www.samajalive.in
Wednesday, December 10, 2025
15.1 C
Bhubaneswar

ସପ୍ତାହବ୍ୟାପୀ ଜନଜାତି କଳା ଓ କଳାବସ୍ତୁର ପ୍ରଦର୍ଶନ, ୭୫ ଜଣ ଜନଜାତି ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଆଜି ସ୍ଥାନୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସ୍‌ସିଏସ୍‌ଟିଆର୍‌ଟିଆଇ) ପ୍ରେକ୍ଷାଳୟରେ ଜନଜାତୀୟ ଗୌରବ ଦିବସ ଉଦ୍‌ଘାଟିତ ହୋଇଯାଇଛି। ସ୍ୱାଧୀନତା ସଂଗ୍ରାମରେ ଭାରତର ଜନଜାତିମାନଙ୍କ ଉଲ୍ଲେଖନୀୟ ଯୋଗଦାନକୁ ସମ୍ମାନ ଜଣାଇ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ଜନଜାତୀୟ ଗୌରବ ଦିବସ ହିସାବରେ ଭାରତ ସରକାର ଘୋଷଣା କରିଛନ୍ତି। ଜନଜାତିମାନଙ୍କର ସାଂସ୍କୃତିକ ମହତ୍ତ୍ୱର ସଂରକ୍ଷଣ ଏବଂ ଭାରତୀୟ ମୂଲ୍ୟବୋଧ ଓ ଗରିମାର ପ୍ରସାର ଦିଗରେ ଜନଜାତିମାନଙ୍କର ଅବଦାନକୁ ସ୍ୱୀକୃତି ଦେବା ପାଇଁ ନଭେମ୍ବର ୧୫ ତାରିଖଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଜନଜାତୀୟ ଗୌରବ ଦିବସ ପାଳନ କରାଯାଉଛି।

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳନର ଏକ ଅଂଶସ୍ୱରୂପ ଜନଜାତୀୟ ଗୌରବ ଦିବସ ପାଳନକୁ ଚଳିତ ବର୍ଷ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟ ସହଯୋଗରେ ଏସ୍‌ସିଏସ୍‌ଟିଆର୍‌ଟିଆଇ, ଅନୁସୂଚିତ ଜନ ଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ସପ୍ତାହବ୍ୟାପୀ ଜନଜାତୀୟ ଗୌରବ ଦିବସ ପାଳନ ଉତ୍ସବକୁ ଓଡ଼ିଶାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ରଖିଥିବା ଓଡ଼ିଶାର ୭୫ ଜଣ ଜନଜାତି ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉତ୍ସବରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ ସାରକା କହିଲେ ଯେ ଦେଶର ସାଂସ୍କୃତିକ ଐତିହ୍ୟ ସଂରକ୍ଷଣରେ ଜନଜାତି ସଂପ୍ରଦାୟର ମୁଖ୍ୟ ଭୂମିକା ରହିଛି। ବ୍ରିଟିଶ ସରକାରଙ୍କ ବିରୋଧରେ ସ୍ୱାଧୀନତା ପାଇଁ ପ୍ରାୟ ବହୁ ବିଦ୍ରୋହ ଜନଜାତିଙ୍କ ଦ୍ୱାରା ସଂଘଟିତ ହୋଇଛି। ବହୁ ଜନଜାତି ସଂଗ୍ରାମୀ ଶହୀଦ ହୋଇଛନ୍ତି।

