ମୋହନା: ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳର ବିକାଶ ପାଇଁ ଯୋଜନା ପରେ ଯୋଜନା ମାଧ୍ୟମରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଗ୍ରାମାଞ୍ଚଳର ବିକାଶ ହେଉଥିବା ବିଭିନ୍ନ ସଭାସମିତିରେ ଧୂଆଁବାଣ ମାରୁଛନ୍ତି ନେତା। କିନ୍ତୁ ଏବେବି ବିକାଶ ଠାରୁ ବହୁ ଦୂରରେ ଦୂର୍ଗମ ଅଞ୍ଚଳର ଜନତା। ସରକାର କହୁଛନ୍ତି ଗାଁ କୁ କାମ ଆଉ ମା’କୁ ସମ୍ମାନ। କିନ୍ତୁ ଏହି ବ୍ଳକରେ ମା’ମାନେ ଯଦି ଗର୍ଭବତୀ ତେବେ ସେମାନଙ୍କୁ ଦୋଳାରେ,ଭାରରେ କିମ୍ଵା କାନ୍ଧରେ ଟେକି କରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯିବାର ନଜିର ରହିଛି।
କୁଟୀପଦର ଠାରୁ ପ୍ରାୟ ୫ କିମି ରାସ୍ତା ଅତିକ୍ରମ କଲେ ପଡେ ଗାଙ୍ଗୁଡିପଙ୍କାଳ ଗାଁ। କିନ୍ତୁ ଏହି ୫ କିମି ରାସ୍ତା ଅତିକ୍ରମ କରିବା କଷ୍ଟସାଧ୍ଯ।ରାସ୍ତାର ଅବସ୍ଥା ଏମିତି ଯେ ଯାନବାହାନ ଚଳାଚଳ ତ ଦୂରର କଥା ଚାଲିଚାଲି ଯିବା ମଧ୍ୟ କଷ୍ଟସାଧ୍ୟ। ଏମାନଙ୍କ ପାଇଁ ରାସ୍ତା କହିଲେ ବାଟସାରା ବଡ଼ବଡ଼ ପଥର ,ମାଟି କାଦୁଅ ପଚପଚ଼ରାସ୍ତା। କେଉଁଠି ଗଡାଣି ତ କେଉଁଠି ଉଠାଣି। ଟିକିଏ ଅସାବଧାନ ହେଲେ ଦୂର୍ଘଟଣା ଘଟିବାର ଯଥେଷ୍ଠ ସମ୍ଭାବନା ରହିଛି। ବର୍ଷା ଦିନ ହୋଇଗଲେ ପାହାଡିଆ ଝରଣା ପାଣି ଏତେ ପ୍ରଖରଗତିରେ ମାଡି ଆସେଯେ ପାହାଡ ଧସି ଯିବା ଭୟ ମଧ୍ୟ ରହୁଛି। ତଥାପି ଲୋକେ ବହୁ କଷ୍ଟରେ ପାର ହୁଅନ୍ତି ସେହି ନଦୀ। ରାସ୍ତା ସମସ୍ୟା ଯୋଗୁଁ ଗାଁକୁ ଆସିପାରେନି ଆମ୍ବୁଲାନ୍ସ। ଫଳରେ ଆବଶ୍ୟକ ସ୍ଥଳେ ସାଧାରଣ ରୋଗୀ ଠାରୁ ଆରମ୍ଭ କରି ଗର୍ଭବତୀ ମହିଳା ପର୍ଯ୍ୟନ୍ତ ଏମିତି ପାହାଡିଆ ରାସ୍ତାରେ ଖଟିଆ କରି କାନ୍ଧରେ ବୋହି ନିଅନ୍ତି ଗ୍ରାମବାସୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ। ତେଣୁ ଗାଁକୁ ପକ୍କା ସଡକଟିଏ ନିର୍ମାଣ କରିବା ପାଇଁ ନେତା ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ ଜଣାଇ ଆସୁଥିଲେ ମଧ୍ୟ ସମସ୍ତେ ଯେମିତି ଏମାନଙ୍କ ପାଇଁ ପାଲଟିଯାଇଛନ୍ତି ନିଦାବିଷ୍ଣୁ।
ଅନ୍ୟପଟେ ଗାଙ୍ଗୁଡିପଙ୍କାଳ ଓ ନିକଟସ୍ଥ ରାଜପୁର ଗାଁରେ ପ୍ରାୟ ୪୦ରୁ ଉର୍ଦ୍ଧ୍ବ ପରିବାର ଗୋପାଳନ, ଛେଳି ପାଳନ, ଚାଷବେଉସା ଓ ଖଜୁରୀ ପଟି ତିଆରି କରି ଜୀବନ ଜୀବିକା ନିର୍ବାହ କରନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ ସେବା ପାଇଁ ଅଡ଼ବା, ବିରିକୋଟ ଓ ବ୍ରାହ୍ମଣୀ ଗାଁ ଉପରେ ନିର୍ଭର କରନ୍ତି। ଦୈନନ୍ଦିନ ବଜାର ସଉଦା ପାଇଁ ଗମ୍ଭାରୀ ଗାଁ ଉପରେ ନିର୍ଭର କରୁଥିବା ବେଳେ ବାଟରେ ବାଧକ ସାଜେ ଭରାନଈ। ଅନ୍ୟପଟେ ଅଡ଼ବା, ବିରିକୋଟ ଯିବାକୁ ହେଲେ ବାଧକ ସାଜେ ରାସ୍ତା। ପାହାଡିଆ ଝରଣା ପାଣିକୁ ଗୋଟିଏ ଷ୍ଟାଣ୍ଡ ପୋଷ୍ଟ ଦ୍ୱାରା ପାନୀୟ ଜଳ ରୂପେ ବ୍ୟବହାର କରନ୍ତି ଲୋକେ। ହେଲେ ଖରାଦିନ ହୋଇଗଲେ ଦେଖାଦିଏ ଜଳକଷ୍ଟ। ତେଣୁ ଗାଁ ଠାରୁ ଗୋଟିଏ କିମି ଦୂର ହରଭଙ୍ଗି ନଦୀର ପାଣିକୁ ଛାଣି ଆଣି ପାନୀୟ ଜଳ ରୂପେ ବ୍ୟବହାର କରନ୍ତି ଲୋକେ। ଗାଁରେ ଅନେକ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ରହୁଥିଲେ ମଧ୍ୟ ନେଟୱର୍କ୍ ନଥିବାରୁ ସେମାନେ ଯେମିତି ଅଶିକ୍ଷିତ ଭଳି ରହିଯାଇଛନ୍ତି। ଏମିତି ଏହି ଅଞ୍ଚଳର ସମସ୍ୟା ନକହିବା ଭଲ। ତଥାପି ଲୋକଙ୍କ ମୁଖ୍ୟ ଦାବି ରହିଛି ପକ୍କା ସଡ଼କ। ଏମାନଙ୍କ ଅଭିଯୋଗକୁ କେବେ ପୂରଣ କରିବେ ପ୍ରଶାସନ ସେହି ଦିନକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ।



