ରାଜ୍ୟସ୍ତରୀୟ ସାଇକଲ ଚାଳନା ପ୍ରତିଯୋଗୀତା ଉଦ୍ଘାଟିତ, କିଟକୁ ମିଳିଲା ୧୭ ପଦକ
ସୁନ୍ଦରଗଡ଼: ଓଡ଼ିଶା ସାଇକ୍ଲିଂ ସଂଘ ଓ ସୁନ୍ଦରଗଡ଼ ଜିଲା କ୍ରୀଡ଼ା ସଂସଦର ମିଳିତ ଆନୁକୂଲ୍ୟରେ ସୁନ୍ଦରଗଡ଼ଠାରେ ୩୯ତମ ରାଜ୍ୟସ୍ତରୀୟ ସାଇକ୍ଲିଂ ପ୍ରତିଯୋଗୀତା ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ ଯୋଗଦେଇ ପତାକା ଦେଖାଇ ପ୍ରତିଯୋଗୀତାକୁ ଉଦ୍ଘାଟନ କରିଥିଲେ । ଓଡ଼ିଶା ସାଇକ୍ଲିଂ ସଂଘର ସଭାନେତ୍ରୀ ମିନତୀ ମହାପାତ୍ର, ଯୁଗ୍ମ ସଂପାଦକ ଦିଲୀପ ନାଟିଆ, ଉପସଭାପତି ସୁଶୀଲ କୁମାର ଦାସ, ନୃସିଂହ ଚରଣ ସାହୁ, କେନ୍ଦ୍ରୀୟ ସଭ୍ୟ ମନୋରଞ୍ଜନ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଉଦ୍ଘାଟନୀ ଉତ୍ସବରେ ଜିଲା କ୍ରୀଡ଼ା ସଂସଦର ସାଧାରଣ ସଂପାଦକ ପ୍ରଭାତ କୁମାର ଭୋଲ ଅଧ୍ୟକ୍ଷତା କରିଥିବା ବେଳେ କୋଷାଧ୍ୟକ୍ଷ ଦୁର୍ଗାମାଧବ ନାଏକ ମଞ୍ଚ ପରିଚାଳନା କରି ଅତିଥିଙ୍କୁ ସ୍ବାଗତ କରିଥିଲେ । ସୁନ୍ଦରଗଡ଼ ନୂଆ ବସଷ୍ଟାଣ୍ଡରୁ ସାଇକ୍ଲିଂ ପ୍ରତିଯୋଗୀତା ଆରମ୍ଭ କରାଯାଇଥିଲା ଏବଂ ଖେଳାଳୀମାନେ ପୋଡ଼ାଜଲଙ୍ଗା ପର୍ୟ୍ୟନ୍ତ ଯାଇଥିଲେ । ଆଜି ୧୪ବର୍ଷରୁ କମ, ୧୬ବର୍ଷରୁ କମ, ୧୮ ବର୍ଷରୁ କମ ଓ ୨୩ବର୍ଷରୁ କମ ବୟସ ବର୍ଗର ଉଭୟ ବାଳକ ଓ ବାଳିକାଙ୍କ ମଧ୍ୟରେ ପ୍ରତିଯୋଗୀତା କରାଯାଇଥିଲା । ୧୪ବର୍ଷରୁ କମ ବାଳକ ବର୍ଗରେ ଭୁବନେଶ୍ବର କିଟର ଡି.ଦେହୁରା ପ୍ରଥମ, ସୁନ୍ଦରଗଡ଼ର କ୍ରିଷ୍ଣା କୁଶଲ ଦ୍ବିତୀୟ ଓ ଭୁବନେଶ୍ବର କିଟର ଡମ୍ବରୁଧର ମାଝୀ ତୃତୀୟ ହୋଇଥିବା ବେଳେ ବାଳିକା ବର୍ଗରେ କିଟର ପି.ଯାନି ପ୍ରଥମ, ମୟୁରୀ ପିଙ୍ଗ ଦ୍ବିତୀୟ ଭାରତୀ ଯାନି ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ୧୬ବର୍ଷରୁ କମ ବର୍ଗ ବାଳକ ବିଭାଗରେ ଆର.ଏସ.