ଅଲ୍ ଖୋର (କାତାର): ରବିବାରଠାରୁ ଖେଳାଯିବ ଫିଫା ଫୁଟବଲ ବିଶ୍ବକପର ୨୨ତମ ସଂସ୍କରଣ। ୩୨ଟି ଦଳକୁ ନେଇ ଅନୁଷ୍ଠିତ ହେବ ଏହି ମହାସମର। ୪ ସପ୍ତାହ ଧରି ୫ଟି ସହରର ୮ଟି ଷ୍ଟାଡିୟମରେ ଖେଳାଯିବ ୬୪ଟି ମ୍ୟାଚ୍। ଡିସେମ୍ବର ୧୮ରେ ଫାଇନାଲ ମ୍ୟାଚ ଖେଳାଯିବ। ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ ପାଇଁ କାତାର ଆଗରେ ରହିଛି ଏକାଧିକ ଆହ୍ବାନ। ୨ୟ ଥର ଏସୀୟ ମହାଦେଶରେ ଏହି ଫୁଟବଲ ମହାକୁମ୍ଭ ଆୟୋଜିତ ହେଉଛି। ଉଦ୍ଘାଟନୀ ମ୍ୟାଚରେ ଆୟୋଜକ କାତାର-ଇେକ୍ବଡରକୁ ଭେଟିବ। ଏହା ପୂର୍ବରୁ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ।
ପ୍ରତିଯୋଗିତାରେ ୩୨ଟି ଦଳଙ୍କୁ ୮ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଲିଗ୍ ପଯ୍ୟାୟରେ ମୋଟ ୩୮ଟି ମ୍ୟାଚ ଡିସେମ୍ବର ୨ ପର୍ଯ୍ୟନ୍ତ ଖେଳାଯିବ। ପ୍ରତି ଗ୍ରୁପର ଶ୍ରେଷ୍ଠ ଦୁଇଟି ଲେଖାଏଁ ଦଳ ରାଉଣ୍ଡ-୧୬କୁ ଉନ୍ନୀତ ହେବେ। ନକ୍ଆଉଟ୍ ପଯ୍ୟାୟ ବା ପ୍ରିକ୍ବାର୍ଟରଫାଇନାଲ ଡିସେମ୍ବର ୩ରୁ ୬ ପର୍ଯ୍ୟନ୍ତ ଖେଳାଯିବ। ଡିସେମ୍ବର ୯ ଓ ୧୦ରେ କ୍ବାର୍ଟରଫାଇନାଲ, ୧୩ ଓ ୧୪ରେ ସେମିଫାଇନାଲ, ୧୭ରେ ୩ୟ ସ୍ଥାନ ପାଇଁ ମ୍ୟାଚ ଓ ୧୮ ଲୁସେଲାର ଆଇକନିକ୍ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯିବ। ପ୍ରଥମ ଥର ମ୍ୟାଚ ପରିଚାଳନା ଦାୟିତ୍ବରେ ମହିଳା ରେଫରୀ ରହିବେ। ପ୍ରତିଯୋଗିତାରେ ବ୍ରାଜିଲର ନୈମାର, ଆର୍ଜେଣ୍ଟିନାର ଲିଓନେଲ ମେସି, ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲଡୋ , ଇଂଲଣ୍ଡର ହାରି କେନ୍ଙ୍କ ଭଳି ତାରକା ମୁଖ୍ୟ ଆକର୍ଷଣ ରହିଛନ୍ତି। ଅନ୍ୟପକ୍ଷରେ ୪ଥର ଚମ୍ପିଆନ ଇଟାଲି ,କଲମ୍ବିଆ , ଚିଲି, ପାରାଗୁଏ ଭଳି ଦଳ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିପାରିନଥିବାରୁ ବ୍ରାଜିଲ, ଜର୍ମାନୀ,ଆର୍ଜେଣ୍ଟିନା, ଫ୍ରାନ୍ସ, ନେଦରଲାଣ୍ଡ୍ସ ଓ ସ୍ପେନକୁ ଟାଇଟଲର ପ୍ରମୁଖ ଦାବିଦାର ଭାବେ ବିବେଚନା କରାଯାଉଛି। ୧୯୩୦ରୁ ଆରମ୍ଭ ହୋଇଥିବା ଏହି ଫୁଟବଲ ମହାକୁମ୍ଭରେ ବ୍ରାଜିଲ ସର୍ବାଧିକ ୫ଥର ଚମ୍ପିଅାନ ହୋଇଥିବାବେେଳ ଜର୍ମାନୀ ଓ ଇଟାଲି ୪ଥର ଲେଖାଏଁ, ଆର୍ଜେଣ୍ଟିନା, ଉରୁଗୁଏ ଓ ଫ୍ରାନ୍ସ ୨ ଥର ଲେଖାଏଁ, ସ୍ପେନ ଓ ଇଂଲଣ୍ଡ ଥରେ ଲେଖାଏଁ ଚମ୍ପିଆନ ହୋଇଛନ୍ତି। ୨୦୧୮ରେ ବିଶ୍ବକପ୍ର ୨୧ତମ ସଂସ୍କରଣରେ ଫ୍ରାନ୍ସ ଚମ୍ପିଆନ ଓ କ୍ରୋଏସିଆ ରନର୍ସଅପ ହୋଇଥିଲା।
୨୧ ଟି ସଂସ୍କରଣ , ୮ ବିଜେତା
ଫୁଟବଲ ବିଶ୍ବକପର ୯୨ ବର୍ଷ ଇତିହାସରେ ୨୧ଟି ସଂସ୍କରଣ ଶେଷ ହୋଇଛି। ଏଥିରେ ମୋଟ ୮ଟି ଦେଶ ଟ୍ରଫି ଜିତିଛନ୍ତି। ବ୍ରାଜିଲ ସର୍ବାଧିକ ୫ଥର (୧୯୫୮, ୧୯୬୨, ୧୯୭୦, ୧୯୯୪ ଓ ୨୦୦୨)ରେ ଚମ୍ପିଆନ ହୋଇଥିଲା। ଜର୍ମାନୀ (୧୯୫୪, ୧୯୭୪, ୧୯୯୦, ୨୦୧୪) ଓ ଇଟାଲୀ (୧୯୩୪, ୧୯୩୮, ୧୯୮୨, ୨୦୦୬)ରେ ୪ଥର ଲେଖାଏଁ, ଆର୍ଜେଣ୍ଟିନା (୧୯୭୮, ୧୯୮୬), ଫ୍ରାନ୍ସ (୧୯୯୮, ୨୦୧୮), ଉରୁଗୁଏ (୧୯୩୦ ଓ ୧୯୫୦)ରେ ୨ ଥର ଲେଖାଏଁ, ଇଂଲଣ୍ଡ ୧୯୬୬ ଓ ସ୍ପେନ ୨୦୧୦ରେ ଥରେ ଲେଖାଏଁ ବିଶ୍ବକପ ଜିତିଛନ୍ତି। ନେଦରଲାଣ୍ଡ୍ସ ସର୍ବାଧିକ ୩ଥର ୧୯୭୪, ୧୯୭୮ ଓ ୨୦୧୦ରେ, ହଙ୍ଗେରୀ ୧୯୩୮ ଓ ୧୯୫୪ ଓ ଚେକ୍ ଗଣରାଜ୍ୟ ୧୯୩୪ ଓ ୧୯୬୨ରେ ୨ ଥର ଲେଖାଏଁ, ସ୍ବିଡେନ ୧୯୫୮ ଓ କ୍ରୋଏସିଆ ୨୦୧୮ରେ ଥରେ ଲେଖାଏଁ ରନର୍ସଅପ ହୋଇଛନ୍ତି।



