ଡେସ୍କ: ବାରବାଟୀ ଷ୍ଟାଡିଅମ ସ୍ଥିତ ସେଣ୍ଟ ଜାଭିଅର ସିନିଅର ସେକେଣ୍ଡାରୀ ସ୍କୁଲରେ ଆଜି ସ୍କାଉଟ ଓ ଗାଇଡ଼ ଛାତ୍ରଛାତ୍ରୀମାନଙ୍କର ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଯାଇଛି। ସ୍ଥାନୀୟ କ୍ଲବ ହାଉସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସ୍କାଉଟ କମିଶନର ଅଶୋକ କୁମାର ମହାପାତ୍ର ଯୋଗ ଦେଇ ପିଲାମାନଙ୍କୁ ସ୍କାଉଟ ଓ ଗାଇଡ଼ର ନୀତି ଆଦର୍ଶକୁ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ସାଙ୍ଗଠନିକ କମିଶନର ପ୍ରଦୀପ୍ତ କୁମାର ମହାନ୍ତି ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ନାଗରିକ ହେବା ସହ ପିତାମାତାଙ୍କ ଆଶିଷ ନେଇ ଜୀବନରେ ଅଗ୍ରସର ହେବାକୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ତ୍ରିପାଠୀ, ଜିଲ୍ଲା ସ୍କାଉଟର ଜିତେନ୍ ରାଉତ ଏବଂ ଜିଲ୍ଲା ଗାଇଡ଼ର ରଞ୍ଜିତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।
ବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରିୟଦର୍ଶୀ ନାୟକ ଏହି ଶପଥ ଗ୍ରହଣ ସମାରୋହର ଶୁଭାରମ୍ଭ କରି ସମ୍ଭାଷଣ ପ୍ରଦାନ କରିଥିଲେ। ଗାଇଡ଼ ଶିକ୍ଷୟିତ୍ରୀ କଳିକା ସାହୁ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଜାତୀୟ ସଂଗୀତ ଗାନ କରାଯିବା ସହ ବିଦ୍ୟାଳୟର ସ୍କାଉଟ ଶିକ୍ଷକ ଅବଦୁଲ ୱାସିମ ଧନ୍ୟବାଦ ଅର୍ପଣ କରିଥିଲେ।



