ଗୋଡଭଗା ମା’ସମଲେଶ୍ଵରୀ ମନ୍ଦିର ଉତ୍ସବମୁଖର; ଅଖଣ୍ଡ ଦୀପରେ ଝଲସୁଛି ମନ୍ଦିର ବେଢ଼ା

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡଭଗା ୫୩ ନଂ ଜାତୀୟ ରାଜପଥ କଡ଼ରେ ରହିଛି ଅଞ୍ଚଳର ପୁରାତନ ମା’ ସମଲେଶ୍ଵରୀଙ୍କ ମନ୍ଦିର ।ଏହି ମନ୍ଦିରର ପାଶ୍ଚାତ ପଟରେ ରହିଛି ଶିବ ପାର୍ବତୀଙ୍କ ଆଉ ଏକ ମନ୍ଦିର । ଶାରଦୀୟ ନବରାତ୍ର ଅବସରରେ ଏହି ସମଲେଶ୍ଵରୀ ମନ୍ଦିରରେ ରୀତିନୀତି ଅନୁଯାୟୀ ମା’ଙ୍କ ଷୋଡଶ ପୂଜା ଆରମ୍ଭ ହୋଇଯାଇଛି । ମାନସିକଧାରୀମାନେ ଅତି ଶ୍ରଦ୍ଧା ଓ ବିଶ୍ୱାସର ସହ ମା’ଙ୍କ ଆଶୀର୍ବାଦ ପାଇଁ ନଅ ଦିନ ଧରି ଅଖଣ୍ଡ ଦୀପ ଜାଳିଥାନ୍ତି ନିଜ ନିଜ ମନସ୍କାମନା ନେଇ । ବର୍ଷାନୁକ୍ରମେ ଅଖଣ୍ଡ ଦୀପ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଚଳିତ ବର୍ଷ ୧୧୮୫ ଜଣ ଶ୍ରଦ୍ଧାଳୁ ଭକ୍ତଙ୍କ ଅଖଣ୍ଡ ଦୀପ ଜଳାଯାଇଛି ।ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ମା’ଙ୍କ ଆରତୀ ସମୟରେ ମାନସିକଧାରୀ ଶ୍ରଦ୍ଧାଳୁ ଭକ୍ତଙ୍କ ବେଶ୍ ସମାଗମ ହେଉଛି । ଏହା ବ୍ୟତୀତ ପ୍ରତିଦିନ ଚଣ୍ଡୀ ହୋମ ସହ ମା’ଙ୍କୁ ଅନ୍ନ ଭୋଗ ଲାଗିବା ପରେ ହଜାର ହଜାର ଭକ୍ତମାନଙ୍କୁ ଅନ୍ନପ୍ରସାଦ ବିତରଣ କରାଯାଉଛି । ସକାଳେ ମା’ଙ୍କଠାରେ ପୂଜାର୍ଚ୍ଚନା ପରେ ବାଳ ଭୋଗ ଓ ମଧ୍ୟାହ୍ନ ସମୟରେ ଅନ୍ନ ଭୋଗ ଲାଗିଥାଏ । ଦୂର ଦୂରାନ୍ତରୁ ଭକ୍ତମାନେ ମା’ଙ୍କ ପ୍ରସାଦ ପାଇଁ ଅପେକ୍ଷା କରିଥାନ୍ତି । ସନ୍ଧ୍ୟାରେ ପୁଣି ମା’ଙ୍କ ଆରତୀ ପରେ ଭଜନ କାର୍ଯ୍ୟକ୍ରମ କରାଯାଉଛି । ମନ୍ଦିରର ମୁଖ୍ୟ ଦ୍ୱାର ତଥା ମନ୍ଦିର ଚତୁଃପାର୍ଶ୍ଵରେ ରଙ୍ଗ ବିରଙ୍ଗ ଆଲୋକ ମାକାର ତୋରଣରେ ଝଲସି ଉଠୁଛି ଏହି ପୁରାତନ ପୀଠ । ମନ୍ଦିରର ମୁଖ୍ୟ ପୂଜକ ଝାଙ୍କର ଅଭି ଭୁଏ ମୁଖ୍ୟ ପୂଜା ଦାୟିତ୍ଵ ତୁଲାଉଛନ୍ତି। ପଣ୍ଡିତ ପ୍ରଭାକର ଶତପଥୀ ଓ ସାଥୀ ଚଣ୍ଡୀ ହୋମ ଆଦି ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ସୁଶିଲ ସିଂ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ରହିଛନ୍ତି । ଆସନ୍ତା ୧ତାରିଖ ଷଷ୍ଠୀ ରେ କଳସ ଆବାହନ ସକାଳ ୮ ଘଣ୍ଟା ୪୨ ମିନିଟରେ ସପ୍ତମୀ ବିହିତ ପୂଜା, ୨ ତାରିଖରେ ଅଷ୍ଟମୀ ବିହିତ ପୂଜା, ତ୍ରିଦିନାତ୍ମକ ଦୀପ ପ୍ରଜ୍ବଳନ ଦିବସ ୮ ଘଣ୍ଟା ୧୧ ମିନିଟ ରେ, ୩ ତାରିଖରେ ମହାଷ୍ଟମୀ ସନ୍ଧି ପୂଜା ଅପରାହ୍ନ ୪ ଘଣ୍ଟା ୩୩ ମିନିଟ ପରେ ମହାନବମୀ ପୂଜା ଏବଂ ହୋମ, ୫ ତାରିଖ ନବମୀ ତିଥିରେ ମା’ଙ୍କ ପୁଜାତ୍ସବ ଏବଂ ଦଶମୀ ଦିନ ଦଶମୀ ପୂଜା ଓ ପୂର୍ଣ୍ଣାହୁତି ସକାଳ ୮ ଘଣ୍ଟା ୩୮ ମିନିଟରେ କରାଯିବ ବୋଲି ପୂଜା କମିଟି ପକ୍ଷରୁ କାର୍ୟ୍ୟକ୍ରମ ନିର୍ଘଣ୍ଟ କରାଯାଇଛି । ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଏଥିରେ ବଡ ଉତ୍ସାହର ସହ ପୂର୍ଣ୍ଣ ସହଯୋଗ କରୁଛନ୍ତି।

Comments are closed.