ବଢ଼ିବ ବିଧାୟକଙ୍କ ଦରମା ଓ ଭତ୍ତା

ଉପଦେଷ୍ଟା କମିଟିର ନିଷ୍ପତ୍ତି

ଭୁବନେଶ୍ବର : ଖୁବଶୀଘ୍ର ବିଧାୟକଙ୍କ ଦରମା ଓ ଭତ୍ତା ବଢ଼ିବ । ଏହାସହିତ ପୂର୍ବତନ ବିଧାୟକଙ୍କ ପେନସନ ମଧ୍ୟ ବୃଦ୍ଧି ପାଇବ। ଏହିଭଳି ନିଷ୍ପତ୍ତି ଗୁରୁବାର ବିଧାନସଭାର ଉପଦେଷ୍ଟା କମିଟି ନେଇଛି । ବିଧାନସଭାର ଉପଦେଷ୍ଟା କମିଟି ଅଧ୍ୟକ୍ଷ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଜଣାଯାଇଛି ଯେ ଗତ ବିଧାନସଭା କାଳରେ ସର୍ବସମ୍ମତିକ୍ରମେ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ଲାଗି ନିଷ୍ପତ୍ତି ହୋଇଥିଲା। ବାଚସ୍ପତିଙ୍କ ନିର୍ଦେଶକ୍ରମେ ଅନ୍ୟ ରାଜ୍ୟରେ ବିଧାୟକଙ୍କ ଦରମା ତଥ୍ୟକୁ ବିଚାର କରାଯିବା ପରେ ଯାହାକିଛି ନିଷ୍ପତ୍ତି ନିଆଯାଇ ପାରିବ ବୋଲି ସ୍ଥିର ହୋଇଥିଲା। ଏହି ପରିପ୍ରେକ୍ଷୀରେ ଉପଦେଷ୍ଟା କମିଟି ପକ୍ଷରୁ ବିଭିନ୍ନ ରାଜ୍ୟରେ ବିଧାୟକଙ୍କ ଦରମାକୁ ତର୍ଜମା କରାଯିବା ପରେ ଏବଂ ବିଧାନସଭାର ସର୍ବସମ୍ମତିକ୍ରମେ ବିଧାୟକଙ୍କ ଦରମା ବୃଦ୍ଧି ଏବଂ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ହେବ। ଏଥିଲାଗି ଆସନ୍ତା ବିଧାନସଭା କାଳରେ ପୂର୍ଣ୍ଣାଙ୍ଗ ନିଷ୍ପତ୍ତି ନିଆଯାଇ ସୁପାରିସ କରାଯିବ ବୋଲି ଶ୍ରୀ ଶତପଥୀ କହିଛନ୍ତି। ଗୁରୁବାର ବୈଠକରେ ବିଧାୟକ ଡ. ନରସିଂହ ସାହୁ, ଲକ୍ଷ୍ମଣ ମୁଣ୍ଡା, ମକରନ୍ଦ ମୁଦୁଲି, ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.