- Advertisement -

ଏହି ଅବସରରେ ଏସ୍‌ସିଏସ୍‌ଟିଆର୍‌ଟିଆଇର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ତାଙ୍କର ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରି କହିଥିଲେ ଯେ ବିର୍ସା ମୁଣ୍ଡା ଜନଜାତି ସଂପ୍ରଦାୟର ରୋଲ୍‌ ମଡେଲ। ସ୍ୱାଧୀନତା ସଂଗ୍ରାମରେ ଜନଜାତି ସଂଗ୍ରାମୀମାନଙ୍କର ଭୂମିକା ଅତୁଳନୀୟ। ଏହି ଉତ୍ସବରେ ଅବସରପ୍ରାପ୍ତ ଭାରତୀୟ ରେଳସେବା ଅଧିକାରୀ ତଥା ବରିଷ୍ଠ ସାମାଜିକ ସଂଗଠକ ଉଦୟନାଥ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ସ୍ୱାଧୀନତା ସଂଗ୍ରାମରେ ଜନଜାତିଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି।ଏହି ଅବସରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଚିବ ସୁମିତା ଦାସ କହିଲେ ଯେ ବିର୍ସା ମୁଣ୍ଡାଙ୍କର ୧୫୦ତମ ଜୟନ୍ତୀ ପାଳନ ଅବସରରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

ଏହି ଅବସରରେ ୭୫ ଜଣ ଜନଜାତି ପ୍ରତିଭା ଏକତ୍ରିତ ହୋଇଛନ୍ତି। ଆଜିର ଉଦ୍‌ଘାଟନୀ ଉତ୍ସବରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ନିର୍ଦ୍ଦେଶକ (ଏସ୍‌ଟି) ଶ୍ରୀକାନ୍ତ ତରାଇ ଉପସ୍ଥିତ ରହି ଅତିଥି ଓ ସମସ୍ତ ପ୍ରତିନିଧିଙ୍କୁ ସ୍ୱାଗତ ଜଣାଇଥିବାବେଳେ ଏସ୍‌ସିଏସ୍‌ଟିଆର୍‌ଟିଆଇର ଯୁଗ୍ମ ନିର୍ଦ୍ଦେଶକ କଳ୍ପନା ପଟ୍ଟନାୟକ ଧନ୍ୟବାଦ ଜଣାଇଥିଲେ। ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଆଜି ୭୫ ଜଣ ଜନଜାତି ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି । ଏହି ଅବସରରେ ଜନଜାତି ନୃତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସପ୍ତାହବ୍ୟାପୀ ଜନଜାତି କଳାକାରମାନଙ୍କ ଦ୍ୱାରା ଜନଜାତି କଳା ଓ କଳାବସ୍ତୁର ଭବ୍ୟ ପ୍ରଦର୍ଶନ କରାଯାଉଛି। ଏସ୍‌ସିଏସ୍‌ଟିଆର୍‌ଟିଆଇଠାରେ ସପ୍ତାହବ୍ୟାପୀ ଓଡ଼ିଶାର ଜନଜାତି ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶନ କରାଯିବ। ନଭେମ୍ବର ୨୧ ତାରିଖ ଦିନ ସପ୍ତାହବ୍ୟାପୀ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ସହ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରାଯିବ।

ଏହି ଅବସରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରକୁ ଆଲୋକମାଳାରେ ସଜ୍ଜିତ କରାଯିବ। ସେହିଭଳି ଏସ୍‌ସିଏସ୍‌ଟିଆର୍‌ଟିଆଇ ପରିସରରେ ଆଜି ସପ୍ତାହବ୍ୟାପୀ ଜନଜାତି କଳା ଓ କଳାବସ୍ତୁର ପ୍ରଦର୍ଶନ ମଧ୍ୟ ଉଦ୍‌ଘାଟିତ ହୋଇଯାଇଛି। କଳା ଓ କଳାବସ୍ତୁକୁ ଭଲ ପାଉଥିବା ପରିଦର୍ଶକମାନଙ୍କୁ ଏହି ପ୍ରଦର୍ଶନକୁ ନିରେଖିବା ପାଇଁ ନିମନ୍ତ୍ରଣ କରାଯାଉଛି। ଏହି ପ୍ରଦର୍ଶନ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଦିବା ୧୧ ଘଟିକାରୁ ସନ୍ଧ୍ୟା ୫.୩୦ ମିନିଟ୍‌ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories