ଗୋମହିଷାଦିଙ୍କୁ ଚର୍ମବିଣ୍ଡି ରୋଗରୁ ରକ୍ଷା ପାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ

ଭୁବନେଶ୍ୱର: ଉତ୍ତର ଭାରତର କିଛି ରାଜ୍ୟରେ ଗୋମହିଷାଦି ଚର୍ମବିଣ୍ଡି ରୋଗରେ ଆକ୍ରାନ୍ତ ହୋଇଥିବା ପରିପ୍ରେକ୍ଷୀରେ ଓଡ଼ିଶାରେ ଏହି ରୋଗ ବ୍ୟାପିବାକୁ ପ୍ରତିରୋଧ କରିବା ଦିଗରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପରାମର୍ଶ କ୍ରମେ ବିଭାଗ ପକ୍ଷରୁ ଆଗୁଆ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ।
ଏହି ପରିପ୍ରେକ୍ଷୀରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଚର୍ମବିଣ୍ଡି ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ ନିମନ୍ତେ ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାର ମୁଖ୍ୟ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀମାନଙ୍କୁ ପତ୍ର ଲେଖି ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ବାଲେଶ୍ୱର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି, ନୂଆପଡ଼ା, ସୁନ୍ଦରଗଡ଼, ବରଗଡ଼, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଚର୍ମବିଣ୍ଡି ରୋଗର ଲକ୍ଷଣ ଓ ପ୍ରତିଷେଧକ ବ୍ୟବସ୍ଥା ସଂପର୍କରେ ବ୍ୟାପକ ପ୍ରଚାର ଓ ଜନସଚେତନତା କରିବାକୁ ସିଡ଼ିଭିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହିସବୁ ଜିଲ୍ଲାରେ ରାଜ୍ୟ ସୀମାର ୫ କିମି ପରିଧି ମଧ୍ୟରେ ଥିବା ସୀମାବର୍ତ୍ତୀ ବ୍ଲକ୍‌ ଓ ଗ୍ରାମଗୁଡ଼ିକୁ ଚିହ୍ନଟ କରି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ କୁହାଯାଇଛି। ପ୍ରାଣୀମାନଙ୍କ ମଧ୍ୟରେ ରୋଗ ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକ ଔଷଧ ପ୍ରୟୋଗର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲା ପ୍ରଶାସନକୁ ଆନ୍ତରାଜ୍ୟ ଗୋମହିଷାଦିର ପରିବହନ ଉପରେ କଟକଣା ଲାଗୁ କରିବା ପାଇଁ ପରାମର୍ଶ ଦିଆଯାଇଛି। ଗୋମହିଷାଦିର ବ୍ୟବସାୟ ଓ ପ୍ରାଣୀମେଳା, ପ୍ରଦର୍ଶନୀ ଆଦିକୁ ସାମୟିକ ଭାବେ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରୋଗ ପ୍ରତିଷେଧକ ଭ୍ୟାକ୍‌ସିନ୍‌ ସଂଗ୍ରହ କରାଯାଇଛି ଓ ଆବଶ୍ୟକ ହେଲେ ସୀମାବର୍ତ୍ତୀ ବ୍ଲକ୍‌ଗୁଡ଼ିକୁ ବଣ୍ଟନ କରାଯିବ। ଏଥି ସହିତ ପ୍ରାଣୀଚିକିତ୍ସାରେ ସଂପୃକ୍ତ ଭେଟ୍‌, ପାରାଭେଟ୍‌, ଗୋମିତ୍ର, ପ୍ରାଣୀମିତ୍ର ଏବଂ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ଚର୍ମବିଣ୍ଡି ରୋଗ ଏବଂ ଏହାର ପ୍ରତିଷେଧକ ଓ ଚିକିତ୍ସା ବ୍ୟବସ୍ଥା ବିଷୟରେ ସଚେତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗୁହାଳ ଏବଂ ଗୋରୁମହିଷାଦି ରହୁଥିବା ସ୍ଥାନକୁ ନିୟମିତ ବିଶୋଧନ କରିବା ପାଇଁ କୁହାଯାଇଛି।
ଯଦି କୌଣସିଠାରେ ଗୋମହିଷାଦିଙ୍କ ମଧ୍ୟରେ ଚର୍ମବିଣ୍ଡି ରୋଗ ଦେଖାଯାଏ, ତେବେ ପ୍ରଭାବିତ ଗୋମହିଷାଦିଙ୍କୁ ତୁରନ୍ତ ଅନ୍ୟମାନଙ୍କଠାରୁ ପୃଥକ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସବୁ ପ୍ରଭାବିତ ପଶୁ ସୁସ୍ଥ ହେବା ପର୍ଯ୍ୟନ୍ତ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ନିୟମିତ ପ୍ରଭାବିତ ଫାର୍ମ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ସନ୍ଦେହ ହେଉଥିବା ପ୍ରାଣୀର ନମୁନା ସଂଗ୍ରହ କରି ଡିଷ୍ଟି୍ରକଫ ଡାଇଗ୍ନୋଷ୍ଟିକ୍‌ ଲାବେରୋଟୋରୀ କିମ୍ବା ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନର ପରୀକ୍ଷାଗାରକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଚର୍ମବିଣ୍ଡି ଏକ ଭୂତାଣୁଜନିତ ସଂକ୍ରମଣ ରୋଗ, ଯାହା ମଶା, ଡାଆଁଶ ଓ ଟିଙ୍କମାନଙ୍କ ଦ୍ୱାରା ବ୍ୟାପିଥାଏ। ପ୍ରଭାବିତ ପଶୁର ଘା, ରକ୍ତ, ଲାଳ, ସିଂଘାଣି ଓ ଶୁକ୍ର ଆଦି ଦ୍ୱାରା ଗୋଟିଏ ପଶୁରୁ ଅନ୍ୟ ପଶୁକୁ ବ୍ୟାପିଥାଏ। ଆକ୍ରାନ୍ତ ଗାଈଗୋରୁଙ୍କ ଶରୀରରେ ତାପମାତ୍ରା ବୃଦ୍ଧିଘଟି ଜ୍ୱର ହୋଇଥାଏ ଏବଂ ସେମାନେ ଚାଲିବାରେ କଷ୍ଟ ଅନୁଭବ କରିଥାନ୍ତି। ମୁଣ୍ଡ, ବେକ ଓ ପହ୍ନା ଆଦିରେ ଆବୁ ବାହାରିବା ପରି ଫୁଲା ଦେଖାଯାଏ। ଆଶୁ ଚିକିତ୍ସା ଦ୍ୱାରା ଏହି ରୋଗ ସଂପୂର୍ଣ୍ଣ ଆରୋଗ୍ୟ ହୋଇଥାଏ । ତେଣୁ କୌଣସି ଅଞ୍ଚଳରେ ଏହି ରୋଗ ଦେଖାଦେଲେ ତୁରନ୍ତ ନିକଟସ୍ଥ ପ୍ରାଣୀଧନ ନିରୀକ୍ଷକ, ପ୍ରାଣୀ ଚିକିତ୍ସକ କିମ୍ବା ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ଖବର ଦେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

kalyan agarbati

Comments are closed.