ପିର ସାଶ୍ବତ ପାତ୍ର ପ୍ରଥମ, କିଟର ସୁଭେଶ ହାସଦା ଦ୍ବିତୀୟ, ସୁନ୍ଦରଗଡ଼ର ହିତେଶ ଗଉଡ଼ ତୃତୀୟ, ବାଳିକା ବର୍ଗରେ କିଟର ବନିତା କିଶାନ ପ୍ରଥମ, ଆନନ୍ଦିନୀ ପ୍ରଧାନ ଦ୍ବିତୀୟ, ମନିକା ମଲ୍ଲିକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ୧୮ବର୍ଷରୁ କମ ବାଳକ ବର୍ଗରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଚିନ୍ମୟ ଜେନା ପ୍ରଥମ, ସୁନ୍ଦରଗଡ଼ର ଲୁକେଶ ଚୌଧୁରୀ ଦ୍ବିତୀୟ ଓ ଆୟୁଷ ପୁର୍ତ୍ତି ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବାଳିକା ବିଭାଗରେ କିଟ ଭୁବନେଶ୍ବରର ମଧୁସ୍ମିତା ବଡକ ପ୍ରଥମ, ଧାନୀ ହାସଦା ଦ୍ବିତୀୟ ଓ ମୁସ୍କାନ କିଶାନ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଶେଷରେ ୨୩ବର୍ଷରୁ କର୍ମ ବୟସ ବାଳକ ବର୍ଗରେ କିଟର ରୋହିତ ହେମ୍ବ୍ରମ ପ୍ରଥମ, କୃପାସିନ୍ଧୁ ବ୍ରେଖେଣ୍ଡା ଦ୍ବିତୀୟ ଓ ଲକ୍ଷ୍ମନ ହାସଦା ତୃତୀୟ ହୋଇଥିବା ବେଳେ ବାଳିକା ବିଭାଗରେ ମଧ୍ୟ କିଟର ମିନତୀ ସିଂ ପ୍ରଥମ, ଲିଲି ମାଝୀ ଦ୍ବିତୀୟ ଓ ପ୍ରିୟଙ୍କା ସାହୁ ତୃତୀୟ ସ୍ଥାନ ହାସଲ କରିଥିଲେ । ଆଜି ପ୍ରଥମ ଦିବସରେ ଭୁବନେଶ୍ବର କିଟର ଖେଳାଳିମାନେ ୧୭ଟି ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗୀତାକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ସଦର ଥାନା, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏକ ନୂତନ ପ୍ରକାର ପ୍ରତିଯୋଗୀତା ହୋଇଥିବାରୁ ସାଇକ୍ଲିଂ ରେସ ଦେଖିବା ପାଇଁ ବହୁତ ଭିଡ଼ ପରିଲକ୍ଷିତ ହୋଇଥିଲା । ସୁନ୍ଦରଗଡ଼ ଜିଲା କ୍ରୀଡ଼ା ସଂସଦର ସାଧାରଣ ସଂପାଦକ ପ୍ରଭାତ କୁମାର ଭୋଲ, ସହସଂପାଦକ ଜୟଦେବ ପାତ୍ର, ଉପସଭାପତି ରାଜେନ୍ଦ୍ର ମହାନ୍ତି, ଅଜୟ ବହିଦାର, ନିତ୍ୟ କୁମାର ବଳ, ଶିଶିର ପଟେଲ, ଆଶିଷ ଦେ, ରାଜେନ୍ଦ୍ର ପଣ୍ଡା, ରାଜା ପଟ୍ଟନାୟକ, ବିମଲ ବୋଷ ପ୍ରମୁଖଙ୍କ ତତ୍ତ୍ବାବଧାନରେ ପ୍ରତିଯୋଗୀତା ଆୟୋଜିତ ହେଉଅଛି । ଏହି ପ୍ରତିଯୋଗୀତାକୁ ପରିଚାଳକ ଭାବେ ପ୍ରସନ୍ନ ଠାକୁର, ପ୍ରଦୀପ ଦାସ, ଲିଙ୍ଗରାଜ ଷଡ଼ଙ୍ଗୀ, ପ୍ରମୋଦ ବେହେରା, ସମ୍ବିତ ମହାନ୍ତି, ଗୋପୀନାଥ ପଣ୍ଡା, ନିହାର ଜେନା, ପର୍ଶୁରାମ ଚୌଧୁରୀ, ପ୍ରଫୁଲ୍ଲ ବେହେରା, ଅଜୟ ସିଂ, ଅଖିଲ କୋହଲି ପ୍ରମୁଖ ପରିଚାଳନା କରିଥିଲେ ।
Comments are closed.