ପିପିଲି ବ୍ଳକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ବିକ୍ଷୋଭ

ପିପିଲି: ୩ଦଫା ଦାବୀ ନେଇ ପିପିଲି ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ (ନୂତନ ପେନ୍‍ସନ୍‍ ଯୋଜନାଭୁକ୍ତ) ପକ୍ଷରୁ ଶନିବାର ପିପିଲିରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଓ କରାଯାଇଥିଲା।
ପ୍ରାଥମିକ ଶିକ୍ଷାରେ ଠିକା ନିଯୁକ୍ତି ଉଚ୍ଛେଦ ସହିତ ୨୦୦୧ ମସିହାରୁ ନିଯୁକ୍ତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କର ଠିକା ସମୟକୁ ମୂଳ ଚାକିରୀରେ ଗଣନା କରି ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବା, ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରାଯିବା ଓ ପ୍ରାଥମିକ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପାଇଁ ପୁରୁଣା ପେନ୍‍ସନ୍‍ ବ୍ୟବସ୍ଥା ପ୍ରଚଳନ କରାଯିବା ଦାବିରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ପିପିଲି ବ୍ଳକ ସଭାପତି ଜୟପ୍ରକାଶ ପ୍ରଧାନଙ୍କ ନେତୃତ୍ୱରେ ୩ଶହରୁ ଉର୍ଦ୍ଧ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଶନିବାର ଦିନ ପିପିଲି ନୋଡାଲ ହାଇସ୍କୁଲ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ପିପିଲି ବଜାର ପରିକ୍ରମା କରିଥିଲେ। ଏହାପରେ ଜବାହର ବିଦ୍ୟାପୀଠ ଠାରେ ଥିବା ପିପିଲି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ସେମାନେ ଘେରାଓ କରିବା ସହ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ବ୍ଳକ ସଭାପତି ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ମହାସଚିବ ବିକ୍ରମ ରଥ ଯୋଗଦେଇ ପ୍ରାଥମିକ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋକପାତ କରିବା ସହ ରାଜ୍ୟ ସରକାରଙ୍କ ଶିକ୍ଷକ ମାରଣନୀତିକୁ କଡା ସମାଲୋଚନା କରିଥିଲେ। ଉପରୋକ୍ତ ୩ଦଫା ଦାବୀକୁ ଯଦି ୭ଦିନ ମଧ୍ୟରେ ସରକାର ପୂରଣ ନକରନ୍ତି, ତେବେ ଆସନ୍ତା ୨୭ ତାରିଖରେ ଭୁବନେଶ୍ୱର ରାଜରାସ୍ତାରେ ଏକ ଲକ୍ଷରୁ ଉର୍ଦ୍ଧ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନେଇ ଦାବି ହାସଲ ହେବା ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ଶ୍ରୀରଥ ଚେତାବନୀ ଦେଇଥିଲେ। ଜିଲା ସଂଘର ଉପସଭାପତି ବିଜୟ କୁମାର ମାଝୀ, ପିପିଲି ବ୍ଳକ ସଂଘର ସଂପାଦକ ଲକ୍ଷ୍ମୀଧର ସାହୁ, ଉପସଭାପତି ଦୁଷ୍ମନ୍ତ ବଳିୟାର ସିଂହ, ସହସଂପାଦକ ବୈକୁଣ୍ଠ ବିଶ୍ୱାଳ, କୋଷାଧ୍ୟକ୍ଷ ରଶ୍ମୀରଞ୍ଜନ ସେଠୀ, ଶିକ୍ଷକନେତା ଚିନ୍ତାମଣୀ ଓଝା, ବିଚ୍ଛନ୍ଦ କୁମାର ମହାପାତ୍ର, ସନ୍ତୋଷ କୁମାର ନାୟକ ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନସଚିବ, ୫-ଟି ସଚିବ ଓ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ରକୁ ବ୍ଲକ ଶିକ୍ଷାଧିକାରୀ ରବିନାରାୟଣ ନନ୍ଦଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।

kalyan agarbati

Comments are closed.