପୁଳ ଦର୍ଶକଙ୍କ ସମାଗମ ହୋଇଥିଲା। କ୍ଷୁଦ୍ର ଏସୀୟ ଦେଶ କାତାରରେ ପ୍ରଥମଥର ଫୁଟ୍‌ବଲ ବିଶ୍ବକପ୍‌ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନ ହେଉଥିବା ବେଳେ ତାଙ୍କ ଦେଶ ଫୁଟ୍‌ବଲ ବିଶ୍ବକପ୍‌ ଖେଳୁ ବୋଲି କାତାରବାସୀ ଯେଉଁ ସ୍ବପ୍ନ ଦେଖିଥି​ଲେ‌; ତାହା ପୂରଣ ହୋଇଛି।
ଏହି ବହୁ ପ୍ରତୀକ୍ଷିତ ଉଦ୍‌ଘାଟନୀ ଉତ୍ସବକୁ ଟେଲିଭିଜନ୍‌ରେ ଦେଖିବା ପାଇଁ ସାରାବିଶ୍ବର ଫୁଟ୍‌ବଲପ୍ରେମୀ ଅପେକ୍ଷା କରିଥିଲେ। ଉକ୍ତ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ କାତାର ରାଜ ପରିବାରର ସଦସ୍ୟମାନେ। ୟୁଏଇର ଶେଖ୍ ମହମ୍ମଦ ବିନ୍ ରସିଦ୍‌ ଅଲ୍‌-ମାକ୍‌ତୌମ୍‌ ଉପସ୍ଥିତ ଥିଲେ। ଅଲ୍‌-ମାକ୍‌ତୌମ୍‌ ହେଉଛନ୍ତି କାତାରର ଶାସକ। କାତାରର ଅମୀର ଶେଖ୍ ତମିମ୍ ବିନ ହମାଦ୍ ଅଲ୍‌-ଧାନି ମୁଖ୍ୟ ଅତିଥି ଥିଲେ। ତାଙ୍କ ସହ ଫିଫାର ସଭାପତି ଜିଆନି ଇନ୍‌ଫାଣ୍ଟିନୋ ମଧ୍ୟ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ସାଉଦି ଆରବର ରାଜପୁତ୍ର, ଇଜିପ୍‌ଟ, ତୁର୍କୀ ଓ ଆଲ୍‌ଜେରିଆର ରାଷ୍ଟ୍ରପତି ଓ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍, ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ମଧ୍ୟ ଏହି ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ। ଫ୍ରାନ୍‌ସର ପୂର୍ବତନ ଖେଳାଳି ମାର୍ସେଲ ଡେସାଇ ବିଶ୍ବକପ୍‌ ଟ୍ରଫି ଧରି ଷ୍ଟାଡିୟମ୍‌କୁ ପ୍ରବେଶ କରିଥିଲେ। ବର୍ଷିୟାନ୍ ହଲିଉଡ୍‌ ଅଭିନେତା ମୋର୍ଗାନ୍ ଫ୍ରିମ୍ୟାନ୍ ଉତ୍ସବ ପରିଚାଳନା କରିଥିଲେ। କୋରିଆର ପ୍ରଖ୍ୟାତ ପପ୍ ସିଙ୍ଗର୍‌ ଜିଓନ୍‌ ଜଙ୍ଗ୍‌କୁକ୍‌ ଓ ତାଙ୍କ ବ୍ୟାଣ୍ଡ୍‌ ବିଟିଏସ୍‌ ମମସ୍ପର୍ଶୀ ସଂଗୀତ ପରିବେଷଣ କରିଥିଲେ। ଜଙ୍ଗ୍‌କୁକ୍‌ଙ୍କ ସହ କାତାରୀ ଗାୟକ ଫହାଦ୍ ଅଲ୍‌-କୁବୈସି ଗୀତ ଗାଇଥିଲେ। ପାରମ୍ପରିକ କାତାରୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ଶେଷରେ ସୁନ୍ଦର ଆତସବାଜୀ ପ୍ରଦର୍ଶନ ଦର୍ଶକଙ୍କୁ ବିମୋହିତ କରିଥିଲା। ଫିଫା ଫୁଟବଲ ବିଶ୍ବକପର ୨୨ତମ ସଂସ୍କରଣରେ ୩୨ଟି ଦଳକୁ ନେଇ ଅନୁଷ୍ଠିତ ହେବ ଏହି ମହାସମର । ୪ ସପ୍ତାହ ଧରି ୫ଟି ସହରର ୮ଟି ଷ୍ଟାଡିୟମରେ ଖେଳାଯିବ ୬୪ଟି ମ୍ୟାଚ୍‌। ଡିସେମ୍ବର ୧୮ରେ ଫାଇନାଲ ଖେଳାଯିବ। ବିଶ୍ବକପ୍‌କୁ ସଫଳ କରିବା ପାଇଁ କାତାର ଆଗରେ ରହିଛି ବଡ଼ ଆହ୍ବାନ।

Comments are closed.