ରାବଣବାଲାଙ୍କ ଗାଁ ତିତରପୁର

0

ନୂଆଦିଲ୍ଲୀ : ଦଶହରା ବେଳେ ପଶ୍ଚିମ ଦିଲ୍ଲୀର ଟାଗୋର ଗାର୍ଡେନ ମେଟ୍ରୋ ଷ୍ଟେସନ ତଳକୁ ଓହ୍ଲାଇଲେ ଚାରିଆଡ଼େ କେବଳ ରାବଣ ହିଁ ଦେଖାଯିବେ। କାରଣ,​    ଷ୍ଟେସନକୁ ଲାଗି ଥିବା ତିତରପୁର ଗାଁର ବାସିନ୍ଦା ରାମଲୀଳା ଆରମ୍ଭ ହେବା ମାତ୍ରେ ରାବଣ ପିତୁଳା ତିଆରିରେ ଲାଗିପଡ଼ନ୍ତି। ଏହା ମଧ୍ୟ ଏସିଆର ସବୁଠାରୁ ବଡ଼ ପିତୁଳା ବଜାର ଭାବେ ପରିଚିତ।

prayash

ଏଠାକାର ବାସିନ୍ଦାଙ୍କ କହିବା ଅନୁସାରେ, ୧୯୭୦ ମସିହା ବେଳକୁ ସାହାରନପୁରରୁ ଜଣେ ବାବା ଏଠାକୁ ଆସିଥିଲେ ଏବଂ ସେ ହିଁ ସେଠାକାର ଲୋକମାନଙ୍କୁ ରାବଣ ପିତୁଳା ତିଆରି କରିବା ଶିଖାଇଲେ। ବାବାଙ୍କର ନାଁ ସେମାନେ ଜାଣିନଥିଲେ ବି ରାବଣ ବାବା ବୋଲି ସମ୍ବୋଧନ କରନ୍ତି। ସେ ସମୟରେ ତିତରପୁର ବାସିନ୍ଦା ରାବଣ ପିତୁଳା ତିଆରି କରି ନିଜ ଗୁଜରାଣ ମେଣ୍ଟାଉଥିଲେ। ଏବେ ଏହା ସେମାନଙ୍କର ଏକପ୍ରକାର ସଉକରେ ପରିଣତ ହୋଇଛି। ତିତରପୁର ଗ୍ରାମ ମଧ୍ୟ ରାବଣ ମଣ୍ଡି, ରାବଣ ସୁପରମାର୍କେଟ ନାମରେ ପରିଚିତ। ଏହା ଏସିଆର ସବୁଠାରୁ ବଡ ପିତୁଳା ବଜାର। ରାସ୍ତାକଡରେ ବାଉଁଶରେ ତିଆରି ରାବଣ ଓ ତାଙ୍କ ପରିବାର ସଦସ୍ୟଙ୍କ ଢାଞ୍ଚା ତିଆରି ହୋଇ ରହିଥିବାର ଦେଖାଯାଏ। କେବଳ ଦେଶ ଭିତରେ ନୁହେଁ, ବିଦେଶରେ ମଧ୍ୟ ଏହି ଗାଁରେ ତିଆରି ରାବଣ ପିତୁଳାର ଚାହିଦା ରହିଛି। ପ୍ରତିବର୍ଷ ବିଦେଶରୁ ଅର୍ଡର ଆସେ ଏବଂ ଦଶହରାର ଠିକ୍‌ ପୂର୍ବରୁ ରାବଣ ପିତୁଳା ପଠାଯାଇଥାଏ। ଏଠାରେ ପ୍ରାୟତଃ ୨୦ରୁ ୪୦ଫୁଟ ଯାଏ ଉଚ୍ଚତାର ରାବଣ ତିଆରି କରାଯାଏ। ତେବେ ୪୦ଫୁଟର ରାବଣ କରିବାକୁ ପୁଲିସ୍‌ଠାରୁ ଅନୁମତି ନେବା ଏବଂ ଏହାକୁ ଛିଡା କରିବା ଲାଗି କ୍ରିମ ଆବଶ୍ୟକ। ତେଣୁ ୪୦ଫୁଟରୁ ଛୋଟ ରାବଣ କରି ଏହାର ଡିଜାଇନ୍‌ ପ୍ରତି ବେଶୀ ଧ୍ୟାନ ଦେବାକୁ ସେମାନେ ଚେଷ୍ଟା କରନ୍ତି। ଏଠିକାର ବାସିନ୍ଦା ଦଶହରା ପାଳନ କରନ୍ତି ନାହିଁ ବୋଲି ଚର୍ଚ୍ଚା ହୁଏ। ଅସଲରେ, ଦଶହରାର ଠିକ୍‌ ପୂର୍ବରୁ ସେମାନଙ୍କର କାମ ଖୁବ୍‌ ବଢିଯାଏ। ତେଣୁ ଦଶହରାରେ ସମସ୍ତେ ପର୍ବ ପାଳନ କରୁଥିବା ବେଳେ​‌ ସେମାନେ ବିଶ୍ରାମ ନିଅନ୍ତି। ଏଥର ରାବଣ ତିଆରି ଟିକେ ଡେରିରେ ଆରମ୍ଭ ହୋଇଥିବାରୁ ସେମାନେ ଏହାକୁ ସଜାଇବା ଲାଗି ବିଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। ଆଖି ଏବଂ ଛାତିରେ ଏକ ଅଲଗା ପ୍ରକାର ଲାଇଟ୍‌ ଲଗାଯାଇଛି। ରାବଣ ପିତୁଳା ତିଆରି ବ୍ୟତୀତ ରୋଜଗାର ଲାଗି ସେମାନେ ଅନ୍ୟାନ୍ୟ କାମଧନ୍ଦା କରୁଥିଲେ ମଧ୍ୟ ରାବଣ ଏଠାରେ ପ୍ରତିବର୍ଷ ଜନ୍ମଗ୍ରହଣ କରନ୍ତି ଏବଂ ସେ ହିଁ ତାଙ୍କର ଅନ୍ନଦାତା ବୋଲି କହନ୍ତି ତିତରପୁର ବାସିନ୍ଦା। ଏଥିପାଇଁ ସେହି ରାବଣ ବାବାଙ୍କ ପାଖରେ କୃତଜ୍ଞତା ପ୍ରକାଶ କରନ୍ତି ସେମାନେ।

kalyan agarbati
Leave A Reply