ସମ୍ବଲପୁର : ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀଙ୍କ ଶିଶୁ ଫାଉଣ୍ଡେସନ ପକ୍ଷରୁ ସୁରକ୍ଷିତ ଶୈଶବ ନିମନ୍ତେ ଆୟୋଜିତ ଅଭିଯାନ କ୍ରମରେ ପଶ୍ଚିମ ଓଡିଶାର ପ୍ରାୟ ୫ ଶହଟି ଗ୍ରାମରେ ଶିଶୁ ସୁରକ୍ଷା ସଚେତନା ପାଇଁ ପ୍ରଦୀପ ପ୍ରଜ୍ୱଳନ ଓ ଶପଥ ପାଠ କରାଯାଇଛି । ରବିବାର ପଶ୍ଚିମ ଓଡିଶାର ସମ୍ବଲପୁର, ଝାରସୁଗୁଡା, ବରଗଡ, ସୁନ୍ଦରଗଡ ଜିଲାର ୫୫ଟି ପଞ୍ଚାୟତ ଅଧିନସ୍ଥ ୫ ଶହଟି ଗ୍ରାମରେ ସମସ୍ତ ବର୍ଗର ଜନତା ଓ ନିର୍ବାଚିତ ପ୍ରତିନିଧି ମାନଙ୍କୁ ସାମିଲ କରି ‘ପ୍ରତି ଶିଶୁ ପାଇଁ ସୁରକ୍ଷା’ ବାର୍ତ୍ତା ଉପରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଛି। ନୂଆଦିଲ୍ଲୀ ସ୍ଥିତ କୈଳାଶ ସତ୍ୟାର୍ଥୀ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଟିଏ ସମୟରେ ସାରା ଦେଶରେ ୧୦ ହଜାରରୁ ଅଧିକ ଗ୍ରାମରେ ‘ପ୍ରତି ଶିଶୁ ସୁରକ୍ଷିତ’ ବାର୍ତ୍ତା ପହଞ୍ଚାଇବା ଲକ୍ଷ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାରେ ଆଦର୍ଶ ଅନୁଷ୍ଠାନ ସକ୍ରିୟ ସହାୟତା କରିଥିଲେ।

ଏହି ଅଭିଯାନ ପାଇଁ ରବିବାର ଅପରାହ୍ନ ୫ଟାରେ ସମସ୍ତ ଗ୍ରାମ ଗୁଡିକରେ ଗୋଟିଏ ସମୟରେ ଶିଶୁ ମାନଙ୍କ ସୁରକ୍ଷା ନିମନ୍ତେ ସମୂହ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ଏଥି ସହ ଶିଶୁ ମାନଙ୍କୁ କାର୍ଯ୍ୟକ୍ଷେତ୍ର (ଶ୍ରମିକ), ବାଲ୍ୟ ବିବାହ ଓ ଯୌନ ଶୋଷଣରୁ ସୁରକ୍ଷା ପାଇଁ ସମସ୍ତ ଗ୍ରାମ ଗୁଡିକୁ ସୁରକ୍ଷିତ ଶିଶୁ ଗ୍ରାମ ରୂପେ ରଖିବା ପାଇଁ ସଚେତନତା ବାର୍ତ୍ତା ସହିତ ଶପଥ ପାଠ କରାଯାଇଥିଲା। ମାତୃ ଶକ୍ତିକୁ ବିଶେଷ ଗୁରୁତ୍ୱ ଦିଆଯାଇ ପ୍ରତି ଗ୍ରାମରେ ୧୦ ଜଣ ମହିଳାଙ୍କୁ ନେଇ ସାମୂହିକ ନେତୃତ୍ୱରେ ଦାୟିତ୍ୱ ଦିଆଯାଇଥିଲା। ଜାତୀୟସ୍ତରର ଏହି ଅଭିଯାନକୁ କାର୍ଯ୍ୟକାରୀ କରିବା ନିମନ୍ତେ ସାରା ପଶ୍ଚିମ ଓଡିଶାରେ ୫୦ରୁ ଅଧିକ ସ୍ୱେଚ୍ଛାସେବୀମାନଙ୍କୁ ବିଭିନ୍ନ ଗ୍ରାମର ଦାୟିତ୍ୱ ଦିଆଯାଇଥିବା ବେଳେ ଆଦର୍ଶ ଅନୁଷ୍ଠାନର ସମ୍ପାଦକ ପ୍ରଦୀପ ବେହେରା, ଜ୍ୟୋତି ଶତପଥୀ, ଲୀନାରାଣି ତ୍ରିପାଠୀ ଓ ଅନୁଷ୍ଠାନର ସଦସ୍ୟ ସଦସ୍ୟା ମାନେ ସଂଯୋଜନା କରିଥିଲେ।



