www.samajalive.in
Saturday, December 6, 2025
26.1 C
Bhubaneswar

ଆଦିମ ଜନଜାତିଙ୍କ ନିଆରା ପରମ୍ପରା ‘ଫୁଲଯାତ୍ରା’

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଆଦିମ ଜନଜାତି କୁଇ ସମ୍ପ୍ରଦାୟର ସାଥୀ ବାଛିବାର ଏକ ନିଆରା ପାରମ୍ପରିକ ଯାତ୍ରା ‘ଫୁଲଯାତ୍ରା’। ଏହି ଯାତ୍ରା ଦୀପାବଳି ଯିବାର ସପ୍ତାହକ ପରେ ପଡୁଥିବା ଶନିବାର ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ତିଥିରେ ଟିକେ ଏପଟସେପଟ କାରଣରୁ ଦ୍ବିତୀୟ ଶନିବାର ଯାତ୍ରା ଅନୁଷ୍ଠିତ ହୋଇଛି। ବ୍ଲକର ଓଡ଼ିଆପେଣ୍ଠ ପଞ୍ଚାୟତ ବିରିଗୁଡା ନିକଟବର୍ତ୍ତୀ ଏକ ଆମ୍ବତୋଟାରେ କାହିଁ କେଉଁ କାଳରୁ ଅନୁଷ୍ଠିତ ହୋଇଆସୁଛି। କୁଇ ସମ୍ପ୍ରଦାୟର ଲୋକ ଏହି ଯାତ୍ରା ପାଳନ କରିଥାନ୍ତି। ଯାତ୍ରାରେ ବିଭିନ୍ନ ରକମର ଘରକରଣା ସାମଗ୍ରୀ ସହିତ ଲିଆ ଖଜା, ଶିମିଳି କନ୍ଦା ନିହାତି ଉପଲବ୍ଧ ହୋଇଥାଏ। ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି କନିଆଁ ଝିକା । ଆଦିବାସୀ ଯୁବକଯୁବତୀ ଯେଉଁମାନେ ଗାଁ ଗାଁରେ ଏପରିକି ଗୋଟିଏ ଗାଁର ଯୁୁୁବକ ମିଶି ଅନ୍ୟ ଏକ ଗାଁକୁ ଯାଇଥାନ୍ତି ଧୁନ୍ଦୁଣି ଗାଇବା ପାଇଁ। ସେହିଠାରୁ ହିଁ ସେମାନେ ଜୀବନ ସାଥୀ ବାଛିଥାନ୍ତି। ଏପରିକି ମନ ଦିଆନିିଆ ହୋଇ କେତେକଙ୍କ ଘର ଲୋକ ତାହାକୁ ସ୍ବୀକୃତି ଦେଇଥାନ୍ତି ତ’ ଆଉ କେହି କେହି ତାହାକୁ ବିରୋଧ କରିଥାନ୍ତି। ଏହି କ୍ଷେତ୍ରରେ ସେମାନେ ପୁୂର୍ବରୁ ସଲାସୁତୁରା ହୋଇଥାନ୍ତି। ଯାତ୍ରା ଦେଖିବାକୁ ଆସୁଥିବା ଯୁବତୀକୁ ଭଲପାଉଥିବା ଯୁବକଙ୍କ ସାଙ୍ଗମାନେ ସୁଯୋଗ ଦେଖି ସେଠାରୁ ଝିକିି ନିଅନ୍ତି । ଯେଉଁଥିପାଇଁ ଏହି ଯାତ୍ରାକୁୁ କନିଆଁ ଝିକା ଯାତ୍ରା ବୋଲି କୁୁହାଯାଏ। ଏହାଛଡ଼ା କେହି କେହି ପୂର୍ବରୁ ଏକ ତରଫା ଭଲ ପାଇ ବସିଥାନ୍ତି। ଯୁବତୀ ଜଣଙ୍କ ସାଥୀ ମେଳରେ ଯାତ୍ରା ଦେଖିବାକୁ ଆସୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଯୁବକର ସାଙ୍ଗମାନଙ୍କ ସହଯୋଗରେ ସୁଯୋଗ ଦେଖି ଝିକି ନିଅନ୍ତି। ସେହି ଯୁବତୀଙ୍କୁ ନେଇ ଯୁବକଙ୍କ ଗାଁରେ ଏକ ଘରେ ରଖନ୍ତି । ଯେଉଁଠାରେ କି ଗାଁର ଯୁବତୀମାନେ ତାକୁ ଜଗିବା ସହିତ ଗପସପ କରି ମନ କିଣିବାକୁ ଉଦ୍ୟମ କରିଥାନ୍ତି। ତା‘ଛଡ଼ା ଯୁବତୀ ଜଣଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା ହୋଇଥାଏ। ପ୍ରାୟ ସପ୍ତାହେ ଧରି ଏହି ପରି ଭାବରେ ରଖାଯାଇଥାଏ। ସେହି ସମୟ ମଧ୍ୟରେ ଯଦି ଯୁବତୀ ଜଣଙ୍କ ମନ ବଦଳେ ଅବା ବିବାହ ପାଇଁ ସମ୍ମତି ମିଳେ ତା’ ହେଲେ ସମ୍ପୃକ୍ତ ଯୁବକଙ୍କ ସହିତ ତା’ର ବାହାଘର ହୋଇଥାଏ । ନତୁବା ତାଙ୍କ ଗ୍ରାମର ମୁରବି ତୁଲ୍ୟ ଲୋକମାନଙ୍କୁ ଡାକି ତାଙ୍କ ଜିମା ଦିଆଯାଇଥାଏ । ପୂର୍ବରୁ ଏହି ଯାତ୍ରାରେ ବହୁ ସଂଖ୍ୟାରେ କନିଆଁ ଝିକା ଏପରିକି ଇଛା ବିରୋଧରେ କନିଆଁ ଝିକା ସମୟରେ ମାର୍‌ପିଟ୍‌ ସହିତ ଗଣ୍ଡଗୋଳର ସୂତ୍ରପାତ ହୋଇଥାଏ । ଯେଉଁଥିପାଇଁ ସ୍ଥାନୀୟ ପୁଲିସ ପକ୍ଷରୁ ଆଇନ ଶୃଙ୍ଖଳା ପାଇଁ ବନ୍ଦୋବସ୍ତ କରାଯାଇଥାଏ । ଏହି ଯାତ୍ରା ଦେଖିବାକୁ ଅବିଭକ୍ତ କୋରାପୁଟ ଜିଲାର କାଶୀପୁର ସହ ରାୟଗଡା, ଦଶମନ୍ତପୁର, ନାରାୟଣପାଟଣା, ବନ୍ଧୁଗାଁ ଆଦି ଅଞ୍ଚଳରୁ ଲୋକେ ପିଲାଛୁଆ ଧରି ଯାତ୍ରା ଦେଖିବାକୁ ଆସିଥାନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories