www.samajalive.in
Sunday, December 14, 2025
15.1 C
Bhubaneswar

ଦୁର୍ନୀତି ଲୁଚାଇବାକୁ ଜାଳିଦେଲେ କାର୍ଯ୍ୟାଳୟ !

ବଲାଙ୍ଗିର: ପୁଣି ଚର୍ଚ୍ଚାକୁ ଆସିଛି ବଲାଙ୍ଗିର ଜିଲା ପୁଇଁନ୍ତଲା ବ୍ଲକର ବିଲେଇସର୍ଡା ପଞ୍ଚାୟତ । ପଞ୍ଚାୟତରେ ହୋଇଥିବା ଦୁର୍ନୀତିକୁ ଲୁଚାଇବା ପାଇଁ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ, ଗୁରୁବାର ରାତିରେ ପଞ୍ଚାୟତ କାର୍ଯ୍ୟାଳୟରେ ନିଆଁ ଲାଗିଥିଲା । ଗାଁ ଲୋକେ ଖବର ପାଇ ଆସିବା ବେଳକୁ କାର୍ଯ୍ୟାଳୟର ସବୁ ଆସବାବପତ୍ର ପୋଡି ଯାଇଥିଲା । କମ୍ପ୍ୟୁଟରଠାରୁ ଆରମ୍ଭ କରି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି ।

ବିଲେଇସର୍ଡା ପଞ୍ଚାୟତର ଆଗ ପଟେ ତାଲା ଝୁଲୁଛି । ଆଗପଟେ ତାଲା ଥିବା ବେଳେ ପଛପଟେ ଝରକା ଭଙ୍ଗା ଯାଇଛି । ପଛପଟୁ କେହି ଦୁର୍ବୃତ୍ତ ଏହି ଅଘଟଣ ଘଟାଇଥିବା ଗାଁ ଲୋକେ ସନ୍ଦେହ କରୁଛନ୍ତି । ପଞ୍ଚାୟତରେ ଚାଲିଥିବା ଦୁର୍ନୀତିକୁ ମାଟିରେ ମିଶାଇ ପ୍ରମାଣ ନଷ୍ଟ କରିଦେବା ପାଇଁ ଜାଣିଶୁଣି ଏଭଳି କରାଯାଇଥିବା ବିଲେଇସର୍ଡା ଅଞ୍ଚଳରେ ଆଲୋଚନା ହେଉଛି । ପୁଇଁନ୍ତଳା ପୁଲିସ ନିକଟରେ ଏନେଇ ଶୁକ୍ରବାର ଅଭିଯୋଗ ହୋଇଛି । ପଞ୍ଚାୟତକୁ ଯାଇ ତଦନ୍ତ କରିଥିବା ସୂଚନା ମିଳିଛି । ବିଦ୍ୟୁତ ସଟ୍‌ ସର୍କିଟ ହୋଇଥିବା ପ୍ରଥମେ ଆଲୋଚନା ହେଉଥିଲେ ବି ପରେ କାର୍ଯ୍ୟାଳୟର ପଛ ପଟ ଝରକା ଭଙ୍ଗା ଯାଇଥିବା ସ୍ଥାନୀୟ ଲୋକେ ଓ ତଦନ୍ତକାରୀ ପୁଇଁନ୍ତଲା ପୁଲିସ ଦେଖିବାକୁ ପାଇଛନ୍ତି ।

- Advertisement -

ସୂଚନାଯୋଗ୍ୟ ଯେ, ବିଲେଇସର୍ଡା ପଞ୍ଚାୟତର ସରପଞ୍ଚ ପଦ ପାଇଁ ନିଲାମ ଡକାଯାଇଥିବା ରାଜ୍ୟ ତଥା ରାଜ୍ୟ ବାହାରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ନିକଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୃତ ଲୋକଙ୍କ ନାଁରେ କାର୍ଯ୍ୟାଦେଶ ଦେଇ ଟଙ୍କା ହଡପ ଭଳି ଅଭିଯୋଗ ସାମ୍ନାକୁ ଆସିଥିଲା । ଆବାସ ଯୋଜନା ଦୁର୍ନୀତିକୁ ନେଇ ଭିଜିଲାନ୍ସ ଖୋଳତାଡ କରୁଛି । କେବଳ ଆବାସ ନୁହେଁ, ପଞ୍ଚାୟତରେ ହୋଇଥିବା ମନେରଗା ଯୋଜନାରେ ବ୍ୟାପକ ଅର୍ଥ ହେରଫେର କରାଯାଇଥିବା ଚର୍ଚ୍ଚା ହେଉଛି । ପଞ୍ଚାୟତରେ ହେଉଥିବା ଦୁର୍ନୀତିକୁ ଘୋଡାଇବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ନିଆଁ ଲଗାଯାଇଥିବା ସାଧାରଣରେ ସନ୍ଦେହ ବଢିବାରେ ଲାଗିଛି । କିନ୍ତୁ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ଖବର ଅନୁସାରେ, ପଞ୍ଚାୟତ ଜଗିବା ପାଇଁ ରାତି ଜଗୁଆଳି ବ୍ୟବସ୍ଥା ରହିଛି । ବିଲେଇସର୍ଡା ପଞ୍ଚାୟତରେ ନିଆଁ ଲାଗିବା ଜଗୁଆଳି କେମିତି ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନ ଉଠୁଛି ।

ସେହିପରି କିଏ ତଥା କେଉଁ ପରିସ୍ଥିତିରେ ଏପରି ଘଟିଲା ତାହା ଅସ୍ପଷ୍ଟ ରହିଛି । ପଞ୍ଚାୟତରେ ନିଆଁ ଲାଗି ପୋଡିଯିବା ପରେ ଗାଁ ଲୋକେ ଜାଣିଲେ । ତେଣୁ ପଞ୍ଚାୟତରେ ଅଗ୍ନିକାଣ୍ଡ କଥାକୁ ସହଜରେ ଗ୍ରହଣ କରାଯାଇ ପାରୁନାହିଁ । ପଞ୍ଚାୟତର ସରପଞ୍ଚ ତଥା ସେଠାରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ଓ ଅନ୍ୟମାନେ ପ୍ରତିକ୍ରିୟା ରଖୁ ନାହାନ୍ତି । ବିଲେଇସର୍ଡା ପଞ୍ଚାୟତ କାର୍ଯ୍ୟାଳୟ ପୋଡିର ପୁଲିସ ତଦନ୍ତ କରୁଥିଲେ ବି ପ୍ରଶାସନିକ ସ୍ତରରେ ପୃଥକ ଭାବେ ଯାଞ୍ଚ କରାଯିବାକୁ ଦାବି ହେଉଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories