କଣ୍ଟାବାଞ୍ଜି : ଅକ୍ଟୋବର ୩୧ରୁ ନଭେମ୍ବର ୦୬ ତାରିଖ ଯାଏ ହେବାକୁ ଥିବା ‘ଦୁର୍ନୀତି ମୁକ୍ତ ସଚେତନତା ସପ୍ତାହ’ ଉପଲକ୍ଷେ ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ତରଫରୁ ବିଜ୍ଞାପିତ ଅଞ୍ଚଳ ପରିଷଦସ୍ତରୀୟ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା କଣ୍ଟାବାଞ୍ଜି ସ୍ଥିତ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ‘ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ’ ବିଷୟ ଉପରେ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଆସୁଥିବା ସମସ୍ତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ରାମଚନ୍ଦ୍ର ସାହୁ, ମୁକାନ୍ଦିଲାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ଦର୍ଶନ ଶାସ୍ତ୍ର ଅଧ୍ୟାପକ ବଳରାଜ ସିଂହଦେଓ ଏବଂ ଅଧ୍ୟାପିକା ସବିନା ପରବିନ ବିଚାରକ ମଣ୍ଡଳୀର ସଦସ୍ୟ ଭାବେ ନିମନ୍ତ୍ରିତ ହୋଇ ପ୍ରତିଯୋଗୀମାନଙ୍କୁ ମୂଲ୍ୟାଙ୍କନ କରିଥିଲେ। ବକ୍ତୃତା ପ୍ରତିଯୋଗିତାରେ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ତିନି ବାଣିଜ୍ୟ ବିଭାଗର ପ୍ରଥମ ବର୍ଷର ଛାତ୍ରୀ ଗାୟତ୍ରୀ ଶର୍ମା ପ୍ରଥମ ହୋଇଥିବାବେଳେ ପ୍ରବନ୍ଧ ପ୍ରତିଯୋଗିତାରେ ଯୁକ୍ତ ତିନି ବାଣିଜ୍ୟ ପ୍ରଥମ ବର୍ଷ ବାଣିଜ୍ୟ ଛାତ୍ରୀ ଗାୟତ୍ରୀ ମହାଶକ୍ତି ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଆସନ୍ତା ନଭେମ୍ବର ୨ ତାରିଖରେ ବଲାଙ୍ଗୀର ସ୍ଥିତ ପି.ପି.ଏକାଡେମୀ ଉଚ୍ଚ ବିଦ୍ୟାଳୟରେ ହେବାକୁ ଥିବା ଜ଼ିଲ୍ଲାସ୍ତରୀୟ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ କୃତୀ ହୋଇଥିବା ଦୁଇଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କଠାରୁ ସୂଚନା ମିଳିଛି।
ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତ ପରିଚାଳନା କରିଥିବା ବେଳେ ରାଜନୀତି ଅଧ୍ୟାପକ ଜିତେନ୍ଦ୍ର ସୁନା ସହଯୋଗ କରିଥିଲେ।



