ନିର୍ମାଣ ହେବ ଓଡ଼ିଶା ଗ୍ରାଣ୍ଡ ରିଙ୍ଗ ରୋଡ଼

ରାଜ୍ୟର ଆର୍ଥିକ ଅନଗ୍ରସର ଅଞ୍ଚଳକୁ ମୁଖ୍ୟସ୍ରୋତରେ ସାମିଲ କରାଯିବ, ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ବାଟ ଖୋଲିବ

ଭୁବନେଶ୍ବର : ରାଜ୍ୟର ଉତ୍ତର ପ୍ରାନ୍ତରୁ ଦକ୍ଷିଣ, ପଶ୍ଚିମ, ପୂର୍ବ ଏବଂ ଦ୍ଵୈତନଗରୀ ଭୁବନେଶ୍ବର ଓ କଟକ ସହରକୁ ସଂଯୋଗ କରିବା ପାଇଁ ନିର୍ମାଣ ହେବ ଗ୍ରାଣ୍ଡ ରିଙ୍ଗ ରୋଡ। ଏହି ୪ ଟିକିଆ ରାସ୍ତା ପୂର୍ବ ଦିଗରେ ଜଳେଶ୍ବର, ଦକ୍ଷିଣରେ ଜୟପୁର ଭାୟା କଟକ, ଭୁବନେଶ୍ବର, ବ୍ରହ୍ମପୁର ଦେଇ ପଶ୍ଚିମରେ ନୂଆପଡା ଜିଲା ହୋଇ ଉତ୍ତର ଦିଗରେ ରାଉରକେଲାକୁ ସଂଯୋଗ କରିବ।
ବିଜୁ ଏକ୍ସପ୍ରେସ ୱେକୁ ସମ୍ପ୍ରସାରଣ କରି ଏହି ଗ୍ରାଣ୍ଡ ରିଙ୍ଗ ରୋଡ ନିର୍ମାଣ ହେବ। ଏଥିପାଇଁ ରାଉରକେଲା-ଜଳେଶ୍ବର ଏବଂ ବ୍ରହ୍ମପୁର-ଜୟପୁର କରିଡର ନିର୍ମାଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଅନ୍ୟପଟେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପୁରୀ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ସହିତ ସଂଯୋଗ କରିବା ପାଇଁ ୬ ଲେନ୍‌ ବିଶିଷ୍ଟ ଏକ୍ସପ୍ରେସ ୱେ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି। ଦୁଇ କରିଡର ୭୦୯କିମି ଏବଂ ପୁରୀ-ଭୁବନେଶ୍ବର ୫୭କିମି ଏକ୍ସପ୍ରେସ ରାସ୍ତା ପାଇଁ ମୋଟ ୧୦ ହଜାର ୯ କୋଟି ଟଙ୍କା ଖର୍ଚ୍ଚ ପାଇଁ ପ୍ରସ୍ତାବରେ ବ୍ୟୟ ବରାଦ କରାଯାଇଛି। ଏଥିପାଇଁ ୪୫୮୬ ଏକର ଜାଗା ଆବଶ୍ୟକ ଥିବାବେଳେ ଜମି ଅଧିଗ୍ରହଣ ପାଇଁ ୧୮୩୭ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି। ରାଉରକେଲା-ଜଳେଶ୍ବର କରିଡର ଏବଂ ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର-ଜୟପୁର କରିଡର ବିଜୁ ଏକ୍ସପ୍ରେସ ୱେ’କୁ ସଂଯୋଗ କରିବା ଦ୍ବାରା ଚକାଚକ ରାସ୍ତା ନିର୍ମାଣ ହେବ। ଏହି ପ୍ରସ୍ତାବ ସଂକ୍ରାନ୍ତରେ ନକ୍ସା, ଯୋଜନା ଓ ଅନୁସନ୍ଧାନ ସମ୍ପର୍କରେ ରାସ୍ତା ବିଭାଗ ମୁଖ୍ୟଯନ୍ତ୍ରୀ ଇଂ. ତାରାପ୍ରସାଦ ମିଶ୍ର ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ତଥା ସ୍ବତନ୍ତ୍ର ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି।
ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ପରେ ସରକାର ପୁରୀରେ ବିଶ୍ବସ୍ତରୀୟ ବିମାନ ବନ୍ଦର ନିର୍ମାଣ କରୁଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ସହ ମିଶି ପୁରୀ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ କରୁଛି। ସ୍ଥଳଭାଗରେ ଯାତ୍ରୀଙ୍କ ସୁଗମ ଯାତାୟାତ ପାଇଁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ପୁରୀ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଏକ୍ସପ୍ରେସ ୱେ ବା ସବୁଜ ରାସ୍ତା ନିର୍ମାଣ କରାଯିବ। ଏହି ୬ଥାକିଆ ରାସ୍ତା ନିର୍ମାଣ ହେବା ଦ୍ବାରା ପଥଚାରୀଙ୍କୁ ପ୍ରାୟ ୯କିମି ଦୂରତା କମିବ। ଉକ୍ତ ରାସ୍ତାରେ ଘଣ୍ଟା ପ୍ରତି ୧୨୦ କିମି ଗତିରେ ମୋଟରଗାଡି ଚଳାଚଳ କରିବ। ଫଳସ୍ବରୂପ ଦେଢ ଘଣ୍ଟା ମଧ୍ୟରେ ଭୁବନେଶ୍ବରରୁ ପୁରୀ‌େ‌ର ପହଞ୍ଚି ହେବ। ଏହି ୫୭କିମି ବିଶିଷ୍ଟ ପ୍ରକଳ୍ପ ପାଇଁ ୩,୫୯୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଥିରୁ ୧୨୭୩ ଏକର ଜମି ଅଧିଗ୍ରହଣ ପାଇଁ ୧୦୧୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଏକ୍ସପ୍ରେସ ନିର୍ମାଣ କରାଯିବା ଦ୍ବାରା ଆଗାମୀ ଦିନରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ବାଟ ଫିଟିବ। ଉକ୍ତ ରାସ୍ତାରୁ ୧୦୦ମିଟର ଦୂରରେ ମେଟ୍ରୋ ରେଳ ଲାଇନ ବିଛା ଯାଇ ପାରିବ।
ବିଜୁ ଏକ୍ସପ୍ରେସ ୱେ ରାଉରକେଲାରୁ ଜଳେଶ୍ବର ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବା ପାଇଁ ସରକାର ପ୍ରସ୍ତାବ ରଖିଛନ୍ତି। ବିଜୁ ଏକ୍ସପ୍ରେସ ୱେ’ର ଏକ ଅଂଶ ବିଶେଷ ହେବ ରାଉରକେଲା-ଜଳେଶ୍ବର କରିଡର। ଏହି କରିଡର ନିର୍ମାଣ ହେବା ଦ୍ବାରା ଆର୍ଥିକ କ୍ଷେତ୍ରରେ ପଛୁଆ ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ବର ଜିଲାକୁ ସଂଯୋଗ କରାଯାଇ ପାରିବ। ଏହା ପୂର୍ବ-ପଶ୍ଚିମ ଦିଗ କରିଡର ହୋଇ ବିଜୁ ଏକ୍ସପ୍ରେସ ୱେ’ ସହ ମିଶିବ। ଏହି କରିଡର ନିର୍ମାଣ ହେବା ଦ୍ବାରା ଭୁବନେଶ୍ବର-ବ୍ରହ୍ମପୁର-ଜୟପୁର-ଭବାନୀପାଟଣା-ରାଉରକେଲା-ଜଳେଶ୍ବର-ବାଲେଶ୍ବର-କଟକକୁ ସଂଯୁକ୍ତ କରାଯାଇ ପାରିବ। ପ୍ରାୟ ୩୯୧.୪ କିମି ଦୂରତା ବିଶିଷ୍ଟ ରାସ୍ତାରୁ ୨୧୬.୫କିମି ଜାତୀୟ ରାଜପଥ, ୧୬୧.୫ କିମି ପୂର୍ତ୍ତ ବିଭାଗ ରାସ୍ତା, ୧୩.୪ କିମି ସବୁଜ ରାସ୍ତା ହେବ। ଏହି ପ୍ରକଳ୍ପ ପାଇଁ ୨୦୬୫ କୋଟି ଟଙ୍କା ବ୍ୟୟ ବରାଦ ହେବାକୁ ଥିବାବେଳେ ୧୪୧୦ ଏକର ଜମି ଅଧିଗ୍ରହଣ ପାଇଁ ୩୫୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୪୫ମିଟର ଓସାର ବିଶିଷ୍ଟ ୪ ଟିକିଆ ରାସ୍ତା ନିର୍ମାଣ ଏହାର ଅଂଶବିଶେଷ।
ବ୍ରହ୍ମପୁର-ଜୟପୁର କରିଡର ବିଜୁ ଏକ୍ସପ୍ରେସ ୱେ’ରେ ସମ୍ପ୍ରସାରିତ ହେବ। ଏହି କରିଡର ନିର୍ମାଣ କରାଯିବ ଦ୍ବାରା ଆର୍ଥିକ କ୍ଷେତ୍ରରେ ପଛୁଆ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଜିଲାକୁ ଏକ୍ସପ୍ରେସ ରାସ୍ତା ସଂଯୋଗ କରାଯାଇ ପାରିବ। ଏହି କରିଡର ଭୁବନେଶ୍ବର-ବ୍ରହ୍ମପୁର-ଜୟପୁର-ଭବାନୀପାଟଣା-ରାଉରକେଲା-ଜଳେଶ୍ବର-ବାଲେଶ୍ବର-କଟକ-ଭୁବନେଶ୍ବରକୁ ସଂଯୋଗ କରିବ। ଏହି କରିଡର ଦୈର୍ଘ୍ୟ ୩୧୮କିମି ରହିବ। ଏଥିରୁ ୭୦ କିମି ଜାତୀୟ ରାଜପଥ, ୨୪୮କିମି ସବୁଜ ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ୪୩୫୨ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୧୯୦୩ ଏକର ଜମି ଅଧିଗ୍ରହଣ ପାଇଁ ୪୭୫ କୋଟି ଟଙ୍କା ବିନିଯୋଗ କରାଯିବ। ୪୫ ମିଟର ଓସାର ବିଶିଷ୍ଟ ୪ ଟିକିଆ ରାସ୍ତା ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି। ଜଳେଶ୍ବରରୁ ବ୍ରହ୍ମପୁରକୁ ଜାତୀୟ ରାଜପଥ-୧୬ ଥିବାବେଳେ ବ୍ରହ୍ମପୁର-ଜୟପୁର କରିଡର ବିଜୁ ଏକ୍ସପ୍ରେସ ୱେ’କୁ ସଂଯୋଗ କରିବ। ଜୟପୁରରୁ ଆମାପାଣି ଜାତୀୟ ରାଜପଥ, ଆମାପାଣି-ରାଉରକେଲା ବିଜୁ ଏକ୍ସପ୍ରେସ ୱେ ଏବଂ ରାଉରକେଲାରୁ ଜଳେଶ୍ବର ପୂର୍ବ-ପଶ୍ଚିମ ଦିଗକୁ ସଂଯୋଗ କରୁଥିବା କରିଡର ନିର୍ମାଣ ହୋଇ ରିଙ୍ଗ ରୋଡ ଭାବେ ପରିଗଣିତ ହେବ।

Comments are closed.