www.samajalive.in
Thursday, December 11, 2025
16.1 C
Bhubaneswar

ସୁନ୍ଦରଗଡ଼ ଜିଲ୍ଲାରେ ସମନ୍ୱିତ ଫିଜିଓଥେରାପି ସେବା, ୬୫ ହଜାରରୁ ଅଧିକ ଥେରାପି ସେସନ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପରିସର ଏବଂ ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଚାଲିଥିବା ‘ସମନ୍ୱିତ ଭୌତିକ ଚିକିତ୍ସା’ ବା ଆଧୁନିକ ଫିଜିଓଥେରାପି ସେବା ବେଶ୍‌ ଲୋକପ୍ରିୟ ହୋଇପାରିଛି। ଏହା ମାଧ୍ୟମରେ ଗତ ୮ ମାସ ମଧ୍ୟରେ ଜିଲ୍ଲାରେ ବିଭିନ୍ନ ବର୍ଗ ଓ ବୟସର ରୋଗୀଙ୍କୁ ୬୫ ହଜାରରୁ ଅଧିକ ସେସନ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି।

ବିଭିନ୍ନ ଜନ୍ମଗତ ସମସ୍ୟା ତଥା କୌଣସି ରୋଗଜନିତ, ଦୁର୍ଘଟଣାଜନିତ, ସ୍ନାୟୁଗତ ଏବଂ ଜୀବନଶୈଳୀ ଆଦି ସମସ୍ୟା ଭୋଗୁଥିବା ବ୍ୟକ୍ତି ତଥା ଭିନ୍ନକ୍ଷମଙ୍କ ଚିକିତ୍ସା ଓ ପୁନର୍ବାସ କ୍ଷେତ୍ରରେ ଡାକ୍ତରୀ ବିଜ୍ଞାନରେ ଆଜି ଅତ୍ୟାଧୁନିକ ଫିଜିଓଥେରାପି ସେବା ଗୁରୁତ୍ୱପୂର୍ଣ୍ଣ ହୋଇଛି। ଏ ବାବଦରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖକୁ ବିଶ୍ୱ ଫିଜିଓଥେରାପି ଦିବସ ଭାବେ ପାଳନ କରାଯାଉଛି।

- Advertisement -

ଭିନ୍ନକ୍ଷମଙ୍କୁ ଆବଶ୍ୟକ ଚିକିତ୍ସା ଓ ପୁନର୍ବାସ ସେବା ଯୋଗାଇ ଦେଇ ସେମାନଙ୍କ ଭିତରେ ସକ୍ଷମତା ଭରିଦେବା ଏକ ବଡ଼ ଆହ୍ୱାନ। ତେଣୁ ସେମାନଙ୍କୁ ପୁଣିଥରେ ଜୀବନ ଓ ଜୀବିକାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦୨୦ ମସିହାରୁ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର କାମ କରୁଛି। ସେହିପରି ଜିଲ୍ଲାରେ ୨୦୨୨ ଜାନୁଆରିରୁ ସମନ୍ୱିତ ଭୌତିକ ଚିକିତ୍ସା ସେବା ଆରମ୍ଭ କରାଯାଇଛି। ଏହା ଫଳରେ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟତଃ ଗ୍ରାମାଞ୍ଚଳର ରୋଗୀମାନେ ବିଶେଷ ଉପକୃତ ହେଉଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ଚାଲିଥିବା ଏହି ବିଶେଷ କାର୍ଯ୍ୟକ୍ରମ ଜରିଆରେ ସମସ୍ତଙ୍କୁ ମାଗଣାରେ ଫିଜିଓଥେରାପି ସେବା ଯୋଗାଇ ଦିଆଯାଉଛି।

ସୁନ୍ଦରଗଡ଼ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ରହିଛି ଅତ୍ୟାଧୁନିକ ‘ଥେରାପ୍ୟୁଟିକ୍ ସେଣ୍ଟର’ ବା ଭୌତିକ ଚିକିତ୍ସା ସେବା କେନ୍ଦ୍ର। ସେଠାରେ ଫିଜିଓଥେରାପି ସହ ଆଶୁ ନିରାକରଣ ଚିକିତ୍ସା, ବାକ୍ ଥେରାପି, ବ୍ୟାବହାରିକ ଚିକିତ୍ସା ଓ ତାଲିମ ଏବଂ ଶିକ୍ଷା ଥେରାପି ଭଳି ବିଭିନ୍ନ ଆଧୁନିକ ଚିକିତ୍ସା ଓ ପୁନର୍ବାସ ସେବା ଦିଆଯାଉଛି। ଏଥିରୁ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, କର୍ମଜୀବୀ, ମହିଳା, ଶିଶୁ ତଥା ବିଭିନ୍ନ ବର୍ଗର ଲୋକେ ଉପକୃତ ହେଉଛନ୍ତି। ଏହି କେନ୍ଦ୍ରରେ ବିଭିନ୍ନ ଥେରାପି ପାଇଁ ଆଧୁନିକ ଚିକିତ୍ସା ଉପକରଣ ରହିଛି। ସେଠାରେ ତାଲିମପ୍ରାପ୍ତ ଥେରାପିଷ୍ଟମାନେ ରୋଗୀଙ୍କୁ ଦେଖି ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଥେରାପି ଓ ପରାମର୍ଶ ଦେଉଛନ୍ତି।

ସେହିପରି ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ଖୋଲାଯାଇଛି। ସେଠାରେ ତାଲିମପ୍ରାପ୍ତ ଫିଜିଓଥେରାପିଷ୍ଟମାନଙ୍କୁ ନିଯୁକ୍ତ କରି ରୋଗୀମାନଙ୍କୁ ବିଭିନ୍ନ ପ୍ରକାରର ଥେରାପି ଦିଆଯାଉଛି। ସମସ୍ତ କେନ୍ଦ୍ରରେ ଶିଶୁଙ୍କ ସୁବିଧା ପାଇଁ ଅଲଗା ଚିକିତ୍ସା କକ୍ଷର ବ୍ୟବସ୍ଥା କରାଯାଇଛି।

ଏହାସହିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ସାପ୍ତାହିକ ଓପିଡି ଜରିଆରେ ସ୍ଥାନୀୟ ରୋଗୀମାନଙ୍କୁ ଫିଜିଓଥେରାପି ସେବା ଓ ପରାମର୍ଶ ଦିଆଯାଉଛି। ଯେଉଁ ରୋଗୀମାନଙ୍କର ଅତିରିକ୍ତ କିମ୍ବା ସ୍ୱତନ୍ତ୍ର ଚିକିତ୍ସା ସେବାର ଆବଶ୍ୟକ ରହିଛି ସେମାନଙ୍କୁ ସୁନ୍ଦରଗଡ଼ରେ ଥିବା ଉଚ୍ଚ ଭୌତିକ ଚିକିତ୍ସା କେନ୍ଦ୍ରକୁ ପଠାଯାଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories