ବୌଦ୍ଧ : ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ପଦବୀ ପାଇଁ ନିର୍ବାଚନ ପ୍ରକ୍ରିୟା ଚାଲୁରହିଥିବାବେଳେ ଜିଲ୍ଲାରେ ସମବାୟ ନିର୍ବାଚନକୁ ନେଇ ରାଜନୈତି ଉଷ୍ମତା ବୃଦ୍ଧି ପାଇଛି । ଜିଲ୍ଲାରେ ସମବାୟ ନିର୍ବାଚନକୁ ଦେଖିଲେ ସାଧାରଣ ନିର୍ବାଚନଠୁ ବଳି ପଡୁଛି । ମନ୍ତ୍ରୀ, ବିଧାୟକ ଓ ନେତାଙ୍କ ଘର ଆଗରେ ପ୍ରାର୍ଥୀଙ୍କ ଭିଡ ଦେଖିବାକୁ ମିଳୁଛି । ଭୋଟକୁ ନେଇ ନେତାଙ୍କ ଘରେ ଚାଲିଛି ମାନସ ମନ୍ଥନ। ପ୍ରାର୍ଥୀ କିପରି ଜିତିବ ତାହାକୁ ନେଇ ଚାଲିଛି ରଣକୌଶଳ । ଆସନ୍ତା ୩୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ପ୍ରଚାର ସେତେ ଜୋରଦାର ହେଉଛି । ଭୋଟରଙ୍କ ମଧ୍ୟରେ ନିର୍ବାଚନକୁ ନେଇ ସେତିକିି ଉତ୍ସାହ ଦେଖିବାକୁ ମିଲୁଛି । ପ୍ରାର୍ଥୀମାନେ କିପରି କିଭଳି,କେଉଁ ଉପାୟରେ ଭୋଟର ମାନଙ୍କୁ ମନାଇବାକୁ ପଡିବ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି। ସମବାୟ ବ୍ୟାଙ୍କ ନିର୍ବାଚନରେ ଶାସକ ବିଜେଡି ତାର ସମସ୍ତ ୧୫ଟି ଜୋନରେ ତାର ସମର୍ଥିତ ପ୍ରାର୍ଥୀ ଛିଡା କରିଛି । ସେଥିମଧ୍ୟରୁ ଚାରଟି ଜୋନରେ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି । ବାକି ୧୧ଟି ଜୋନ ପାଇଁ ନିର୍ବାଚନ ହେବାକୁ ଯାଉଥିବା ବେଳେ ସେମାନଙ୍କ ପାଇଁ ଦଳୀୟ ନେତାମାନେ ପ୍ରଚାର କରିବା ଆରମ୍ଭ କରିଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅନେକ ପ୍ରାର୍ଥୀ ନିର୍ଦ୍ଦେଶକ ପଦବୀ ଅପେକ୍ଷା ଅଧ୍ୟକ୍ଷ ପଦ ପାଇବା ପାଇଁ ଅଧିକ ଆଶା ବାନ୍ଧିଛନ୍ତି।
ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ବ୍ୟାଙ୍କର ଶାଖା ରହିଥିବା ବେଳେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ୧୫ଟି ଜୋନ ରହିଛି । ପ୍ରତ୍ୟକ ଜୋନରେ ପ୍ରାୟ ୯୦ ଜଣ ଲେଖାଁଏ ଭୋଟର ଅଛନ୍ତି । ଏହି ୧୫ଟି ଜୋନ ପାଇଁ ୪୫ ଜଣ ପ୍ରାର୍ଥୀ ଓ ପ୍ରର୍ଥୀନୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ। ହେଲେ ୧୮ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହର କରିନେଇଥିଲେ । ଫଳରେ ଚାରଟି ଜୋନରେ ଜଣେ ଲେଖାଁଏ ପ୍ରାର୍ଥୀ ରହିବା ଫଳରେ ସେମାନଙ୍କୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଘୋଷଣା କରାଯିବ। ୧୧ଟି ଜୋନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ୧୧ଟି ଜୋନରେ ୨୩ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଅନ୍ୟପକ୍ଷରେ ୩ ନମ୍ବର ଜୋନରୁ ପ୍ରମୋଦ ରଣା, ୭ ନମ୍ବର ଜୋନରୁ ଡୁଗୁଣୀ ଦିଗାଲ ୧୧ ନମ୍ବରରୁ ଲିନା ମହାପାତ୍ର,୧୨ ନମ୍ବର ଜୋନରୁ ସୁବୋଧ କୁମାର ପ୍ରଧାନ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି । ସମବାୟ ନିର୍ବାଚନ ମାଧ୍ୟମରେ ରାଜନୈତିକ ଦଳମାନେ ତୃଣମୂଳସ୍ତରୁ ସେମାନଙ୍କ ସଂଗଠନକୁ ସୁଦୃଢ କରିବା ପାଇଁ ନିଜ ନିଜ ଦଳର ସମର୍ଥିତ ପ୍ରାର୍ଥୀକୁ ନିର୍ବାଚନ ମଇଦାନରେ ଓହ୍ଲାଇଥାନ୍ତି। ଯଦିଓ ସମବାୟ ନିର୍ବାଚନରେ ଜିଲାରେ ଶାସକ ଦଳ ବ୍ୟତୀତ ଅନ୍ୟ କୌଣସି ଦଳର ସମର୍ଥିତ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ପ୍ରାୟ ନାହାଁନ୍ତି, ତେବେ ଶାସକ ଦଳ ପକ୍ଷରୁ ସମବାୟ ବ୍ୟାଙ୍କ ସଭାପତି ପଦବୀ ଲକ୍ଷରେ ରଖି ଟଣା ଓଟରା ଆରମ୍ଭ ହୋଇଗଲାଣି । କିଏ ହେବ ସମବାୟ ବ୍ୟାଙ୍କ ସଭାପତି ତାହାକୁ ନେଇ ଜିଲାରେ ଆଗକୁ ଏକ ରୋଚକ ରାଜନୈତିକ ପରିସ୍ଥିତି ସୃଷ୍ଟି ହେବ ବୋଲି ସାଧାରଣରେ ଆଲୋଚନା ହେଉଅଛି ।



