ଆଖଣ୍ଡଳମଣି ଭଦ୍ରକ ମୁଖ୍ୟରାସ୍ତା ମରାମତି ପାଇଁ ଅର୍ଥ ଅଛି ; ତତ୍ପରତା ନାହିଁ

ଖାଲଖମା ରାସ୍ତାରେ ଯାତାୟତ କରୁଛନ୍ତି ପର୍ଯ୍ୟଟକଙ୍କ ସହ ୩ଟି ବ୍ଲକର ଲୋକ

ଆରଡି :  ରାଜ୍ୟର ପୁରାତନ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ପାଇଁ ରାଜ୍ର ଓ ରାଜ୍ୟ ବାହାରୁ ଅଗଣିତ ଶ୍ରଦ୍ଧାଳୁ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ସୁଗମ ଯାତାୟତ ପାଇଁ ରାସ୍ତା, ପିଇବା ପାଣି, ସ୍ବାସ୍ଥ୍ୟ ଆଦି ଉପରେ ପ୍ରଶାସନ ଗୁରୁତ୍ବ ଦେବା ସହ ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଉଛି । ହେଲେ ବାବା ଆଖଣ୍ଡଳମଣିଙ୍କ ପୀଠକୁ ସଂଯୋଗ କରୁଥିବା ଆରଡି-ଭଦ୍ରକ ୩୫ନଂ ରାଜ୍ୟ ରାଜପଥ ଦୀର୍ଘବର୍ଷ ହେବ ମରାମତି ଅଭାବରୁ ଆରଡିଛକ(ଗେଲପୁର) ଠାରୁ ମଠଡିହ ପର୍ଯ୍ୟନ୍ତ ଅତି ଶୋଚନୀୟ ହୋଇପଡିଥିବାରୁ ଆଗନ୍ତୁକ ଭକ୍ତ ଓ ପର୍ଯ୍ୟଟକଙ୍କ ସହ ୩ବ୍ଲକର ହଜାର ହଜାର ଲୋକ ନାନା ଦୁର୍ଦଶା ଭୋଗୁଛନ୍ତି । ଏହି ରାସ୍ତାର ନବୀକରଣ ପାଇଁ ସରକାରଙ୍କ ପକ୍ଷରୁ ଦୀର୍ଘ ୨ ବର୍ଷ ହେବ ୪୦କୋଟି ଟଙ୍କା ଯୋଗାଇ ଦିଆଯାଇଥିଲେ ମଧ୍ୟ  ବିଭାଗୀୟ ଅଧିକାରୀଙ୍କ କଛପ ନିଷ୍ପତ୍ତି ଯୋଗୁ ରାସ୍ତା ଏବେ ମରଣଯନ୍ତା ପାଲଟିଲାଣି। ଏପରିକି ରାସ୍ତାରେ ବଡବଡ ଖାଲ ସହ ପିଚୁ ଉଠିଯାଇଥିବାରୁ ବଡବଡ ମେଟାଲ ପଥଚାରୀଙ୍କ ଅତିଷ୍ଟ କରୁଛି। ବିଶେଷକରି ମଠଡିହ ଠାରୁ ସାହୁସାହି ଛକ, ବେତାଳିଗାଁ ଠାରୁ ଅର୍ଣ୍ଣପାଳଛକ, କୋରକରା ଛକ ଠାରୁ ଆରଡିଛକ(ଗେଲପୁର) ଯାଏଁ ରାସ୍ତା ଅତି ଶୋଚନୀୟ ଥିବାରୁ ପଥଚାରୀ ନାନା ଦୁର୍ଦଶାରେ ସମୁଖିନ ହେବା ସହ ଅନେକ ସମୟରେ ଛୋଟବଡ ଦୂର୍ଘଟଣାରେ ସମ୍ମୁଖିନ ହେଉଛନ୍ତି ।
ରାସ୍ତା ମରାମତି ଓ ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ ସର୍ମ୍ପକରେ ଜିଲା ଗୃହନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଅମ୍ବିକା ସ୍ବାଇଁଙ୍କୁ ପଚାରିବାରୁ ରାସ୍ତାର ସମ୍ପ୍ରସାରଣ ଓ ମରାମତି ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି । ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ, ଏଥିପାଇଁ ବେତାଳିଗାଁ ଠାରେ ଅସ୍ଥାୟୀ କ୍ୟାମ୍ପ ପଡିଲାଣି ବୋଲି କହିଛନ୍ତି ।

Comments are closed.